Categories
ବିଶେଷ ଖବର ରାଜ୍ୟ ଖବର

ମୋ ଘର ଯୋଜନା ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ କେମିତି କରିବେ

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଯୋଜନା ‘ମୋ ଘର’ ଆରମ୍ଭ କରିଛନ୍ତି। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ।

ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ ।

ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ। ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି ପ୍ରଦାନ କରାଯିବ। ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ। ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ।

କେଉଁମାନେ ମୋ ଘର ପାଇଁ ଯୋଗ୍ୟ

୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ।

ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଗତ ନିର୍ବାଚନରେ ସମସ୍ତଙ୍କୁ ପକ୍କା ଘର ପ୍ରଦାନ ତାଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ। ଯାହାକୁ ସେ ପୁରଣ କରିବା ପାଇଁ ଏହି ଯୋଜନା ଲାଗୁ କରିଛନ୍ତି।

ଏହି ଯୋଜନାର ହିତାଧିକାରୀ ଅନ ଲାଇନ ମାଧ୍ୟମରେ ଆବେଦନ କରିବା ପାଇଁ ନିବେଦନ କରାଯାଇଛି। ସେମାନେ https://rhodisha.gov.in/moghara/ ଆବେଦନ କରିପାରିବେ।

Categories
ଆଞ୍ଚଳିକ

‘ମୋ ଘର’ ଯୋଜନାର ସଫଳ ରୂପାୟନ ପାଇଁ ବାଣପୁର ବ୍ଲକରେ ଆରମ୍ଭ ହେଲା ସଚେତନତା କର୍ମଶାଳା

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା. ଗଭର୍ଣ୍ଣମେଣ୍ଟ. ଇନ/ମୋ ଘର ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ‘ମୋ ଘର’ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହେଲେ କଚ୍ଚା ଘରେ କିମ୍ବା ଏକ ବଖରା ଛାତ ଘରେ ବାସ କରୁଥିବା ସମସ୍ତ ପରିବାର ଆବେଦନ କରିପାରିବେ। ଏବଂ ଆଗରୁ ଯଦି କୌଣସି ପରିବାର ସରକାରଙ୍କ କୌଣସି ଯୋଜନାରେ ଘର ପାଈଥିବେ ତେବେ ସେମାନେ ସେମାନଙ୍କର ଗୃହକୁ ବର୍ଦ୍ଧିକରଣ ଓ ଉନ୍ନତିକରଣ ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

ତହସିଲଦାର ଶ୍ରୀ ବଡ଼ଜେନା ଉକ୍ତ ଯୋଜନାର ମାର୍ଗଦର୍ଶିକା ଅନୁସାରେ ବ୍ଲକ ଓ ତହସିଲର କର୍ମଚାରୀମାନେ ଆବେଦନ କାରୀଙ୍କୁ ମାର୍ଗଦର୍ଶନରେ ସମ୍ପୂର୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର ସଫଳ ରୂପାୟନ ଦିଗରେ ପଞ୍ଚାୟତ, ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ମାନଙ୍କ ଭୂମିକା ବିଷୟରେ ନିଜର ମତ ରଖିଥିଲେ।

ତେବେ ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ତାଗିଦ କରିଥିଲେ। କର୍ମଶାଳାରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାକୁ ଗ୍ରାମ୍ୟଗୃହ ନିର୍ମାଣ ବିଭାଗର ଅଧିକାରିଣୀ ସନ୍ତୋଷୀ ମହାରଣା ପରିଚାଳନା କରିଥିଲେ।