Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାର ରଘୁ ସାହୁଙ୍କୁ ବହିସ୍କାର ବଦଳରେ ମିଳିଲା ପୁରସ୍କାର, ଅଡୁଆରେ ବିଜେଡି କର୍ମି ଓ ନେତା

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ବହିସ୍କାର କରିବା ପରିବର୍ତ୍ତେ ପୁରସ୍କାର ଦେଇଛି। କାରଣ ନିକଟରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସଂଗଠନର ସମୀକ୍ଷା ବୈଠକରେ ସେ ସାମିଲ ହୋଇଛନ୍ତି। ବଡ ନେତାଙ୍କ ଗହଣରେ ତାଙ୍କୁ ସ୍ଥାନ ମିଳିଛି। ଯାହା ତାଙ୍କ ପାଇଁ ବିଜେଡିର ବଡ ପୁରସ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ସେ ବିଗତ ଦିନରେ ବିଜେଡିର ବହୁ ନେତାଙ୍କୁ ଗାଳି କରିଥିଲେ, ପଞ୍ଚାୟତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ସମସ୍ତେ ଭାବି ଥିଲେ ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେବ। ହେଲେ ତାହା ହେଲା ନାହିଁ । ବଂର ତାଙ୍କୁ ନିମନ୍ତ୍ରଣ କରି ଶଙ୍ଖ ଭବନରେ ବସାଇଲେ। ଯାହାକୁ ନେଇ ବହୁ ବିଜେଡି କର୍ମି ଏବଂ ନିର୍ବାଚିତ ପ୍ରତିନିଧ ଦଳର ଏପରି ପଦକ୍ଷେପକୁ ନାମପସନ୍ଦ କରିଛନ୍ତି।

ରଘୁନାଥ ଏକଦା ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଗାଳି କରିଥିଲେ। ପରୋକ୍ଷରେ ନୁହେଁ ସିଧା ସେମାନଙ୍କ ନାଁ ଧରି ସେମାନେ ଦୁର୍ନିତିଗସ୍ତ ନେତା ବୋଲି କହିଥିଲେ। ସେମାନେ ପିସି କାରବାର କରୁଛନ୍ତି ବୋଲି କହିଥିଲେ। ଏହାର ଉଚିତ ଜବାବ ଦିଆଯିବ ବୋଲି ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ବାଲୁଗାଁରେ ଆୟୋଜିତ ବିଜେଡି ବୈଠକରେ କହିଥିଲେ। ହେଲେ ସେଥିରେ ମଧ୍ୟ କିଛି କିଛି ହେଲା ନାହିଁ।

ବିଜେଡିର ନେତାମାନଙ୍କୁ ଖୋଲମଖୁଲା ଗାଳି କରିବା, ସେମାନେ ଦୁର୍ନିତି ଗସ୍ତ ବୋଲି କହିବା, ସେହି ଦୁର୍ନିତିଗସ୍ତ ନେତାଙ୍କ ପାଇଁ ଚିଲିକାରେ ବିଜେଡି ହାରିବ ବୋଲି କହିବା ପରେ ମଧ୍ୟ ରଘୁନାଥଙ୍କୁ ବିଜେଡି କୋଳରେ ବସାଇଲା। ଫଳରେ କର୍ମିମାନେ ଭାବିଲେଣି ଯେ, ଦଳରେ ରହି ଦଳ ବିରୋଧୀ କାମ କଲେ ବୋଧହୁଏ ବିଜେଡି ଖୁସି ହେଉଛି। ବିଜେଡିକୁ ରଘୁନାଥ କି ପ୍ରକାରର ଗଦ ଶୁଙ୍ଘାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଚିଲିକାର ବିଜେଡି ରାଜନୀତିକୁ ନିରେକ୍ଷୀ ଦେଖାଯାଏ ତେବେ ବିଜେଡିରୁ ବହିସ୍କାର ହୋଇଥିଲେ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ବହୁ କର୍ମି ଓ ନେତା ରହିଛନ୍ତି। ଏବେ ବି ସେମାନେ ବିଧାୟକଙ୍କୁ ସମର୍ଥନ କରୁଛନ୍ତି। ରଘୁନାଥଙ୍କୁ ବିରୋଧ କରୁଛନ୍ତି। ଯଦି ଆଗାମୀ ଦିନରେ ବିଜେଡି ରଘୁନାଥଙ୍କୁ ଟିକେଟ ଦିଏ, ତେବେ ବିରୋଧୀ ଗୋଷ୍ଠୀଙ୍କୁ ସେ କିପରି ସାଥୀରେ ନେବେ ଏବଂ ସେମାନେ ରଘୁନାଥଙ୍କୁ କିପରି ସାହାଯ୍ୟ କରିବେ ତାହା ସନ୍ଦେହ ଯୁକ୍ତ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ମିଶନ ଖୋର୍ଦ୍ଧା ଜିଲ୍ଲା, ଏଥର ଭୁବନେଶ୍ବର ଓ ଜଟଣୀ ଆସନ ଛଡାଇ ଆଣିବାକୁ ଯୋଜନା

