Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବ ନୁହେଁ, ତାଙ୍କ ଧର୍ମପତ୍ନୀ ସ୍ବାଗତିକାଙ୍କୁ ବିଜେପି ଦେବ ଟିକେଟ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଆଉ ନିର୍ବାଚନ ଲଢିବେ ନାହିଁ। ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବାକୁ ଦଳକୁ କହିଥିଲେ, ହେଲେ ଦଳ ସେଠାରେ ତାଙ୍କୁ ପ୍ରାର୍ଥୀ କଲା ନାହିଁ। ସେଥିପାଇଁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଚର୍ଚ୍ଚା ବଢିଛି।

ତେବେ ଜଗଦ୍ଦେବଙ୍କ ବଦଳରେ ବିଜେପି କୁଆଡେ ତାଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବଙ୍କୁ ଟିକେଟ ଦେବ ବୋଲି ଜଣାପଡିଛି। ମୁଖ୍ୟତଃ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ 10ଟି ମାମଲା ଚାଲିଥିବା ବେଳେ ସେ ବିଭିନ୍ନ ସମୟରେ ବିବାଦୀୟ ହୋଇପଡୁଛନ୍ତି। ସେଥିପାଇଁ ଦଳ ତାଙ୍କୁ ଟିକେଟ ନ ଦେଇ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ସେ ସୁପାରିଶ କରିଥିବା କୁହାଯାଉଛି। ତେବେ ସ୍ବାଗତିକା ଖୋର୍ଦ୍ଦା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି କଲା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ। ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି ବୋଲି କହିଛନ୍ତି। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଦାବୀ କରିଛି।

ଘଟଣାରୁ ପ୍ରକାଶ ଯେ, ଜଙ୍କିଆ ଥାନ ଅଧିନସ୍ଥ ଛଣଗିରିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଚାର ସମୟରେ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କଲାବେଳେ ଏପରି କାହିକି ପ୍ରଶ୍ନ କରୁଛ ବୋଲି କହି ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଛନ୍ତି। ସେହିପରି ଜଙ୍କିଆ ଥାନା ଅଧିକାରୀଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି। ନିର୍ବାଚନ କମିଶନର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

ବିଜେପି ନେତା ଓ ପ୍ରାର୍ଥୀମାନେ ବାରମ୍ବାର ନିର୍ବାଚନ କମିଶନରଙ୍କ ନାମ ନେଇ ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବୋଲି ଦଳ ଦାବୀ ପତ୍ରରେ ଉଲ୍ଲେଖ କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଝୁଲି ରହିଲା ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବିଧାନସଭା ଆସନ

ଭୁବନେଶ୍ବର: ଓଡିଶାର 112 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର 8 ଟି ବିଧାନସଭା ଆସନରୁ 6ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତେବେ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନ ପାଇଁ ଆଜି ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ଖୋର୍ଦ୍ଧା ଜିଲ୍ଲାର ଯେଉଁ ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି ସେଗୁଡିକ ହେଲା

ଜୟଦେବ- ଅରବିନ୍ଦ ଢାଲି

ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର ଏକାମ୍ର- ବାବୁ ସିଂ

ଜଟଣୀ- ବିଶ୍ବରଂଜନ ବଡଜେନା

ଚିଲିକା-ପୃଥୀରାଜ ହରିଚନ୍ଦନ

ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ପ୍ରାର୍ଥୀ ଦେଇ ନାହିଁ ବିଜେପି। ଏହି ଦୁଇ ଆସନରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। କାରଣ ସେ ପୂର୍ବରୁ ଖୋର୍ଦ୍ଧା ଆସନରେ ଲଢେଇ କରିବେ ବୋଲି ଆଶା ଥିଲା।

ହେଲେ ସେଠାର ପୁରୁଣା ବିଜେପି ନେତା କାଳୁ ଖଣ୍ଡାୟତରାୟ ତାଙ୍କୁ ବିରୋଧ କରିବାରୁ ଦଳ ସେଠାରେ ପ୍ରଶାନ୍ତଙ୍କୁ ପରିବର୍ତ୍ତିନ କରିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଉଭୟ ବେଗୁନିଆ ଏବଂ ଖୋର୍ଦ୍ଧା ଆସନକୁ ବିଜେପି ଏ ପର୍ଯ୍ୟନ୍ତ ଘୋଷଣା କରିପାରି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଅଡୁଆରେ ଅପରାଜିତା, ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କଲେ ଖୋର୍ଦ୍ଧା କର୍ମି

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ଦଳିୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ।

ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ। ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ।

ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏକ ସ୍ଥାନରେ ଦଳିୟ ସଭା କରିଥିଲେ। ସେଠାରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଉପସ୍ଥିତ ଥିଲେ। ସେହି ସଭାରେ ଅପରାଜିତା ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରାର୍ଥୀ ହେବେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ କାଳୁ ଖଣ୍ଡାୟତରାୟ କର୍ମି ଉତ୍ୟେକ୍ତ ହୋଇ ଉଠିଥିଲେ।

ସେମାନେ ପ୍ରଥମେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କରିବା ପରେ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ ଲଢେଇ କରିବେ। ମୁଁ ଯେତେବେଳେ ଦଳରେ ସାମିଲି ହେଲି ସେତେବେଳେ କୌଣସି ସର୍ତ୍ତ ରଖି ନାହିଁ। ଦଳରେ ଯୋଗଦେବା ପୂର୍ବରୁ କାଳୁଭାଇଙ୍କ ସହିତ କଥା ହୋଇଥିଲି। ସେ ମୋତେ ଆଣି ଦଳରେ ମିଶାଇଛନ୍ତି। ସେ ନିର୍ବାଚନ ଲଢନ୍ତୁ, ମୁଁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ଏହି ହାଙ୍ଗାମା ବେଳେ ଖୋଦ କାଳୁ ଖଣ୍ଡାୟତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଦାବୀ କରିଥିଲେ ଯେ, ମୁଁ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧାରେ ସଂଗଠନକୁ ମଜବୁତ କରି ରଖିଛି। ସବୁ ବୁଥରେ କର୍ମି ତିଆରି କରିଛି। ଏତେ ବର୍ଷ ଧରି ପରିଶ୍ରମ କରିବା ପରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହେବେ ବୋଲି କାହିଁକି କୁହାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବହୁ ବୁଝାବୁଝି ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମିମାନେ ଥଣ୍ଡା ପଡିଥିଲେ।

Categories
ଆଞ୍ଚଳିକ

ବାଣପୁର: ଚିଲିକା ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ବସିଲେ ଏକାଧିକ କାର୍ଯ୍ୟଗ୍ରାହୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ ଏକାଧିକ କାର୍ଯ୍ୟଗ୍ରାହୀ। ତେବେ ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପକ୍ରମେ ଉକ୍ତ ଧାରଣ ସ୍ଥଗିତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଦୀର୍ଘ ୬ ମାସ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପାଣ୍ଠିରୁ ଏକାଧିକ କାର୍ଯ୍ୟାଗ୍ରାହୀଙ୍କୁ ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପତ୍ର ଦେଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ସେହି ପ୍ରତିବାଦରେ ଆଜି ବାଣପୁର ବ୍ଲକ ଓ ଏନଏସି ର ଏକାଧିକ କାର୍ଯ୍ୟାଗ୍ରାହୀ ମାନେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଏ ନେଇ ପୁର୍ବରୁ ସେମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଧାରଣା ଦେଇଛନ୍ତି ବୋଲି କହିଥିଲେ। ପାଖାପାଖି ୪୪ ରୁ ଉର୍ଦ୍ଧ୍ଵ କାର୍ଯ୍ୟାଦେଶ ସ୍ଥଗିତ ଥିବା କାର୍ଯ୍ୟାଗ୍ରାହୀ ମାନେ କହିଛନ୍ତି।

