Categories
ଆଞ୍ଚଳିକ

ବାଣପୁର ଥାନା ହାତୀବାରି ଗ୍ରାମରେ ଅଗ୍ନିକାଣ୍ଡ, ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଥାନା ହାତୀବାରି ଗ୍ରାମରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ହାତିବାରୀ ଗ୍ରାମରେ ଆଜି ଅପରାହ୍ନରେ ତ୍ରିନାଥ ଶବରଙ୍କ ପରିବାରବର୍ଗ ରୋଷେଇ କରୁଥିବା ବେଳେ ହଠାତ ଚାଳ ଘରେ ନିଆଁ ଧରିଦେଇଥିଲା।

ଫଳରେ ତ୍ରିନାଥଙ୍କ ଏକ ବଖରା ଚାଳ ଘର ଏବଂ ପଡୋଶୀ ଶରତ ଶବରଙ୍କ ଏକ ବଖରା ଚାଳ ଘର ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଉଭୟ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ତୁରନ୍ତ ସରକାରୀ ସାହାଯ୍ୟପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବିନା ଡ୍ରେନେଜ ବ୍ୟବସ୍ଥାରେ ରୋଡ ନିର୍ମାଣ କରିବା ପଡ଼ିଲା ମହଙ୍ଗା, ବାଣପୁର ଏନଏସିକୁ ହାଇକୋର୍ଟଙ୍କ ଛାଟ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ଓଡ଼ିଶା ହାଇକୋର୍ଟଙ୍କ ଛାଟ। ବିନା ଡ୍ରେନେଜ ବ୍ୟବସ୍ଥାରେ ପେଭର ବ୍ଲକ ରୋଡ ନିର୍ମାଣ କରିବା ମହଙ୍ଗା ପଡ଼ିଛି। ସୀମିତ ସମୟସୀମା ମଧ୍ୟରେ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ର ୱାର୍ଡ ନଂ ୧୦ ରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପେଭର ବ୍ଲକ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଉକ୍ତ ୱାର୍ଡର ଏକାଧିକ ଘର ତଳିଆ ଅଞ୍ଚଳରେ ରହିଥିବା ବେଳେ ବିନା ଡ୍ରେନେଜ ବ୍ୟବସ୍ଥାରେ ପୁରୁଣା କଂକ୍ରିଟ ରୋଡ ଉପରେ ପେଭର ବ୍ଲକ ରୋଡ ନିର୍ମାଣ କରାଯାଇଥିଲା। ଫଳରେ ଉକ୍ତ ୱାର୍ଡର ବାସିନ୍ଦା ଜନୈକ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ସମେତ ଏକାଧିକ ବାସିନ୍ଦାଙ୍କ ଘରେ ବର୍ଷାଜଳ ପ୍ରବେଶ କରିଥିଲା।

ତେବେ ଏ ନେଇ ଆଇନଜୀବୀ ଶ୍ରୀ ଅଗ୍ରୱାଲ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗକୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏନଏସି ପ୍ରଶାସନ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହେବାରୁ ବାଧ୍ୟହୋଇ ଗତ ବର୍ଷ ଡିସେମ୍ବର ୨୦ ତାରିଖରେ ଆଇନଜୀବି ସୀତାରାମ ଅଗ୍ରୱାଲ ଏ ନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ।

ଚଳିତ ମାସ ୯ ତାରିଖରେ ଉକ୍ତ ରିଟ ପିଟିସନର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁ ପ୍ରସାଦ ରାଉତରାୟ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ଓ ସନ୍ଦୀପ କୁମାର ମହାପାତ୍ର ପରିଚାଳନା କରୁଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ ତାରାତାରିଣୀ ମନ୍ଦିର ଦର୍ଶନ ପାଇଁ ଗତକାଲି ରାତିରେ ବାହାରିଥିଲେ l ତେବେ କୌଣସି କାରଣବଶତଃ ଆଜି ବଡ଼ି ଭୋରରୁ ନାଚୁଣୀ ବରଡ଼ି ଛକରେ ବୋଲେରୋ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଏବଂ ଡ୍ରାଇଭରଙ୍କୁ ମିଶାଇ ସମୁଦାୟ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁତ୍ର ଯଯାତି କେଶରୀ ଜେନା(33) ବୋଲି ଜଣାପଡିଛି। ଆହତମାନଙ୍କୁ ପ୍ରଥମେ ବାଲୁଗାଁ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ନାଚୁଣୀ ପୋଲିସ ଗାଡି ଜବତ କରି ତଦନ୍ତ ଜାରୀ ରଖିଛି।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟରେ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟନ

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାର ଙ୍କ ନୂତନ ପ୍ରବର୍ତ୍ତିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ବିକାଶ କାର୍ଯ୍ୟକ୍ରମ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା(ନୂଆ-ଓ) ମଙ୍ଗଳବାରରେ ନାଚୁଣୀ ମହାବିଦ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଉଦ୍ ଘାଟିତ ହୋଇ ଯାଇଛି।

ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ଏହି ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟରେ ପରିଚାଳନା ପରିଷଦ ସଭାପତି ଅରୁଣ କୁମାର ଦାଶ ଯୋଗଦେଇ ଥିଲେ।

ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ କିଭଳି ସମ୍ପାଦିତ ହୋଇ ଏହି ଵାଵଦରେ ଆସିଥିବା ସରକାରୀ ଅନୁଦାନ ର ସୁ ବିନିଯୋଗ ହୋଇ ପାରିବ ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଡ଼ିସେମ୍ବର ୩୧ ତାରିଖରେ ଉଦଯାପିତ ହେବ।

