Categories
ଆଞ୍ଚଳିକ

ବାଣପୁର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମିତି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପର୍ଶୁରାମ ଶବର ଦାଇତ୍ୱ ନିର୍ବାହ କରିଥିଲେ। ବିଡ଼ିଓଙ୍କ ଅନୁପସ୍ଥିତି ହେତୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ଅସୁବିଧା ଉପୁଜି ଥିବାବେଳେ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ତତସହିତ ଜଙ୍ଗଲ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସର୍ବସହମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ପ୍ରକାଶ କରିଛନ୍ତି।

ଶିକ୍ଷା ବିଭାଗର ଆଲୋଚନାରେ ଭାଗ ନେଇ ସରକାରୀ ବିଦ୍ୟାଳୟ ତୁଳନାରେ ଘରୋଇ ବିଦ୍ୟାଳୟ ଗୁଡିକରେ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାରୁ କିପରି ଅଭିଭାବକ ମାନେ ନିଜର ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରିବେ ବ୍ଲକ ଶିକ୍ଷା ଅଧିକାରୀ ସେ ବିଷୟରେ ଧ୍ୟାନ ଦେବାକୁ ସଭ୍ୟମାନେ ଗୁରୁତ୍ୱାରୋପ କରିଥିଲେ।  ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେଣୁଆବାଡି ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ଥିବା ମନ୍ଦିର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର: ଭାଗ ନେଲେ ୩୦୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ଶୀତଲ ଅଗ୍ରୱାଲ ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା।

ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ ୩୦୫ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୨୭୫ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପରିଚୟପତ୍ର ବଣ୍ଟନ କରିଥିଲେ।  ସେହିପରି ଭାବେ ୧୩ ଜଣ ହିତାଧିକାରୀଙ୍କୁ ରଦ୍ଦ କରାଯାଇ ଅବଶିଷ୍ଟ ୧୭ ଜଣ ହିତାଧିକାରୀଙ୍କର ପତ୍ରକୁ ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିଲା।

ତେବେ ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷରେ ଉକ୍ତ ଶିବିର ଆୟୋଜନ ହୋଇଥିବା ଏବଂ ବାଣପୁର ବ୍ଲକ ପ୍ରଶାସନ ସର୍ବଦା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକରିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। ଉକ୍ତ ଶିବିରକୁ ସୁଶ୍ରୀ ନାୟକ ଏବଂ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

‘ମୋ ଘର’ ଯୋଜନାର ସଫଳ ରୂପାୟନ ପାଇଁ ବାଣପୁର ବ୍ଲକରେ ଆରମ୍ଭ ହେଲା ସଚେତନତା କର୍ମଶାଳା

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା. ଗଭର୍ଣ୍ଣମେଣ୍ଟ. ଇନ/ମୋ ଘର ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ‘ମୋ ଘର’ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ କଚ୍ଚା ଘରେ କିମ୍ବା ଏକ ବଖରା ଛାତ ଘରେ ବାସ କରୁଥିବା ସମସ୍ତ ପରିବାର ଆବେଦନ କରିପାରିବେ। ଏବଂ ଆଗରୁ ଯଦି କୌଣସି ପରିବାର ସରକାରଙ୍କ କୌଣସି ଯୋଜନାରେ ଘର ପାଈଥିବେ ତେବେ ସେମାନେ ସେମାନଙ୍କର ଗୃହକୁ ବର୍ଦ୍ଧିକରଣ ଓ ଉନ୍ନତିକରଣ ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

ତହସିଲଦାର ଶ୍ରୀ ବଡ଼ଜେନା ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁସାରେ ବ୍ଲକ ଓ ତହସିଲର କର୍ମଚାରୀମାନେ ଆବେଦନ କାରୀଙ୍କୁ ମାର୍ଗଦର୍ଶନରେ ସମ୍ପୂର୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସଫଳ ରୂପାୟନ ଦିଗରେ ପଞ୍ଚାୟତ, ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ମାନଙ୍କ ଭୂମିକା ବିଷୟରେ ନିଜର ମତ ରଖିଥିଲେ।

ତେବେ ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ତାଗିଦ କରିଥିଲେ। କର୍ମଶାଳାରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାକୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗର ଅଧିକାରିଣୀ ସନ୍ତୋଷୀ ମହାରଣା ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଭବାନୀପୁର ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଭବାନୀପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଏଥି ନିମନ୍ତେ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ବାରିକ ଯୋଗ ଦେଇଥିଲେ। ଶ୍ରୀ ରଣସିଂହ ନିର୍ମାଣସ୍ଥଳରେ ପହଞ୍ଚି ନଡ଼ିଆ ବାଡେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୂଚନା ଥାଉକି କିଛି ବର୍ଷ ତଳେ ନୂତନ ଭାବେ ଗଠିତ ହୋଇଥିବା ଭବାନୀପୁର ପଞ୍ଚାୟତ ପୁର୍ବରୁ ତୁମୁରାପୁଟ ପଞ୍ଚାୟତ ଅଧୀନରେ ଥିଲା। ତେବେ ଅଲଗା ପଞ୍ଚାୟତର ମାନ୍ୟତା ପାଇବା ପରେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଭବାନୀପୁର ପଞ୍ଚାୟତର ନିଜସ୍ୱ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ନୂତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସମ୍ପୃକ୍ତ ପଞ୍ଚାୟତର ସମିତି ସଭ୍ୟ ହୋଇଥିବାରୁ ପଞ୍ଚାୟତବାସୀ ଉକ୍ତ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଫଳସ୍ୱରୂପ ବ୍ଲକ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାରେ ଧୀମା ପଡିଯାଇଥିବା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ବାରିକି, ବରିଷ୍ଠ ସଂଗଠକ ଦେବବ୍ରତ ବଡ଼ଜେନା, ଜିତେନ୍ଦ୍ର ଭୋଳ, ଯୁବନେତା କୀର୍ତ୍ତିରଞ୍ଜନ ଖୁଣ୍ଟିଆଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସମର୍ଥକମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର କଣ ପାଇଁ ରଘୁ ସାହୁଙ୍କୁ ସ୍ବାଗତ କରି ପାଛୋଟି ନେଲେ?

