Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ପ୍ୟାନ୍ ଇଣ୍ଡିଆରେ ୫୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଦମନ’

ଭୁବନେଶ୍ବର: ହିନ୍ଦୀ ସ୍କ୍ରିନରେ ଦମନର ଦବଦବା। ଓଡ଼ିଆ ପରେ ଏବେ ହିନ୍ଦୀରେ ସଫଳତା ହାସଲ କରିଛି। ଦେଶବ୍ୟାପୀ ୫୦୦ ହଲରେ ରିଲିଜ୍ ହୋଇଛି ଚଳଚ୍ଚିତ୍ର। ପ୍ରଥମ ଥର ପାନ୍ ଇଣ୍ଡିଆରେ ଲେଭଲରେ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମର ହିନ୍ଦୀ ରୂପାନ୍ତର। ଯେତେବେଳେ ଦର୍ଶକ ହଲରୁ ମୁହଁ ଫେରାଇ ନେଉଥିଲେ। ସେହି ସମୟରେ ଦମନ ଦେଇଥିଲା ଦମ୍ଭ। ଓଡିଆରେ ନିର୍ମିତ ଫିଲ୍ମ ଲୋକାଦୃତ ହେବା ସହ ଓଡିଶାରେ ରେକର୍ଡ ସଂଖ୍ୟକ ସଫଳତା ହାସଲ କରିଥିଲା। ପରେ ହିନ୍ଦୀରେ ନିର୍ମାଣ କରାଯାଇଥିଲା ଚଳଚ୍ଚିତ୍ର। ଫେବୃୟାରୀ ୩ ତାରିଖରେ ମୁମ୍ବାଇର ପିଭିଆର ହଲରେ ଫିଲ୍ମ ରିଲିଜ କରାଯାଇଥିବା ବେଳେ ମିଳିଛି ଦର୍ଶକଙ୍କ ଅହେତୁକ ସମର୍ଥନ ଓ ଭଲ ପାଇବା।

ଏକ ସତ୍ୟ ଓ ବାସ୍ତବଧର୍ମୀ ଘଟଣାକୁ ନେଇ ଫିଲ୍ମ ଦମନର କାହାଣୀ ପ୍ରସ୍ତୁତ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମଡିବି ରେଟିଂରେ ୯ଦଶମିକ ୭ ପଏଣ୍ଟ ପାଇ RRR, କେଜିଫ୍-୨କୁ ପଛରେ ପକାଇଥିଲା। ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବ ବୋଲି ମେକର୍ସ ଆଶା ରଖିଛନ୍ତି। ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ତିଆରି ହୋଇଛି ଫିଲ୍ମ ଦମନ। ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଉତ୍କଣ୍ଠା ବଢିଛି । ଯେଉଁ ଦର୍ଶକ ଫିଲ୍ମ ଦେଖି ଫେରିଛନ୍ତି, ସେମାନେ ନୂଆ କିଛି ଆହ୍ୱାନ ନେଇ ଫେରୁଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେପଟେ ମୁମ୍ବାଇରେ ଥିବା ସମସ୍ତ ଓଡିଆ ଲୋକଙ୍କ ଗହଳି ହଲ ଆଗରେ ଦେଖିବାକୁ ମିଳିଥିଲା। ପାନୋରମା ଭଳି ଏକ ବଡ଼ ବ୍ୟାନରରେ ଦମନ ପ୍ରସ୍ତୁତ ହୋଇଥିବାବେଳେ ସୁପରଷ୍ଟାର ଅଜୟ ଦେବଗନ ଏବଂ ବିଦ୍ୟୁତ ଜମୱାଲଙ୍କ ଭଳି ଅଭିନେତା ଫିଲ୍ମର କାହାଣୀକୁ ବେଶ ପ୍ରଂଶସା କରିବା ସହ ନିଜ ସୋସିଆଲ ସାଇଟରେ ପୋଷ୍ଟର ସେୟାର କରିଥିଲେ।

ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ତିଆରି ହୋଇଛି ଫିଲ୍ମ ଦମନ। ୨୦୨୨ ନଭେମ୍ବରରେ ଡାକ୍ତରଙ୍କ କାହାଣୀକୁ ନେଇ ଓଡ଼ିଆରେ ରିଲିଜ୍ ହୋଇଥିଲା ଫିଲ୍ମ। କିଭଳି ଏକ ଅପହଞ୍ଚ ଅଞ୍ଚଳରେ ମ୍ୟାଲେରିଆ ନିରାକରଣକୁ ସରକାର ଗୁରୁତ୍ୱ ଦେଇଥିଲେ। ଏବଂ ସେଠାରେ ଡାକ୍ତର ଲୋକଙ୍କ ଠାରୁ ଅନ୍ଧ ବିଶ୍ୱାସକୁ ଦୂରୀଭୂତ କରି ସଚେତନତାକୁ ଲୋକଙ୍କ ପାଖରେ ପହଁଚାଇଥିଲେ ତାବା ପରିବେଶିତ। ଓଡିଆରେ ଫିଲ୍ମର ଲୋକପ୍ରିୟତା ଏବଂ ‘ଦମନ’ର ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ।

ଅଭିନେତା ବାବୁଶାନ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବାବେଳେ ଦ୍ୱିପାନିତ ଦାସ ଫାର୍ମାସିଷ୍ଟ ଭୂମିକାରେ ନଜର ଆସିଛନ୍ତି। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ହିନ୍ଦୀରେ ନିର୍ମିତ ଦମନରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଦିବ୍ୟ କୁମାର କଣ୍ଠ ଦାନ କରିଥିବାବେଳେ ମୁଜ୍ୟିକ ପ୍ରସ୍ତୁତ କରିଛନ୍ତି ଗୌରବ ଆନନ୍ଦ। ଓଡ଼ିଆ ଭଳି ହିନ୍ଦୀରେ ମଧ୍ୟ ଦମନର ଦବଦବା ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ଦମନର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ।

ହିନ୍ଦୀ ଫିଲ୍ମ ‘ପଠାନ୍’ ପୁରା ଭାରତରେ ଚାଲିଥିବା ବେଳେ ଏହାର ପ୍ରଭାବ ‘ଦମନ’ ଉପରେ ରହିବ କି ପଚାରିବାରୁ ବାବୁଶାନ କହିଥିଲେ ଯେ, ଏହି ଦୁଇଟି ଫିଲ୍ମ ଦୁଇ ପ୍ରକାରର ଓ ଏହାର ଦର୍ଶକ ମଧ୍ୟ ଭିନ୍ନ ତେଣୁ ସେମିତି କିଛି ଅସୁବିଧାର ସମ୍ଭାବନା ନାହିଁ ଓ ଆହୁରି କହିଥିଲେ ଯେ, ଓଡ଼ିଶାର ନିଜ ମାଟିର ଏହି ସତ୍ୟକାହାଣୀ ଉପରେ ଆଧାରିତ ଫିଲ୍ମ ଓଡିଆ ଚଳଚିତ୍ର ଜଗତକୁ ଏକ ନୂଆ ଦିଗ ଦେଖାଇବାରେ ଚେଷ୍ଟା କରିବା ନିଶ୍ଚୟ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ନିଆଗଲା ବଡ ନିଷ୍ପତି, ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଗତକାଲି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି। ଏ ନେଇ ଆଜି ଗୃହରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ..

ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ସେଗୁଡିକ ହେଲା

୧. ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି ।

ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଂଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ। ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।

୨. ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ବାରା କରାଯିବ ।

୩. ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ବାରା ଅନୁମୋଦନ ଲାଭ କରିଛି ।

୪. ନୂତନ ପର୍ଯ୍ୟଟନ ନୀତି-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପୋତ୍ସାହିତ କରାଯିବା ସହିତ Health, Wellness ଓ ମେଡିକାଲ ଟୁରିଜିମ୍‌କୁ ପର୍ଯ୍ୟଟନ ଉଦ୍ୟୋଗ ଭାବେ ଅନୁମୋଦନ ଦେବା ପାଇଁ ବ୍ୟବସ୍ଥା ରହିଛି ।