Categories
ଆଞ୍ଚଳିକ

ବାଣପୁରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ସହାୟକ କର୍ମଶାଳା ଆୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକର ସମଗ୍ର ଶିକ୍ଷା, ଖୋର୍ଦ୍ଧା ପକ୍ଷରୁ ୧୦୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆରବିଏସକେ, ଆଲିମ କୋ, ସାଇଡ ସେଭର ଆଦି ବିଭାଗର ମିଳିତ ସହଯୋଗରେ ବାଣପୁର ସ୍ଥିତ ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନ୍ତରକିଆରୀ ଠାରେ ଆବଶ୍ୟକ ସହାୟକ ଉପକରଣ ଯୋଗାଇଦେବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ବାଣପୁର ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି ସିଆରସିସି ତାପସ ମହାରଣା ଓ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗର ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଆରପି ବିଶ୍ୱଜିତା ଜେନା, ଦାଶରଥି ମହାସୁଆର, ନରେଶ କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷକ ନିରୋଦ ପ୍ରସାଦ ସାମନ୍ତରାୟ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବିକଟାଳ ଶଦ୍ଦ କରି ଯାଉଥିବା ମୋଟରସାଇକେଲକୁ ଧରିଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବିକଟାଳ ଶବ୍ଦ କରି ମୋଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବାଇକ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଣପୁର ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଣପୁର ପୋଲିସ।

ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ତେବେ ବାଣପୁର ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୋର୍ଟ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଗଙ୍ଗାଧରପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ର ନିଜସ୍ଵ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ତଥା ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭୂମିପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ।

ଚିଲିକା ଜୁଡିସିଆଲ କୋର୍ଟର ବିଚାରପତି ବିକାଶ ଗୋଏଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସବ ଜଜ ଆଲୋକ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଜଜ ନିଶିଥ ନିଶାଙ୍କ, ଉଭୟ ହାଇକୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ବିଚାର ବିଭାଗର ରେଜିଷ୍ଟ୍ରାର, ପଦସ୍ଥ ବିଚାର ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଖୋର୍ଦ୍ଧା ଏଡ଼ିଏମ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆଙ୍କ ସମେତ ଚିଲିକା ବିଡ଼ିଓ ଡଃ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ ବିଶେଷ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଚିଲିକା ଓକିଲ ସଂଘ ସଭାପତି ଖଗେଶ୍ବର ପାତ୍ର ଓ ସମ୍ପାଦକ ଦେବାଶିଷ ରଥଙ୍କ ସହିତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଆଇନଜୀବୀ ଙ୍କ ପକ୍ଷରୁ ଉଭୟ ଅତିଥିଙ୍କୁ ଶଙ୍ଖ ଧ୍ୱନି ମଧ୍ୟରେ ପାଛୋଟି ନିଆଯାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓକିଲ ସଂଘ ସମ୍ପାଦକ ସୁଧୀର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଟାଙ୍ଗୀ ତଥା ଖୋର୍ଦ୍ଧା ବାର ଆସୋସିଏସନ୍ ପକ୍ଷରୁ ବହୁ ଆଇନଜୀବୀ ଯୋଗ ଦେଇଥିଲେ। ଏହି ଅବସରରେ ଖୁବଶୀଘ୍ର ବାଣପୁର ଏବଂ ଖୋର୍ଦ୍ଧାରେ ମଧ୍ୟ ନୂତନ କୋର୍ଟ କମ୍ପ୍ଲେକ୍ସ ନିର୍ମାଣକାର୍ଯ୍ୟ ଆରମ୍ଭ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

Categories
ଆଞ୍ଚଳିକ

ଅସହାୟ ଶ୍ରୀଧରଙ୍କୁ ସହାୟ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ: ଥଇଥାନ ବ୍ୟବସ୍ଥା କଲେ ବାଣପୁର ବିଡ଼ିଓ

ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ।

ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ।

ଏହାପରେ ଶ୍ରୀଧରଙ୍କୁ ସୀତାରାମ ତାଙ୍କ ଅସୁବିଧା ବିଷୟରେ ପଚାରିଥିଲେ। ଶ୍ରୀଧରଙ୍କ ଧର୍ମ ପତ୍ନୀ ଚିକିତ୍ସାରେ ଅବହେଳା ଲାଗି ମରିଯାଇଥିବା ବେଳେ ତାଙ୍କ ପୁତ୍ର ରହିବା ଘର ବିକ୍ରି କରିଦେଇ ଖୋର୍ଦ୍ଧା ଅରଗୁଳରେ ଏକ ସ୍ପେଆର ପାର୍ଟସ ଦୋକାନ କରି ସପରିବାର ରହୁଥିବା କଥା କହିଥିଲେ। ପିତାଙ୍କୁ ଘରୁ ତଡିଦେଇଥିବା ଶ୍ରୀଧର କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଥିଲେ। ସେବେଠାରୁ ଶ୍ରୀଧର ନିରୁପାୟ ହୋଇ ଉକ୍ତ ଧର୍ମଶାଳାକୁ ଚାଲିଆସିଥିବା ବେଳେ ବର୍ତ୍ତମାନ ପଇସା ପାଖରେ ନଥିବାରୁ ବହୁ ଦୁଃଖରେ ସମୟ କାଟୁଛନ୍ତି। ଏପରିକି ଧର୍ମଶାଳା ପରିଚାଳକ ଶ୍ରୀଧରଙ୍କ ପାଖେ ପଇସା ନଥିବା ଜାଣି ମଧ୍ୟ ତାଙ୍କୁ ଆଶ୍ରୟ ଦେଇଥିଲେ।

