Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ରାଜନୈତିକ ଲଢେଇ ଜାରି: ପୂର୍ବତନ ବିଧାୟକଙ୍କ ଦଳ ବିରୋଧୀ ବିବୃତ୍ତିର ପ୍ରତିବାଦ କରିବ ବିଜେଡି

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୩ ତାରିଖ ଦିନ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ତାଙ୍କର ବିସ୍ଫୋରକ ବୟାନ ଯୋଗୁଁ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା।

ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ ବୋଲି କହିଥିଲେ। ଏହା ସହ ବିଧାୟକଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି ଶ୍ରୀଯୁକ୍ତ ସାହୁ କହିଥିଲେ।

ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ତେବେ ପାଞ୍ଚ ଦିନର ବିରତି ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ନିଜ ଦଳର ନେତାମାନେ କଡା ଜବାବ ଦେବେ ବୋଲି ଘୋଷଣା କରିଛନ୍ତି।

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଳ ବିରୋଧୀ ବିବୃତ୍ତିକୁ ନେଇ ଏକ ପ୍ରତିବାଦ ସଭା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରଘୁନାଥ ସାହୁଙ୍କ ମିଥ୍ୟା ଓ ଭିତ୍ତିହୀନ ଆରୋପର ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୧୦ ଘଟିକାରେ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁ ମା’ ଉତ୍ତରାଯଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା  ଏନେଇ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଭିନ୍ନ ରୂପ, ଭାବମୂର୍ତ୍ତି ସଜାଡିବା ପାଇଁ ଧାର୍ମିକ କାର୍ଯ୍ୟରେ ହେଉଛନ୍ତି ସାମିଲ

ଭୁବନେଶ୍ବର: ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ଫେରିବା ପରେ ଏବେ ଭିନ୍ନ ରୂପ ଧାରଣ କରିଛନ୍ତି। ସେ ବର୍ତ୍ତମାନ ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି। ନିଜ ଭିତରେ ଏବଂ ରାଜ୍ୟରେ ଶାନ୍ତି ଆଣିବା ପାଇଁ ବର୍ତ୍ତମାନ ସେ ନିଜକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖୁଛନ୍ତି।

ନିକଟରେ ଦୁର୍ଗାପୂଜା ଆଉ ଲକ୍ଷ୍ମୀ ପୂଜାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରୁଥିବାର ପରିଲକ୍ଷିତ ହୋଇଥିଲା। ବିଶେଷ କରି ସେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ହେଉଥିବା ଏହି ପୂଜାରେ ନିଜକୁ ନିୟୋଜିତ ରଖିଥିଲେ। ସେତିକି ନୁହେଁ ସେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦଙ୍କ ସହିତ ମଧ୍ୟ ସଂପର୍କ ଯୋଡିଥିଲେ।

ପ୍ରଶାନ୍ତ ଜଗଦେବ ଜଣେ ରାଗି ମିଞ୍ଜାଜର ନେତା ବୋଲି ଯେଉଁ ପ୍ରଚାର ଚାଲିଛି ସେଥିରେ ସେ ଭଟ୍ଟା ପକାଇବା ପାଇଁ ଏହି ନୂଆ ମାଧ୍ୟମକୁ ଆପଣେଇଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଜଣେ ରାଗି ବ୍ୟକ୍ତି ନୁହଁନ୍ତି, ସେ ଜଣେ ସରଳ ଓ ଶାନ୍ତଶିଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ କରିବା ପାଇଁ ସେ ଏହି ପଦକ୍ଷେପ ଆରମ୍ଭ କରିଛନ୍ତି। ସେଥିପାଇଁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରି ନୃତ୍ୟଶିଳ୍ପୀଙ୍କ ସହିତ ନୃତ୍ୟ କରିବା ମଧ୍ୟ ଆରମ୍ଭ କରିଛନ୍ତି।

ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜାରେ ପରେ ଏବେ ସେ କାଳୀ ପୂଜାରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି।  ପବିତ୍ର କାଳୀପୂଜା ଅବସରରେ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ “ମା” ରକ୍ଷାକାଳୀଙ୍କ ମନ୍ଦିରର ବାର୍ଷିକ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରିଛନ୍ତି। ତାଙ୍କର ଧର୍ମପତ୍ନୀ ତଥା ସମାଜସେବୀ ସ୍ୱାଗତିକା ଜଗଦ୍ଦେବ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ କୋର୍ଟ ନିର୍ଦ୍ଦେଶ ଯୋଗୁଁ ପ୍ରଶାନ୍ତ ତାଙ୍କ ନିର୍ବାଚନ ମଣ୍ଡଳି ଚିଲିକାକୁ ଯାଇପାରୁ ନାହାଁନ୍ତି। ହେଲେ ସେ ଭୁବନେଶ୍ବରରେ ରହି ନିଜର ନିର୍ବାଚନ ମଣ୍ଡଳିକୁ ନିୟନ୍ତ୍ରିତ କରୁଛନ୍ତି। ସେହିପରି ଏହି କଟକଣା ପାଇଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେ ଅନ୍ୟ ସ୍ଥାନରେ ଏହି ଧାର୍ମିକ କାର୍ଯ୍ୟରେ ନିୟୋଜିତ କରି ନିଜର ଭାବମୂର୍ତ୍ତି ସଜାଡିବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁଣି ଚର୍ଚ୍ଚାରେ ଚିଲିକା ବିଧାୟକ: ଭାଇରାଲ ହେଉଛି ମଞ୍ଚରେ ନାଚୁଥିବାର ଭିଡିଓ, ଦେଖନ୍ତୁ

ଖୋର୍ଦ୍ଧା/ବେଗୁନିଆ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥର ମଞ୍ଚରେ ନାଚୁଥିବାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପରିଛଳ ବାଣିଜ୍ୟ ବିକାଶ ବଣିକ ସଂଘ ତରଫରୁ ଗଜଲକ୍ଷ୍ମୀ ମହୋତ୍ସବ ଆରମ୍ଭ ହୋଇଥିଲା। କିନ୍ତୁ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ଧୁମଧାମରେ ପାଳନ କରାଯାଇଥିଲା। ଆୟୋଜିତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେଣୁ ମଞ୍ଚରେ ନାଚ ଗୀତର ଆୟୋଜନ କରାଯାଇଥିଲା।

ତେବେ ଏହି ମଞ୍ଚରେ ହଠାତ ଚିଲିକା ବିଧାୟକଙ୍କ ଉପସ୍ଥିତି ଏବଂ କଳାକାରଙ୍କ ମେଳରେ ନାଚିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ହେଲେ ବିଧାୟକ ଶ୍ରୀ ସାହୁ ଏହି ଉତ୍ସବରେ ଯୋଗ ଦେଇନଥିବାରୁ ଆୟୋଜକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି। ସେପଟେ ମଞ୍ଚ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚକୁ ସ୍ଥାନୀୟ ଲୋକେ ବେଶ ଉପଭୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ବାଣପୁର ଜେଏମଏଫସି କୋର୍ଟରେ ବିଚାରଧୀନ ଥିବା ବେଳେ ଆଜି ତାହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।  ଆଜି ବିଧାୟକ ନିଜେ ବାଣପୁର କୋର୍ଟରେ ହାଜର ହୋଇଛନ୍ତି। ସିଆରପିସି ଧାରା ୨୦୯ ଅନୁଯାୟୀ ଆଜି ତାଙ୍କ ମାମଲାଜନିତ ସମସ୍ତ କାଗଜପତ୍ରକୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ-୧ ଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିବାର ବାଣପୁର କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି।

ବିଧାୟକଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ-୧ ଙ୍କ କୋର୍ଟରେ ଆସନ୍ତା ୧୪ ତାରିଖରେ ହାଜିର ହେବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବିଧାୟକଙ୍କ ମାମଲା ଖୋର୍ଦ୍ଧାରୁ ଭୁବନେଶ୍ୱର ଏମପି ଏମଏଲଏ ସ୍ୱତନ୍ତ୍ର କୋର୍ଟକୁ ହସ୍ତାନ୍ତର ହୋଇ ବିଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର

ବାଲୁଗାଁ ମେଡିକାଲ ବୈଠକକୁ ନେଇ ବିବାଦ: ଚିଲିକା ବିଧାୟକଙ୍କୁ ବିରୋଧ କଲେ ବ୍ଲକ ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିଷ୍ପତ୍ତିକୁ ଚିଲିକା ବ୍ଲକ ଅଧ୍ୟକ୍ଷା ବିରୋଧ କରିଛନ୍ତି। ବାଲୁଗାଁ ମେଡିକାଲ ରୋଗୀ କଲ୍ୟାଣ ସମିତି ବୈଠକକୁ ନେଇ ବିରୋଧ କରାଯାଇଛି। ସୂଚନା ମୁତାବକ ଆସନ୍ତାକାଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଚିଲିକା ବ୍ଲକ ଅଧ୍ୟକ୍ଷା।

ଅଧ୍ୟକ୍ଷାଙ୍କ କହିବା ମୁତାବକ ବାଲୁଗାଁ ମେଡିକାଲ ପକ୍ଷରୁ ଆଜି ତାଙ୍କ ନିକଟକୁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ରୋଗୀ କଲ୍ୟାଣ ସମିତି ବୈଠକ ଆସନ୍ତାକାଲି ଚିଲିକା ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ହେବ। ତେବେ ସେ ଏହା ଜାଣିଲା ପରେ ଚିଠିକୁ ଫେରାଇଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି।

ରୋଗୀ କଲ୍ୟାଣ ସମିତି ବୈଠକ ନିୟମ ଅନୁଯାୟୀ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ହେବା କଥା, କିନ୍ତୁ କେଉଁ ଆଇନ ଅନୁଯାୟୀ ବାଲୁଗାଁ ମେଡିକାଲ ଅଧିକାରୀ ଏହାକୁ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ କରିବେ ବୋଲି ଗଣମାଧ୍ୟମ ଜରିଆରେ ସେ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ବାଲୁଗାଁ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ବିଧାୟକ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ବୈଠକ ଉକ୍ତ ସ୍ଥାନରେ ସ୍ଥିର ହୋଇଥିବାର ସେ କହିଛନ୍ତି।

ତେବେ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ସେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ଯେ, କିପରି ବିଧାୟକଙ୍କ ବାସଭବନରେ ଆରକେଏସ ବୈଠକ କରାଯାଉଛି ଏବଂ କିଏ ଏହାପାଇଁ ଅନୁମତି ଦେଇଛନ୍ତି। ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଏ ପ୍ରକାର ସୁବିଧା ଦିଆଯାଇଛି ନା କେବଳ ଚିଲିକା ବିଧାୟକଙ୍କୁ ଦିଆଯାଇଛି?

ତେବେ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ବୈଠକ ବିଷୟରେ ଅବଗତ ନଥିବା କହିଛନ୍ତି। ସେହିଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଯୋଗାଯୋଗ କରିବା ପରେ ତାଙ୍କ ପ୍ରତିକ୍ରିୟା ମିଳିପାରିଛି।

ବିଧାୟକ କହିଛନ୍ତି ଯେ, ଯେହେତୁ ନିର୍ବାଚନମଣ୍ଡଳୀ ଯିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟ ମନା କରିଛନ୍ତି, ତେଣୁ ସେ ତାଙ୍କ ସରକାରୀ ବାସଭବନରେ ବୈଠକ ଡକାଇଛନ୍ତି। ଆରକେଏସ ଅଧ୍ୟକ୍ଷ ହିସାବରେ ସେ ଯେଉଁଠାରେ ଚାହିଁବେ ସେଠାରେ ବୈଠକ କରିପାରିବେ। ପୂର୍ବରୁ ମଧ୍ୟ ଏକାଧିକ ଥର ସରକାରୀ ବୈଠକ ସରକାରୀ ଡାକବଙ୍ଗଳାରେ ହୋଇଥିବାର ବିଧାୟକ କହିଛନ୍ତି। ତଥାପି ଯଦି ଉକ୍ତ ସ୍ଥାନକୁ ନେଇ ବିବାଦ ଉପୁଜୁଛି, ତେବେ ଅନ୍ୟ ସ୍ଥାନରେ ବୈଠକ କରାଯାଇପାରେ ବୋଲି ବିଧାୟକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ। ସବ ଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ। କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବସମ୍ମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୨ ତାରିଖରେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ମେ ୨୦ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ବିଧାୟକଙ୍କ ଓକିଲ। ଯାହାକି ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସର୍ତ୍ତ ଅନୁଯାୟୀ, ଚିଲିକା ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ ଅଟେ। ଏହାସହିତ ସେ ୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ କୌଣସି ସଭାସମିତି ଅଥବା ରାଜନୈତିକ ରାଲି କରିପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଏହି ସର୍ତ୍ତମୂଳକ ଜାମିନ ଅନୁଯାୟୀ, ଚିଲିକା ବିଧାୟକ ଏକ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ହେବ। ଏହାସହିତ ସେ ୫ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ଏନେଇ ଆଇନିଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବଢିପାରେ ଅଡୁଆ!: ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି। ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟରଯାନ ଦଫା ମଧ୍ୟ ଲାଗିଛି।

ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ ଆତ୍ମସମର୍ପଣ କରିବା ପାଇଁ ନିର୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ପାଖାପାଖି ୨ ଘଟିକା ସମୟରେ ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ବିଧାୟକ ପୁଣି ବାଣପୁର ସବ ଜେଲ ଯାଇପାରନ୍ତି ବୋଲି କୁହାଯାଉଛି।

ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବାଣପୁର କୋର୍ଟ ଚାରି ପାଖେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କଲେ ୫ ଜଣିଆ ଡାକ୍ତରୀ ଦଳ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାର ରିପୋର୍ଟ ଦେବାକୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଥିଲା। ତେଣୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଚିଲିକା ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଚିଲିକା ବିଧାୟକ ଦ୍ଵିତୀୟ ଥର ଅନ୍ତରୀଣ ଜାମିନରେ ଅଛନ୍ତି। ଖୋର୍ଦ୍ଧା ହସ୍ପିଟାଲରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ୫ ଜଣିଆ ଡାକ୍ତରୀ ଟିମ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡି ଚଢାଇଥିବା ଘଟଣାରେ ଚିଲିକା ବିଧାୟକଙ୍କୁ ଜେଲ ହୋଇଥିଲା। ସ୍ବାସ୍ଥ୍ୟ ଜନିତ କାରଣରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତାଙ୍କୁ ୭ ଦିନ ପାଇଁ ପ୍ରଥମ ଅନ୍ତରୀଣ ଜାମିନ ମିଳିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଆଉ ୭ ଦିନ ପାଇଁ ଉଚ୍ଚ ନ୍ୟାୟଳୟ ଅନ୍ତରୀଣ ଜାମିନ ବଢ଼ାଇଛନ୍ତି।

ଗତ ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ଅନ୍ତ ହେଉଥିବା ବେଳେ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିଲା। ହେଲେ ଚିକିତ୍ସା ଜାରିରହିଥିବାରୁ ବିଧାୟକଙ୍କ ଓକିଲ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ପାଇଁ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ। ତେଣୁ ବିଧାୟକ ଜଗଦ୍ଦେବଙ୍କୁ ଉଚ୍ଚ ନ୍ୟାୟାଳୟ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅର୍ଥାତ ମଇ ୧୦ ତାରିଖ ଯାଏଁ ବିଧାୟକଙ୍କୁ ଅନ୍ତରୀଣ ଜାମିନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ସପ୍ତାହ ବଢିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବଢିଲା ଅନ୍ତରୀଣ ଜାମିନ ଅବଧି। ଅନ୍ତରୀଣ ଜାମିନକୁ ଆଉ ଏକ ସପ୍ତାହ ବଢ଼ାଇଛନ୍ତି ଉଚ୍ଚ ନ୍ୟାୟାଳୟ। ବୁଧବାର ଦିନ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ଅନ୍ତ ହେଉଥିବା ବେଳେ ତାଙ୍କୁ ବାଣପୁର କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିଲା।

ହେଲେ ତାଙ୍କ ଓକିଲ ଚିକିତ୍ସା ଜାରିରହିଥିବାରୁ ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବା ପାଇଁ ଏକ ପିଟିସନ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ। ଆଜି ତାହାର ଶୁଣାଣି ବେଳେ ଉଚ୍ଚ ନ୍ୟାୟାଳୟ ବିଧାୟକ ଜଗଦ୍ଦେବଙ୍କୁ ଆଉ ଏକ ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅର୍ଥାତ ମଇ ୧୧ ତାରିଖ ଯାଏଁ ବିଧାୟକଙ୍କୁ ଅନ୍ତରୀଣ ଜାମିନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ମୁକୁଳିଛନ୍ତି। ବିଧାୟକ ବାଣପୁର ସବଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି।