୫. ବିଭିନ୍ନ ପଦବୀରେ ଭର୍ତ୍ତି ନିମନ୍ତେ ଥିବା ଶାରୀରିକ ମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ବିତ ନିଯୁକ୍ତି ପ୍ରକ୍ରିୟାର ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ଖ’ ଓ ‘ଗ’ ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏହାର ଲକ୍ଷ୍ୟ।

୬. ଜୁନିଅର ଷ୍ଟେନୋଗ୍ରାଫର, ଜୁନିଅର ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିଅର କ୍ଳର୍କ-କମ୍‌-ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ କରିଛି । ଏହାଦ୍ବାରା ଏହି ପରୀକ୍ଷା ଗୁଡିକ ସୁବ୍ୟବସ୍ଥିତ ହେବା ସହିତ ପରୀକ୍ଷାର୍ଥୀ ଓ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ।

୭. ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନାଟି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ ।

୮. ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ। ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ଉତ୍ସାହିତ କରାଯାଇଛି ।

୯. ଓଡିଶା ବେସାମରିକ ବିମାନ ଚଳାଚଳ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଞ୍ଚଳିକ, ଘରୋଇ ତଥା ଆନ୍ତର୍ଜାତିକ ବିମାନ ସଂଯୋଗକୁ ସୁଦୃଢ କରିବା ସହ ରାଜ୍ୟରେ ଉତ୍ତମ ବ୍ୟବସାୟିକ ଓ ନିଯୁକ୍ତି ପରିବେଶ ସୃଷ୍ଟି କରିବ।

୧୦. ରାଜ୍ୟ କ୍ୟାବିନେଟ ଏକ ନୂତନ Registered Vehicle Scrapping Facility Policy-୨୦୨୨କୁ ଅନୁମୋଦନ କରିଛି । ଯାନବାହନ ଜନିତ ବାୟୁ ପ୍ରଦୁଷଣ କମ୍‌ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ବାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପ କରିବାକୁ ପଡିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

୧୧. ଓଡିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ବିଭିନ୍ନ ଉତ୍ସରୁ ପ୍ରାୟ ୧୧ ହଜାର ମେଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୧୨. ଶିଳ୍ପ ନୀତି-୨୦୨୨କୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ରାଜ୍ୟରେ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ଉପରେ ଏଥିରେ ଗୁରୁତ୍ବ ଆରୋପ କରାଯାଇଛି । ଏହି ନୀତି ଅନୁଯାୟୀ ଶିଳ୍ପ ଗୁଡିକୁ Thrust Sector, Priority Sector ଭାବରେ ବର୍ଗୀକୃତ କରାଯାଇଛି । ଏହି ନୂଆ ନୀତି ଅନୁଯାୟୀ ଏହି ଦୁଇ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପ ପାଇଁ ସର୍ବୋତ୍ତମ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ।

୧୩. ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛ। ଏହି ନୀତି ଅନୁଯାୟୀ ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ ।

୧୪. ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି।

୧୫. ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି।

୧୬. ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ-୨୦୧୩ର ଧାରା-୨ର ଉପଧାରା-୨, ଧାରା-୧୪, ୧୯, ୨୪, ୨୫, ୪୬ ଓ ୮୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ଏହାସହିତ ଉକ୍ତ ଆଇନରେ ଏକ ନୂତନ ଅଧ୍ୟାୟ ୩-ଏ, ନୂତନ ଧାରା ୧୦-ଏ ଓ ୩୩-ଏ କୁ ଅନ୍ତର୍ଭୁକ୍ତ କରିବାପାଇଁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି, ଦ୍ରୁତ ଶିଳ୍ପାୟନ ତଥା ଅଧିକରୁ ଅଧିକ ନିବେଶକ ମାନଙ୍କ ପାଇଁ ପୁଞ୍ଜି ନିବେଶ କରିବାର ସୁଯୋଗ ସୃଷ୍ଟି ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଦେଖିଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା: ଓଡ଼ିଆ ସିନେମା ‘ଦମନ’ର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ମହାପାତ୍ର ପରାମର୍ଶ ଦେଇଥିଲେ।ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଥିଲା।

ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ‘ଦମନ’ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପାତ୍ରପଡ଼ା କଳିଙ୍ଗବିହାର ସ୍ଥିତ ଡ଼ିଏନ ରେଗାଲିଆ ମଲ ପରିସରରେ ଥିବା ଆଇନକ୍ସ ସିନେମା ହଲରେ ‘ଦମନ’ ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁକ କରାଯାଇଥିଲା।

ଉକ୍ତ ସ୍କ୍ରିନିଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲ ଡ଼ା ଲଷ୍ମୀଧର ସାହୁ, ଉପ ଅଧିକ୍ଷକ କ୍ୟାପିଟାଲ ହସ୍ପିଟାଲ ଡ଼ା ଧନଞ୍ଜୟ ଦାସ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଡ଼ିଇଓ ବିଶ୍ୱନାଥ ତରାଇ ଏବଂ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳର ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପରିସରରେ ‘ଦମନ’ ପରି ଏକ ପ୍ରେରଣାଦାୟୀ ଚଳଚ୍ଚିତ୍ରର ପ୍ରଦର୍ଶନ ବ୍ୟବସ୍ଥା କରାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ସବଡିଭିଜନ ସ୍ତରରେ ପ୍ରଦର୍ଶିତ ହେବ ଚଳଚିତ୍ର ‘ଦମନ’, ହଲ ବୁକ୍ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା।

କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା। ତେବେ ଏହି ଯୋଜନାର କାର୍ଯ୍ୟାୟନ ସହଜ ଓ ସୁଗମ ନଥିଲା। ପାହାଡ, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାଶ, ଅସ୍ୱାସ୍ଥ୍ୟକର ଜୀବନ-ଚର୍ଯ୍ୟା, ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ବଡ଼ ପ୍ରତିବନ୍ଧକ ସାଜିଥିଲା। ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍ କାର‌୍ୟ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା।

ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ। ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଏବଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଥିଲା। ଚଳଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନ କନଭେସନ୍ ସେଣ୍ଟର ହଲରେ ପ୍ରଦର୍ଶିତ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ। ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ମହାପାତ୍ର ପରାମର୍ଶ ଦେଇଥିଲେ।

ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି। ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଏହି ସିନେମା “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନରେ ଉଭୟ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ” ହେବବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି। ଏଥିପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଉପଯୁକ୍ତ ସିନେମା ବା ଥିଏଟର ଅଗ୍ରୀମ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ପ୍ରଥମ ଥର ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ପ୍ରଦର୍ଶିତ ହେଲା ଚଳଚିତ୍ର ‘ଦମନ’

ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର‌୍ୟ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ।

ଚଳଚିତ୍ରର, କାହାଣୀ,ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂହେବାକୁ ଯାଉଛି। ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ। ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଓଡିଶା ଚଳଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ।

ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ। ଆଗାମୀ ଦିନରେ ଆଗାମୀ ଦିନରେ ଏହା ସବୁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ।

କାର୍ଯ୍ୟକ୍ରମରେ ଚଳଚିତ୍ରର ମୁଖ୍ୟ ଅଭିନେତା ଶ୍ରୀ ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର‌୍ୟ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଶ୍ରୀ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଚଳଚିତ୍ର ଦେଖିଥିଲେ। ବିଭାଗର ନିର୍ଦ୍ଦେଶକଶ୍ରୀ ରଞ୍ଜନ କୁମାର ଦାସ କାର‌୍ୟ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

Breaking News: ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।

ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

Categories
ଆଜିର ଖବର

ଶିଶୁ ଦିବସରେ ଚଳଚ୍ଚିତ୍ର “ଦମନ” ଦେଖିଲେ KIIS ଶିକ୍ଷା ନିକେତନ ଛାତ୍ରଛାତ୍ରୀ

ଭୁବନେଶ୍ବର: କଟକର ବୃନ୍ଦାବନ ହଲ୍ ରେ ଶିଶୁ ଦିବସ ଅଵସରରେ ଦମନ୍‌ ଟିମ୍ ସହ ଫିଲ୍ମ “ଦମନ” ଦେଖିଲେ KIIS ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ। ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲର ଧୂଳି ଉଡ଼ା ଫାଇଟ ବି ନାହିଁ। ଫିଲ୍ମର ଚରିତ୍ର ମାତ୍ର ଦୁଇ ଜଣ, ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ। ସାଙ୍ଗରେ ଜଣେ ସେବିକା…। ତଥାପି ସବୁ ଦିନ ହାଉସଫୁଲ କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ “ଦମନ” କୁ ବିପୁଳ ସମର୍ଥନ ମିଳିଛି।