ଶ୍ରୀଧରଙ୍କ ଶରୀର ମଧ୍ୟ ଅସୁସ୍ଥ ଥିବାରୁ ସେ ଅସହାୟ ହୋଇ ଉକ୍ତ ଧର୍ମଶାଳାରେ ପଡ଼ିରହିଥିଲେ। ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ରଖିବା ବ୍ୟବସ୍ଥା ପ୍ରଶାସନ କରିବା ପାଇଁ ଶ୍ରୀଧର ଆମ ପ୍ରତିନିଧି ସୀତାରାମଙ୍କୁ ନେହୁରା ହୋଇଥିଲେ। ଏହାପରେ ସୀତାରାମ ଶ୍ରୀଧରଙ୍କ ଉକ୍ତ ସମସ୍ୟାକୁ ନେଇ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଧରଙ୍କୁ ଥଇଥାନ କରିବା ଅଭିଯାନ।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତତ୍ପରତା ଦେଖାଇଥିଲେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ। ବିଡ଼ିଓ ବ୍ୟକ୍ତିଗତ ଭାବେ ଉକ୍ତ ଧର୍ମଶାଳାକୁ କର୍ମଚାରୀଙ୍କ ସାଥିରେ ଯାଇ ଅସୁସ୍ଥ ଶ୍ରୀଧରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ।

ଏହାପରେ ବିଡିଓ ଶ୍ରୀମତୀ ଅଗ୍ରୱାଲ ଶ୍ରୀଧରଙ୍କୁ ମଙ୍ଗରାଜପୁର ସ୍ଥିତ ସରକାରୀ ସହାୟତା ପ୍ରାପ୍ତ ଜନୈକ ବୃଦ୍ଧାଶ୍ରମରେ ଥଇଥାନ କରିଛନ୍ତି। ତତସହିତ ସୋମବାର ଦିନ ଶ୍ରୀଧରଙ୍କ ପୁତ୍ରଙ୍କ ନିକଟକୁ ପିତାଙ୍କ ଭରଣପୋଷଣ ପାଇଁ ନୋଟିସ ପଠାଇବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ଏବଂ ବିଡ଼ିଓଙ୍କ ଉକ୍ତ ମହତ ପ୍ରଚେଷ୍ଟା ଏବଂ ତ୍ୱରିତ ପଦକ୍ଷେପ ଫଳରେ ଶ୍ରୀଧରଙ୍କ ଥଇଥାନ ବ୍ୟବସ୍ଥା ହୋଇଥିବାରୁ ଶ୍ରୀଧର ଆମ ପ୍ରତନିଧି ସୀତାରାମ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବାଣପୁର ବିଡ଼ିଓଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ବିଦେଶୀ ମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ଅଧିକାରୀ ତପନ ମହାନ୍ତି ଓ ଟିମ ଆଜି ସକାଳେ ଏକ ବିଦେଶୀ ମଦ ବୋଝେଇ କାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବାଣପୁର ଥାନା ବାଲିକଣିଆ ଛକରୁ ଉକ୍ତ କାର ଜବତ ହୋଇଥିବା ବେଳେ ତନ୍ମଧ୍ୟରୁ 109.200 ଲିଟର ବିଅର ଏବଂ 8.640 ଲିଟର ବିଦେଶୀ ମଦ ଜବତ ହୋଇଛି। ଅଭିଯୁକ୍ତ ଜଣକ ନୀଳାଦ୍ରିପ୍ରସାଦ ଅଞ୍ଚଳର ସିଦ୍ଧାନ୍ତ ନାୟକ ବୋଲି ଜଣାପଡିଛି। ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ବାଣପୁର କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବଜ୍ରାଘାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ, ଶୋକାକୁଳ ପରିବେଶ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ(22) ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁତ୍ର ଅମର ଶବର(12)।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରେ ବଜ୍ରାଘାତ ହୋଇଥିଲା। ଉକ୍ତ ସମୟରେ ଅରାଙ୍ଗ ଗ୍ରାମ ବିଲରେ ରଞ୍ଜତ ତାଙ୍କ ୩ ସାଙ୍ଗଙ୍କ ସହ ଥିବା ବେଳେ ସମସ୍ତେ ବଜ୍ରାଘାତ ର ଶିକାର ହୋଇଥିଲେ। ଫଳରେ ରଞ୍ଜତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ କଦମଝୋଲା ଗ୍ରାମର ଅମର ମଧ୍ୟ ସେହି ସମୟରେ ବର୍ଷା ନିମନ୍ତେ ସଡ଼କ କଡରେ ଛିଡା ହୋଇଥିବା ବେଳେ ସେ ମଧ୍ୟ ବଜ୍ରାଘାତ ର ଶିକାର ହୋଇଥିଲେ।

ପରିବାରବର୍ଗ ତାଙ୍କୁ ଗୁରୁତର ଭାବେ ବାଣପୁର ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରାଘାତ ଯୋଗୁଁ ଦୁଇ ଦୁଇ ଟି ଅମୁଲ୍ୟ ଜୀବନ ଚାଲିଯାଇଥିବା ବେଳେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ବାଣପୁର ପୋଲିସ ମେଡିକାଲ ପରିସରରେ ଉପସ୍ଥିତ ଅଛନ୍ତି। ତେବେ ରଞ୍ଜତଙ୍କ ଦୁଇ ସାଙ୍ଗ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ସଞ୍ଜୟ ନାୟକ(32) ଏବଂ ପ୍ରଶାନ୍ତ ନାୟକ(29)।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର – ବାଲୁଗାଁ ବାଇପାସ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବାଲୁଗାଁ ଥାନା କୁଲାକୁଣ୍ଡେଇ ନୂଆଗାଁ ଗ୍ରାମର ପ୍ରସନ୍ନ ରାଉତଙ୍କ ପୁତ୍ର ତାରା ପ୍ରସାଦ ରାଉତ(26)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତାରା ତାଙ୍କ ସହଯୋଗୀ ବାଇକ ଚାଳକଙ୍କ ସହ ବାଲୁଗାଁ ରୁ ବାଣପୁର ବାଇପାସ ଉପରକୁ ଉଠୁଥିବା ବେଳେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ସ୍ପୋର୍ଟ ବାଇକ ତାରାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ତାରା ଗାଡ଼ିରୁ ପଡିଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାରାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏନଏସିରେ ଜଳବନ୍ଦୀରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଚାଲିଛି ଜବରଦଖଲ ଉଛେଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କୁ ୫୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଜଳବନ୍ଦୀ ସମସ୍ୟା ପାଇଁ ସଦାବେଳେ ଏହା ସମାଲୋଚିତ ହୋଇଆସୁଛି। ଏନଏସି ଦେଇ ଯାଇଥିବା ମୁଖ୍ୟ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଏଠାରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଛି।