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ସେହି କ୍ରମରେ ବିଜେଡି ତାହାର ରଣନୀତି ଆରମ୍ଭ କରିବାରେ ଲାଗିଛି। ବିଭିନ୍ନ ସଂଗଠନର ନୂଆ କର୍ମକର୍ତ୍ତା ନିଯୁକ୍ତି ପରେ ଏବେ ଜିଲ୍ଲା ସ୍ତରୀୟ ସମୀକ୍ଷା ଆରମ୍ଭ ହୋଇଛି। ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଂଗଠନ ମଜବୁତ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ ରାଉତଙ୍କ ଅଧକ୍ଷ୍ୟତାରେ ବସିଥିଲା ଏହି ବୈଠକ। ଏଥିରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବରର ସମସ୍ତ ବିଜେଡି ବିଧାୟକ ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଥିବା ହଜାରେ ବୁଥକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତାମାନଙ୍କୁ ଆହୁରି ଦୃଢ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେଥିପାଇଁ ଦଳର କର୍ମିମାନେ ଏକାକାର ହୋଇ ସଂଗଠନକୁ ମଜବୁତ କରିବା ଆବଶ୍ୟକ ରହିଛି ବୋଲି ପ୍ରଣବ କହିଥିଲେ।

ତେବେ ଏହି ବୈଠକରେ ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ଯେପରି ବିଜେଡି ଅକ୍ତିଆର କରିବ ସେ ନେଇ ରଣନୀତି କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ବ୍ୟତିତ ଅନ୍ୟ ସବୁ ଆସନରେ ବିଜେଡି ଜିତିଛି। ଏଥର ଏହି ଦୁଇ ଆସନକୁ କିପରି ଛଡାଇ ଆଣାଯିବ ସେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନା, ଖୋର୍ଦ୍ଧା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନ୍ନା ଖାଁ, ପୂର୍ବତନ ବିଧାୟକ ରଘୁ ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?

ସୀତାରାମ ଅଗ୍ରୱାଲ

ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ ସ୍ବାଗତ କରି ପାଛୋଟି ନେଉଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ଖେଳ କଣ ବୋଲି ପ୍ରଶ୍ନ ଉଠିଛି।

ପ୍ରକୃତରେ ଦେଖିବାକୁ ଗଲେ କୌଣସି ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା କିଛି ଭୁଲ କଥା ନୁହେଁ। ହେଲେ ଗତବର୍ଷ ସେହି ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ପଲଟନ ପଡିଆରେ ବିଜେଡି ବିଜେପି ମଧ୍ୟରେ ଯେଉଁ ମାଡିପିଟି ହୋଇଥିଲା ତାହା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଘଟଣା ପରେ ବିଜେଡି ନେତା ରଘୁଙ୍କୁ ବିଜେପି ନେତା ସ୍ବାଗତ କରିବା ବାଣପୁରବାସୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଅନ୍ୟପକ୍ଷରେ ରଘୁ ସାହୁ ବର୍ତ୍ତମାନ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କୁ ସରକାର ଭାବେ ସ୍ବାଗତ କରିବାର କିଛି କାରଣ ମଧ୍ୟ ନାହିଁ।

ଏ ସବୁ ଦୃଷ୍ଟିରୁ ରଘୁଙ୍କୁ କୌଣସି ପ୍ରକାରରେ ସ୍ବାଗତ କରିବାର ଆବଶ୍ୟକ ନ ଥିବା ବେଳେ ଅମରେନ୍ଦ୍ର କାହିଁକି ଏପରି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଏପରି ସ୍ବାଗତ କରିବା ପାଇଁ ବିଜେପିର ଉପର ସ୍ତରରୁ ନିଶ୍ଚିତ ନିର୍ଦ୍ଦେଶ ରହିଥିବ ବୋଲି ଅନୁମାନ କରାଯାଉଛି। କାରଣ ବିନା ଦଳିୟ ନିର୍ଦ୍ଦେଶରେ ଅମରେନ୍ଦ୍ର କେବେ ବି ବିଜେଡି ନେତାଙ୍କୁ ସ୍ବାଗତ କରି ପାରିବେ ନାହିଁ। ସେଥିପାଇଁ ବିଜେଡିରୁ ଏକଘରକିଆ ହୋଇଥିବା ରଘୁ ସାହୁ କଣ ବିଜେପିରେ ଯୋଗ ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିବା ଘଟଣାକୁ ଆଜି ପୁରିଲା ବର୍ଷେ, ଏକ ହିସାବନିକାସ

