‘ମୋ ଘର’ ଯୋଜନାର ସଫଳ ରୂପାୟନ ପାଇଁ ବାଣପୁର ବ୍ଲକରେ ଆରମ୍ଭ ହେଲା ସଚେତନତା କର୍ମଶାଳା

Published: Jun 3, 2023, 7:27 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା. ଗଭର୍ଣ୍ଣମେଣ୍ଟ. ଇନ/ମୋ ଘର ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ‘ମୋ ଘର’ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ କଚ୍ଚା ଘରେ କିମ୍ବା ଏକ ବଖରା ଛାତ ଘରେ ବାସ କରୁଥିବା ସମସ୍ତ ପରିବାର ଆବେଦନ କରିପାରିବେ। ଏବଂ ଆଗରୁ ଯଦି କୌଣସି ପରିବାର ସରକାରଙ୍କ କୌଣସି ଯୋଜନାରେ ଘର ପାଈଥିବେ ତେବେ ସେମାନେ ସେମାନଙ୍କର ଗୃହକୁ ବର୍ଦ୍ଧିକରଣ ଓ ଉନ୍ନତିକରଣ ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

ତହସିଲଦାର ଶ୍ରୀ ବଡ଼ଜେନା ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁସାରେ ବ୍ଲକ ଓ ତହସିଲର କର୍ମଚାରୀମାନେ ଆବେଦନ କାରୀଙ୍କୁ ମାର୍ଗଦର୍ଶନରେ ସମ୍ପୂର୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସଫଳ ରୂପାୟନ ଦିଗରେ ପଞ୍ଚାୟତ, ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ମାନଙ୍କ ଭୂମିକା ବିଷୟରେ ନିଜର ମତ ରଖିଥିଲେ।

ତେବେ ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ତାଗିଦ କରିଥିଲେ। କର୍ମଶାଳାରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାକୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗର ଅଧିକାରିଣୀ ସନ୍ତୋଷୀ ମହାରଣା ପରିଚାଳନା କରିଥିଲେ।

Related posts