ତେବେ ଏ ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଗତବର୍ଷ ଦୋଳ ବେଦି ଛକରୁ ପଲଟନ ପଡିଆ ପର୍ଯ୍ୟନ୍ତ ଏକ ସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ଅଦ୍ୟାବଧି ତାହା ମଧ୍ୟ ହୋଇପାରି ନାହିଁ। ଉକ୍ତ ଡ୍ରେନେଜ ନିର୍ମାଣ ପାଇଁ ବ୍ୟୟ ଅଟକଳ ସରକାରଙ୍କ ପକ୍ଷରେ ଅନୁମୋଦନ ପାଇଁ ପଡ଼ି ରହିଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ କେବଳ ବିଧାରପୁର ଛକରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ବିଧାରପୁର ଛକଠାରୁ ସାନ କେନାଲ(୨୨୦ମିଟର) ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଚାରି ଫୁଟର ଅସ୍ଥାୟୀ ଡ୍ରେନ ନିର୍ମାଣ ପାଇଁ ଆଜି ଜବରଦଖଲ ଉଛେଦ ଅଭିଯାନ ଜାରି ରହିଥିଲା। ପୂର୍ତ୍ତବିଭାଗର ଅନୁରୋଧ କ୍ରମେ ତହସିଲଦାର ଓ ସ୍ଥାନୀୟ ଆଇଆଇସିଙ୍କ ଉପସ୍ଥିତିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇ ଉକ୍ତ ଜବରଦଖଲ ଉଛେଦ କରାଯାଇ ଥିଲା।

ତେବେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଗତ ଦୁଇ ବର୍ଷ ତଳେ ସମାନ ସମସ୍ୟାକୁ ଏଡାଇବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ପାଖପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ବିଧାରପୁର ଛକରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା ଯାହାକି ମାତ୍ର ଏକ ମାସ ପରେ ପୁନଶ୍ଚ ଜବରଦଖଲ ହୋଇଯାଇଥିଲା।

ତେଣୁ ବାରମ୍ବାର ପକ୍କା ଡ୍ରେନ ନିର୍ମାଣ ନକରି କେବଳ ତାଳିପକା ଡ୍ରେନ ନିର୍ମାଣ ଫଳରେ ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟର୍ଥ ବ୍ୟୟ ହେଉଛି। ବିଧାରପୁର ଛକକୁ ବାଦ ଦେଲେ ମଧ୍ୟ ସହରର ଥାନା, ପୁରୁଣା ଏନଏସି କାର୍ଯ୍ୟାଳୟ ସମ୍ମୁଖ , ମେଡିକାଲ ଛକ, ନୂତନ ଏନଏସି କାର୍ଯ୍ୟାଳୟ ସମ୍ମୁଖ , ଗାଲୁଆ ଛକ, ଚିଆଙ୍କ ସାହି ଛକ ଆଦି ସ୍ଥାନରେ ବରାବର ବର୍ଷା ଜଳ ଜମି ରହୁଛି।

ତେବେ ଉକ୍ତ ସ୍ଥାନରେ ମଧ୍ୟ ଡ୍ରେନେଜ ସୁବିଧା କରାନଗଲେ ବାଣପୁର ସହର ପୁନଶ୍ଚ ଜଳମଗ୍ନ ହେବ l ଏହି ପରିପ୍ରେକ୍ଷୀରେ ବାଣପୁର ଏନଏସି ମୁଖ୍ୟ ରାସ୍ତା ସମେତ ୱାର୍ଡ ୱାରୀ ପକ୍କା ଡ୍ରେନେଜ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ବିଧାୟକଙ୍କ ଏଣ୍ଟ୍ରି ପରେ ବଦଳିବ କି ରାଜନୀତି ପାଣିପାଗ!! ଅପେକ୍ଷାରେ ସବୁ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳି ରାଜନୀତି ସମ୍ପୂର୍ଣ୍ଣ ଗୋଳିଆ ହୋଇଛି। ବିରୋଧି ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ଶାସକ ବିଜେଡିର ଏ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡିପାରି ନାହିଁ।

ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନିଜ ନିର୍ବାଚନ ମଣ୍ଡଳିରୁ ବର୍ଷକ ପାଇଁ ଦୁରେଇ ରହିଛନ୍ତି। ଫଳରେ ଚିଲିକାରେ ଶାସକ ବିଜେଡି ଏକ ପ୍ରକାର ନେତୃତ୍ବ ହୀନ ହୋଇପଡିଛି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡିର କୌଣସି ସ୍ଥାନୀୟ ନେତା ଫ୍ରଣ୍ଟଲାଇନକୁ ଆସିପାରୁ ନାହାଁନ୍ତି।

