Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆ ମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ଚଲାଇଛନ୍ତି ବେଧଡକ ଚୋରା ପଥର କାରବାର। ମାଫିଆ ମାନେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୁନାଫା। କାଁ ଭାଁ କ୍ୱଚିତ୍ ତହସିଲ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆ ମାନେ ରହୁଛନ୍ତି ବେଫିକର।

ସୂଚନା ମୁତାବକ ଟାଙ୍ଗୀ ତହସିଲ ଚଣ୍ଡେଶ୍ୱର ନିକଟ କୁହୁଡି ତଳଗଡ ମୌଜାରେ କେତେକ ଖଣି ମାଫିଆ ଗାଁ ର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରିଆସୁଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ୍ ଆଜି ମଧ୍ୟାହ୍ନରେ ଛଦ୍ମ ବେଶରେ ବାଇକ୍ ରେ ଆସି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ କରି ମାଙ୍କଡା ପଥର ଖଣିରେ ଥିବା ୩ ଟି ବାଇକ୍ ସହ ୨ ଟି କଟର୍ ଜବତ କରିଛନ୍ତି। ଏବଂ ଜଣେ ପଥର କଟାଳିଙ୍କୁ ଅଟକ ରଖିଛନ୍ତି। ତେବେ ଉକ୍ତ ଚୋରା ଖଣି ମାଲିକଙ୍କ ପତା ମିଳିସାରିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ସେହିପରି ଭାବେ ଟାଙ୍ଗୀ ଠିପି ବନ୍ଦ ବିଦେଶୀ ମଦ ଦୋକ‍ାନ ନିକଟରେ ଚାଲିଥିଲା ମଦୁଆଙ୍କ ଉତ୍ପାତ। ମଦୁଆ ମଦ ପିଇ ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ସ୍ଥାନୀୟ ଝିଅ ବୋହୁଙ୍କ ପ୍ରତି ଅଶାଳୀନ ଆଚରଣ କରି ଆସୁଥିଲେ। ଫଳରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପୋଲିସ୍ କୁ କରିଥିଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ଆଜି ବାଲୁଗାଁ ଏସଡିପିଓ ଛଦ୍ମ ବେଶରେ ବାଇକ୍ ରେ ଆସି ଟାଙ୍ଗୀ ବିଦେଶୀ ମଦ ଦୋକାନରେ କରିଥିଲେ ଚଢାଉ। ଚଢାଉ ପରେ ସେଠାରୁ ମଦୁଆ ଛତ୍ରଭଙ୍ଗ ଦେଇଥିଲେ। ମଦ ଦୋକାନ ନିକିଟରେ ଚାଖଣା ଦୋକାନ ଖୋଲି ମଦୁଆଙ୍କୁ ଚାଖଣା ପରଷି ଦେଉଥିଵା ୨ ଦୋକାନୀଙ୍କୁ ଅଟକ ରଖି ଘଟଣ‍ାର ଅଧିକ ଛାନବିନ୍ ଜାରି ରଖିଛନ୍ତି ଏସଡିପିଓ ଶ୍ରୀ ବାରିକ। ତେବେ ବାଲୁଗାଁ ଏସଡିପିଓଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଭୟରେ ପ୍ରମାଦ ଗଣୁଥିବାର ଦେଖାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀରେ ନୂତନ ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଯୁବ ଓଏଏସ୍: ଯୋଗ ଦେବା ପରେ ଆରମ୍ଭ କଲେ କାର୍ଯ୍ୟାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ନୂତନ ତହସିଲଦାର ଭାବେ ନିକଟରେ ଯୋଗ ଦେଇଛନ୍ତି ଯୁବ ଓଏଏସ୍ ଅଧିକାରୀ ସ୍ମୃତିରଞ୍ଜନ ଶତପଥୀ। ୨୦୧୬ ବ୍ୟାଚର ଉକ୍ତ ଓଏଏସ୍ ଅଧିକାରୀ ପୂର୍ବରୁ ଗଜପତି ଜିଲ୍ଲା ଅନ୍ତର୍ଗତ ଆର ଉଦୟଗିରିରେ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଟାଙ୍ଗୀ ହେଉଛି ତାଙ୍କର ଦ୍ଵିତୀୟ କର୍ମଭୂମି। ଆର ଉଦୟଗିରିରେ କର୍ତ୍ତବ୍ୟନିଷ୍ଠ ଭାବେ ନିଜ ଦାଇତ୍ୱ ତୁଲାଇବା ସହ ସୁଚାରୁରୂପେ ସହରରେ କୋଭିଡ ମ୍ୟାନେଜମେଣ୍ଟ ମଧ୍ୟ କରିପାରିଛନ୍ତି ଉକ୍ତ ଅଧିକାରୀ।