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଇତିହାସ। ଆଉ ଏହି ଖୁସିରେ ସାମିଲ ହୋଇଛି କିସ୍ ଶିକ୍ଷା ନିକେତନ। ଆଜି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସହ ହଲରେ କିସ୍ ଶିକ୍ଷାନିକେତନର ଚେୟାରମ୍ୟାନ ପ୍ରତାପ ଶଙ୍କର ମିଶ୍ର, ଭାଇସ ଚେୟାରମ୍ୟାନ୍ ଗୀତାଞ୍ଜଳୀ ମିଶ୍ର, ପରମର୍ଶଦାତା ମନୋରଞ୍ଜନ ବେହୁରା, ନିର୍ଦ୍ଦେଶକ ସରୋଜ ଦାସ, ସିଦ୍ଧାର୍ଥ ଶଙ୍କର ସାହୁ, ଅଭିଜିତ୍ ଦାସ , ଟ୍ରଷ୍ଟି ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

“ଆସ ଓଡିଆ ସିନେମା ବଞ୍ଚାଅ ଅଭିଯାନ” ଆଜି ସଫଳ ହୋଇଛି। ସବୁବର୍ଗର ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ। ସେଥିପାଇଁ “ଦମନ” କୁ ପ୍ରଥମେ ୧୦ଟି ହଲ୍ ପରେ ୪୩ ଟି ହଲ୍ ରେ ଗୋଟିଏ ଗୋଟିଏ ସୋ ଆଉ ଏବେ ୫୩ଟି ହଲ୍ ହାଉସଫୁଲ୍ ଚାଲିଛି। ଓଡିଶା ବାହାରେ କୋଲକାତା, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦରେ ଦୁଇ ଦୁଇଟି ସୋ ହାଉସଫୁଲ୍।
ଅଭିନେତା ବାବୁସାନ ଓ ଦିପନ୍ବୀତ ବ୍ୟତୀତ ଅନ୍ୟ ସମସ୍ତ କଳାକାର ଏଥିରେ ନବାଗତ।  ଫୁଲ ଦମରେ ଆଗେଇ ଚାଲିଛି “ଦମନ”। ଆଇଏମଡିବି ରେଟିଙ୍ଗରେ ବି ୯.୭ ପାଇ ସର୍ବଭାରତୀୟସ୍ତରରେ ନୂଆ କୀର୍ତ୍ତିମାନ ରଚିଛି। କେଜିଏଫ, ଆରଆରଆର ଭଳି ସୁପରହିଟ ସିନେମାକୁ ପଛରେ ପକାଇଛି “ଦମନ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର: ବାବୁଶାନଙ୍କ ‘ଦମନ୍’ ଆଣିବ ବୈପ୍ଳବିକ ଆନ୍ଦୋଳନ

ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ। ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଦେଖିବାକୁ ମିଳିବେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ। ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିବ ‘ଦମନ’ ରେ। ବଡ଼ ବଜେଟର ଏହି ଫିଲ୍ମରେ ବାବୁସାନଙ୍କ ଭରପୂର ଆକ୍ସନ ଦେଖିବେ ସିନେପ୍ରେମୀ। ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରଯୋଜନାରେ ଅଛନ୍ତି ଦୀପେନ୍ଦ୍ର ସାମଲ। ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ଵାମୀ ଏହାର ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ୍। ବଡ଼ ଷ୍ଟାର, ରିଅଲ ଷ୍ଟୋରୀ କୁ ନେଇ ଆସନ୍ତା ୪ ନଭେମ୍ବର ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ଦମନ’ କୁ ଦର୍ଶକ ଆଗ୍ରହ ସହିତ ଅପେକ୍ଷା ରେ ଅଛନ୍ତି। ଯାହା ଫିଲ୍ମର କ୍ରିଏଟିଭ୍ ହେଡ୍ ତଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ।