ଖୋରଧା: ପ୍ରତ୍ୟେକ ବିଭାଗୀୟ ଅଧିକାରୀ କିଛି ନବୀନ ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ଚିନ୍ତା କରିବା ଉଚିତ୍। ମୋ ସ୍ୱପ୍ନର ଖୋରଧା ଜିଲ୍ଲା, ସମୃଦ୍ଧ ଓ ସଶକ୍ତ ଓ ବିକଶିତ ଅଗ୍ରଣୀ ଖୋରଧା ଜିଲ୍ଲା ଗଢି ତୋଳିବା ଲାଗି ପ୍ରତ୍ୟେକ ସ୍ତରରେ ଭିଜନ ପ୍ରସ୍ତୁତ କରି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଭାରତ @୨୦୪୭ ଏବଂ ବିକଶିତ ଓଡ଼ିଶା @୨୦୩୬ ସ୍ବପ୍ନକୁ ସାକାର ସହ ଖୋରଧା ଜିଲ୍ଲାକୁ ସମଗ୍ର ଭାରତ ବର୍ଷରେ ୧ ନମ୍ବର ଜିଲ୍ଲା ଭାବେ ଗଢିତୋଳିବା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଖୋରଧା ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଆହ୍ଵାନ ଦେଇଛନ୍ତି।
ଉକ୍ତ ବୈଠକରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ଜେନା, ବିଧାୟକ ଅନନ୍ତ ନାରାୟଣ ଜେନା, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ, ଖୋରଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଯୋଜନା ଓ ପରି ସଂଖ୍ୟାନ ଉପ ନିର୍ଦ୍ଦେଶକ ଶଙ୍କର ବେହେରା ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
୧୧ ଜଣ ଜିଲ୍ଲା ପରିଷଦ ଜୋନର ସଦସ୍ୟ, ସଦସ୍ୟାଙ୍କୁ ମେମ୍ବର ଭାବେ ନେଇ ଜିଲ୍ଲା ଯୋଜନା କମିଟି ଆପାତତଃ ୪୧ ଗୋଟି ବିଭାଗର କାର୍ଯ୍ୟଧାରା ଉପରେ ତଥା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାର ଅଗ୍ରଗତି ଉପରେ ପୁଙ୍ଖାନୁପୁଙ୍ଖ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ସମିକ୍ଷା କରିଥିଲେ।
ଏହି ଅବସରରେ ଅଧ୍ୟକ୍ଷ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ପ୍ରକଳ୍ପ ଗୁଡ଼ିକର ମଞ୍ଜୁରୀ ସମ୍ବନ୍ଧରେ ବୈଠକରେ ଆଲୋଚନା କରିଥିଲେ। ଗୃହ ଓ ନଗର ଉନ୍ନୟନ, ବନ ବିଭାଗର ମା’ ପାଇଁ ଗଛ ଟିଏ, ଶ୍ରମ ବିଭାଗ, ଅର୍ବାନ କୋଅପରେଟିଭ ବ୍ୟାଙ୍କ, ଖାଦ୍ୟ ସୁରକ୍ଷା, ଚାଉଳ ମିଲ ଖୋଲିବା, ସମବାୟ ସମିତି ବଜାର କେନ୍ଦ୍ର ଖୋଲିବା, ସବୁ ପଞ୍ଚାୟତରେ ଗୋ ଶାଳା ଖୋଲିବା, ଜିଲ୍ଲାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ଗ୍ରିଡ ସ୍ଥାପନ କରିବା, ମନ୍ଦିର ଆଲୋକି କରଣ, ବିଜୁ ଜ୍ୟୋତି, ବିଜ୍ଞାନ ଓ କାରୀଗରୀ ବିଭାଗ, ଜଳ ସମ୍ପଦ ବିଭାଗ, ଜାତୀୟ ଗ୍ରାମୀଣ କୃଷି ଉନ୍ନୟନ ବ୍ୟାଙ୍କ କାର୍ଯ୍ୟଧାରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଅନୁ ସୂଚିତ ଜାତି ଓ ଜନଜାତି କାର୍ଯ୍ୟକ୍ରମ, ବିଦ୍ୟାଳୟ ଉନ୍ନତି କରଣ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଅଗ୍ରଗତି, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ନିରାପତ୍ତା ଓ ଭତ୍ତା ଯୋଜନା, ପୂର୍ତ୍ତ ବିଭାଗ ଅଧିନରେ ଖୋରଧା ରିଂ ରୋଡ୍ କାର୍ଯ୍ୟ, ସମସ୍ତ ଅଙ୍ଗନୱାଡ଼ିକୁ ମଡେଲ ଅଙ୍ଗନୱାଡ଼ି କରିବା କାର୍ଯ୍ୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ କାର୍ଯ୍ୟକ୍ରମ ସ୍ଥିତି ଓ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ।
ସେହିପରି ମିଶନ ଶକ୍ତି, ପରିବା ମଣ୍ଡି ଖୋଲିବା, ଏକ ଲକ୍ଷ କୋଟି ଟଙ୍କା ଜିଲ୍ଲାରେ ଶିଳ୍ପରେ ବିନିଯୋଗ ହେବା, ଖୋରଧା ତହସିଲ କାର୍ଯ୍ୟାଳୟକୁ ମଡେଲ ତହସିଲ କାର୍ଯ୍ୟାଳୟ ରେ ପରିଣତ କରିବା ଉପରେ ଅଧ୍ୟକ୍ଷ ସମୀକ୍ଷା କରିଥିଲେ। ସର୍ବୋପରି ୧୧ ଗୋଟି ଉପାଦେୟ ବିଷୟ ବସ୍ତୁ ଉପରେ ଅଧ୍ୟକ୍ଷ ଆଲୋଚନା ପୂର୍ବକ ୨୦୨୬-୨୭ ବର୍ଷରେ ସମନ୍ୟୁତ ଜିଲ୍ଲା ବାର୍ଷିକ ଯୋଜନା ରେ ମୋଟ ୪୨୯୩ କୋଟି ୪୬ ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ବରାଦକୁ ମଞ୍ଜୁରୀ କରାଯାଇଥିଲା।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


