Categories
ଆଞ୍ଚଳିକ

ବାଲ୍ୟ ବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ସଂପର୍କିତ ସଚେତନତା କର୍ମଶାଳା

କନ୍ଦର୍ପ ବେହେରା
ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଳାସ ସତ୍ୟାର୍ଥୀ ଚିଲ୍ଦ୍ରେନ୍ ଫାଉଣ୍ଡେସନ, ୟୁ.ଏସ୍ ଓ ବିଶ୍ଵ ଯୁବକେନ୍ଦ୍ର, ଅନୁଗୁଳ ଶାଖା ତରଫରୁ ଏକ ଶିଶୁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ପ୍ରକଳ୍ପ ସଂଯୋଜକ ଅଭୟ ଚରଣ ସ୍ବାଇଁ, ଜ୍ୟୋସ୍ମିତା ପ୍ରଧାନ, ପ୍ରାଧ୍ୟାପିକା ଡଃ.ସରସୀରାଣୀ ଗଡନାୟକ, ଅଧ୍ୟାପିକା ବିନୀତା ମୁର୍ମୁ, ଅଧ୍ୟାପକ ସରୋଜ ଭୁଏ ଅତିଥି ଭାବେ ଯୋଗଦେଇ ଆଜିର ସମାଜରେ ଚାଲିଥିବା ବାଲ୍ୟବିବାହ, ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ସଂପର୍କରେ ବକ୍ତାମାନେ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିଥିଲେ।

ଏହି କର୍ମଶାଳାରେ କଳା ବିଭାଗର ୨୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଛାତ୍ରୀ ସିକି ସ୍ବାଇଁ ସମସ୍ତଙ୍କୁ ଶପଥଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ପରିଚାଳନା କରିଥିଲେ । ଶେଷରେ ହୁସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମିଶନ୍‌ ଲାଇଫ୍‌, ଜଳଶକ୍ତି ଅଭିଯାନ ଏବଂ ହର୍‌ ଘର ଜଲ୍‌ ଉପରେ ସଚେତନତା କର୍ମଶାଳା

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ମିଶନ ଲାଇଫ, ଜଳ ଶକ୍ତି ଅଭିଯାନ ଏବଂ ହର୍‌ ଘର୍‌ ଜଲ୍‌ ଉପରେ ଏକ ସଚେତନତା କର୍ମଶାଳା ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷା ପ୍ରମିଳା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅତିଥି ବକ୍ତା ଭାବେ ପରିବେଶବିତ୍‌ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବେତନଟୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ମୁଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ଡ. ପର୍ଶୁରାମ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦୈନନ୍ଦିନ ଅଭ୍ୟାସରେ ସୁଧାର ଅଣାଯାଇ କିପରି ପରିବେଶ ସୁରକ୍ଷା ଓ ସଂରକ୍ଷଣ କରାଯାଇପାରିବ ସେଥିପ୍ରତି ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନ, ହର୍‌ ଘର୍‌ ଜଲ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବିଚାରବିମର୍ଶ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଗାଁ ପରିକ୍ରମା କରିଥିଲା। ପିଲାମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ରଙ୍ଗୋଲୀ ଓ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍‌କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବା ବେଳେ ସହଯୋଗୀ ଖଗେଶ ବାଇପାଇ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱର ଦ୍ୱାରା ପ୍ରେରିତ ବିନୋରୀ ୱେଲଫେୟାର ସଂସ୍ଥା ପକ୍ଷରୁ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଟା ରେ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା ଜିଲ୍ଲପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଡିଭିଜନାଲ ଲେବର କମିଶନର ପ୍ରଣବ କୁମାର ପାତ୍ର ପ୍ରାରମ୍ଭିକ ଭାଷଣ ଓ ସ୍ୱାଗତ କରିଥିବା ବେଳେ, ଏନ. ମିଶାଲ ଅତିରିକ୍ତ ଲେବର କମିଶନର, ଭୁବନେଶ୍ୱର ସଂକ୍ଷେପରେ କାର୍ଯ୍ୟକ୍ରମ ଉପରେ ବାର୍ତ୍ତା ରଖିଥିଲେ।

