Categories
ଆଞ୍ଚଳିକ

ବାଣପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର: ଭାଗ ନେଲେ ୩୦୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ଶୀତଲ ଅଗ୍ରୱାଲ ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ୧୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚମାନେ ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା।

ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତର ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ। ଏଥିରେ ସମୁଦାୟ ୩୦୫ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୨୭୫ଜଣ ହିତାଧିକାରୀଙ୍କୁ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ପରିଚୟପତ୍ର ବଣ୍ଟନ କରିଥିଲେ।  ସେହିପରି ଭାବେ ୧୩ ଜଣ ହିତାଧିକାରୀଙ୍କୁ ରଦ୍ଦ କରାଯାଇ ଅବଶିଷ୍ଟ ୧୭ ଜଣ ହିତାଧିକାରୀଙ୍କର ପତ୍ରକୁ ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିଲା।

ତେବେ ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷରେ ଉକ୍ତ ଶିବିର ଆୟୋଜନ ହୋଇଥିବା ଏବଂ ବାଣପୁର ବ୍ଲକ ପ୍ରଶାସନ ସର୍ବଦା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକରିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। ଉକ୍ତ ଶିବିରକୁ ସୁଶ୍ରୀ ନାୟକ ଏବଂ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମସ୍ଥାନ ବାଣପୁରରେ ଜିଲ୍ଲା ପ୍ରଶାସନ ପାଳିଲା ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁମାର ପାଠାଗାର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀ ଶଙ୍କର ମହାପାତ୍ର, ବାଳମୁକୁନ୍ଦ ଦାସ ଓ କର୍ନେଲ ଶ୍ରୀକାନ୍ତ ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥିମାନେ ଗୋଦାବରୀଶ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହ ଓଡିଶାର ଗଠନ ଓ ବିକାଶରେ ତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ମହାପାତ୍ର ନିଆଁଖୁଣ୍ଟା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ। ସେ ଏକାଧାରରେ ଜଣେ କାଳଜୟୀ ଲେଖକ, କବି ଓ ସମାଲୋଚକ ଥିଲେ। ତାଙ୍କରି ଦ୍ୱାରା ପ୍ରକାଶିତ ପତ୍ରିକା ‘ନିଆଁଖୁଣ୍ଟା’ ସାରା ରାଜ୍ୟରେ ଚହଳ ପକାଇଥିଲା।

ଶ୍ରୀ ମହାପାତ୍ରଙ୍କ ସ୍ମୃତି ସ୍ୱରୂପ କୁମାର ପାଠାଗାରର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ନେଇ ସରକାରୀ ସ୍ତରରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରତିଶୃତି ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ କୁମାରାଙ୍ଗ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ସୂଚନା ଥାଉକି ନିକଟ ଅତୀତରେ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମକୁ ରାଜ୍ୟ ସରକାର ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଦେଖିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ମହାପାତ୍ର ପରାମର୍ଶ ଦେଇଥିଲେ।ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଥିଲା।

ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ‘ଦମନ’ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପାତ୍ରପଡ଼ା କଳିଙ୍ଗବିହାର ସ୍ଥିତ ଡ଼ିଏନ ରେଗାଲିଆ ମଲ ପରିସରରେ ଥିବା ଆଇନକ୍ସ ସିନେମା ହଲରେ ‘ଦମନ’ ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁକ କରାଯାଇଥିଲା।

ଉକ୍ତ ସ୍କ୍ରିନିଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲ ଡ଼ା ଲଷ୍ମୀଧର ସାହୁ, ଉପ ଅଧିକ୍ଷକ କ୍ୟାପିଟାଲ ହସ୍ପିଟାଲ ଡ଼ା ଧନଞ୍ଜୟ ଦାସ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଡ଼ିଇଓ ବିଶ୍ୱନାଥ ତରାଇ ଏବଂ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳର ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପରିସରରେ ‘ଦମନ’ ପରି ଏକ ପ୍ରେରଣାଦାୟୀ ଚଳଚ୍ଚିତ୍ରର ପ୍ରଦର୍ଶନ ବ୍ୟବସ୍ଥା କରାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବନ୍ୟା ପରିସ୍ଥିତ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ ରହିଛି। ଜିଲ୍ଲାରେ ରାଜୁଆ ଓ ଦୟା ନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମର ୪୪୯୮ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଜଣାଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ବାଲିପାଟଣା ବ୍ଲକରେ ଏନଡ୍ରାଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି।

ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି। ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପୂର୍ବରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି। ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ ଓ ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ନା ପ୍ରସବା ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବାକୁ ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ଯ ଓ ଯତ୍ନ ଉପରେ ଗୁରୁତ୍ବ ଦିଆଯାଇଛି। ପଶୁଖାଦ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବାକୁ କୁହାଯାଇଛି।

ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଜଳ ଦ୍ବାରା ଚାଷଜମି ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ପ୍ରମୁଖ ବାଣପୁରର କିଛି ଅଞ୍ଚଳ ବୁଲି ଦେଖିବା ସହ ଜଳ ନିଷ୍କାସନ ସଂପର୍କରେ ପଦକ୍ଷେପ ନେବା ନିମନ୍ତେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର: ଭାଗ ନେଲେ ୧୫୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ଭେଟେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ଭୋଳ ମିଳିତ ଭାବେ ଉଦଘାଟନ କରିଥିଲେ।

