Categories
ଆଞ୍ଚଳିକ

କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, କବିତା ପାଠୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): “ଉଠ କଙ୍କାଳ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ, ପରି ଖ୍ୟାତି ସଂପର୍ଣ୍ଣ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟକୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ରମହାପାତ୍ର, ସମ୍ମାନନୀୟବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା ନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ବ୍ୟଙ୍ଗ, ସମାଲୋଚନା, ସଂସ୍କାର ଧର୍ମୀ ଓ ମାନବ ବାଦୀ ଗଳ୍ପ କବିତା ଚିରକାଳ ଧରି ଓଡ଼ିଆସାହିତ୍ୟର ପାଠକଙ୍କ ହୃଦୟରେ ଜାଜୁଲ୍ୟମାନ ହେଉଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଏବଂ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ ଲବ୍ଧ ପ୍ରତିଷ୍ଠ କବି ଓମପ୍ରକାଶ ଅଗ୍ରୱଲା, ଭିକାରୀଚରଣ ପ୍ରଧାନ, ମଦନ ମୋହନ ମହାପାତ୍ର, ଆନନ୍ଦଚନ୍ଦ୍ରସେନାପତି,ରଙ୍କ ନାଥ ସେଠୀ, ରମେଶ ଚନ୍ଦ୍ର ମହାପାତ୍ର, ରଶ୍ମିତା ମିଶ୍ର, ପ୍ରିୟ ଦର୍ଶିନୀ ମହାରଣା, ସୁଶାନ୍ତ ଦାଶ, ଶିଶିର ଦାସ, ଶେଷଦେବ ମହାରଣା, ରାଜେନ୍ଦ୍ର ରଥ, ଗୋଲକ ବିହାରୀ ପରୀଡ଼ା, ବୈରାଗୀ ବଳ, ରବିମାନସିଂ ,ଡଃ ନୃସିଂହ ପ୍ରଧାନ, ଦେବା ଶୀଷ ପଟ୍ଟନାୟକ, ସମେତ ଶତାଧିକ ସାରସ୍ଵତ ପ୍ରତିଭା ସ୍ଵରଚିତ କବିତା ଆବୃତ୍ତି କରି ଗୋଦାବରୀଶ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅଧ୍ୟାପକ ଡଃ କୈଳାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଅଧ୍ୟାପକ ଡଃ ଲକ୍ଷ୍ମୀ ଧରସୁବୁଦ୍ଧି ଧନ୍ୟବାଦାର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମସ୍ଥାନ ବାଣପୁରରେ ଜିଲ୍ଲା ପ୍ରଶାସନ ପାଳିଲା ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁମାର ପାଠାଗାର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀ ଶଙ୍କର ମହାପାତ୍ର, ବାଳମୁକୁନ୍ଦ ଦାସ ଓ କର୍ନେଲ ଶ୍ରୀକାନ୍ତ ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥିମାନେ ଗୋଦାବରୀଶ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହ ଓଡିଶାର ଗଠନ ଓ ବିକାଶରେ ତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ମହାପାତ୍ର ନିଆଁଖୁଣ୍ଟା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ। ସେ ଏକାଧାରରେ ଜଣେ କାଳଜୟୀ ଲେଖକ, କବି ଓ ସମାଲୋଚକ ଥିଲେ। ତାଙ୍କରି ଦ୍ୱାରା ପ୍ରକାଶିତ ପତ୍ରିକା ‘ନିଆଁଖୁଣ୍ଟା’ ସାରା ରାଜ୍ୟରେ ଚହଳ ପକାଇଥିଲା।

ଶ୍ରୀ ମହାପାତ୍ରଙ୍କ ସ୍ମୃତି ସ୍ୱରୂପ କୁମାର ପାଠାଗାରର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ନେଇ ସରକାରୀ ସ୍ତରରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରତିଶୃତି ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ କୁମାରାଙ୍ଗ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ସୂଚନା ଥାଉକି ନିକଟ ଅତୀତରେ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମକୁ ରାଜ୍ୟ ସରକାର ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କବି ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର କୁମାରାଙ୍ଗ ଗ୍ରାମର ହେବ ଉନ୍ନତିକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଛି।

ଗତକାଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ଗ୍ରାମ ଗସ୍ତରେ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା। ତାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି ,କୁମାର ପାଠାଗାରକୁ ନବୀକରଣ , ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ ଏକ ଚିତ୍ରଣ ସ୍ତମ୍ଭ ସ୍ଥାପନ ଏବଂ ନିଆଁଖୁଣ୍ଟାଙ୍କ ଜନ୍ମ ଏବଂ ଶ୍ରାଦ୍ଧ ବାର୍ଷିକୀକୁ ଆଡମ୍ବର ସହକାରେ ପାଳନ ଆଦି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମର ମାନ୍ୟତା ମିଳିଥିବାରୁ ସମସ୍ତ ବାଣପୁରବାସୀ ଏ ନେଇ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଞ୍ଚଳିକ

ଗୋଦାବରୀଶ ମହାପାତ୍ରଙ୍କ ଗାଁ କୁମାରାଙ୍ଗ ଶାସନରେ କୁମାରଉତ୍ସବ ପାଳିତ

ବାଣପୁର: କାଳଜୟୀ ଲେଖକ, ସମାଲୋଚକ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ବ୍ଲକର କୁମାରାଙ୍ଗ ଶାସନ ଗାଁରେ ରହିଥିବା ଶତାୟୁ ପାଠାଗାରର ୧୧୧ ତମ ଜନ୍ମ ଜୟନ୍ତୀ ଓ କୁମାରଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏହି ପାଠାଗାରଟି ଗୋଦାବରୀଶ ମହାପାତ୍ର ଓ ଜଗନ୍ନାଥ ମହାପାତ୍ର ଗ୍ରାମର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ରେ ସହାୟକ ହେଵା ଲକ୍ଷ୍ୟରେ ୧୯୧୨ ମସିହା କୁମାର ପୂର୍ଣ୍ଣିମା ତିଥିରେ ସ୍ଥାପନ କରିଥିଲେ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଗଣ୍ୟମାନ୍ୟ ଅତିଥିବୃନ୍ଦ କୁମାର ପାଠାଗାର ପରିଦର୍ଶନ କରିଥିଲେ। କୁମାର ପାଠାଗାରର ସଭାପତି ହୃଷିକେଶ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରିନସିପାଲ ଚିଫ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଅବନିନ୍ଦ୍ର ଉଦଗାତା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଗ୍ରାମର ଅବସରପ୍ରାପ୍ତ ମେଜର ଡାକ୍ତର ଶ୍ରୀକାନ୍ତ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ଏବଂ କୁମାର ପାଠାଗାରର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବ୍ୟଙ୍ଗ ଲେଖକ ତଥା ଅଧ୍ୟାପକ ଡ଼. ରମାକାନ୍ତ ମହାପାତ୍ରଙ୍କ ସମ୍ପାଦିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୨ ସଂସ୍କରଣ ଉନ୍ମୋଚିତ ହୋଇଥିଲା ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଛଅ ଜଣ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ ସ୍ୱରୂପ ସମ୍ମାନିତ କରାଯାଥିଲା। ଏମାନଙ୍କ ମଧ୍ୟରେ ରହିଥିଲେ ନିକଟରେ ଓଡିଶା ପ୍ରଶାସନିକ ସେବା ୨୦୨୨ ରେ କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ ଗ୍ରାମର ଦୃଷ୍ଟିବାଧିତ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ଗ୍ରାମର ଉନ୍ନତି ପାଇଁ କାର୍ଯ୍ୟ କରିଆସିଥିବା ରାମନାଥ ମହାପାତ୍ର, କୁମାର ପାଠାଗାରର ପୂର୍ବତନ ସଭାପତି ବିଭୁ ପ୍ରସାଦ ମହାପାତ୍ର, ସ୍ବର୍ଗତ ସୁବାସ ଚନ୍ଦ୍ର ମହାପାତ୍ର ଓ ପୂର୍ବତନ ସମ୍ପାଦକ ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ର।