ଅନ୍ୟପକ୍ଷରେ ଏବେବି ଟିକେଟ ଆଶାୟୀ ଥିବା ପୂର୍ବତନ ରଘୁନାଥ ସାହୁ ଏକଲା ଚଲୋ ନିତିରେ ସଂଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳିର ପ୍ରତି ଛୋଟଛୋଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକେଟର ପ୍ରଥମ ଦାବିଦାର ବୋଲି ଦଳକୁ ସନ୍ଦେଶ ଦେବା ପାଇଁ ଚେଷ୍ଠା କରୁଛନ୍ତି। ଏପରିକି ରଘୁନାଥଙ୍କୁ ଯଦି ଦଳ ଟିକେଟ ନ ଦିଏ ତେବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ ବୋଲି ତାଙ୍କ ସମର୍ଥକ ମାନେ କହି ବୁଲିଲେଣି।

ଏପରି ପରିସ୍ଥିତିରେ ପଞ୍ଚାୟତ ଏବଂ ଏନଏସି ସ୍ତରର ନେତାମାନେ ମଧ୍ୟ ବିଧାୟକ ପ୍ରାର୍ଥୀ ହେବା ସ୍ବପ୍ନ ଦେଖିବା ଆରମ୍ଭ କଲେଣି। ଯାହାକି ସୋସିଆଲ ମିଡ଼ିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ପାଖାପାଖି ଦଶ ବିଜେଡି ନେତା ବିଧାୟକ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ଦିନକୁ ଦିନ ଏହି ତାଲିକା ମଧ୍ୟ ବଢିବାରେ ଲାଗିଛି।

ନୂଆ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ପ୍ରତିନିଧି ତଥା କୁମାରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ମନୋଜ ପ୍ରଧାନ। ମନୋଜଙ୍କ ସମର୍ଥକମାନେ  ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ଗୁଡିକରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ସେ ମଧ୍ୟ ବିଧାୟକ ପ୍ରାର୍ଥୀ ବୋଲି ନିଜକୁ ପରୋକ୍ଷରେ ଦାବୀ କରିବାରେ ଲାଗିଛନ୍ତି।

ନିକଟରେ ବିଧାୟକ ଜଗଦ୍ଦେବଙ୍କ ଗ୍ରାଣ୍ଡ ଏଣ୍ଟ୍ରି କରିବା ପାଇଁ ଯେଉଁ ପ୍ରସ୍ତୁତି ବୈଠକ କରିଥିଲେ ସେଥିରେ ବିଜେଡିର ବହୁ ଆଗଧାଡ଼ିର ନେତା ତଥା ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ଥିଲେ। ବିଶେଷ ସୂତ୍ର ମୁତାବକ ଅନୁପସ୍ଥିତ ନେତାମାନଙ୍କ ଉଦେଶ୍ୟ କିଛି ଅଲଗା ରହିଛି। ସେମାନେ ଏଥର ଚିଲିକାରେ ଆମଦାନୀ ନେତା ନୁହଁ ବରଂ ସ୍ଥାନୀୟ ନେତା ବିଜେଡିରୁ ବିଧାୟକ ହୁଅନ୍ତୁ ବୋଲି କର୍ମୀ ଏବଂ ନେତାମାନେ ଚାହୁଁଛନ୍ତି।

ଗୋଟିଏ ପଟେ ବିଜେପି ତାହାର ରଣନୀତି ପୁର୍ବରୁ ପ୍ରସ୍ତୁତ କରି ସଂଗଠନ ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ବିଜେଡିର ନେତାମାନେ ପରସ୍ପର କନ୍ଦଳରେ ବ୍ୟସ୍ତ ଅଛନ୍ତି। ଯାହାକି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି। ଏପରି ଗୋଳିଆ ସ୍ଥିତି ଦେଖି ଶାସକ ଦଳ କି ପ୍ରକାରର ଗୋଟି ଚାଳନା କରିବ ତାହା ଜଣାପଡି ନାହିଁ।

ତେବେ ସମସ୍ତଙ୍କ ନଜର ରହିଛି ଜୁଲାଇ ୨୮ ତାରିଖକୁ। କାରଣ ଉକ୍ତ ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ନିର୍ବାଚନମଣ୍ଡଳିକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିବେ। ଏଥିପାଇଁ ଚାଲିଛି ବିରାଟ ଆୟୋଜନ। ତେବେ ବିଧାୟକ ନିର୍ବାଚନ ମଣ୍ଡଳିକୁ ଆସିବା ପରେ ଅସଲି ରାଜନୈତିକ ଖେଳ ଆରମ୍ଭ ହେବ ବୋଲି ଜଣାପଡିଛି। ସେତେବେଳେ ଚିଲିକାରେ ବିଜେଡି ସ୍ଥିତିର ଆକଳନ କରି  ହେବ।

Categories
ଆଞ୍ଚଳିକ

ବାଣପୁର ଖବର: ସ୍କୁଟି ଦୁର୍ଘଟଣାରେ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର :- ଆଜି ସାନ୍ଧ୍ୟରେ ବାଣପୁର ଅନ୍ତର୍ଗତ ଆୟତପୁର ଛକରେ ଏକ ସ୍କୁଟି ଦୁର୍ଘଟଣା ହୋଇ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ବଡହନ୍ତୁଆଡ଼ ଗ୍ରାମର ସରୋଜିନୀ ନାୟକ ସ୍ୱାମୀ ତ୍ରିନାଥ ନାୟକ ବୟସ 45ବର୍ଷ ତାଙ୍କ ପୁଅଙ୍କ ସାଥିରେ ଏକ ସ୍କୁଟି ଯାହାର ନମ୍ବର OD02CD5077 ରେ ଆୟତପୁର ଥିବା ତାଙ୍କ ଝିଅ ଘରକୁ ଯାଉଥିଲେ।