ତେବେ ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ବିଡ଼ିଓଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ।  ତେବେ କୌଣସି କାଗଜପତ୍ର ତ୍ରୁଟି ଲାଗି କାର୍ଯ୍ୟାଦେଶ ବଣ୍ଟନ କରାଯାଇପାରିନାହିଁ ଏବଂ ଆସନ୍ତାକାଲି ତାହା ବଣ୍ଟନ କରାଯିବ ବୋଲି ବିଡିଓ ବ୍ଲକ ଅଧ୍ୟକ୍ଷ ଙ୍କୁ କହିଥିବାର ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ତେବେ ଏ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଯୋଗାଯୋଗ କରାଯାଇବାରୁ ଏହା ବ୍ଲକ ପ୍ରଶାସନର ଅସମ୍ବିଧାନିକ କାର୍ଯ୍ୟ ବୋଲି କହିଛନ୍ତି। ସାମ୍ବିଧାନିକ ପଦ୍ଧତି ଅନୁଯାୟୀ ବିଧାୟକଙ୍କ ପାଣ୍ଠି ବିଧାୟକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କାର୍ଯ୍ୟାଗ୍ରାହୀଙ୍କୁ କାର୍ଯ୍ୟ ନିମନ୍ତେ ଅନୁଦାନ ପ୍ରଦାନ କରିବେ ଏବଂ ପ୍ରଶାସନ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା କଥା। ତେବେ ଜାଣିଶୁଣି ବିଧାୟକଙ୍କୁ ହଇରାଣ କରାଯାଉଛି ବୋଲି କହିଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ।

ଯଦି ଯଥାଶୀଘ୍ର କାର୍ଯ୍ୟାଗ୍ରାହୀମାନଙ୍କୁ କାର୍ଯ୍ୟାଦେଶ ବ୍ଲକ ପ୍ରଶାସନ ପ୍ରଦାନ ନକରେ ତେବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ ହେବ ଏବଂ ତାହାର ପରିଣାମ ଭୟାବହ ହେବ ବୋଲି ବିଧାୟକ କହିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ ମିଶିବା ପରେ ଦ୍ବନ୍ଦରେ ଚିଲିକା କର୍ମୀ, ଗ୍ରହଣ କରିବାକୁ ନାରାଜ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବର୍ତ୍ତମାନ ଦ୍ବନ୍ଦରେ ଅଛନ୍ତି ଚିଲିକା ବିଜେପି କର୍ମୀ। ସେମାନେ ପ୍ରଶାନ୍ତଙ୍କୁ କେମିତି ଗ୍ରହଣ କରିବେ ସେହି ଚିନ୍ତା ଘାରିଛି। କାରଣ ହେଲା ଏକଦା ପ୍ରଶାନ୍ତ ବିଜେଡିରେ ଥିବା ବେଳେ ବିଜେପି କର୍ମିଙ୍କୁ ମାଡ ମାରିବା ଗାଳି କରିବା କାମ କରିଥିଲେ। ଯାହାକୁ ଏ ପର୍ଯ୍ୟନ୍ତ ଚିଲିକା ବିଜେପି କର୍ମି ଭୁଲିପାରି ନାହାଁନ୍ତି।

ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା, ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କ୍ଲବ ଘରେ ପଶି ବିଜେପି କର୍ମିଙ୍କୁ ଗାଳି କରିବାକୁ ସେମାନେ ଭୁଲି ନାହାଁନ୍ତି। ଯାହାକୁ ନେଇ ସେତେବେଳେ ଚିଲିକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ବଳେଇ ଯାଇଥିଲା ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ସେଠାରେ ସେ ଏହିପରି କିଛି କାର୍ଯ୍ୟ କରିଥିଲେ ଯାହାକୁ ନେଇ ସେତେବେଳେ ବିଜେପି କର୍ମୀ ଉତ୍ତେକ୍ତ ହୋଇ ଉଠିଥିଲେ।

ସବୁ କର୍ମି ମିଶି ତାଙ୍କୁ ମାଡ ମାରିବା ଏବଂ ଗାଡି ମଡାଇବା ପରି ବଡ ଘଟଣା ଘଟିଥିଲା। ଯାହା ସାରା ରାଜ୍ୟରେ ପଡିଥିଲା ଉଠିଥିଲା। ଏହାକୁ ନେଇ ପୁରା ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲା। ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ତୁମ୍ବିତୋଫାନ ମଧ୍ୟ କରିଥିଲା। ଏହିପରି ଚିଲିକା ନିର୍ବାଚନ ମଣ୍ଡଳିରେ ବହୁ ଛୋଟଛୋଟ ଘଟଣା ଘଟିଛି ଯେଉଁଠି ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପି କର୍ମୀ ଛକାଛକି ହୋଇଛନ୍ତି।

ଏପରି ପରିସ୍ଥିତିରେ ସେହି ପ୍ରଶାନ୍ତ ଜଗଦ୍ଦେବଙ୍କୁ କିପିରି ସେମାନେ କୋଳେଇ ନେବେ ଦ୍ବନ୍ଦରେ ଅଛନ୍ତି। ପ୍ରଶାନ୍ତ ମିଶିବା ପରେ ଅନେକ କର୍ମି ମନ ଉଣା କରି ବସିଛନ୍ତି। ଏକ ବିଶେଷ ସୁତ୍ର ଅନୁସାରେ ବିଜେପିରେ ଅନେକ କର୍ମି ଏଥର ନିର୍ବାଚନରେ ଆଗକୁ ଆସିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେମାନେ କେବେ ବି ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି ଚିନ୍ତା କରିଛନ୍ତି। ଏପରିକି କେତେକ କର୍ମୀ ଓ ନେତା ଅନ୍ୟ ଦଳ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ଖୋର୍ଦ୍ଧା ଏବଂ ଚିଲିକାରେ ବିରାଟ ସମାବେଶ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ସେ ଦଳିୟ ଅନୁମତିକୁ ଅପେକ୍ଷା କରିଛନ୍ତି। ସେହି ସମାବେଶ ପୂର୍ବରୁ ପ୍ରଶାନ୍ତ ଏବଂ ପୃଥରାଜ ହରିଚନ୍ଦନ ଚିଲିକା ଯାଇ କର୍ମିମାନଙ୍କ ସହିତ ମିଳାମିଶା କରିବେ। ସେତେବେଳେ ବିଜେପିର କେଉଁ ରହିବେ କେଉଁ କର୍ମି ମୁହଁ ବୁଲାଇବେ ତାହା ଜଣାପଡିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ଛିଡା ହେବେ ପ୍ରସନ୍ନ ପାଟ୍ଟଶାଣୀ, ଚାଲିଛି ଚର୍ଚ୍ଚା, ଏଥିରେ କେତେ ଅଛି ସତ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି।

ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି।

ଏପରି ପରିସ୍ଥିତିରେ ବର୍ତ୍ତମାନ ହଠାତ ଏକ ନୂଆ ନାମ ଆଗକୁ ଆସିଛି। ତାହା ହେଲା ଯେ, ଏଥର ବିଜେଡି କୁଆଡେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରୁ ପ୍ରାର୍ଥୀ କରିବ। ତେବେ ଏ ନେଇ ନା ପ୍ରସନ୍ନ ପାଟ୍ଟଶାଣୀ ନା ବିଜେଡି କେହି କିଛି କହି ନାହାଁନ୍ତି। ହେଲେ ଲୋକେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ପ୍ରସନ୍ନ ପାଟ୍ଟଶାଣୀ ଉପଯୁକ୍ତ ହେବେ ବୋଲି ଆଶା କରିଛନ୍ତି। କାରଣ ସେ ହେଉଛନ୍ତି ରାଜ୍ୟର ଜଣେ ପୁରୁଖା ନେତା ସହିତ ଚିଲିକା ହେଉଛି ତାଙ୍କର ଘର।

ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ପରିସ୍ଥିତି ଯାହା ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଲଢେଇ କରିପାରିବେ ନାହିଁ। କାରଣ ପ୍ରଥମ କଥା ହେଲା ସେ ଦୀର୍ଘ ବର୍ଷ ଧରି ଚିଲିକା ରାଜନୀତିରୁ ଆଉଟ ହୋଇଯାଇଛନ୍ତି। ଚିଲିକା ଅଞ୍ଚଳରେ ତାଙ୍କର ଆତଯାତ ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପଟେ ବର୍ତ୍ତମାନ ସବୁ ଦଳ ଯୁବ ଚେହେରାକୁ ଗୁରୁତ୍ବ ଦେଉଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଲୋକେ କେତେ ଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି

ଭୁବନେଶ୍ୱର : ପ୍ରଶାନ୍ତ ଜଗଦେବ ଯିଏ କି ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଅପରାଧିକ ମାମଲାରେ ଜେଲ ଯାଇଥିଲେ ଏବଂ ଯାହାଙ୍କ ବିରୁଦ୍ଧରେ ଓଡିଶା ବିଜେପିର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ, ଆଜି କିଭଳି ତାଙ୍କ ଗଳାରେ ଦଳୀୟ ଉତ୍ତରୀୟ ପକାଇ ସ୍ୱାଗତ କଲେ?