ତେବେ ଟାଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଉକ୍ତ ଅଞ୍ଚଳରେ କୋଭିଡ ପରିଚାଳନାକୁ ପ୍ରାଥମିକତା ଦେବା ସହ ଅଞ୍ଚଳରେ ହେଉଥିବା ବେଆଇନ ଖଣିଜ ଦ୍ରବ୍ୟ ଚାଲାଣକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି ତହସିଲଦାର ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ତେବେ ନୂତନ ଭାବେ ଟାଙ୍ଗୀ ତହସିଲଦାର ଭାବେ ଯୋଗ ଦେବା ପରେ ଶ୍ରୀ ଶତପଥୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ଗତକାଲି ରାତିରେ ତହସିଲଦାର ଶ୍ରୀ ଶତପଥୀ ନିରାକାରପୁର ଅଞ୍ଚଳରୁ ପାଞ୍ଚ ଗୋଟି ଖଣିଜଦ୍ରବ୍ୟ ବୋଝେଇ ଟ୍ରକ ଜବତ କରିବା ସହ ଜରିମାନା ବାବଦରେ ସେମାନଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରିଥିବାର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏଥର ଆଉ ନିସ୍ତାର ନାହିଁ: ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଦିନକୁ ଦିନ ଟାଙ୍ଗୀ ତହସିଲ ଅଂଚଳରେ ପଥର ମାଫିଆଙ୍କ ଆତଙ୍କ ବଢିବାରେ ଲାଗିଛି। କେତେବେଳେ ତହସିଲଦାର ତ କେତେବେଳେ ରାଜସ୍ୱ ନୀରିକ୍ଷକ ପଥର ମାଫିଆମାନଙ୍କ ଆକ୍ରୋଶର ଶୀକାର ହେଉଛନ୍ତି। ହେଲେ ମାଫିଆମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ଅଣ୍ଟା ଭିଡିଛି।

ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବେଆଇନ ପଥର ଖଣିର ଉପରେ ଚଢାଉ କରିଛି। କୁହୁଡି ତଳ ଗଡ ମୌଜାରେ ଚଢାଉ କରି ଜିଲ୍ଲା ପ୍ରଶାସନ ୪ ଟି ମାଟି ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ଜବତ କରିଛି। ଟାଙ୍ଗୀ ତହସିଲଦାର ଯୁଗଳ କିଶୋର ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଦେହୁରୀ, ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ, ଟାଙ୍ଗୀ ଆଇଆଇସି ସରୋଜ କୁମାର ଉପାଧ୍ୟ୍ୟାୟ ଏହି ଚଢାଉରେ ସାମିଲ ଥିଲେ।

ପଥର ମାଫିଆ ମାନେ ବେଧଡକ ଦିନ ଦ୍ୱିପ୍ରହରରେ ମାଟି ଲୁଟି ନେବା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନି ହେଉଛି। ଏହାସହ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ତେଣୁ ଏଭଳି ଚଢାଉ ଆଗକୁ ଜାରି ରଖିବେ ବୋଲି ଖଣି ମାଫିଆମାନଙ୍କୁ ବାଲୁଗାଁ ଏସ୍ ଡି ପି ଓ ମାନସ ରଂଜନ ବାରିକ କଡା ସନ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ପୋଡି ଗଲା ବିଦ୍ୟୁତ୍ ସଂରଜାମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ପ୍ରକାଶ ଥାଉ କି, ଆଜି ଅପରାହ୍ନ ୫ ଘଟିକା ସମୟରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟରୁ ପ୍ରବଳ ଧୂଆଁ ବାହାରୁଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଧୂଆଁକୁ ଦେଖି କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ଦୌଡି ପଳାଇ ଆସିଥିଲେ। ପରେ ସେମାନେ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗକୁଖବର ଦେଇଥିଲେ। ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ।

 

