ଟାଙ୍ଗୀ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ପଥର ବୋଝେଇ ଟ୍ରାକ୍ଟର ଛଡାଇନେଲେ ଖଣି ମାଫିଆ

Published: Apr 4, 2021, 6:00 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମାଫିଆମାନଙ୍କ ଦିନକୁ ଦିନ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଅତିରିକ୍ତ ତହସିଲଦାରଙ୍କୁ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏତଦବ୍ୟତୀତ ଅତିରିକ୍ତ ତହସିଲଦାରଙ୍କ ନିକଟରୁ ବଳପୂର୍ବକ ପଥର ବୋଝେଇ ୪ ଟି ଟ୍ରାକ୍ଟର ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଗତକାଲି କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅତିରିକ୍ତ ତହସିଲଦାର ରସୁଲପୁର ପଥର ଖଣିରେ ଚଢାଉ କରିଥିଲେ। ସେଠାରେ ୨୫ ରୁ ଉର୍ଦ୍ଧ୍ଵ ଖଣି ମାଫିଆମାନେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଜବତ ହୋଇଥିବା ପଥର ବୋଝେଇ ୪ ଟି ଟ୍ରାକ୍ଟରକୁ ଖଣି ମାଫିଆମାନେ ବଳପୂର୍ବକ ଛଡାଇ ନେଇ ଫେରାର ହୋଇଯାଇଥିଲେ। ପରେ ଅତିରିକ୍ତ ତହସିଲଦାର ଏନେଇ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗିରଫ ଭୟରେ ପଥର ମାଫିଆ ଫେରାର ହୋଇ ଯାଇଛନ୍ତି।

ତେବେ ଟାଙ୍ଗୀ  ତହସିଲରେ ଏଭଳି  ଆକ୍ରମଣ ଘଟଣା ନୂଆ କଥା ନୁହେଁ। ଏହି ଘଟଣାକୁ ମିଶାଇ ୩ ଜଣ ତହସିଲଦାରଙ୍କ ଉପରେ ମଧ୍ୟ ପଥର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Related posts