ଯେଉଁ ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମହାନ୍ତି କହିଛନ୍ତି ଯେ ଉଭୟ ଅପରାଧିକ କାର୍ଯ୍ୟକଳାପକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିବା ସହ ବହିଷ୍କାର ମଧ୍ୟ କରିଥିଲା। ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାରର ରାସ୍ତା ଦେଖାଉଛି ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି।

ଏବେ ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମାନେ ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ, ସେମାନେ ନିଜ କର୍ମୀଙ୍କୁ କଣ ଉତ୍ତର ଦେବେ? ଯେଉଁ ବିଜେପି କର୍ମୀଙ୍କ ଉପରେ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଦେଇଥିଲେ, ତାଙ୍କୁ କିଭଳି ମୁହଁ ଦେଖାଇବେ? ଓଡିଶା ବିଜେପି କର୍ମୀଙ୍କ ଉପରେ ଆମକୁ ଦୟା ଆସୁଛି, ଯେଉଁମାନେ ଦଳ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ ଆଜି ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି।

ଯେଉଁ ପୃଥୀରାଜ ହରିଚନ୍ଦନଙ୍କ ପାଇଁ ଓଡିଶା ବିଜେପି କର୍ମୀମାନେ ବଦମାସ ପ୍ରଶାନ୍ତ ଜଗଦେବଙ୍କ ସହ ଲଢେଇ କରୁଥିଲେ, ଏବେ ସେମାନେ କରିବେ କଣ? ଯେଉଁ ପୃଥୀରାଜ ହରିଚନ୍ଦନ, ପ୍ରଶାନ୍ତ ଜଗଦେବଙ୍କ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ରାଜ୍ୟ ରାଜନୀତିରେ ଲଜ୍ଜିତ ହୋଇଥିଲେ ଏବଂ ହାରୁ ନେତାର ଷ୍ଟାମ୍ପ ଯାହାଙ୍କ ଦେହରେ ବାଜି ଥିଲା, ସେ ଆଜିର ମିଶ୍ରଣ ପର୍ବ ନେଇ ନିଜ କର୍ମୀଙ୍କୁ ଜବାବ ଦେଇପାରିବେ ତ?

ନୂଆ ନେତା ସୃଷ୍ଟି କରିବାକୁ ଓଡିଶା ବିଜେପି ଯେହେତୁ ଅସମର୍ଥ ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୁଣ୍ଡା, ବଦମାସ, ଅପରାଧିକ, ଜନବିରୋଧୀ ଓ ତଡାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେବା ପରେ କଣ କହିଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରଭାରୀ, ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ତେବେ ଯୋଗଦେବା ପରେ ସେ ବିଜେପିକୁ ଟେକିବା ସହିତ ବିଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ଆସିଥିଲି। ସେ ଥିଲେ ଜଣେ ସାହାସୀ ପୁୁରୁଷ। ଏବେ ନରେନ୍ଦ୍ର ମୋଦି ଜଣେ ସାହାସୀ ନେତା। ତେଣୁ ତାଙ୍କ ଆଦର୍ଶରେ ମଧ୍ୟ କାମ କରିବାର ଆଗ୍ରହ ହେଲା। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଲଢୁଆ ନେତା ବୋଲି ପ୍ରଶାନ୍ତ କହିଛନ୍ତି।

ସେହିପରି ସେ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ, ନବୀନ ଆଉ ସେହି ନବୀନ ହୋଇ ନାହାଁନ୍ତି। ଆମେମାନେ ତାଙ୍କୁ ନେଇ ରାଜନୀତି କରୁଥିଲୁ। ସେ ଆମର ସୁରକ୍ଷା ଦେଉଥିଲେ। ହେଲେ ବର୍ତ୍ତମାନ ତାହା ଆଉ ପରିଲକ୍ଷିତ ହେଉ ନାହିଁ। ସେଥିପାଇଁ ବିଜେଡି ଛାଡିଲି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି। ଯାହା ବିଜେଡିରେ ରହି କରିପାରୁ ନ ଥିଲି ଏବେ ବିଜେପିର ତାହା କରିପାରିବି ବୋଲି ସେ କହିଛନ୍ତି।

ସେଥିପାଇଁ ଆଜି ବିଜେପିରେ ଯୋଗଦେଇ ମୁଁ ବେଶ ଖୁସି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଓଡିଶାରେ ଏଥର ଡବଲ ଇଂଜିନି ସରକାର ହେବ। ମୋଦୀଙ୍କ ବିକଶିତ ଭାରତର କାର୍ଯ୍ୟକ୍ରମ ଏଠାରେ ସଫଳ ହେବ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଉଭୟ ଅପରାଜିତା ଷଡଙ୍ଗୀ ଏବଂ ପୃଥୀରାଜ ହରିଚନ୍ଦଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପୃଥୀରାଜ ଚିଲିକାରେ ମୋର ପ୍ରତିଦ୍ବନ୍ଦି ଥିଲେ। ଚିଲିକା ହେଉଛି ତାଙ୍କ ଆସନ। ସେ ଜିତିବା କଥା। ହେଲେ ସେଠାରେ ମୁଁ ହାରୁହାରୁ ଜିତିଗଲି। ପୃଥୀରାଜ ହରିଚନ୍ଦନ ମୋର ଗୁରୁ ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ସେହିପରି ଅପରାଜିତା ଖୋର୍ଦ୍ଧା ଜିଲ୍ଲାରେ ସଂଗଠନ ପାଇଁ ଯେପରି ପରିଶ୍ରମ କରୁଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବେଳେ ମଧ୍ୟ ଏହି ଅଞ୍ଚଳ ପାଇଁ ବେଶ କିଛି କାମ କରିଛନ୍ତି। ବର୍ତ୍ତମାନ ରାଜନୀତିକୁ ଆସିବା ପରେ ସେହି ବିକାଶ କାମକୁ ଆହୁରି ସୁଦୃଢ କରିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।

ସେ କେଉଁଠାରୁ ଛିଡା ହେବେ ବୋଲି ପଚାରିବାରୁ ତାହା ଦଳ ନିଷ୍ପତି କରିବ ବୋଲି କହିଛନ୍ତି। ତେବେ ବିଶେଷ ସୁତ୍ରରୁ ଯାହା ଖବର ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ସେ ଖୁବ ଶିଘ୍ର ଖୋର୍ଦ୍ଧାରେ ଏକ ବିଶାଳ ସମାବେଶ କରିବେ ବୋଲି ତାଙ୍କ ସମର୍ଥକମାନଙ୍କ ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଶେଷରେ ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ସେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି। ଓଡିଶା ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମଲ କରାଇଥିଲେ। ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଦଳିୟ ଟୋପି ପିନ୍ଧାଇଥିଲେ।

ଏହି ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେଡି କର୍ମି ମଧ୍ୟ ସାମିଲ ହୋଇଥିଲେ। ଏହି ସମାରୋହରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଯୋଗଦେଇଥିଲେ। ତାଙ୍କର ଯୋଗଦାନ ଖୋର୍ଦ୍ଧା ଜିଲ୍ଲାର ସଂଗଠନ ବେଶ ମଜବୁତ ହେବ ବୋଲି ଅପରାଜିତା କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଧରିବେ ପଦ୍ମ, ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ଶେଷରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବେ। ଏ ନେଇ ବିଜେପି କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି କରାଯାଇଛି। ସେ ମଧ୍ୟାହ୍ନରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେବେ।

ବିଜେଡି ତାଙ୍କୁ ପୁଣି ଥରେ ଟିକେଟ ଦେବ ନାହିଁ ବୋଲି ଜାଣିବା ପରେ ଜଗଦ୍ଦେବ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ। ହେଲେ କୌଣସି କାରଣରୁ ତାହା ସମ୍ଭବ ହୋଇପାରି ନ ଥିଲା। ସେ ବିଜେପିରେ ମିଶିବା ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧରିବେ ପଦ୍ମ, ଖୋର୍ଦ୍ଧା ଜିଲ୍ଲାରେ କରିବେ ଖେଳ