ହେଲେ କାର୍ଯ୍ୟାଳୟର ବିଭିନ୍ନ ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଥିବାରୁ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି  ଅଗ୍ନିକାଣ୍ଡ  ଘଟଣା  ଦିନ ବେଳା ଘଟିଥିବାରୁ ତହସିଲ କାର୍ଯ୍ୟାଳୟ ଏକ ବଡ ଧରଣର ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି। ତେବେ ତହସିଲ କାର୍ଯ୍ୟାଳୟର ସମସ୍ତ କାଗଜ ପତ୍ର ସୁରକ୍ଷିତ ଥିବା ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ପଥର ବୋଝେଇ ଟ୍ରାକ୍ଟର ଛଡାଇନେଲେ ଖଣି ମାଫିଆ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମାଫିଆମାନଙ୍କ ଦିନକୁ ଦିନ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଅତିରିକ୍ତ ତହସିଲଦାରଙ୍କୁ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏତଦବ୍ୟତୀତ ଅତିରିକ୍ତ ତହସିଲଦାରଙ୍କ ନିକଟରୁ ବଳପୂର୍ବକ ପଥର ବୋଝେଇ ୪ ଟି ଟ୍ରାକ୍ଟର ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଗତକାଲି କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅତିରିକ୍ତ ତହସିଲଦାର ରସୁଲପୁର ପଥର ଖଣିରେ ଚଢାଉ କରିଥିଲେ। ସେଠାରେ ୨୫ ରୁ ଉର୍ଦ୍ଧ୍ଵ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଜବତ ହୋଇଥିବା ପଥର ବୋଝେଇ ୪ ଟି ଟ୍ରାକ୍ଟରକୁ ଖଣି ମାଫିଆମାନେ ବଳପୂର୍ବକ ଛଡାଇ ନେଇ ଫେରାର ହୋଇଯାଇଥିଲେ। ପରେ ଅତିରିକ୍ତ ତହସିଲଦାର ଏନେଇ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗିରଫ ଭୟରେ ପଥର ମାଫିଆ ଫେରାର ହୋଇ ଯାଇଛନ୍ତି।

ତେବେ ଟାଙ୍ଗୀ  ତହସିଲରେ ଏଭଳି  ଆକ୍ରମଣ ଘଟଣା ନୂଆ କଥା ନୁହେଁ। ଏହି ଘଟଣାକୁ ମିଶାଇ ୩ ଜଣ ତହସିଲଦାରଙ୍କ ଉପରେ ମଧ୍ୟ ପଥର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ତହସିଲରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ବରିଷ୍ଠ ନାଗରିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପ୍ରକାଶ କରିଛନ୍ତି।

କରଜ ଦେଇଥିବା ଲୋକେ ତାଙ୍କ ଘରକୁ ଆସି ଟଙ୍କା ମାଗୁଥିବାରୁ ସେ ବ୍ୟସ୍ତ ହୋଇପଡିଛନ୍ତି। ତହସିଲଦାରଙ୍କ ନିକଟରେ ଏନେଇ ଆନନ୍ଦ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କ୍ଷୋଭର ସହ କହିଛନ୍ତି।

ତେବେ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କୁ ଦେଖି ତହସିଲଦାର ଯୁଗଳ କିଶୋର ମିଶ୍ର ତତ୍ପରତା ଦେଖାଇଛନ୍ତି। ଶ୍ରୀ ମିଶ୍ର ଆନନ୍ଦଙ୍କୁ ନିଜ ପ୍ରକୋଷ୍ଠକୁ ନେଇ ଏବବାଦରେ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ହେଲେ ଏହି ଘଟଣାର ଖୁବ୍ ଶିଘ୍ର ସମାଧାନ ହେଵ ବୋଲି ତହସିଲଦାର ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ମଶାନ ଜମିକୁ ନେଇ ବିବାଦ: ପୋଲିସ ପ୍ରଶାସନ ଉପସ୍ଥିତରେ ହେଲା ଶବଶତ୍କାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଦୀର୍ଘ ୫ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତକାଲିଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ ସମାଧାନ ନକରି ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା। ସେହି ପୁରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ଆଜି ଶବ ଶତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବଶତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ପୋଲିସ ପ୍ରଶାସନ ଉପସ୍ଥିତରେ ବିବାଦୀୟ ଜମି ଉପରେ ଝାନସିପାଟଣା ଗ୍ରାମବାସୀ ଶବଶତ୍କାର କରିଛନ୍ତି।