ଉକ୍ତ ଶିବିରରେ ନୀଳାଦ୍ରିପ୍ରସାଦ, ଭେଟେଶ୍ୱର ଏବଂ ଭବାନୀପୁର ଗ୍ରାମ ପଞ୍ଚାୟତର ପାଖାପାଖି ୧୫୦ ରୁ ଉର୍ଦ୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀ ମାନେ ଭାଗ ନେଇଥିଲେ। ବଧିର , ଦୃଷ୍ଟିହୀନ, ମାନସିକ ଅବସାଦ ଏବଂ ଅର୍ଥୋପେଡିକାଲ୍ ଭିନ୍ନକ୍ଷମ ବିଭାଗର ଏକ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ସହିତ ସମୁଦାୟ ସାତ ଜଣ ଅଧିକାରୀ ଭୁବନେଶ୍ୱର କିମ୍ସ ହସ୍ପିଟାଲରୁ ଉକ୍ତ ଶିବିରକୁ ଚିକିତ୍ସା ନିମନ୍ତେ ଆସିଥିଲେ।

ସମସ୍ତ ଭିନକ୍ଷମ ହିତାଧିକାରୀମାନେ ଅନଲାଇନରେ ନାମ ପଞ୍ଜିକରଣ କରିଥିବାବେଳେ ଅନଲାଇନରେ ମଧ୍ୟ ପ୍ରମାଣପତ୍ର ପାଇବେ ବୋଲି ସରପଞ୍ଚ ଶ୍ରୀ ଭୋଳ ସୂଚନା ଦେଇଛନ୍ତି।  ଉକ୍ତ ଶିବିରରେ ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଭଞ୍ଜକିଶୋର ପାଣି, ଏସଏସଏସଓ ନରେଶ ସ୍ୱାଇଁ, ବିଏସଏସଓ ପ୍ରଦୀପ କୁମାର ସାହୁ, ପିଏ ଅମୁଲ୍ୟ କୁମାର ସୁବୁଦ୍ଧି, ପିଇଓ ଅଶୋକ କୁମାର ପ୍ରଧାନ, ଜିଆରଏସ ପିଣ୍ଟୁ ଦଳାଇ, ବିଆରପି ବିଶ୍ୱଜିତା ଜେନା, ସିଡ଼ିପିଓ ସରୋଜବାଳା ଆଚାର୍ଯ୍ୟ ଓ ଅଙ୍ଗନବାଡି କର୍ମୀ ଆଦି ଉପସ୍ଥିତ ଥିଲେ।

ତେବେ ଉକ୍ତ ଶିବିରକୁ ସଫଳତାର ସହ ପରିଚାଳନା ନିମନ୍ତେ ସରପଞ୍ଚ ଜିତେନ୍ଦ୍ର ଭୋଳ ଏକାଧିକ ପୂର୍ବପ୍ରସ୍ତୁତି କରିଥିବାର ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମରାଳ ମାଳିନୀ ନୀଳାମ୍ବୁ ଚିଲିକାରୁ ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଅବ୍ୟାହତ ରଖିଛି। ଗତ ଏକ ମାସ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଚିଲିକା ବ୍ଲକ ହାଟବରଡି ଓ ନିମାଣି ଅଞ୍ଚଳରୁ ୧୭ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେର ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ବାରମ୍ବାର ଏଭଳି ମାଫିଆ ମାନଙ୍କର ମନମାନି ଚାଲିଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରୁଅଛି। ଗତ ଏକମାସ ମଧ୍ୟରେ ଏହାକୁ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦୁଇ ଥର ଘେରି ଉଚ୍ଛେଦ କରାଯାଇଛି।

ଆଜି ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ସମେତ  ଚିଲିକା ତହସିଲଦାର ପୂନମ ମହାପାତ୍ର, ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ, ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ସମେତ ପାଖାପାଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ଥିଲେ। ତେବେ ପ୍ରଶାସନ ପକ୍ଷରୁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏଥର ଆଉ ନିସ୍ତାର ନାହିଁ: ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଦିନକୁ ଦିନ ଟାଙ୍ଗୀ ତହସିଲ ଅଂଚଳରେ ପଥର ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। କେତେବେଳେ ତହସିଲଦାର ତ କେତେବେଳେ ରାଜସ୍ୱ ନୀରିକ୍ଷକ ପଥର ମାଫିଆମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ହେଲେ ମାଫିଆମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବେଆଇନ ପଥର ଖଣିର ଉପରେ ଚଢାଉ କରିଛି। କୁହୁଡି ତଳ ଗଡ ମୌଜାରେ ଚଢାଉ କରି ଜିଲ୍ଲା ପ୍ରଶାସନ ୪ ଟି ମାଟି ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିଛି। ଟାଙ୍ଗୀ ତହସିଲଦାର ଯୁଗଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟ୍ୟାୟ ଏହି ଚଢାଉରେ ସାମିଲ ଥିଲେ।

ପଥର ମାଫିଆ ମାନେ ବେଧଡକ ଦିନ ଦ୍ୱିପ୍ରହରରେ ମାଟି ଲୁଟି ନେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଛି। ଏହାସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ତେଣୁ ଏଭଳି ଚଢାଉ ଆଗକୁ ଜାରି ରଖିବେ ବୋଲି ଖଣି ମାଫିଆମାନଙ୍କୁ ବାଲୁଗାଁ ଏସ୍ ଡି ପି ଓ ମାନସ ରଂଜନ ବାରିକ କଡା ସନ୍ଦେଶ ଦେଇଛନ୍ତି।