ଭୁବନେଶ୍ବର: ଶେଷରେ ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ଥିବା ଏହି ନେତାଙ୍କୁ ବିଜେପି ସାମିଲ କରିବ ବୋଲି ଦିଲ୍ଲୀ ନେତୃବୃନ୍ଦ ସବୁଜ ସଙ୍କେତ ଦେଇସାରିଛନ୍ତି। ଏ ନେଇ ରାଜ୍ୟ ବିଜେପି ନେତାମାନଙ୍କ ପାଖକୁ ସୂଚନା ପ୍ରଦାନ କରାଯାଇଛି। କେବଳ ଦିନ ଧାର୍ଯ୍ୟ କରି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହେବେ ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବଙ୍କର ପୁରା ଖୋର୍ଦ୍ଧା ଜିଲ୍ଲାରେ ରହିଛି ଭଲ ଲୋକ ସଂପର୍କ। ସେଥିପାଇଁ ସେ ବିଜେପିରେ ମିଶିଲେ ଏହି ଜିଲ୍ଲାରେ ଦଳର ସଂଗଠନ ବେଶ ମଜବୁତ ହେବ। ସେଥିପାଇଁ ଦିଲ୍ଲୀ ନେତୃତ୍ୟ ତାଙ୍କୁ ନେବା ପାଇଁ ନିଷ୍ପତି କରିଥିବାର ଜଣାପଡିଛି। ତେବେ ବହୁ ପୂର୍ବରୁ ପ୍ରଶାନ୍ତ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କୌଣସି କାରଣରୁ ତାହା ହୋଇପାରୁ ନ ଥିଲା। ଏବେ ରାସ୍ତା ସଫା ହେଲା ବୋଲି ଜଣାପଡିଛି।

ଖୋର୍ଦ୍ଧା ନିକଟସ୍ଥ ବଡପୋଖରୀଆରେ ଜନ୍ମିତ ପ୍ରଶାନ ଜଗଦ୍ଦେବଙ୍କୁ ବିଜେଡି ଯେଉଁଠି ଟିକେଟ ଦେଇଛି ସେଠାରେ ସେ ଭଲ ପ୍ରଦର୍ଶନ କରି ଦେଖାଇଛନ୍ତି। ବେଗୁନିଆ ବୋଲଗଡରେ ଟିକେଟ ମିଳିଲା ସେଠାରୁ ସେ ଜିତିଲେ। ଚିଲିକାରେ ଛିଡା ହେବା ପାଇଁ ବିଜେଡି ଟିକେଟ ଦେଲା ସେଠାରୁ ମଧ୍ୟ ଜିତି ବର୍ତ୍ତମାନ ବିଧାୟକ ଅଛନ୍ତି। ହେଲେ ସେ ବିବାଦୀୟ ହୋଇପଡିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଦେଇଛି।

ସେ ଛାତ୍ର ଜୀବନରୁ ବିଜୁ ଓ ନବୀନଙ୍କ ଦୃଢ ସମର୍ଥକ ହୋଇଥିବାରୁ ଦୀର୍ଘଦିନ ଧରି ବିଜେଡିରେ ପୁଣି ସାମିଲ ହେବେ ବୋଲି ଆଶା ବାନ୍ଧି ବସିଥିଲେ। ହେଲେ ତାହା ସମ୍ଭବ ହେଲା ନାହିଁ। ଏ ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ବିଜେଡି ଶୀର୍ଷ ନେତୃତ୍ବଙ୍କ ସହିତ ବାରମ୍ବାର ବୈଠକ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା।

ଗତ ସପ୍ତାହରେ ପ୍ରଶାନ୍ତଙ୍କୁ ବିଜେଡି ଡାକି କୁଆଡେ ଏଥର ଦଳକୁ ସମସ୍ତ ସହଯୋଗ ଦେବା ପାଇଁ କଥାବାର୍ତ୍ତା କରିଥିଲେ। ହେଲେ ଏଥର ଟିକେଟ ଦେଇ ହେବ ନାହିଁ ବୋଲି ଦଳ ତାଙ୍କୁ ରୋକଠୋକ ଜଣାଇ ଦେଲା। ଏହାକୁ ନେଇ କୁଆଡେ ପ୍ରଶାନ୍ତ ଅସନ୍ତୁଷ୍ଠ ହୋଇ ଚାଲି ଆସିଛନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ଅନ୍ୟପଟେ ତାଙ୍କୁ ଦଳରେ ମିଶାଇବା ପାଇଁ ବିଜେପି ସବୁଜ ସଙ୍କେତ ଦେଇ ଦେବାରୁ ସେ ଦୁଇ ତିନିଦିନ ମଧ୍ୟରେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ସେହି ସୁତ୍ର ଅନୁସାରେ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାୟକ ଭାବେ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ ପ୍ରଶାନ୍ତ ମଧ୍ୟ ପ୍ରତିଶୃତି ଦେଇଥିବାର ଜଣାପଡିଛି।

Categories
ଆଞ୍ଚଳିକ

ଚିଲିକା ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବିଡ଼ିଓ ଜଗଦୀଶ ଷଡଙ୍ଗୀ, ୫ନଂ ଓ ୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ଯୋଜନାରେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କରି ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ସମ୍ବନ୍ଧରେ ଅଧିକରୁ ଅଧିକ ବିକାଶ ଧାରାରେ ଉନ୍ନତି ଆଣିବାପାଇଁ ଜନପ୍ରତିନିଧି ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ନିଜ ନିଜ ପଞ୍ଚାୟତର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଜନପ୍ରତିନିଧିମାନେ ମତ ପୋଷଣ କରିଥିବା ବେଳେ ଆଗକୁ ପଞ୍ଚାୟତ ସ୍ତରରେ ବିକାଶର ଧାରା ଜାରି ରହିବ ବୋଲି ବିଧାୟକ ଶ୍ରୀ ଜଗଦ୍ଦେବ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକସଂପର୍କ ଆରମ୍ଭ, ରାଜନୀତି ସରଗରମ

ବାଣପୁର( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳିରେ ଦୀର୍ଘ ଦିନର ବିରତି ପରେ ପୁଣି ସଂଗଠନ ଆରମ୍ଭ କଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ। ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଜଗଦେବଙ୍କ ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ କଟକଣା ସରିବା ସତ୍ବେ ସେ ଚିଲିକା ନିର୍ବାଚନମଣ୍ଡଳି ମାଟି ମାଡୁ ନ ଥିଲେ।

ଦଳୀୟ ତାଗିଦ ଲାଗି ନିଜ ନିର୍ବାଚନମଣ୍ଡଳିର ବିଜେଡି ନେତାମାନେ ଜଗଦେବଙ୍କ ଠାରୁ ଦୁରେଇଯାଇଥିଲେ। ତେବେ ଆଜି ହଠାତ ବିଧାୟକ ଜଗଦେବ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଡେରା ପକାଇଥିବା ଦେଖିବାକୁ ମିଳିଛି। ଉଭୟ ଅଞ୍ଚଳର ଏକାଧିକ ଅନୁଗାମୀଙ୍କ ଘରକୁ ଯାଇ ସେମାନଙ୍କ ସହିତ ମିଶି ଦୁଃଖସୁଖ ହୋଇଥିଲେ।

ତତସହିତ ସେ ଚା ଖଟିରେ ମଧ୍ୟ ଯୋଗ ଦେଇ ଲୋକଙ୍କ ସହିତ ପୁନଃସଂପର୍କ ସ୍ଥାପନ କରିଥିଲେ। ବାଲୁଗାଁର ଜଣେ ବିଜେଡି ନେତାଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଏବଂ ବାଣପୁର ଅଲାଈଡିହ ଗ୍ରାମର ଜଣେ ବିଜେଡି ନେତାଙ୍କ ପୁତ୍ର ବିୟୋଗରେ ତାଙ୍କ ଘରକୁ ଯାଇ ବିଧାୟକ ଜଗଦେବ ଉଭୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ।

ତେବେ ବିଜେଡିରୁ ନିଲମ୍ବିତ ହେବାପରେ ତାଙ୍କଠାରୁ ସ୍ଥାନୀୟ ନେତା ଦୂରେଇ ଯାଇଥିବା ବେଳେ ଆଜି ବିଧାୟକଙ୍କ ଗସ୍ତ ସମୟରେ ଏକାଧିକ ନେତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଯାହା ଅନୁମେୟ ହେଉଛି ବିଧାୟକ ଜଗଦେବ ପୁଣି ଥରେ ଚିଲିକାରୁ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି। ସେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳିରେ ପୁନଶ୍ଚ ସଂଗଠନ ସଜାଡ଼ିବା ଆରମ୍ଭ କରିଦେଲେଣି।

