ଶିଶୁ ଦିବସରେ ଚଳଚ୍ଚିତ୍ର “ଦମନ” ଦେଖିଲେ KIIS ଶିକ୍ଷା ନିକେତନ ଛାତ୍ରଛାତ୍ରୀ

Published: Nov 15, 2022, 7:57 am IST

ଭୁବନେଶ୍ବର: କଟକର ବୃନ୍ଦାବନ ହଲ୍ ରେ ଶିଶୁ ଦିବସ ଅଵସରରେ ଦମନ୍‌ ଟିମ୍ ସହ ଫିଲ୍ମ “ଦମନ” ଦେଖିଲେ KIIS ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ। ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲର ଧୂଳି ଉଡ଼ା ଫାଇଟ ବି ନାହିଁ। ଫିଲ୍ମର ଚରିତ୍ର ମାତ୍ର ଦୁଇ ଜଣ, ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ। ସାଙ୍ଗରେ ଜଣେ ସେବିକା…। ତଥାପି ସବୁ ଦିନ ହାଉସଫୁଲ କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ “ଦମନ” କୁ ବିପୁଳ ସମର୍ଥନ ମିଳିଛି।

ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଇତିହାସ। ଆଉ ଏହି ଖୁସିରେ ସାମିଲ ହୋଇଛି କିସ୍ ଶିକ୍ଷା ନିକେତନ। ଆଜି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସହ ହଲରେ କିସ୍ ଶିକ୍ଷାନିକେତନର ଚେୟାରମ୍ୟାନ ପ୍ରତାପ ଶଙ୍କର ମିଶ୍ର, ଭାଇସ ଚେୟାରମ୍ୟାନ୍ ଗୀତାଞ୍ଜଳୀ ମିଶ୍ର, ପରମର୍ଶଦାତା ମନୋରଞ୍ଜନ ବେହୁରା, ନିର୍ଦ୍ଦେଶକ ସରୋଜ ଦାସ, ସିଦ୍ଧାର୍ଥ ଶଙ୍କର ସାହୁ, ଅଭିଜିତ୍ ଦାସ , ଟ୍ରଷ୍ଟି ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

“ଆସ ଓଡିଆ ସିନେମା ବଞ୍ଚାଅ ଅଭିଯାନ” ଆଜି ସଫଳ ହୋଇଛି। ସବୁବର୍ଗର ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ। ସେଥିପାଇଁ “ଦମନ” କୁ ପ୍ରଥମେ ୧୦ଟି ହଲ୍ ପରେ ୪୩ ଟି ହଲ୍ ରେ ଗୋଟିଏ ଗୋଟିଏ ସୋ ଆଉ ଏବେ ୫୩ଟି ହଲ୍ ହାଉସଫୁଲ୍ ଚାଲିଛି। ଓଡିଶା ବାହାରେ କୋଲକାତା, ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରାବାଦରେ ଦୁଇ ଦୁଇଟି ସୋ ହାଉସଫୁଲ୍।
ଅଭିନେତା ବାବୁସାନ ଓ ଦିପନ୍ବୀତ ବ୍ୟତୀତ ଅନ୍ୟ ସମସ୍ତ କଳାକାର ଏଥିରେ ନବାଗତ।  ଫୁଲ ଦମରେ ଆଗେଇ ଚାଲିଛି “ଦମନ”। ଆଇଏମଡିବି ରେଟିଙ୍ଗରେ ବି ୯.୭ ପାଇ ସର୍ବଭାରତୀୟସ୍ତରରେ ନୂଆ କୀର୍ତ୍ତିମାନ ରଚିଛି। କେଜିଏଫ, ଆରଆରଆର ଭଳି ସୁପରହିଟ ସିନେମାକୁ ପଛରେ ପକାଇଛି “ଦମନ”।

Related posts