ଭୁବନେଶ୍ବର: ଆଜି ବାଣପୁର ପଲଟନ ପଡିଆରେ ଚାଲିଛି ପଞ୍ଚୁଦୋଳ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଏହି ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ବିଜେପି କର୍ମି।

ସେଦିନ ଥିଲା ୨୦୨୨ ମାର୍ଚ୍ଚ ୧୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି କଣ ରହିଛି, ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ ଆସିଛି।

ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା। ସେ ଜେଲ ଗଲେ।

ସେତିକିରେ କଥା ସରିଲା ନାହିଁ, ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରି ଦିଆଗଲା। ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଲେ। ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ଅବସ୍ଥାରେ ଚିଲିକା ନିର୍ବାଚନ ମଣ୍ଡଳ ସଂପୂର୍ଣ୍ଣ ଭାବେ ନେତୃତ୍ବ ଛେଉଣ୍ଡ ହୋଇଯାଇଛି। କର୍ମିମାନେ କିଏ କାହାକୁ କିପରି ଗୁହାରି କରିବେ ତାହାର କେହି କିଛି ଥଳକୁଳ ପାଉ ନାହିଁନ୍ତି। ଏପରିକି ବିଜେଡିର ନିର୍ବାଚିତ ପଞ୍ଚାୟତ ଓ ପୌର ପ୍ରତିନିଧିମାନେ ମଧ୍ୟ କଣ କରିବେ କାହାକୁ କହିବେ, ରାସ୍ତା ନ ପାଇ ବାଉଳେଇ ହେଉଛନ୍ତି।

ହେଲେ ଏପରି ପରିସ୍ଥିତିରେ ବିଧାୟକ ନ ଆସିଲେ ନାହିଁ, ଯଦି ସାଂସଦ ପିନାକୀ ମିଶ୍ର ଆସି ଥାଆନ୍ତେ ତେବେ ହୁଏତ ଚିଲିକା କର୍ମି ନେତୃତ୍ବ ଛେଉଣ୍ଡ ହୋଇ ନ ଥାଆନ୍ତେ। ବିଧାୟକ ବଦଳରେ ତାଙ୍କ ନିର୍ଦ୍ଦେଶରେ ହୁଏତ କର୍ମିମାନେ କାମ କରିଥାଆନ୍ତେ। କିନ୍ତୁ ଦୁଃଖର କଥା ସେ ମଧ୍ୟ ଚିଲିକା ନିର୍ବାଚନ ମଣ୍ଡଳିକୁ ହେୟ ଜ୍ଞାନ କଲେ। ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ କର୍ମିମାନେ ସ୍ବଦେହରେ ଦେଖିବା ସ୍ବପ୍ନରେ ପରିଣତ ହୋଇଗଲା। ଚିଲିକାରେ ପିନାକୀଙ୍କ ପାଇଁ ପ୍ରଚାର କରି ଭୁଲ କରିଛୁ ବୋଲି କର୍ମିମାନେ ଭାବି ସାରିଲେଣି।

ଏ ସବୁ ପରିସ୍ଥିତି ଭିତରେ ଦୀର୍ଘ ଦିନ ଧରି ଚୁପ ରହିଥିବା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ହଠାତ୍ ମୁଣ୍ଡ ଟେକିବା ଆରମ୍ଭ କଲେ। ତେବେ ହାସ୍ୟସ୍ପଦ କଥା ଯେ, ସେ ଏପରି ଅସୁବିଧା ସମୟରେ କର୍ମିମାନଙ୍କୁ ସାଥ୍ ଦେବେ କଣ ଓଲଟି ତାଙ୍କୁ ଗାଳି କରିବା ଆରମ୍ଭ କଲେ। ଯେଉଁମାନେ ରଘୁଙ୍କଆଡକୁ ଟିକିଏ ଢଳିବାକୁ ଚାହୁଁଥିଲେ ସେମାନେ ସବୁ ଫିଡିକି ଗଲେ। ଫଳରେ ଚିଲିକାର ରାଜନୈତିକ ପାଣିକୁ ରଘୁ ପରିସ୍କାର କରିବେ କଣ ତାହାକୁ ଆହୁରି ଗୋଳିଆ କରି ଦେଲେ।

