Categories
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆସନ୍ତା ୩୦ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହେବାକୁ ଥିବା ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପଠାରେ କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କମିଟି ଉପ ସଭାପତି, ସମ୍ପାଦକ ବାଣପୁର ଆଇଆଇସି, ପୂର୍ତ୍ତବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ବାଣପୁର ଅଂଚଳର ବୁଦ୍ଧିଜୀବୀ ଏବଂ ଗ୍ରାମ ମୁଖିଆମାନେ ଉପସ୍ଥିତ ଥିଲେ।

ଚଳିତ ପଞ୍ଚୁଦୋଳରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ସହ ଗ୍ରାମ ଦେବତାମାନଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ଉକ୍ତ ସମୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ। ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋକ ନଥିବା ଖୁଣ୍ଟ ଗୁଡିକରେ ବିଦ୍ୟୁତ ବିଭାଗକୁ ଯଥାଶୀଘ୍ର ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ମାନେ ଉକ୍ତ ଦାଇତ୍ୱସବୁ ସୁଚାରୁରୂପେ ତୁଲେଇବାକୁ ବୈଠକରେ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପଞ୍ଚୁଦୋଳରେ ଲାଗିଲା ବିଜେଡି ନେତାଙ୍କ ହୋର୍ଡିଙ୍ଗ, ବିଧାୟକଙ୍କ ଫଟୋ ଗାୟବ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଆରମ୍ଭ ହେଉଛି ବାଣପୁରର ଐତିହାସିକ ପଞ୍ଚୁଦୋଳ ଯାତ୍ରା। ଉକ୍ତ ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି। କିଏ ନିଜ ଦଳ ବ୍ୟାନର ଲଗାଉ ଛି ତ ଆଉ କିଏ ନିଜର ବଡ ବଡ଼ ଫଟୋ ଲଗାଇ ଶୁଭେଚ୍ଛା ବାର୍ତ୍ତା ଦେଉଛି।

ତେବେ ଏହି ସବୁ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତହସିଲ ଛକରେ। ଏଠାରେ ପଞ୍ଚୁଦୋଳ ଶୁଭେଚ୍ଛା ଉପଲକ୍ଷେ ବିଜେଡି ନେତାଙ୍କ ପକ୍ଷରୁ ଦୁଇଟି ବଡ଼ ହୋର୍ଡିଙ୍ଗ ଲାଗିଥିବା ବେଳେ ଉଭୟରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଫଟୋ ନାହିଁ। ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଉଭୟେ ଗୋଟିଏ ସ୍ଥାନରେ ନିଜ ନିଜ ହୋର୍ଡିଙ୍ଗ ଲଗାଇଛନ୍ତି।

ଏନଏସି ଅଧ୍ୟକ୍ଷଙ୍କ ହୋର୍ଡିଙ୍ଗରେ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଙ୍କ ଫଟୋ ଥିବା ବେଳେ ରଘୁନାଥ ସାହୁଙ୍କ ହୋର୍ଡିଙ୍ଗ ରେ ଏହି ଦୁଇ ଜଣଙ୍କ ଫଟୋ ନାହିଁ। ତେବେ ଉଭୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ, ଦେବୀ ମିଶ୍ର ଏବଂ ପ୍ରମିଳା ମଲ୍ଲିକଙ୍କୁ ସ୍ଥାନିତ କରିଛନ୍ତି। ହେଲେ ରଘୁ ତାଙ୍କ ହୋର୍ଡିଂରେ ବିଧାୟକ ଓ ସାଂସଦଙ୍କୁ ବାଦ ଦେଇଥିବା ବେଳେ ମିଟୁ ନାୟକ ସେହିପରି ବିଧାୟକଙ୍କୁ ଛାଡି ସାଂସଦ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ମାନସ ମଙ୍ଗରାଜଙ୍କ ଫଟୋ ଦେଇଛନ୍ତି।

ତେବେ ଏହାକୁ ଦେଖି ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ କୌତୁହଳ ପ୍ରକାଶ ପାଇଛି।ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବା ବେଳେ ଚିଲିକାରେ ନେତୃତ୍ୱ ବିହୀନ ବିଜେଡି କିପରି ଅଣ୍ଟା ସଳଖିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଉକ୍ତ ପୋଷ୍ଟର ୱାରରେ ପଛରେ ରହିଯାଇଛି ବିଜେପି। ବିଜେପି ନେତାଙ୍କ ପକ୍ଷରୁ ସେହିପରି ଭାବେ କୌଣସି ସ୍ଥାନରେ ଶୁଭେଚ୍ଛା ପୋଷ୍ଟର ଦେଖିବାକୁ ମିଳି ନାହିଁ।