ତେବେ ବିଧାୟକ ଜଗଦେବଙ୍କୁ ବିଜେଡି ପୁନଶ୍ଚ ଟିକେଟ ଦେବା ଆଶା କ୍ଷୀଣ ଥିବା ବେଳେ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ତେବେ ଏ ନେଇ ବିଧାୟକ ଜଗଦେବଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ନିର୍ବାଚନ ମଣ୍ଡଳି ଆସିପାରୁ ନ ଥିଲେ। ତେବେ ବର୍ତ୍ତମାନ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବେ ବୋଲି ଦୃଢତାର ସହ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସେ ସଦାବେଳେ ଅନୁପ୍ରାଣିତ ଏବଂ ସଂଗଠନ ତାଙ୍କରି ଆଶୀର୍ବାଦରୁ ଜାରି ରଖିବେ ବୋଲି ଜଗଦ୍ଦେବ କହିଛନ୍ତି। ତେବେ ଟିକେଟ ପୁଣି ବିଜେଡିରୁ ସେ ପାଇବେକି ନାହିଁ ପଚାରିବାରୁ କିଛି କହିନଥିଲେ। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ସଂଗଠନ ଜାରି ରହିବ ବୋଲି କହିଛନ୍ତି।

ଦୀର୍ଘଦିନର ନିରବତା ପରେ ସେ ହଠାତ ଚିଲିକାରେ ବୁଲିବା ନେଇ ରାଜନୀତି ସରଗରମ ହୋଇପଡିଛି। ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ସତ୍ବେ ବହୁ ଟାଣୁଆ କର୍ମି ଆଜି ତାଙ୍କ ସହିତ ସାମିଲ ହେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ କେଉଁଠି ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ପ୍ରମାଣ ଦିଅନ୍ତୁ ସସ୍ମିତ: ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପିରେ ମିଶିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାରମ୍ବାର ସାକ୍ଷାତ କରିଛନ୍ତି ବୋଲି ବିଜେଡି କହିଛି। ତେବେ ଏହାର ପ୍ରମାଣ ଦିଅନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି।

ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପ୍ରଶାନ୍ତଙ୍କୁ ବିଜେପି ନେବା ପାଇଁ ଧର୍ମେନ୍ଦ୍ର ଚେଷ୍ଠା କରୁଛନ୍ତି। ତେବେ ସେ କେଉଁଠି କେତେବେଳେ ସାକ୍ଷାତ କରିଥିଲେ ସସ୍ମିତଙ୍କ ପାଖରେ କିଛି ପ୍ରମାଣ ଅଛି କି ବୋଲି ପୃଥୀରାଜ ପ୍ରଶ୍ନ କରିଛନ୍ତି।

ପୃଥୀରାଜ କହିଛନ୍ତି ଯେ, ସସ୍ମିତ ଯେଉଁ ବିବୃତି ଦେଇଛନ୍ତି ତାହା ଡାହା ମିଛ କଥା। ନିଜର ଦୋଷକୁ ଲୁଚାଇବା ପାଇଁ ସେ ଏପରି କହିଥାଇ ପାରନ୍ତି। କିମ୍ବା କାହା ଚାପରେ ସେ ଏପରି ମିଛ ବିବୃତି ଦେଇଥାଇପାରନ୍ତି। ହେଲେ ସେ ଏହାର କୌଣସି ପ୍ରମାଣ ରଖି ନାହାଁନ୍ତି।

ପୃଥୀରାଜ ଆହୁରି କହିଛନ୍ତି ଯେ, ମୁଁ ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଭଲ ଭାବେ ଜାଣେ। ସେ ସେପରି ମିଛ ବିବୃତି କେବେ ଦିଅନ୍ତି ନାହିଁ। ହେଲେ ଏହି ଘଟଣା ସ୍ପଷ୍ଟ କରୁଛି ଯେ, ସେ କାହା ଚାପରେ ପଡି ଏପରି କଥା କହିଛନ୍ତି।

ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବାକୁ ଯାଇ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ କହିଥିଲେ ଯେ, ବିଜେଡି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

ହେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ହିଂସାକୁ ପ୍ରସୟ ଦିଅନ୍ତା ନାହିଁ ବୋଲି ସସ୍ମିତ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏକ ଉଦାହରଣ ଦେଇ ସେ ଚିଲିକା ବିଧାୟକଙ୍କ ଘଟଣା କହିଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସେହିପରି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିଛନ୍ତି।

ହେଲେ ସେହିପରି ଜଣେ ନେତାଙ୍କୁ ବିଜେପି କିପରି ଫୁଲମାଳ ଦେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଠା କରୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ସସ୍ମିତଙ୍କ ଏହି ବିବୃତି ପରେ ଓଡିଶା ରାଜନୀତରେ ବେଶ ଚର୍ଚ୍ଚା ଚାଲିଛି। ସମସ୍ତଙ୍କର ସନ୍ଦେହ ରହିଛି ଯେ ସତରେ କଣ ପ୍ରଶାନ୍ତ ବିଜେପି ଆଡକୁ ଢଳୁଛନ୍ତି କି ?

କାରଣ ବିଜେଡି ବର୍ତ୍ତମାନ ପ୍ରଶାନ୍ତଙ୍କ ହାତ ଛାଡି ଦେଇଥିଲେ ମଧ୍ୟ ସେ ଦଳର ହାତ ଛାଡି ନାହାଁନ୍ତି। ସେହିପରି ସେ କେବେ ବିଜେଡି ବିରୋଧରେ ମଧ୍ୟ କହି ନାହାଁନ୍ତି। କାରଣ ତାଙ୍କର ମନ ଏ ପର୍ଯ୍ୟନ୍ତ ବିଜେଡିରେ ରହିଛି। ବିଜେଡିର କଥା ମାନି ସେ ଏବେ ବି କାର୍ଯ୍ୟ କରୁଛନ୍ତି। ହେଲେ ଦଳ ତାଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନ ନେବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବେ, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଖୋଲାସା କଲା ବିଜେଡି

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବ ଦେବାକୁ ଯାଇ ସସ୍ମିତ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା। ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା।

ସସ୍ମିତ ପାତ୍ର ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ।

ତେବେ ସେହି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ଯେ, ଚିଲିକା ବିଧାୟକ ଖୁବ ଶିଘ୍ର ବିଜେପିରେ ମିଶୁଛନ୍ତି। ଏହି ଖବର ବିଜେଡି ପାଖରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୋଲାସା କରାଯାଇଛି। ସେଥିପାଇଁ ବିଜେଡି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ନେତା ଓ କର୍ମିମାନଙ୍କୁ ଦୂରେଇ ଦେଇଛି। ପ୍ରଶାନ୍ତ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବର୍ତ୍ତମାନ ଭଟ୍ଟା ପଡିଛି।

Categories
ଆଞ୍ଚଳିକ

ବାଲୁଗାଁରେ ପ୍ରବେଶ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ପ୍ରବେଶ କରିଛନ୍ତି। କୋର୍ଟ କଟକଣା ପାଇଁ ସେ ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରୁ ନ ଥିଲେ। ହେଲେ ସେ କଟକଣା ଉଠିବା ପରେ ସେ ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀ ସୀମାରେ ପ୍ରବେଶ କରି କର୍ମିଙ୍କ ସହିତ ଆଲୋଚନା କରିଥିଲେ।

ଆଜି ବିଧାୟକ ତାଙ୍କ ଧର୍ମପତ୍ନୀଙ୍କ ସହ ବାଲୁଗାଁସ୍ଥିତ ଉମାମହେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରେ ଉଭୟ ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଉନ୍ନୟନ ସଂପର୍କରେ ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଚିଲିକାର ପ୍ରମୁଖ ନେତାଙ୍କର ଦେଖା ମିଳି ନ ଥିଲା। କାରଣ ବିଜେଡିର ଦଳୀୟ କଟକଣା ପାଇଁ ତାଙ୍କୁ କୌଣସି ନେତା ଦେଖା କରି ନ ଥିଲେ।

ତେବେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ବାରମ୍ବାର ଚିଲିକା ଗସ୍ତ କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ଆଜି ଭୋଟ ହେଲେ କିଏ ଜିତିବ, କିଏ ବିଜେଡିକୁ ଦେଇ ପାରିବ ସଫଳତା !