ଆୟତପୁର ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣା ହୋଇଥିଲା। ଯାହାଫଳରେ ମହିଳାଙ୍କର ମୁଣ୍ଡ ଗଭୀର ଭାବରେ ଆଘାତ ହେବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ବାଣପୁର ଅଗ୍ନିଶମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ତାଙ୍କ ଟିମ ଶହ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ଗଲେ ମୋର ପ୍ରଥମ ଲକ୍ଷ୍ୟ ହେବ ‘କମନ ୱାର୍କ ଫର କମନ ମ୍ୟାନ’; ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏହି ନାମଟି ଉଚ୍ଚାରଣ କଲେ ଓଡିଶା ରାଜନୀତିରେ ସେ କିଏ ତାହା କହିବା ଆବଶ୍ୟକ ନାହିଁ। ସେ ହୋଇପାରନ୍ତି ବାହୁବଳୀ, ସେ ହୋଇପାରନ୍ତି ଦଉଡିବା ଘୋଡା. ସେ ହୋଇପାରନ୍ତି ରାଗ ସ୍ବାଭାବ। ହେଲେ ସବୁରି ଉପରେ ଗୋଟିଏ ନିଶ୍ଚିତ ଯେ, ସେ ଯେଉଁ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି ସେଠାକାର ଲୋକଙ୍କୁ ସେ ନିଜର କରି ନିଅନ୍ତି। ଆଉ ଜିତନ୍ତି ମଧ୍ୟ। ବାଣପୁର ପଲଟନ ପଡିଆରେ ଗାଡି ମଡାଇବା ଅଭିଯୋଗ ପରେ ତାଙ୍କୁ ଚିଲିକା ଯିବାକୁ କୋର୍ଟ ବାରଣ କରିଛନ୍ତି। ସେପଟେ ବିଜେଡି ମଧ୍ୟ ଦଳରୁ ଦୂରେଇ ଦେଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ ଭବିଷ୍ୟତ କଣ, ସେ ନେଇ ତାଙ୍କୁ ସାକ୍ଷାତ କରିଛନ୍ତି ଆମ ସମୀକ୍ଷା ପ୍ରତିନିଧି ସୀତାରାମ ଅଗ୍ରୱାଲ।

ସମୀକ୍ଷା- କୋର୍ଟ କଟକଣା ଯୋଗୁଁ ଆପଣ ଚିଲିକା ନିର୍ବାଚନ ମଣ୍ଡଳୀକୁ ଆଉ ଯାଇପାରୁ ନାହାଁନ୍ତି। ଯେତେବେଳେ ନିର୍ବାଚନ ମଣ୍ଡଳିକୁ ବିଧାୟକ ଯାଇପାରୁ ନାହିଁନ୍ତି, ସେତେବେଳେ ଚିଲିକାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିରେ ଚିଲିକାବାସୀ କାହାକୁ ଦୋଷ ଦେବେ ?

ବିଧାୟକ- ଦେଖନ୍ତୁ କୋର୍ଟ କଟକଣା ଯୋଗୁଁ ଯାଇପାରୁ ନାହିଁ, ତାହା ସତ କଥା। ହେଲେ ଚିଲିକା କାମ ଯେ, ସଂପୂର୍ଣ୍ଣ ଠପ୍ ହୋଇଯାଇଛି ତାହା କହିବା ଭୁଲ। ହଁ, ଏହା ସତ ଯେ, କାମ ଯେପରି ଦ୍ରୁତ ଗତିରେ ଆଗେଇବା କଥା ସେଥିରେ ଟିକିଏ ଧିମେଇ ଯାଇଛି। ହେଲେ ଭୁବନେଶ୍ବରରେ ରହି ଚିଲିକାର ସର୍ବାଙ୍ଗିନ ଉନ୍ନତି ପାଇଁ ଯାହା କରିବା କଥା ତାହା କରୁଛି। ଖୋର୍ଦ୍ଧା ଜିଲ୍ଲା ଅଫିସ ଏବଂ ଭୁବନେଶ୍ବର ଅଫିସରଙ୍କ ସହିତ ଯୋଗାଯୋଗ କରି ସମସ୍ତ କାମକୁ ଆଗେଇ ନେଉଛି।

ସମୀକ୍ଷା- ଜଗଦ୍ଦେବବାବୁ, କେଉଁ ଉନ୍ନତି କଥା କହୁଛନ୍ତି, କଣ ହେଉଛି ଉନ୍ନତି ? ବର୍ତ୍ତମାନ ବାଲୁଗାଁ ବାଣପୁର ଏନଏସିରେ ଏ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ହୋଇପାରିଲା ନାହିଁ ? କଥାରେ କହନ୍ତି ବେଙ୍ଗ ମୁତିଲେ ବନ୍ୟା ପରି, ବାଣପୁରରେ ସାମାନ୍ୟ ବର୍ଷା ହେଲେ ସହର ଭାସୁଛି, ଆପଣ କେମିତି କହୁଛନ୍ତି ଉନ୍ନତି କାମ ହେଉଛି ?

ବିଧାୟକ- ସୀତାରାମ ବାବୁ ଆପଣ ଭଲ କଥାଟିଏ କହିଲେ। ମୁଁ ଆପଣଙ୍କୁ ଏହାର ଉତ୍ତର ମାଧ୍ୟମରେ ଏକ ନୂଆ ସୂଚନା ପ୍ରଦାନ କରିବାକୁ ଚାହୁଁଛି। ତାହା ହେଲା, ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ମୋର ନେତା ନବୀନ ପଟ୍ଟନାୟକ ବାଲୁଗାଁ ଓ ବାଣପୁର ଏନଏସିକୁ ୨୦୦ ଶହ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଟଙ୍କାରେ ଉଭୟ ସହରର ଜଳ ସଂରକ୍ଷଣ ଓ ନିସ୍କାସନ କାର୍ଯ୍ୟ କରାଯିବ।