ସୀତାରାମ ଅଗ୍ରୱାଲ

ବାଣପୁର: କିଛିଦିନ ତଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଏକ ଘଟଣାକୁ ନେଇ ଚିଲିକା ରାଜନୀତିରେ ବେଶ ଚର୍ଚ୍ଚା ଲାଗି ରହିଛି। ତାହା ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସେ ନିଜ ବ୍ଲକ ଅଫିସଙ୍କୁ ସ୍ବାଗତ କରି ପାଛୋଟି ନେଉଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ଖେଳ କଣ ବୋଲି ପ୍ରଶ୍ନ ଉଠିଛି।

ପ୍ରକୃତରେ ଦେଖିବାକୁ ଗଲେ କୌଣସି ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା କିଛି ଭୁଲ କଥା ନୁହେଁ। ହେଲେ ଗତବର୍ଷ ସେହି ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ପଲଟନ ପଡିଆରେ ବିଜେଡି ବିଜେପି ମଧ୍ୟରେ ଯେଉଁ ମାଡିପିଟି ହୋଇଥିଲା ତାହା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଘଟଣା ପରେ ବିଜେଡି ନେତା ରଘୁଙ୍କୁ ବିଜେପି ନେତା ସ୍ବାଗତ କରିବା ବାଣପୁରବାସୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଅନ୍ୟପକ୍ଷରେ ରଘୁ ସାହୁ ବର୍ତ୍ତମାନ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ନାହାଁନ୍ତି। ତେଣୁ ତାଙ୍କୁ ସରକାର ଭାବେ ସ୍ବାଗତ କରିବାର କିଛି କାରଣ ମଧ୍ୟ ନାହିଁ।

ଏ ସବୁ ଦୃଷ୍ଟିରୁ ରଘୁଙ୍କୁ କୌଣସି ପ୍ରକାରରେ ସ୍ବାଗତ କରିବାର ଆବଶ୍ୟକ ନ ଥିବା ବେଳେ ଅମରେନ୍ଦ୍ର କାହିଁକି ଏପରି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଏପରି ସ୍ବାଗତ କରିବା ପାଇଁ ବିଜେପିର ଉପର ସ୍ତରରୁ ନିଶ୍ଚିତ ନିର୍ଦ୍ଦେଶ ରହିଥିବ ବୋଲି ଅନୁମାନ କରାଯାଉଛି। କାରଣ ବିନା ଦଳିୟ ନିର୍ଦ୍ଦେଶରେ ଅମରେନ୍ଦ୍ର କେବେ ବି ବିଜେଡି ନେତାଙ୍କୁ ସ୍ବାଗତ କରି ପାରିବେ ନାହିଁ। ସେଥିପାଇଁ ବିଜେଡିରୁ ଏକଘରକିଆ ହୋଇଥିବା ରଘୁ ସାହୁ କଣ ବିଜେପିରେ ଯୋଗ ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଶୁଭାରମ୍ଭ: ଦଶ ମାସ ପରେ ଅମରେନ୍ଦ୍ରଙ୍କ କାର୍ଯ୍ୟଗୃହ ପ୍ରବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଉପାଧ୍ୟକ୍ଷା ରୀନା ଦେଇ ଆଜି ପୂଜାର୍ଚ୍ଚନା କରି ଅନୁଷ୍ଠାନିକ ଭାବେ ନିଜ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି।  ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପରିସରରେ ଏକ ଗୃହ ପ୍ରବେଶ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ପୂର୍ବତନ ଚିଲିକା ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ସେହିପରି ଭାବେ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଦୁଇ ବ୍ଲକ ଓ ଦୁଇ ଏନଏସି ର ସମସ୍ତ ଭାଜପା ସମର୍ଥିତ ଏବଂ ଭାଜପା ଟିକେଟରେ ନିର୍ବାଚିତ ଜନପ୍ରତିନିଧି ଏବଂ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ସମେତ ଶତାଧିକ ସମର୍ଥକମାନେ ଉକ୍ତ ଉତ୍ସବରେ ଯୋଗଦେଇଥିଲେ।  ପୂର୍ବାହ୍ନରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷାଙ୍କ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ରଣସିଂହଙ୍କୁ ଶତାଧିକ ଶୁଭେଚ୍ଛୁ ଓ ସମର୍ଥକ ମାନେ ଭେଟି ପୁଷ୍ପଗୁଚ୍ଛ ଦେଇ ଶୁଭକାମନା ଜଣାଇଥିଲେ। ବରିଷ୍ଠ ଭାଜପା ସଂଗଠକ ଜିତେନ୍ଦ୍ର ଭୋଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୂଚନା ଥାଉକି ନବୀକରଣ କାର୍ଯ୍ୟ ଜାରି ରହିଥିବାରୁ ବାଣପୁର ବ୍ଲକ ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ନିଜ ନିଜ କାର୍ଯ୍ୟଗୃହକୁ ପ୍ରବେଶ କରିପାରିନଥିଲେ ଏବଂ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।