ଭୁବନେଶ୍ବର: ଚିଲିକାର ବିଜେଡି ରାଜନୀତି ବର୍ତ୍ତମାନ ବଡ ବିଷମ ସମସ୍ୟା ଦେଇ ଗତି କରୁଛି। କାରଣ ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିବାଦୀୟ ପରିସ୍ଥିତିରେ ନିର୍ବାଚନ ମଣ୍ଡଳି ଗସ୍ତ କରିପାରୁ ନାହାଁନ୍ତି। ପୂର୍ବରୁ କୋର୍ଟ କଟକଣା ଥିଲା, ତାହା ହଟିଯିବା ପରେ ଏବେ ଦଳୀୟ କଟକଣା। ସେ ବିଜେଡିରେ ନ ଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ବିଜେଡି କଥା ମାନି କାମ କରୁଛନ୍ତି। ଫଳରେ ଏବେ ସେ ଦଳିୟ ନିର୍ଦ୍ଦେଶ ମାନି ଖୋଲମଖୁଲା ଚିିଲିକା ଯାଇପାରୁ ନାହାଁନ୍ତି।

ତାଙ୍କର ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାର ବିଜେଡି ମଙ୍ଗ କିଏ ଧରିବ କିଏ ଟିକେଟ ପାଇବ, ତାହାକୁ ନେଇ ସସପେନସ୍ ଜାରୀ ରହିଛି। ଏପରି କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅନେକଙ୍କ ନାମ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ହେଲେ ସେମାନେ ବିଜେଡି ପାଇଁ କେତେ ଲାଭ ଦାୟକ ହେବେ ସେ ନେଇ ଚାଲିଛି ହିସାବ ନିକାଶ। ତେବେ ଯେଉଁମାନଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି ସେମାନଙ୍କ ରାଜନୈତିକ ସମୀକରଣ କଣ କହୁଛି ତାହାର ସମୀକ୍ଷା ହେବା ଆବଶ୍ୟକ।

ପ୍ରଶାନ୍ତ ଜଗଦ୍ଦେବ–  ଯଦି କୌଣସି ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଣିଥରେ ଦଳ ଟିକେଟ ଦିଏ ତେବେ ତାହା ଦଳ ପାଇଁ ଲାଭଦାୟକ ହେବ ନାହିଁ। କାରଣ ସେ ପ୍ରଥମତଃ ଚିଲିକା ଅଞ୍ଚଳର ନୁହଁନ୍ତି। ସେତେବେଳେ ପରିସ୍ଥିତିରେ ପଡି ସେ ଚିଲିକାରେ ଛିଡା ହୋଇଥିଲେ। ଆଉ ଶେଷ ମୂର୍ହୁର୍ତ୍ତରେ କର୍ମିମାନେ କିଛି ଉପାୟ ନ ପାଇ ତାଙ୍କୁ ସମର୍ଥନ କରି ଜିତାଇଥିଲେ। ହେଲେ ବର୍ତ୍ତମାନ ସେହି ପରିସ୍ଥିତି ଆଉ ନାହିଁ। ଅନ୍ୟପକ୍ଷରେ ସେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯିବା ପରେ ତାଙ୍କର ବହୁ ବିରୋଧୀ ଇତିମଧ୍ୟରେ ବାହାରି ସାରିଲେଣି। ତେଣୁ ବର୍ତ୍ତମାନ ସେ ଚିଲିକାରେ ଛିଡା ହେଲେ ଜିତିବା କଷ୍ଟକର ହୋଇପଡିବ।

ରଘୁନାଥ ସାହୁ- ବିଜେଡିର ପୂର୍ବତନ ବିଧାୟକ ହେଉଛନ୍ତି ରଘୁନାଥ ସାହୁ। ସେ ହେଉଛନ୍ତି ଚିଲିକା ଅଞ୍ଚଳର ଏବଂ ତାଙ୍କର ମଧ୍ୟ ସଂଗଠନ ରହିଛି। ହେଲେ ସେ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଯେପରି ଅର୍ନ୍ତଘାତିକ କାମ କଲେ ତାହା ପ୍ରତିଟି ବିଜେଡି କର୍ମି ମର୍ମେ ମର୍ମେ ଅନୁଭବ କରିଛନ୍ତି। ଏହି ଘଟଣା ପରେ ଚିଲିକାରେ ରଘୁନାଥଙ୍କ ସମର୍ଥକ ଯେତିକି ତାହାଠାରୁ ବେଶୀ ହେଉଛନ୍ତି ବିରୋଧୀ। ଯଦି ଦଳ କୌଣସି ପରିସ୍ଥିତିରେ ରଘୁନାଥଙ୍କୁ ଟିକେଟ ଦିଏ ତେବେ ସେ ଏପରି ପରିସ୍ଥିତିରେ ଜିତିବା କଷ୍ଟକର ବ୍ୟାପର ହୋଇପଡିବ।

ପୌର ଏବଂ ଜିଲ୍ଲା ପରିଷଦର ନିର୍ବାଚିତ ପ୍ରତିନିଧୀମାନେ- ବର୍ତ୍ତମାନ ଚିଲିକାରେ ପୌର ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ ଜିତିଥିବା ନେତାମାନେ ମଧ୍ୟ ବିଧାୟକ ହେବାରେ ସ୍ବପ୍ନରେ ବିଭୋର ହୋଇ ସାରିଲେଣି। ବାଘ ନ ଥିଲେ ମିରିଗ ନାଟ ପରି ବିଧାୟକ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଭାବି ସେମାନେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନଙ୍କୁ ବିଧାୟକ ହେବା ନିଶା ପୁରା ଘାଇଲା କରି ସାରିଲାଣି।

ଏହି ଆଶାୟୀଙ୍କ ସଂଖ୍ୟା ପ୍ରାୟ ୮ରୁ ଅଧିକ ହେବ। ହେଲେ ଏମାନଙ୍କ ମଧ୍ୟରେ ବିଲକୁଲ୍ ତାଳମେଳ ନାହିଁ। ସମସ୍ତେ ଭିତରେ ଭିତରେ ପରସ୍ପରକୁ ବିରୋଧ କରନ୍ତି। ଯଦି ଦଳ ଏମାନଙ୍କୁ ଭିତରୁ ଜଣକୁ କାହାକୁ ପ୍ରାର୍ଥୀ କରି ଦିଏ, ତେବେ ତା ବିରୋଧରେ ଅନ୍ୟମାନ ଏକାଠି ହୋଇ ପଛରେ ଲାଗି ପଡିବେ। ଏପରିକି ଦଳିୟ ନିର୍ଦ୍ଦେଶକୁ ନ ମାନି ସେମାନେ ବିକଳ୍ପ ରାସ୍ତା ମଧ୍ୟ ଆବୋରି ନେବାର ସମ୍ଭାବନା ରହିଛି। ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଚିଲିକାର ବିଧାୟକ ପ୍ରାର୍ଥୀ କରିବା ଦଳ ପାଇଁ ବୁମେରାଂ ହୋଇପାରେ।

ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ କେତେ ସମ୍ଭାବନା- ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରୁଥିବା ବିଜେଡି ହୁଏତ ଶେଷ ମୂହୁର୍ତ୍ତରେ କୌଣସି ନୂଆ ପ୍ରାର୍ଥୀକୁ ଛିଡା କରିପାରେ। ହେଲ ସେ ପ୍ରାର୍ଥୀଙ୍କର ଯଦି ନିଜସ୍ବ ପ୍ରତିଷ୍ଠା ନ ଥିବା ତେବେ ତାଙ୍କୁ ମଧ୍ୟ ଜିତିବା କଷ୍ଟକର ହେବ। ଯାହାକୁ ପାରେ ତାକୁ ଛିଡା କଲେ ସେ ନବୀନଙ୍କ ହାୱାରେ ଜିତିଯିବ ବୋଲି ଯଦି ଦଳ ଭାବୁଥାଏ ତେବେ ଚିଲିକା ପାଇଁ ତାହା ବଡ ଭୁଲ ହେବ।