ସେପଟେ ଝାନସିପାଟଣାର ଲୋକଙ୍କୁ ପଚାରିବାରେ ସେ ତହସିଲଦାରଙ୍କ ପୂର୍ବ ନିର୍ଦ୍ଦେଶ ମତେ ଶ୍ମଶାନ ଜମିରେ ଶବଶତ୍କାର କରିବା କଥା କହିଛନ୍ତି। ପରିସ୍ଥିତି ଅଣାୟତ ହେବାରୁ ଘଟଣା ସ୍ଥଳରେ ଟାଙ୍ଗୀ ତହସିଲଦାର, ଡେପୁଟି କଲେକ୍ଟର ଖୋର୍ଦ୍ଧା, ଆଇଆଇସି ଟାଙ୍ଗୀ ସହିତ ସଦଳବଳ ଉପସ୍ଥିତ ରହିଛନ୍ତି। ପରିସ୍ଥିତି ଉତ୍ତେଜନା ଥିବା ଡେପୁଟି କଲେକ୍ଟର ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବେଆଇନ ମାଙ୍କଡା ପଥର ଚାଲାଣ: ଟାଙ୍ଗୀ ତହସିଲ ଏବଂ ପୋଲିସର ମିଳିତ ଚଢ଼ାଉରେ ଜବତ ହେଲା ଦୁଇ ଜେ.ସି.ବି ଓ ଟ୍ରକ

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: କିଛି ମାସର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଟାଙ୍ଗୀରେ ଖଣି ମାଫିଆ ଏବଂ ବେଆଇନ ମାଙ୍କଡା ପଥର ଚାଲାଣକାରୀ। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଏବଂ ଟାଙ୍ଗୀ ପୋଲିସର ମିଳିତ ସହଯୋଗରେ ବେଆଇନ ମାଙ୍କଡାପଥର ଚାଲାଣ ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଦୁଇ ଗୋଟି ଜେ.ସି.ବି ଏବଂ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଟାଙ୍ଗୀ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ କର୍ମଚାରୀ, ଟାଙ୍ଗୀ ଥାନା ଆଇ.ଆଇ.ସି ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ଟିମ ଗଠନ କରାଯାଇ ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡ଼ା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ସେହି ଅଞ୍ଚଳରୁ ଦୁଇ ଗୋଟି ଜେ.ସି.ବି ମେସିନ ସହ ଗୋଟାଏ ମାଙ୍କଡାପଥର ବୋଝେଇ ଟ୍ରକକୁ ଉକ୍ତ ଟିମ ଜବତ କରିଛି। ଜବତ ହୋଇଥିବା ଗାଡ଼ି ଏବଂ ଜେ.ସି.ବି ମେସିନ ବର୍ତ୍ତମାନ ଟାଙ୍ଗୀ ଥାନା ପରିସରରେ ଅଛି ବୋଲି ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି କିଛି ମାସ ତଳେ ଟାଙ୍ଗୀ ତହସିଲ ଅଞ୍ଚଳରେ ବାରମ୍ବାର ତହସିଲଦାରଙ୍କ ବେଆଇନ ଖଣି ଉପରେ ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଥିଲା।