ଆଜି ମଧ୍ୟାହ୍ନରେ ବିଧାୟକ ଜେଲରୁ ବାହାରିବା ପରେ ସିଧାସଳଖ ମା’ ଭଗବତୀଙ୍କ ଦର୍ଶନ ଲାଗି ଯାଇଥିଲେ। ଏହି ସମୟରେ ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ୱାଗତ କରିଥିଲେ। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମଇ ୪ ତାରିଖ ଦିନ ସକାଳ ୭ ଘଟିକାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଭୁବନେଶ୍ବର: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। କିନ୍ତୁ ବିଧାୟକଙ୍କୁ ମାତ୍ର ୭ ଦିନ ପାଇଁ ଜାମିନ ମିଳିଛି। ସାତ ଦିନ ପରେ ପୁଣି ଜେଲରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଚିଲିକା ବିଧାୟକ ଜେଲ୍ ଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜିଆର କେଶ ନମ୍ବର ୭୨/୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧/୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି।

ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗିଦେଇଥିଲେ। ଏଥି ନିମନ୍ତେ ଜିତେନ୍ଦ୍ରଙ୍କ ଭାଇ ପ୍ରଦୀପ ଭୋଳ ଉକ୍ତଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଥାନା ପରିସରରେ ତାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ପୋଲିସ କେଶ ନମ୍ବର ୮୧/୨୨ ରେ ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ୧୫ ନମ୍ବର ଅଭିଯୁକ୍ତ ଭାବେ ଚିଲିକା ବିଧାୟକ ଥିଲେ।

ବିଧାୟକଙ୍କ ଓକିଲ ପକ୍ଷରୁ ଉକ୍ତ କେଶରେ ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବିଚାରପତି ତାହାକୁ ଖାରଜ କରିଦେଇଥିଲେ। ଏହାପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ହୋଇଥିଲା। ବିଧାୟକଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଇନଜୀବୀ ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ ଏବଂ ରଞ୍ଜନ ବେଦମତ୍ତା ପରିଚାଳନା କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଫଳରେ ସେ ଜାମିନ ପାଇଁ ଗତକାଲି ହାଇକୋର୍ଟରେ ଆବେଦନ କରିଛନ୍ତି।

ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ପ୍ରଶାନ୍ତ ଗାଡ଼ି ମଡ଼ାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ କେତେକ ଲୋକଙ୍କ ସମେତ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଥିଲେ। ବିଧାୟକଙ୍କୁ ମାଡମାରିବା ଅଭିଯୋଗରେ ମଧ୍ୟ ନଅ ଜଣଙ୍କୁ ପୋଲିସ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜେଏମଏଫସି କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି। ତେବେ ବିଧାୟକଙ୍କ ଓକିଲ ପକ୍ଷରୁ ପୁଣି ବାଣପୁର ସହକାରୀ ଦୌରା ଜଜଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବାଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି।  ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ସଚ୍ଚିତ୍ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜେଲରେ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଛନ୍ତି। ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ। ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏବଂ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।

ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି। ଅନୁରୂପ ଭାବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲ ଆସିବେ ବୋଲି କହିଛନ୍ତି ଏସପି।

ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତକାଲି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ସଂନ୍ଧ୍ୟାରେ ବାଣପୁର ସବ ଜେଲକୁ ପଠାଇଦିଆଯାଇଥିଲା। ତେଣୁ ଜେଲ ଭିତରେ ଉଭୟ ବିଧାୟକ ଓ ଆକ୍ରମଣକାରି ମୁହାଁମୁହିଁ ହେବା ଆଶଙ୍କାରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ଚିଲିକା ବିଧାୟକ ଗିରଫ ପ୍ରସଂଗ, ରାଜ୍ୟରେ ବିଧାୟକ ଅସୁରକ୍ଷିତ ବୋଲି ଉଠିଲା ପ୍ରଶ୍ନ

