ସମ୍ଭାବ୍ୟ ବନ୍ୟା ପରିସ୍ଥିତ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

Published: Aug 16, 2022, 9:04 pm IST

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ ରହିଛି। ଜିଲ୍ଲାରେ ରାଜୁଆ ଓ ଦୟା ନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମର ୪୪୯୮ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଜଣାଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ବାଲିପାଟଣା ବ୍ଲକରେ ଏନଡ୍ରାଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି।

ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି। ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପୂର୍ବରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି। ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ ଓ ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ନା ପ୍ରସବା ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବାକୁ ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ଯ ଓ ଯତ୍ନ ଉପରେ ଗୁରୁତ୍ବ ଦିଆଯାଇଛି। ପଶୁଖାଦ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବାକୁ କୁହାଯାଇଛି।

ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଜଳ ଦ୍ବାରା ଚାଷଜମି ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ପ୍ରମୁଖ ବାଣପୁରର କିଛି ଅଞ୍ଚଳ ବୁଲି ଦେଖିବା ସହ ଜଳ ନିଷ୍କାସନ ସଂପର୍କରେ ପଦକ୍ଷେପ ନେବା ନିମନ୍ତେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।

Related posts