ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?

Published: Mar 19, 2023, 1:31 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ ସ୍ବାଗତ କରି ପାଛୋଟି ନେଉଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ଖେଳ କଣ ବୋଲି ପ୍ରଶ୍ନ ଉଠିଛି।

ପ୍ରକୃତରେ ଦେଖିବାକୁ ଗଲେ କୌଣସି ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା କିଛି ଭୁଲ କଥା ନୁହେଁ। ହେଲେ ଗତବର୍ଷ ସେହି ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ପଲଟନ ପଡିଆରେ ବିଜେଡି ବିଜେପି ମଧ୍ୟରେ ଯେଉଁ ମାଡିପିଟି ହୋଇଥିଲା ତାହା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଘଟଣା ପରେ ବିଜେଡି ନେତା ରଘୁଙ୍କୁ ବିଜେପି ନେତା ସ୍ବାଗତ କରିବା ବାଣପୁରବାସୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଅନ୍ୟପକ୍ଷରେ ରଘୁ ସାହୁ ବର୍ତ୍ତମାନ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କୁ ସରକାର ଭାବେ ସ୍ବାଗତ କରିବାର କିଛି କାରଣ ମଧ୍ୟ ନାହିଁ।

ଏ ସବୁ ଦୃଷ୍ଟିରୁ ରଘୁଙ୍କୁ କୌଣସି ପ୍ରକାରରେ ସ୍ବାଗତ କରିବାର ଆବଶ୍ୟକ ନ ଥିବା ବେଳେ ଅମରେନ୍ଦ୍ର କାହିଁକି ଏପରି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଏପରି ସ୍ବାଗତ କରିବା ପାଇଁ ବିଜେପିର ଉପର ସ୍ତରରୁ ନିଶ୍ଚିତ ନିର୍ଦ୍ଦେଶ ରହିଥିବ ବୋଲି ଅନୁମାନ କରାଯାଉଛି। କାରଣ ବିନା ଦଳିୟ ନିର୍ଦ୍ଦେଶରେ ଅମରେନ୍ଦ୍ର କେବେ ବି ବିଜେଡି ନେତାଙ୍କୁ ସ୍ବାଗତ କରି ପାରିବେ ନାହିଁ। ସେଥିପାଇଁ ବିଜେଡିରୁ ଏକଘରକିଆ ହୋଇଥିବା ରଘୁ ସାହୁ କଣ ବିଜେପିରେ ଯୋଗ ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

Related posts