ସର୍ବୋପରି କହିବାକୁ ଗଲେ ଗତବର୍ଷ ଆଜିର ଦିନରେ ବାଣପୁର ପଲଟନ ପଡିଆରେ ଯାହା ଘଟିଲା ତାହା ଥିଲା ଚିଲିକା ରାଜନୈତିକ ଇତିହାସରେ ଏକ ସ୍ମରଣୀୟ ଘଟଣା। ଯାହା କେବେ ପୂର୍ବରୁ ହୋଇ ନ ଥିଲା କିମ୍ବା ଭବିଷ୍ୟତରେ ଏପରି ହେବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଚିଲିକାର ବିଜେଡି କର୍ମି ଓ ନେତାଙ୍କୁ ଏପରି ବିପଦ ସମୟରେ ନା ବିଧାୟକ, ନା ସାଂସଦ, ନା ପୂର୍ବତନ ବିଧାୟକ, ନା ବିଜୁ ଜନତା ଦଳ, କେହି ଛିଡା ନ ହେବା ହିଁ ସବୁଠୁ ବଡ ଦୁଃଖଦାୟକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପଞ୍ଚୁଦୋଳରେ ଲାଗିଲା ବିଜେଡି ନେତାଙ୍କ ହୋର୍ଡିଙ୍ଗ, ବିଧାୟକଙ୍କ ଫଟୋ ଗାୟବ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଆରମ୍ଭ ହେଉଛି ବାଣପୁରର ଐତିହାସିକ ପଞ୍ଚୁଦୋଳ ଯାତ୍ରା। ଉକ୍ତ ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି। କିଏ ନିଜ ଦଳ ବ୍ୟାନର ଲଗାଉ ଛି ତ ଆଉ କିଏ ନିଜର ବଡ ବଡ଼ ଫଟୋ ଲଗାଇ ଶୁଭେଚ୍ଛା ବାର୍ତ୍ତା ଦେଉଛି।

ତେବେ ଏହି ସବୁ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତହସିଲ ଛକରେ। ଏଠାରେ ପଞ୍ଚୁଦୋଳ ଶୁଭେଚ୍ଛା ଉପଲକ୍ଷେ ବିଜେଡି ନେତାଙ୍କ ପକ୍ଷରୁ ଦୁଇଟି ବଡ଼ ହୋର୍ଡିଙ୍ଗ ଲାଗିଥିବା ବେଳେ ଉଭୟରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଫଟୋ ନାହିଁ। ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଉଭୟେ ଗୋଟିଏ ସ୍ଥାନରେ ନିଜ ନିଜ ହୋର୍ଡିଙ୍ଗ ଲଗାଇଛନ୍ତି।

ଏନଏସି ଅଧ୍ୟକ୍ଷଙ୍କ ହୋର୍ଡିଙ୍ଗରେ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଙ୍କ ଫଟୋ ଥିବା ବେଳେ ରଘୁନାଥ ସାହୁଙ୍କ ହୋର୍ଡିଙ୍ଗ ରେ ଏହି ଦୁଇ ଜଣଙ୍କ ଫଟୋ ନାହିଁ। ତେବେ ଉଭୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ, ଦେବୀ ମିଶ୍ର ଏବଂ ପ୍ରମିଳା ମଲ୍ଲିକଙ୍କୁ ସ୍ଥାନିତ କରିଛନ୍ତି। ହେଲେ ରଘୁ ତାଙ୍କ ହୋର୍ଡିଂରେ ବିଧାୟକ ଓ ସାଂସଦଙ୍କୁ ବାଦ ଦେଇଥିବା ବେଳେ ମିଟୁ ନାୟକ ସେହିପରି ବିଧାୟକଙ୍କୁ ଛାଡି ସାଂସଦ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ମାନସ ମଙ୍ଗରାଜଙ୍କ ଫଟୋ ଦେଇଛନ୍ତି।

ତେବେ ଏହାକୁ ଦେଖି ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ କୌତୁହଳ ପ୍ରକାଶ ପାଇଛି।ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବା ବେଳେ ଚିଲିକାରେ ନେତୃତ୍ୱ ବିହୀନ ବିଜେଡି କିପରି ଅଣ୍ଟା ସଳଖିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଉକ୍ତ ପୋଷ୍ଟର ୱାରରେ ପଛରେ ରହିଯାଇଛି ବିଜେପି। ବିଜେପି ନେତାଙ୍କ ପକ୍ଷରୁ ସେହିପରି ଭାବେ କୌଣସି ସ୍ଥାନରେ ଶୁଭେଚ୍ଛା ପୋଷ୍ଟର ଦେଖିବାକୁ ମିଳି ନାହିଁ।