ଆପଣ ଜାଣି ଖୁସି ହେବେ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟର ଡିପିଆର ପ୍ରସ୍ତୁତ କରିବା ପାଇଁ କୋଟିଏ ଟଙ୍କା ଅନୁମୋଦନ ହୋଇସାରିଛି। ଡିପିଆର ପ୍ରସ୍ତୁତ ପରେ କାମ ଆରମ୍ଭ ହେବ। ଆଉ ଏକ ଖୁସି ଖବର ଆପଣଙ୍କ ମାଧ୍ୟମରେ ଚିଲିକା ଜନସାଧାରଣଙ୍କୁ ଦେବା ପାଇଁ ଚାହେଁ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ପ୍ରାୟ ୧୨ ଶହ କୋଟି ଟଙ୍କାର ଉନ୍ନୟନ କାମ କରିବାକୁ ପ୍ରସ୍ତାବ କରିଛନ୍ତି। ତେଣୁ ଉନ୍ନତି କାମ ହେଉ ନାହିଁ ବୋଲି କହିବା ଭୁଲ କଥା।

ସମୀକ୍ଷା- ବର୍ତ୍ତମାନ ଆପଣ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଉ ନ ଥିବାରୁ ସେଠାକାର ରାଜନୀତି ମଧ୍ୟ ଗୋଲିଆ ହୋଇଗଲାଣି। ନେତା ନ ଥିବାରୁ କର୍ମିମାନେ ହତୋତ୍ସାହ ହୋଇପଡିଲେଣି। ଆପଣଙ୍କ ଅନୁପସ୍ଥିତରେ ଅନେକ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡିଲେଣି। କର୍ମିଙ୍କ ଭିତରେ ଆଉ ତାଳମେଳ ରହୁ ନାହିଁ। ନିର୍ବାଚନ ପାଖେଇଲାଣି, କେମିତେ ଚିଲିକାରେ ବିଜେଡିର ସଂଗଠନ କରିବେ ?

ବିଧାୟକ- ଦେଖନ୍ତୁ, କଥାରେ ଅଛି ବାଘ ନ ଥିଲେ ମିରିଗ ନାଟ, ମୋର ଦୁର୍ଭାଗ୍ୟ ଯେ, ଚିଲିକା ଯାଇପାରୁ ନ ଥିବାରୁ ସେଠାରେ କିଛି ମିରିଗ ପରି ନାଟ କରୁଛନ୍ତି। ଅନ୍ୟପଟେ କର୍ମିମାନେ ଯେଉଁ ହତୋତ୍ସାହ ହୋଇପଡିବା କଥା କହୁଛନ୍ତି ତାହା ସତ। ମୋର ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ କଟକଣା ରହିଛି। ଏହାପରେ ଏହି କଟକଣା ହଟିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୁଁ ଚିଲିକା ଯିବି।

ବିଜ୍ଞାନରେ ଅଛି, ଯଦି ସୂର୍ଯ୍ୟ ଉଇଁଲେ ଗଛଲତା ସବୁ କଅଁଳି ଉଠେ, ଫୁଲଫଳସବୁ ହସି ଉଠେ, ପରିବେଶ ପୁରା ସତେଜ ହୋଇଯାଏ । ଠିକ ସେହିପରି ମୁଁ ଚିଲିକା ଯିବା ପରେ ଦେଖିବେ, ପୁଣି ପୂର୍ବର ଯେଉଁ ସଂଗଠନ ଥିଲା ତାହା ସବୁ ପୁଣି କଅଁଳି ଉଠିବ। ପୁଣି କର୍ମିମାନେ ଚଳଚଞ୍ଚଳ ହୋଇ ଉଠିବେ। ପୁଣି ସଂଗଠନ ମଜବୁତ ହୋଇଯିବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, କର୍ମିଙ୍କ ମଧ୍ୟରେ ସେହି ଉତ୍ସାହ ପୁଣି ଫେରି ଆସିବ। ମୋର ପ୍ରଥମ ଲକ୍ଷ ହେବ ‘କମନ ୱାର୍କ ଫର କମନ ମ୍ୟାନ’ ।

ସମୀକ୍ଷା- ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆଉ ଚିଲିକାରୁ ନୁହଁ, ଖୋର୍ଦ୍ଧା କିମ୍ବା ବେଗୁନିଆରୁ ଛିଡା ହେବେ ?

ବିଧାୟକ- ଦେଖନ୍ତୁ, ଆପଣ କେବେ ଭାବି ଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବ ଚିଲିକାର ବିଧାୟକ ହେବେ। ଆଜ୍ଞା ମୋ ଘର ହେଉଛି ଖୋର୍ଦ୍ଧା, ମୋର ନେତା ନବୀନବାବୁ, ମୋତେ ସେ ପ୍ରଥମେ ବେଗୁନିଆରେ ଛିଡା ହେବାକୁ କହିଲେ। ସେଠାରେ ଛିଡା ହେଲି ଆଉ ଜିତିଲି ମଧ୍ୟ। ସେଇଟା ମୋର ଘର ନ ଥିଲା। ହେଲେ ପରେ ଘର ହେଲା।

