ବାଣପୁର ପଞ୍ଚୁଦୋଳରେ ଲାଗିଲା ବିଜେଡି ନେତାଙ୍କ ହୋର୍ଡିଙ୍ଗ, ବିଧାୟକଙ୍କ ଫଟୋ ଗାୟବ

Published: Mar 12, 2023, 12:00 pm IST
BanpurPoster

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଆରମ୍ଭ ହେଉଛି ବାଣପୁରର ଐତିହାସିକ ପଞ୍ଚୁଦୋଳ ଯାତ୍ରା। ଉକ୍ତ ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି। କିଏ ନିଜ ଦଳ ବ୍ୟାନର ଲଗାଉ ଛି ତ ଆଉ କିଏ ନିଜର ବଡ ବଡ଼ ଫଟୋ ଲଗାଇ ଶୁଭେଚ୍ଛା ବାର୍ତ୍ତା ଦେଉଛି।

ତେବେ ଏହି ସବୁ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତହସିଲ ଛକରେ। ଏଠାରେ ପଞ୍ଚୁଦୋଳ ଶୁଭେଚ୍ଛା ଉପଲକ୍ଷେ ବିଜେଡି ନେତାଙ୍କ ପକ୍ଷରୁ ଦୁଇଟି ବଡ଼ ହୋର୍ଡିଙ୍ଗ ଲାଗିଥିବା ବେଳେ ଉଭୟରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଫଟୋ ନାହିଁ। ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଉଭୟେ ଗୋଟିଏ ସ୍ଥାନରେ ନିଜ ନିଜ ହୋର୍ଡିଙ୍ଗ ଲଗାଇଛନ୍ତି।

ଏନଏସି ଅଧ୍ୟକ୍ଷଙ୍କ ହୋର୍ଡିଙ୍ଗରେ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଙ୍କ ଫଟୋ ଥିବା ବେଳେ ରଘୁନାଥ ସାହୁଙ୍କ ହୋର୍ଡିଙ୍ଗ ରେ ଏହି ଦୁଇ ଜଣଙ୍କ ଫଟୋ ନାହିଁ। ତେବେ ଉଭୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ, ଦେବୀ ମିଶ୍ର ଏବଂ ପ୍ରମିଳା ମଲ୍ଲିକଙ୍କୁ ସ୍ଥାନିତ କରିଛନ୍ତି। ହେଲେ ରଘୁ ତାଙ୍କ ହୋର୍ଡିଂରେ ବିଧାୟକ ଓ ସାଂସଦଙ୍କୁ ବାଦ ଦେଇଥିବା ବେଳେ ମିଟୁ ନାୟକ ସେହିପରି ବିଧାୟକଙ୍କୁ ଛାଡି ସାଂସଦ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ମାନସ ମଙ୍ଗରାଜଙ୍କ ଫଟୋ ଦେଇଛନ୍ତି।

ତେବେ ଏହାକୁ ଦେଖି ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ କୌତୁହଳ ପ୍ରକାଶ ପାଇଛି।ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବା ବେଳେ ଚିଲିକାରେ ନେତୃତ୍ୱ ବିହୀନ ବିଜେଡି କିପରି ଅଣ୍ଟା ସଳଖିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଉକ୍ତ ପୋଷ୍ଟର ୱାରରେ ପଛରେ ରହିଯାଇଛି ବିଜେପି। ବିଜେପି ନେତାଙ୍କ ପକ୍ଷରୁ ସେହିପରି ଭାବେ କୌଣସି ସ୍ଥାନରେ ଶୁଭେଚ୍ଛା ପୋଷ୍ଟର ଦେଖିବାକୁ ମିଳି ନାହିଁ।

Related posts