ଏହି କର୍ମଶାଳା ରେ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ରେ କି ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।

୧୪ ବର୍ଷ ରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ। ବିଶେଷ କରି ଢ଼ାବା, ଗ୍ୟାରେଜ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଆପାର୍ଟମେଣ୍ଟ, ମହଲମାନଙ୍କରେ ନିଯୁକ୍ତ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇ ଥାନ ଉପରେ ଆଲୋକପାତ କରାଯାଇଥିଲା, ଏହାର ସଚେତନତା ପାଇଁ ଫ୍ଲେକ୍ସ ଏବଂ ହୋର୍ଡିଙ୍ଗ ମରାଯାଇ ଏବଂ ସେସବୁ ସ୍ଥାନରେ random attack କରାଯାଇ ଶିଶୁମାନଙ୍କୁ ଉଦ୍ଧାର ଏବଂ ଥଇଥାନ ର ବ୍ୟବସ୍ଥା ଉପରେ ଗୁରତ୍ୱ ଦିଆ ଯାଇଥିଲା।

ସେହିପରି ୧୫ ବର୍ଷରୁ ୧୮ ବର୍ଷ ମଧ୍ୟ ରେ କିଶୋରଙ୍କୁ ବିପଦ ଶଂକୁଳ କାମରେ ନିୟୋଜନକୁ ବାରଣ କରାଯାଇଛି। ସେମାନେ ଏକ ସାଙ୍ଗରେ ୩ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଧରି କାମ କରି ପାରିବେ ନାହିଁ। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ, ଏବଂ କାର୍ଯ୍ୟରେ ନିୟୋଜନ କରୁଥିବା ଲୋକଙ୍କୁ ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବା ର ବ୍ୟବସ୍ଥା ରହିଛି। ଏଭଳି କି ଭୁଲ ଦ୍ଵିତୀୟ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ର ବ୍ୟବସ୍ଥା ରହିଛି।

ଏସବୁକୁ ରୋକିବାକୁ ହେଲେ ସମସ୍ତ ବିଭାଗ, ଏନ. ଜି. ଓ., ପୋଲିସ ବିଭାଗ ର ସକ୍ରିୟ ଭୂମିକା ରହିଛି।

ଏହି ଵିଷୟରେ ଜାଣିଥିବ ବ୍ୟକ୍ତି ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନଂ ୧୫୫୩୬୮ ଏବଂ ଚାଇଲଡ ଲାଇନ ନଂ ୧୦୯୮ କୁ ଯୋଗାଯୋଗ କରିବାକୁ ଜଣାଇ ଦିଆଗଲା।
ଏହି କାର୍ଯ୍ୟକ୍ରମ ରେ CWC, chairman, ରଂଜିତା ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁରେନ୍ଦ୍ର ନାଥ ମୁର୍ମୁ, DCPO, ଵାଣିଶ୍ରୀ ପଟନାୟକ, DSWO, ପୁଷ୍ପାଞ୍ଜଳି ମିଶ୍ର ସେମାନଙ୍କର ମନ୍ତବ୍ୟ ରଖିଥିଲେ. ଅଧିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ALO, ଭୁବନେଶ୍ୱର ପ୍ରଭାକର ବିଶ୍ୱାଳ, ଡ଼ଃ ରଘୁନାଥ ନାୟକ, ADPHO, (FW), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ.ଶେଷରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