Categories
ଆଞ୍ଚଳିକ

ଟାଙ୍ଗୀରେ ବୃଦ୍ଧି ପାଉଛି ବେଆଇନ ମାଙ୍କଡା ପଥର କାରବାର: ୪ଟି ପଥର ବୋଝେଇ ଟ୍ରକ୍‌ ସହ ୬ଟି ପଥର କଟା ପାୱାର ଟିଲର ଜବତ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ। ଲକ ଡାଉନ୍ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଖଜୁରି ପଡା, ବଡପୋଖରିଆ ଓ ପାତ୍ରପଡା ମୌଜାରେ ଥିବା ବେଆଇନ୍ ମାଙ୍କଡା ପଥର ଖଣିରୁ ୪ ଟି ପଥର ବୋଝେଇ ଟ୍ରକ୍, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ସହ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ବରିଷ୍ଠ ରାଜସ୍ବ ସହାୟକ  ଟାଙ୍ଗୀ ଆରଆଇ, ନିରାକାରପୁର ଆରଆଇ ଓ ତହସିଲର ଅନ୍ୟ କର୍ମଚାରୀମାନେ ଏହି ଜବତରେ ତହସିଲ୍‌ଦାରଙ୍କ ସହ ସାମିଲ୍‌ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଖଜୁରୀପଡା ଜଙ୍ଗଲ ଭିତରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବାର ତହସିଲଦାରଙ୍କୁ ସୂଚନା ମିଳିଥିଲା। ତେବେ ତହସିଲଦାର ତୁରନ୍ତ ଖଜୁରୀପଡା ଜଙ୍ଗଲ ଭିତରେ ଚଢାଉ ଆରମ୍ଭ କରିଥିଲେ। ଏହି ଚଢାଉବେଳେ ଜଙ୍ଗଲ ଭିତରୁ ବେଆଇନ୍‌ ମାଙ୍କଡା ପଥର ବୋଝେଇ ୩ ଟି ଟ୍ରକ୍ ଜବତ କରିଥିବାବେଳେ ବଡପୋଖରିଆରୁ ଗୋଟେ ଟ୍ରକ ଜବତ ହୋଇଛି। ସେହିପରି ରାସ୍ତାରୁ ଆଉ ଏକ ବେଆଇନ୍‌ ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ କରିବା ସହ  ପାତ୍ରପଡା ଖଣିରୁ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ଜବତ ହୋଇଥିବା ଗାଡିକୁ ଟାଙ୍ଗୀ ତହସିଲ କାର୍ଯ୍ଯାଳୟରେ ରଖାଯାଇଥିବା ସୂଚନା ରହିଛି।

ଆଗକୁ ଏହି ଚଢାଉ ଆହୁରି ଜୋରଦାର କରାଯାଇ ବେଆଇନ୍ ମାଙ୍କଡା ପଥର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର। ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟରେ ପଥର ମାଫିଆମାନଙ୍କ ମଧ୍ୟରେ କାେକୁଆ ଭୟ ସୃଷ୍ଟି ହୋଇଛି ।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀରେ ବୃଦ୍ଧି ପାଉଛି ବେଆଇନ ମାଙ୍କଡା ପଥର କାରବାର: ୫ ଟି ପଥର ବୋଝେଇ ଗାଡ଼ି ଜବତ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ମାଙ୍କଡା ପଥର କାରବାର। ଚଳିତ ରାତ୍ରୀକାଳୀନ କର୍ଫ୍ୟୁକୁ ଭୃକ୍ଷେପ ନକରି ଚୋରା ପଥର ବେପାରୀମାନେ ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି ଚୋରା କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର।

ଆଜି ଟାଙ୍ଗୀ ତହସିଲଦାର ତିନୋଟି ପୃଥକ ପୃଥକ ଅଞ୍ଚଳରେ ଚଢାଉ କରି ୫ ଟି ପଥର ବୋଝେଇ ଗାଡି ଜବତ କରିଛନ୍ତି। ତେବେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଟାଙ୍ଗୀ ବଜାରରୁ ଗୋଟିଏ ପଥର ବୋଝେଇ ୪୦୭ଗାଡି ଜବତ ହୋଇଥିବା ବେଳେ ଉଜ୍ଜଳା ଗୋପୀନାଥପୁର ଗ୍ରାମରୁ ୩ ଟି ପଥର ବୋଝେଇ ଟ୍ରାକ୍ଟର ଏବଂ ପାତ୍ରପଡା ସହଜ ଉପାଯ ମୌଜାରୁ ଗୋଟିଏ ଟ୍ରକ୍ ଜବତ କରିଛନ୍ତି ତହସିଲଦାର।

ଆଗକୁ ବେଆଇନ ମାଙ୍କଡା ପଥର କାରବାର ଉପରେ ତିକ୍ଷ୍ନ ନଜର ରଖାଯିବ ବୋଲି ସୂଚନା ଦେଇଛି ଟାଙ୍ଗୀ ତହସିଲଦାର। ତେବେ ରାତ୍ରି ସମୟରେ ପଥର କାରଵାର ଜୋରଦାର ହେଉଥିବାରୁ ରାତ୍ରୀ କାଳୀନ ଚଢାଉକୁ ଜୋରଦାର କରାଯିବ ବୋଲି ତହସିଲଦାର ଦୃଢୋକ୍ତି ପ୍ରକାଶ କରିଛନ୍ତି।