ବାଣପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର: ଭାଗ ନେଲେ ୩୦୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ

Published: Nov 23, 2023, 7:04 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ଶୀତଲ ଅଗ୍ରୱାଲ ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା।

ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ ୩୦୫ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୨୭୫ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପରିଚୟପତ୍ର ବଣ୍ଟନ କରିଥିଲେ।  ସେହିପରି ଭାବେ ୧୩ ଜଣ ହିତାଧିକାରୀଙ୍କୁ ରଦ୍ଦ କରାଯାଇ ଅବଶିଷ୍ଟ ୧୭ ଜଣ ହିତାଧିକାରୀଙ୍କର ପତ୍ରକୁ ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିଲା।

ତେବେ ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷରେ ଉକ୍ତ ଶିବିର ଆୟୋଜନ ହୋଇଥିବା ଏବଂ ବାଣପୁର ବ୍ଲକ ପ୍ରଶାସନ ସର୍ବଦା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକରିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। ଉକ୍ତ ଶିବିରକୁ ସୁଶ୍ରୀ ନାୟକ ଏବଂ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ।

Related posts