ଭୁବନେଶ୍ବର: ବିଧାନସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପ୍ରସଂଗ ଆସିଛି। ଏ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହର ଶୂନ୍ୟକାଳରେ ଏହି ପ୍ରସଂଗକୁ ଉତ୍ଧାପନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜଣେ ବିଧାୟକଙ୍କୁ ଗିରଫ କଲା ସେ ନିୟମ ଅନୁଯାୟୀ ବିଧାନସଭାକୁ ଜଣାଇବା କଥା। ହେଲେ ସେ ସେପରି କରି ନାହାଁନ୍ତି।

ରାଜ୍ୟର ଜଣେ ବିଧାୟକଙ୍କୁ ଗିରଫ କରିବା ଏବଂ ଗୃହକୁ ଅବଗତ ନ କରାଇବା ବିଧାନସଭାର ସ୍ବାଧୀକାର ଭଂଗ ହୋଇଛି। ଏହା କହି ସେ ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଂଗ ନୋଟିସ ଆଣିଥିଲେ। ସେ ପୁଣି କହିଥିଲେ ଯେ, ବିଧାୟକଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଣ ପାଇଁ ଗୃହକୁ ଅନ୍ଧାରରେ ରଖିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ବିଧାୟକମାନେ ଅସୁରକ୍ଷିତ। ଅଫିସର କିମ୍ବା ପୋଲିସ ବିଧାୟକଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଉ ନାହାଁନ୍ତି ବୋଲି ନରସିଂହ କହିଥିଲେ।

ତେବେ ଏ ନେଇ ବାଚସ୍ପତି କହିଥିଲେ ଯେ, ତାଙ୍କର ଗିରଫ ସଂପର୍କରେ ବିଧାନସଭାକୁ ଅବଗତ କରାଯାଇଛି। ସେ ଗାଡି ଚଢାଇବା ପରି ଦୁର୍ଘଟଣା କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହେଲେ ବିଧାୟକ ନରସିଂହ ମିଶ୍ର ପୁଣି ପ୍ରଶ୍ନ କରିଥିଲେ ଯେ, ତାଙ୍କ ଗିରଫ ଖବର ବିଧାନସଭାକୁ କେବେ ଦିଆଗଲା।

ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ବିଧାୟକଙ୍କ ଗିରଫ ଖବର ଖୋର୍ଦ୍ଧା ଏସପି 23 ତାରିଖ ଅପରାହ୍ନ 2ଟା 45ରେ ମେଲ ଯୋଗେ ବିଧାନସଭାକୁ ପଠାଇଛନ୍ତି। ତାଙ୍କୁ 22 ତାରିଖ ଅପରାହ୍ନ 3 ଟା 45ରେ ଗିରଫ କରାଯାଇଥିଲା। ତେବେ ସେହି ଦିନ ବାଚସ୍ପତିଙ୍କୁ ଏ ମେଲ ସଂପର୍କରେ କୁହାଯାଇ ନ ଥିଲା। ତାପର ଦିନ ଛୁଟି ଥିଲା। ଫଳରେ ସେ 25 ତାରିଖରେ ଏ ସଂପର୍କରେ ଅବଗତ ହେଲେ ବୋଲି ବାଚସ୍ପତି କହିଥିଲେ।

ସ୍ବୀଧୀକାର ଭଂଗ ନୋଟିସ ସଂପର୍କରେ ବାଚସ୍ପତି ତର୍ଜମା କରି ନିଷ୍ପତି ନେବେ ବୋଲି ଗୃହକୁ ଅବଗତ କରାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗାଡିକୁ ନେଇ ବିବାଦ: ରୁଜ୍ଜୁ ହେଲା ଆଉ ଏକ ମାମଲା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ଗତକାଲି ବାଣପୁର ବିଚାର ବିଭାଗୀୟ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ବାଣପୁର ସବ ଜେଲରେ ଅଛନ୍ତି।