Categories
ଆଞ୍ଚଳିକ

‘ମୋ ଘର’ ଯୋଜନାର ସଫଳ ରୂପାୟନ ପାଇଁ ବାଣପୁର ବ୍ଲକରେ ଆରମ୍ଭ ହେଲା ସଚେତନତା କର୍ମଶାଳା

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା. ଗଭର୍ଣ୍ଣମେଣ୍ଟ. ଇନ/ମୋ ଘର ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ‘ମୋ ଘର’ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ କଚ୍ଚା ଘରେ କିମ୍ବା ଏକ ବଖରା ଛାତ ଘରେ ବାସ କରୁଥିବା ସମସ୍ତ ପରିବାର ଆବେଦନ କରିପାରିବେ। ଏବଂ ଆଗରୁ ଯଦି କୌଣସି ପରିବାର ସରକାରଙ୍କ କୌଣସି ଯୋଜନାରେ ଘର ପାଈଥିବେ ତେବେ ସେମାନେ ସେମାନଙ୍କର ଗୃହକୁ ବର୍ଦ୍ଧିକରଣ ଓ ଉନ୍ନତିକରଣ ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

ତହସିଲଦାର ଶ୍ରୀ ବଡ଼ଜେନା ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁସାରେ ବ୍ଲକ ଓ ତହସିଲର କର୍ମଚାରୀମାନେ ଆବେଦନ କାରୀଙ୍କୁ ମାର୍ଗଦର୍ଶନରେ ସମ୍ପୂର୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସଫଳ ରୂପାୟନ ଦିଗରେ ପଞ୍ଚାୟତ, ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ମାନଙ୍କ ଭୂମିକା ବିଷୟରେ ନିଜର ମତ ରଖିଥିଲେ।

ତେବେ ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ତାଗିଦ କରିଥିଲେ। କର୍ମଶାଳାରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାକୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗର ଅଧିକାରିଣୀ ସନ୍ତୋଷୀ ମହାରଣା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ କୃଷକ ସଚେତନତା କର୍ମଶାଳା

ଭୁବନେଶ୍ୱର: କୃଷକମାନେ ମିଳିତ ଭାବେ କୃଷି କାର୍ଯ୍ୟ କରନ୍ତୁ। ଏକାଠି ଗୋଟିଏ ଉତ୍ପାଦ ଉପରେ କୃଷି ଅଧିକ ଫଳପ୍ରଦ ହେବ ଏବଂ ସେମାନଙ୍କର ଉତ୍ପାଦ ମଧ୍ୟ ଠିକ୍ ମୂଲ୍ୟରେ ଅଧିକ ଆକାରରେ ବିକ୍ରି ହୋଇପାରିବ ବୋଲି କହିଛନ୍ତି ଓରିଗୋର କମୋଡିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ କ୍ରିଷ୍ଣା ବୀର ସିଂ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବଦିଦ୍ୟାଳୟ ଲାଇଭଲିହୁଡ ଅଲଟରନେଟିଭ ଓ ସିଦ୍ଧ ଡେଭେଲପ୍‌ମେଂଟ ରିସର୍ଚ୍ଚ ଆଣ୍ଡ କନ୍‌ସଲ୍‌ଟାନ୍ସି ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷକ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ସିଂ କୃଷକମାନଙ୍କ ଉଦ୍ଦେଶ୍ୟରେ ଏହି ବକ୍ତବ୍ୟ ରଖିଛନ୍ତି।

ଏହି କର୍ମଶାଳାର ଉଦ୍‌ଘାଟନୀ ସଭାରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍  ସାଇନ୍‌ସେସର ଡିନ୍ ପ୍ରଫେସର ବିଜୟୟ କୁମାର ସାହୁ, ସ୍ନାତକୋତର ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ), ଡ.ପ୍ରିୟବ୍ରତ ପଟ୍ଟନାୟକ, ଲାଇଭଲିହୁଡ ଅଲଟରନେଟିଭର ଅଧ୍ୟକ୍ଷ ସମ୍ବିତ ତ୍ରିପାଠୀ ଏବଂ ଏସଡିଆରସିର ଅଧ୍ୟକ୍ଷ ଶ୍ରୀ ରତ୍ନାକର ପାଣିଗ୍ରାହୀ ଯୋଗ ଦେଇଥିଲେ।

ସମ୍ବିତ ତ୍ରିପାଠୀ ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହିତ ଚାଷୀମାନଙ୍କୁ ସେମାନଙ୍କର କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ପାଇବା ପାଇଁ ବଜାରର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ସଭାରେ ଚାଷୀଙ୍କୁ ଉପଯୁକ୍ତ ବଜାର ସହ ସଂଯୋଗୀକରଣର ମାଧ୍ୟମ ଉପରେ ଆଲୋକପାତ କରାଯିବା ସହ ଚାଷୀମାନଙ୍କର କୃଷି ସମ୍ବନ୍ଧୀୟ ସମସ୍ୟା ଉପରେ କୃଷି ମହାବିଦ୍ୟାଳୟର ବୈଜ୍ଞାନିକମାନେ ଆଲୋଚନା କରିଥିଲେ।

ଏହି ସଭାର ଦ୍ୱିତୀୟାର୍ଦ୍ଧରେ ନାଫେଡର ଶାଖା ପ୍ରବନ୍ଧକ ଭବ୍ୟା ଆନନ୍ଦ, ସହଭାଗୀ ବିକାଶ ଅଭିଯାନର ଅଧ୍ୟକ୍ଷ ଜଗଦୀଶ ପ୍ରଧାନ ଯୋଗଦେଇ କୃଷକ ଉତ୍ପାଦକ ସଂଘର କାର୍ଯ୍ୟକାରିତା ଏବଂ ସଫଳତାର ଆଧାର ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ଇନ୍‌ଟେଲୋ ଲ୍ୟାବର କର୍ମକତାମାନେ ଚାଷୀମାନଙ୍କୁ କୃଷିରେ ପ୍ରୟୋଗ ହୋଇପାରୁଥିବା କୃତ୍ରିମ ବୁଦ୍ଧିମତା ବିଷୟରେ ଅବଗତ କରାଇଥିଲେ। କୃଷକମାନେ ସ୍ଥାନୀୟ ଅଂଚଳରେ ବ୍ୟବହାର କରାଯାଉଥିବା ପଦାର୍ଥ ଅଧିକ ଉତ୍ପାଦନ କଲେ ସେମାନଙ୍କର ରୋଜଗାର ବଢ଼ିବା ସହ ବଜାରର ଚାହିଦା ମଧ୍ୟ ମେଂଟାଇହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି ସଭାରେ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଓ କୃଷକ ଉତ୍ପାଦକ ସଂଘର ପରିଚାଳକ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି କର୍ମଶାଳାରେ କୃଷି ମହାହବିଦ୍ୟାଲୟର ସମସ୍ତ ବିଭାଗୀୟ ମୁଖ୍ୟ ଯଥା ଡ. ଜଗମୋହନଲାଲ ଗୁଲାଟି, ଡ. ଦୀନବନ୍ଧୁ ଜେନା, ଡ.ଅଜୟ ପଟ୍ଟନାୟକ, ଡ. ବିଜୟ କୁମାର ମିଶ୍ର, ଡ. କାର୍ତିକ ଚନ୍ଦ୍ର ସାହୁ, ଡ. ରବୀନ୍ଦ୍ର କୁମାର ରାଜ, ଡ. ହୃଦାନନ୍ଦ ଅତିବୁଦ୍ଧୀ, ଡ. ଶିଶିରକାନ୍ତ ବେହେରା, ଡ.ମନମୋହନ ଦଳବେହେରା, ଡ. ସୁରେନ୍ଦ୍ର ନାୟକ ଓ ଡ. ନିରଞ୍ଜନ ନାୟକ ଉପସ୍ଥିତ ଥିଲେ।

କୃଷି ମହାବିଦ୍ୟାଳୟ ତରଫରୁ ଡ. ଶୁଭପ୍ରଦ ଦାଶ ଏବଂ ଡ. ଅଂଶୁମାନ ଜେନା ଓ ଲାଇଭଲିହୁଡ ଅଲଟରନେଟିଭ ତରଫରୁ ସନ୍ଦୀପ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।