ବର୍ତ୍ତମାନ ଚିଲିକାରେ ଯେପରି ଛକାପଞ୍ଚା ଚାଲିଛି ସେଥିରେ ଜଣେ ଅଜଣାଅଶୁଣା ଏବଂ ଆମଦାନୀ ବ୍ୟକ୍ତି ପ୍ରାର୍ଥୀ ହେଲେ କର୍ମିମାନେ ଏଥର ନିଶ୍ଚିତ ମୁହଁ ମୋଡି ଦେବେ। ଅନ୍ୟପକ୍ଷରେ ବର୍ତ୍ତମାନ ସେଠାକାର ଯେଉଁ ପରିସ୍ଥିତି ସେଥିରେ ଯଦି ନୂଆ ବ୍ୟକ୍ତିଙ୍କର କିଛି ପ୍ରତିଷ୍ଠା ନ ଥିବ ଏବଂ ସେ ସେହି ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ହୋଇ ନ ଥିବେ, ତେବେ ମଧ୍ୟ କଥା ସରିଲା। କର୍ମିମାନେ ଅଗା ଭଗା ଖଗାକୁ ସମର୍ଥନ କରିବା ଅପେକ୍ଷା ବିଜେପି ମୁହାଁ ହେବାର ସମ୍ଭାବନା ଅଧିକ ଦେଖା ଦେବ।

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀରେ ଖଣ୍ଡାୟତ ଭୋଟ ପ୍ରତିଶତ ସର୍ବାଧିକ। ଏଥିସହିତ ଖଣ୍ଡାୟତ ବ୍ୟକ୍ତିଙ୍କର ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ ସଂପର୍କ ବଡ ନିବିଡିତର, ଯାହା ଭୋଟରେ ପରିଣତ ହୋଇଥାଏ। ଏହି ଖଣ୍ଡାୟତ କାର୍ଡ ଖେଳି ଗତଥର ପ୍ରଶାନ୍ତ ଜଗଦ୍ଦେବ ବାହାରୀ ନେତା ହୋଇଥିଲେ ମଧ୍ୟ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ। ତାଙ୍କର ବିଜୟ ପଛରେ ଯେଉଁ କେତୋଟି କାରଣ ଥିଲା ସେଥିରେ ଏହି ଜାତି କାର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେଥିପାଇଁ ବିଜେଡି ଯଦି ଏଥର ଚିଲିକାରେ ଭାବିଚିନ୍ତି ନିଷ୍ପତି ନ ନିଏ ତେବେ ବିଜେପି ଉପରେ ହୁଏତ ହାତୀ ଠନଠାନ୍ କରି ସୁନା କଳସ ଢାଳି ଦେବ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ ଯାହା କହିଛନ୍ତି ତାହା ହେଲା ଯେ, ଆସନ୍ତା ସପ୍ତାହରେ ସେ ଚିଲିକାର ସମସ୍ତ ବିଜେଡି କର୍ମିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବେ।

ମୋର ଆଖି ଅପରେସନ ହୋଇଥିଲା, ସେଥିପାଇଁ ମୁଁ ବାହାରକୁ କୁଆଡେ ବାହାରୁ ନ ଥିଲି। ବର୍ତ୍ତମାନ ଭଲ ହୋଇଗଲାଣି। ଖୁବ ଶିଘ୍ର ଚିଲିକାରେ ପୁଣି କାମ ଆରମ୍ଭ କରିବି ବୋଲି ସେ କହିଛନ୍ତି। ସମସ୍ତ ବିଜେଡି କର୍ମିଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶିବି ବୋଲି ସେ କହିଛନ୍ତି। ଯେଉଁ କର୍ମିମାନେ ଅସନ୍ତୁଷ୍ଠ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରି ବିଜେଡିକୁ ଆହୁରି ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି ରଘୁନାଥ।

ତେବେ ନିକଟରେ ଚିଲିକା ନିର୍ବାଚନ ମଣ୍ଡଳିକୁ ଜିଲ୍ଲା ସଭାପତି, ବେଗୁନିଆ ବିଧାୟକ ଏବଂ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ। ହେଲେ ଆପଣ ସେଠାକୁ ଆସିଲେ ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହି ଆଖି ପାଇଁ ଯୋଗ ଦେଇପାରି ନ ଥିଲି। ତେବେ ଆପଣଙ୍କୁ ଏଥର ଟିକେଟ ମିଳିବ କି ନାହିଁ ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ। କହିଥିଲେ ମୋର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ତାକୁ ସମର୍ଥନ କରିବୁ।

ସେହିପରି ନିକଟରେ ଶଙ୍ଖ ଭବନରେ ତାଙ୍କୁ ବୈଠକରୁ ବାହାରି ଯିବା ପାଇଁ କୁହାଯାଇଥିବା ଘଟଣାକୁ ରଘୁନାଥ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ପାଇଁ ସେଠାରେ ଦାବୀ କରିଥିଲି। ଏହାକୁ ନେଇ ସେଠାରେ ପ୍ରଶାନ୍ତ ଜଗଦ୍ଦେବ କର୍ମିମାନେ ମୋ ବିରୋଧରେ ହୋ ହାଲ୍ଲା କରିଥିଲେ। ପରିବେଶକୁ ଶାନ୍ତ କରିବା ପାଇଁ ଆମ ଦଳର ସାଂଗଠାନିକ ସଂପାଦକ ବବିବାବୁ ମୋତେ ବାହାରକୁ ଯିବା ପାଇଁ କହିଥିଲେ।

ଏବେ ମୁଁ ପ୍ରଣବ ପ୍ରକାଶ ଦାସଙ୍କ ସହିତ ତିନିଥର ଦେଖା ହୋଇ ଆସିଛି। ସେ ସଂଗଠନ କରିବାକୁ ମୋତେ କହିଛନ୍ତି। ବର୍ତ୍ତମାନ ଚିଲିକାକୁ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର ସାହୁ ଘନଘନ ଗସ୍ତରେ ଆସୁଛନ୍ତି। ସେମାନେ ବର୍ତ୍ତମାନ ବିଧାୟକଙ୍କଠାରୁ କିପରି କର୍ମିମାନଙ୍କୁ ଅଲଗା କରାଯିବ ସେ କାମ କରୁଛନ୍ତି। ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳ ଯେଉଁ ଭୁଲ କରିଛି ତାହା ଆଉ ଏଥର ହେବ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ରଘୁନାଥଙ୍କ ସହିତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ଚିଲିକାରୁ ଟିକେଟ ପାଇବା ଆଶାରେ ଅଛନ୍ତି। ସେଥିପାଇଁ ତାଙ୍କ ପ୍ରତି ଅସନ୍ତୁଷ୍ଠ ଥିବା ବିଜେଡି କର୍ମିମାନଙ୍କୁ ସେ କିପରି ମନେଇବେ ସେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ହେଲେ ପ୍ରଶ୍ନ ଉଠିଛି ଯେ, ଯେଉଁମାନେ ରଘୁନାଥଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି ସେମାନେ ପୁଣି ଥରେ ପକାଇଲା ଛେପ କିପରି ଢୋକିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଚିଲିକାକୁ ବିନା ଶୋଭାଯାତ୍ରାରେ ଯିବେ ବିଧାୟକ ଜଗଦ୍ଦେବ, ଜାଣନ୍ତୁ କେବେ

ଭୁବନେଶ୍ବର: ଖୁବ ଶିଘ୍ର ଚିଲିକା ନିର୍ବାଚନ ମଣ୍ଡଳିକୁ ପ୍ରବେଶ କରିବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତେବେ ଶୋଭାଯାତ୍ରା କରି ନୁହେଁ ବଂର କେବଳ ବିଧାୟକ ଭାବେ ସେ ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ଗତକାଲି ସେ ଏକ ବିରାଟ ଶୋଭାଯାତ୍ରା କରି ଚିଲିକା ପ୍ରବେଶ କରିବା ପାଇଁ ଯୋଜନା କରିଥିଲେ। ହେଲେ ବିଜେଡି ଚାପରେ ସେ ଏହି କାର୍ଯ୍ୟରୁ ନିବୃତ ରହିଲେ।