କିନ୍ତୁ ଏହା ମଧ୍ୟରେ ତାଙ୍କ ଗାଡିକୁ ନେଇ ନୂଆ ବିବାଦ ଦେଖାଯାଇଛି। ସର୍ବ ସମ୍ମୁଖରେ ଲୋକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଗାଡି ଚଢାଇଦେଇଥିଲେ, ବର୍ତ୍ତମାନ ସେହି ଗାଡିର ନମ୍ବର ବଦଲାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ବେଳେ ଭିଡିଓରେ କଏଦ ହୋଇଥିବା ଗାଡିର ନମ୍ବରକୁ ପୋଲିସ ହେପାଜତରେ ଥିବା ଗାଡିର ନମ୍ବରରେ ଫରକ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ସମୟରେ ବିଧାୟକ ଲ୍ୟାଣ୍ଡରୋଭରର ଡିସ୍କୋଭରୀ ଗାଡି ଚଲାଉଥିବା ବେଳେ ତାହାର ନମ୍ବର ଓଡ଼ି-୨୫-କେ-୫୭୭୫ ଥିଲା। କିନ୍ତୁ ପୋଲିସ ରିପୋର୍ଟ ଅନୁଯାୟୀ ସେହି ଗାଡିର ନମ୍ବର ଓଡ଼ି-୦୨-ଏୱାଇ-୫୭୭୫ ରହିଛି। ଯାହାକି ଏକ ହ୍ୟୁଣ୍ଡାଇ କେଟ୍ରାର ଗାଡି ନମ୍ବର। ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଏହି ଗାଡିଟି ଶିବାନୀ ଫୁଡ ପ୍ରଡ଼କ୍ଟସ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି।

ତେବେ ବିବାଦ ବଢିବା ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଖୋର୍ଦ୍ଧା ଏସପିଙ୍କ ଅନୁଯାୟୀ, ସେଦିନ ବିଧାୟକ ଏକ ଫର୍ଜି ନମ୍ବର ଗାଡି ଚଳାଉଥିଲେ। ଯାହା ଫଳରେ ତାଙ୍କ ବିରୋଧରେ ଆଉ ଏକ ଜାଲିଆତି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଏହି ବିଷୟରେ କୋର୍ଟଙ୍କୁ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ଵର: ଭିଡ ଉପରେ ଗାଡି ମଡାଇବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଣପୁର ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି ସୂଚନା ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବାଣପୁର ବ୍ଲକ ସମ୍ମୁଖରେ ଶହ ଶହ ବିଜେପି କର୍ମୀ ଏବଂ ସାଧାରଣ ଜନତା ଭିଡ ଜମାଇଥିଲେ। କିନ୍ତୁ ସେଠାରେ ଭିଡ ଉପରକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢାଇ ଲୋକଙ୍କୁ ମାରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ ବାଣପୁର ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁଙ୍କ ସମେତ ୨୨ ଜଣ ଲୋକ ଆହତ ହୋଇଥିଲେ। ଅନୁରୂପ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଲହୁ ଲୁହାଣ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ଚାରି ଆଡେ ନିନ୍ଦା କରାଯାଇଥିବା ବେଳେ ବିଜେଡ଼ି ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ରଖାଯାଇଥିଲା। ତାଙ୍କୁ ପୂର୍ବରୁ ଦଳ ନିଲମ୍ବିତ କରିଛି ବୋଲି ବିଜେଡ଼ି ସାଂସଦ ଡା ସସ୍ମିତ ପାତ୍ର କହିଥିଲେ। ଏହି ଘଟଣାକୁ ଦଳ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡା ପାତ୍ର କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ୧୪୪ ଧାରା ଜାରୀ ପରେ ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ସେଠାରେ ୧୪୪ ଧାରା ଜାରୀ କରାଯାଇଛି। ଫଳରେ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶସସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ତରଫରୁ ମାଇକ ଦ୍ବାରା ଲୋକଙ୍କୁ ଏହି ଧାରା ସଂପର୍କରେ ସଚେତନ କରାଯାଇଛି।

ଘଟଣା ସ୍ଥଳରେ ଏସପି ନିଜେ ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି। ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ରହି ପରିସ୍ଥିତିକୁ ତଦାରଖ କରୁଛନ୍ତି। କୌଣସି ସ୍ଥାନରେ ଯେପରି ଗଣ୍ଡଗୋଳ ନ ହୁଏ ସେଥିପାଇଁ ପୋଲିସ ବଳକୁ ସଜାଗ ରଖାଯାଇଛି।