ଏଥିସହିତ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭା ପରେ ଗ୍ରାମବାସୀଙ୍କ ଦ୍ୱାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଂଗୀତ ପରିବେଷଣ ଏବଂ ଏକ ପୌରାଣିକ ଗୀତିନାଟ୍ୟ କୃଷ୍ଣ ଜନ୍ମ – ଦୁର୍ମିଳାସୁର ବଧ ମଞ୍ଚସ୍ଥ ହୋଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାପାତ୍ରଙ୍କ ସ୍ଥାପିତ କୁମାର ପାଠାଗାରର ୧୧୦ ତମ ଜନ୍ମୋତ୍ସଵ ପାଳିତ

ବାଣପୁର: ବାଣପୁର ବ୍ଲକ କୁମାରାଙ୍ଗ ଶାସନରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ୧୯୧୨ ମସିହାରେ ସ୍ଥାପିତ କୁମାର ପାଠାଗାରର ୧୧୦ ତମ ଜନ୍ମୋତ୍ସଵ ପାଳିତ ହୋଇଛି। ଏହି ଅବସରରେ ଲୋକପ୍ରିୟ ବ୍ୟଙ୍ଗ ସାହିତ୍ୟିକ ସତ୍ୟନାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନ୍ୟ ଅତିଥିଗଣଙ୍କ ସହିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୧ ସଂସ୍କରଣ ଉନ୍ମୋଚିତ କରିଥିଲେ।

ଗ୍ରାମର ଯୁବକ ଯୁବତୀମାନେ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ ରଚନା ଉଠ କଙ୍କାଳ .. ଛିଡୁ ଶୃଙ୍ଖଳ .. ଗାୟନ କରିବା ସହ ବୈଠକର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ,୧୯୧୨ ମସିହାରେ କୁମାରାଙ୍ଗ ଶାସନ ଗ୍ରାମର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ର ଗାଁ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠାଗାର ର ସ୍ଥାପନା କରିଥିଲେ।

Categories
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଅନନ୍ୟ କାଳଜୟୀ ସାରସ୍ଵତ ପ୍ରତିଭା ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୩ତମ ଜୟନ୍ତୀ ସମାରୋହ ବାଣପୁରସ୍ଥିତ ନେହେରୁ ସେବାସଂଘର କନକ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଡ. ବିବେକାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ରନାଥ ମାନସିଂହ ଓ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ, ନିମନ୍ତ୍ରିତ ଅତିଥି ଭାବରେ କବି ପୁରୁଷୋତ୍ତମ ମହାପାତ୍ର, କବି ଓମ୍ ପ୍ରକାଶ ଅଗ୍ରୱାଲ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ କୁମାର ରଥ, ନିଆଁଖୁଣ୍ଟା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରି ବ୍ୟଙ୍ଗ ସାହିତ୍ୟ ର ପ୍ରଗଳ୍ଭ ଲେଖକ ଭାବରେ ଚିରକାଳ ବଞ୍ଚିରହିବେ ବୋଲି ପ୍ରକାଶ କରିଥିଲେ।

ତାଙ୍କ ରଚିତ କାଳଜୟୀ କ୍ଷୁଦ୍ରଗଳ୍ପ ‘ମାଗୁଣିର ଶଗଡ଼’, ‘ନୀଳ ମାଷ୍ଟରାଣୀ’, ଏବଂ ‘ଉଠ କଙ୍କାଳ’ ପରି ଉଦବୋଧନୀ ସଙ୍ଗୀତ ଏବେବି ପାଠକୀୟ ମନରେ ଗଭୀର ଆଲୋଡନ ସୃଷ୍ଠି କରେ ବୋଲି ପ୍ରକାଶ କରିଥିଲେ। ସଭାରେ ବାଣପୁର ର ଜଣେ ସାରସ୍ଵତ ପ୍ରତିଭା ତଥା ମଞ୍ଚ କଳାକାର ଓ ନିର୍ଦ୍ଦେଶକ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଙ୍କୁ ଚିଲିକା ସାହିତ୍ୟ ସମାଜ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଅନୁଷ୍ଠାନ ର ଅନ୍ତେବାସୀଙ୍କ ତରଫରୁ ଉଦବୋଧନୀ ସଙ୍ଗୀତ ଗାନ ପରେ ସହସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।