ଘଟଣାକୁ ଜଣାପଡିଛି ଯେ, ବିଧାୟକଙ୍କୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଡାକି ଏହି ଶୋଭାଯାତ୍ରା ବନ୍ଦ କରିବା ପାଇଁ କହିଥିଲେ। ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, କେହି ଶୋଭାଯାତ୍ରାରେ କିଛି ଅଘଟଣ କରିଦେଲେ ତାହା ପୁଣି ଅଡୁଆ ସୃଷ୍ଟି ହେବ ବୋଲି କୁହାଯାଇଥିଲା। ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ କିଛି ସମୟ ନିରବ ରହିବାକୁ ଦଳ ଚାହୁଛି ବୋଲି ତାଙ୍କୁ କୁହାଯାଇଛି।

ଜଣେ ଶୃଙ୍ଖଳିତ ନେତା ଭାବେ ପ୍ରଶାନ୍ତ ଜଗଦ୍ଦେବ ଏହାକୁ ଗ୍ରହଣ କରି ସେ ଏହି ଶୋଭାଯାତ୍ରାରୁ ନିବୃତ ରହିଛନ୍ତି। ହେଲେ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ସେ ଅଗଷ୍ଟ ମାସରେ ଚିଲିକା ଯିବେ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ସ୍ବାଗତ ପାଇଁ ବନ୍ଧା ହେଲାଣି ମଞ୍ଚ, ହେଲେ ସେପଟେ ପଶିଗଲାଣି ପେଞ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ବର୍ଷେ ପରେ ଆସନ୍ତା ୨୮ ତାରିଖରେ ଚିଲିକାକୁ ଏଣ୍ଟ୍ରି କରିବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥି ପାଇଁ ଚାଲିଛି ପ୍ରସ୍ତୁତି। ବାଣପୁର ପଲଟନ ପଡିଆରେ ବିଧାୟକଙ୍କ ସ୍ୱାଗତ ସମାରୋହ ପାଇଁ ନିର୍ମାଣ ହେଉଛି ମଞ୍ଚ। ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ନେଇ ବର୍ତ୍ତମାନ ଚିଲିକାରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଏହାକୁ ନେଇ ବର୍ତ୍ତମାନ ଚିଲିକାର ବିଜେଡି ନେତା ଆଉ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି ଚକାପଞ୍ଚା।

କାରଣ ବିଧାୟକ ବର୍ତ୍ତମାନ ବିଜେଡିରେ ନ ଥିବାରୁ ଚିଲିକାର ବିଜେଡି କର୍ମି ଏଥିରେ ସାମିଲ ହେବେ କି ନାହିଁ ଦ୍ବନ୍ଦରେ ଅଛନ୍ତି। ହେଲେ ସେପଟେ ବିଧାୟକ ଧୂମଧାମରେ ଚିଲିକା ପ୍ରବେଶ କରିବେ ବୋଲି ଚାଲିଥିବା ପ୍ରସ୍ତୁତିରୁ ଜଣାପଡିଛି। ଚିଲିକାର ବିଜେଡି ନେତା ସାମିଲ ହେବା ନ ହେବା ନେଇ ବିଧାୟକ କିନ୍ତୁ ଦ୍ବନ୍ଦରେ ନାହାଁନ୍ତି। ସେ ବିଶାଳ ରାଲି କରି ଚିଲିକା ପ୍ରବେଶ କରି ସଂଗଠନକୁ ଆଗକୁ ନେବେ ବୋଲି ତାଙ୍କ ସମର୍ଥକ କହିଛନ୍ତି।

କିନ୍ତୁ ଏ ଭିତରେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ବିଧାୟକଙ୍କ ଉକ୍ତ ରାଲି ଯେପରି ସଫଳ ନ ହେଉ ସେଥିପାଇଁ ବିଜେଡି କୁଆଡ଼େ ଏକାଧିକ ରଣନୀତି କରୁଥିବାର ଚର୍ଚ୍ଚା ଚାଲିଛି।ଯାହାର ପ୍ରମାଣ ହେଉଛି ଗତକାଲି ର ବିଜେଡି ଅଫିସରେ ସାମ୍ବାଦିକ ସମ୍ମିଳନୀ। ଗତକାଲି ବାଣପୁର ବାଇପାସରେ ବିଧାୟକଙ୍କ କାର୍ଯ୍ୟାଳୟରେ ଦଳୀୟ କର୍ମୀ ପ୍ରେସ ମିଟ କରି ବିଧାୟକଙ୍କୁ ସମର୍ଥନ ଜଣାଇବାକୁ ଘୋଷଣା କରିଥିଲେ। ହେଲେ ସେମାନେ ଏବେ କୁଆଡେ କିଛି କହିବାକୁ ନାରାଜ।

ସେହିପରି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ବଡପୋଖରୀଆଠାରେ ତାଙ୍କର ରାଲି ସଫଳତା ଉପରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ କରିଥିଲେ। ସେଠାରେ ପ୍ରାୟ ଅଧିକାଂଶ ଚିଲିକା ନେତା ଯୋଗଦେଇ ଏହାକୁ ସଫଳ କରାଇବା ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ସେମାନେ ମଧ୍ୟ ହଠାତ ଚୁପ ହୋଇଯାଇଛନ୍ତି। ସଫଳ କଥା ଦୂରେ ଥାଉ ସେମାନେ ସେଥିରେ ଯୋଗଦେବେ କି ନାହିଁ ଜଣାପଡି ନାହିଁ।

ବିଶେଷ ସୁତ୍ର ଖବର ଅନୁସାରେ ଚିଲିକାର ସମସ୍ତ ଛାମୁଆ ନେତାଙ୍କୁ କୁଆଡେ ଦଳ ତରଫରୁ ତାଗିଦ କରାଯାଇଛି। ବିଧାୟକଙ୍କ ରାଲିରେ ଯୋଗ ନ ଦେବା ପାଇଁ ଦଳ ତରଫରୁ ସେମାନଙ୍କ ଉପରେ ପ୍ରବଳ ଚାପ ପକାଯାଇଛି। ଏପରିକି ବିଧାୟକଙ୍କଠାରୁ ଦୂରେଇ ରହିବାକୁ ମଧ୍ୟ କୁଆଡେ ଦଳ ନିର୍ଦ୍ଦେଶ ଦେଇଛି। ସମସ୍ତଙ୍କ ଉପରେ ଶଙ୍ଖ ଭବନ ଚାପ ପଡିବା ପରେ ଏବେ ସେମାନେ କୁଆଡେ ଚୁପ ହୋଇ ଯାଇଛନ୍ତି।

ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଚିଲିକାର ଅଳ୍ପ କିଛି ନେତାଙ୍କୁ ଛାଡିଦେଲେ ବାକି ସବୁ ନେତା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଜର ନେତା ବୋଲି ମାନୁଛନ୍ତି। ହେଲେ ବର୍ତ୍ତମାନ ଦଳୀୟ ଚାପ ସେମାନଙ୍କୁ ଦୋଛକିରେ ପକାଇଦେଇଛି। ବିଧାୟକଙ୍କ ଏକାନ୍ତ ଅନୁଗତମାନଙ୍କୁ ମଧ୍ୟ ଦଳ ଚୁପ କରାଇ ଦେଇଛି। ଫଳରେ ସେମାନେ ଏହି ରାଲିରୁ ଦୂରେଇ ରହିବେ କି ନାହିଁ ଚିନ୍ତାରେ ଅଛନ୍ତି।

ଏପରି ଛକାପଞ୍ଚା ମଧ୍ୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚିଲିକାରେ କିପରି ଶୋଭାଯାତ୍ରା ଓ ବୈଠକ କରିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଯଦି ସେ ବାହାରୁ କର୍ମି ଓ ସମର୍ଥକ ଆଣିଲେ ତେବେ ତାହା ତାଙ୍କ ପାଇଁ ହୁଏତ ବୁମେରାଂ ହୋଇପାରେ। ଅନ୍ୟପଟେ ଦଳୀୟ ନିର୍ଦ୍ଦେଶକୁ ଖାତିର ନ କରି ଯଦି ନେତାମାନେ ତାଙ୍କ ରାଲିରେ ଯୋଗ ଦେଲେ ତେବେ ତାହା ଦଳ ପାଇଁ ବୁମେରାଂ ହେବ। ତେବେ ଦଳର ଏପର ଜବରଦସ୍ତ ଚାପକୁ ନେଇ ଚିଲିକା ନେତାମାନେ ଭିତରେ ଭିତରେ ବେଶ୍ ଅସନ୍ତୁଷ୍ଠ ଥିବାର ଜଣାପଡିଛି।