ତାପରେ ୨୦୧୯ ରେ ସେହିପରି ମୋର ନେତା ନବୀନବାବୁ କହିଲେ ଚିଲିକାରୁ ଛିଡା ହୁଅ। ଛିଡା ହେଲି, ଆଉ ଭଲ ଭୋଟରେ ଜିତିଲି। ଏବେ ଚିଲିକା ମଧ୍ୟ ମୋର ଘର। ତେଣୁ ଏଥିରୁ ଆପଣ ଜାଣିପାରୁ ଥିବେ ମୋତେ ନବୀନ ବାବୁ ଯେଉଁଠାରୁ ପ୍ରାର୍ଥୀ କରୁଛନ୍ତି ମୁଁ ସେଠାରେ ଛିଡା ହୋଇଛି, ଆଉ ଜିତିକି ମଧ୍ୟ ଆସୁଛି। ସେହିପରି ଆସନ୍ତା ନିର୍ବାଚନରେ ମୋତେ ନବୀନବାବୁ ଯେଉଁଠାରୁ ପ୍ରାର୍ଥୀ କରିବେ ମୁଁ ସେହିଠାରୁ ଛିଡା ହେବି। ଆଉ ଗ୍ୟାରେଣ୍ଟି ସହ କହୁଛି ସେଠାରୁ ମଧ୍ୟ ଜିତିବି। ମୁଁ ହେଉଛି ଲଢୁଆ ପୁଅ, ଲଢିବି, ଭୟ କରିବାର ନାହିଁ।

ସମୀକ୍ଷା- ବର୍ତ୍ତମାନ ସୁଦ୍ଧା ବିଜେଡି ଆପଣଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ନାହିଁ। ଫଳରେ କର୍ମୀମାନଙ୍କର ସନ୍ଦେହ ହେଲାଣି ଯେ, ଆପଣଙ୍କୁ ଆଉ ବିଜେଡି ଟିକେଟ ଦେବ ନାହିଁ। ସେଥିପାଇଁ ଆପଣ କୁଆଡେ ବିଜେପି ଆଡେ ମୁହାଁଇଲେଣି ବୋଲି ଚର୍ଚ୍ଚା ଚାଲିଛି।

ବିଧାୟକ- ହା..ହା..ହା..। ଦେଖନ୍ତୁ ଦଳ ଯେହେତୁ ନିଳମ୍ବନ ଆଦେଶ ହଟାଇ ନାହିଁ ସେଥିପାଇଁ ଏପରି ଗୁଜାବ ଉଠୁଛି। ଯେଉଁଦିନ ଦଳ ନିଳମ୍ବନ ଆଦେଶ ହଟାଇ ଦେବ ସେହି ଦିନ ହୁଏତ ଏହି ଗୁଜବ ବା ଏହି ଚର୍ଚ୍ଚା ଆଉ ହେବ ନାହିଁ। ଏପରି ଗୁଜବ ବା ଚର୍ଚ୍ଚାକୁ ମୁଁ କେବେ ବିଶ୍ବାସ କରେ ନାହିଁ। ଆଜି ପର୍ଯ୍ୟନ୍ତ ଯାହା ବି ରାଜନୀତିରେ କରିଛି ତାହା କେବଳ ବିଜେଡି ପାଇଁ କରିଛି, ଆଉ ମୋର ନେତା ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ଯୋଗୁଁ କରିପାରିଛି। ତେଣୁ ଏପରି ଗୁଜବରେ ତିଳେ ମାତ୍ର ବାସ୍ତବତା ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକାର ମା କାଳିଜାଈ ପୀଠ: ମିଳୁନି ପିଇବା ପାଣି, ପର୍ଯ୍ୟଟକ ହତାସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ।

ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ।

ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ ଉପରେ ସଦାସର୍ବଦା ନିର୍ଭର କରିଥାନ୍ତି ସ୍ଥାନୀୟ ବ୍ୟକ୍ତି।

ଉକ୍ତ ମନ୍ଦିରକୁ ଅନେକ ସମୟରେ କେତେ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ମାନେ ଦର୍ଶନ କରିବାକୁ ଯାଉଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା କାହାର ଦୃଷ୍ଟି ଗୋଚରରେ ଆସୁନଥିବା ସମସ୍ତଙ୍କୁ ଚକିତ କରିଛି।

ବହୁ କଷ୍ଟରେ ପାରିକୁଦ ରାଜା ସନ୍ତୋଷ ଦେଓଙ୍କ ସହାୟତା ଏବଂ ମନ୍ଦିର ପୂଜକ ଓ ଉଠା ଦୋକାନୀ ମାନଙ୍କ ପ୍ରୟାସରେ ଏଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ତାହା ଦୟନୀୟ ଅବସ୍ଥାରେ ପଡିରହିଛି।

ନୀଳ ଜଳରାଶିରେ ବୋଟିଂ ସାଙ୍ଗକୁ ପ୍ରକୃତିମୟୀ ଚିଲିକାର ମନଲୋଭା ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ସମେତ ସ୍ଥାୟୀ ବାସିନ୍ଦା ମନଭରି ଉପଭୋଗ କରିବାସହ ମା’ଙ୍କ ଦର୍ଶନ ନିମନ୍ତେ ଅହରହ ସମାଗମ ହେଉଥିଲେ ସୁଦ୍ଧା ଏଭଳି ସ୍ଥିତିରେ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

ନିଳାମ୍ବୁ ଚିଲିକା ପାଇଁ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ପୀଠର ଉନ୍ନତି ଦିଗରେ ବିଭିନ୍ନ ମସ୍ୟଜୀବୀ ସଂଘ,ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଟ୍ରେନ ସମ୍ମୁଖରେ ଡେଇଁ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପରିଚୟ ଜଣାପଡି ନାହିଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ଟ୍ରାକରେ ଠାବ ହୋଇଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ। ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବଟି ଜଣେ ପୁରୁଷଙ୍କ ବୋଲି ଜଣାପଡିଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ସଂନ୍ଧ୍ୟାରେ ବ୍ୟକ୍ତି ଜଣକ ପୁରୀ ଚେନ୍ନାଇ ଏକ୍ସପ୍ରେସ ଗଙ୍ଗାଧରପୁର ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଇଞ୍ଜିନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଘଟଣାସ୍ଥଳରେ ବାଲୁଗାଁ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କ ଧାରଣା

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ।

ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମିଳିତ ଅମଲା ମଞ୍ଚ ର କର୍ମଚାରୀ ମାନେ। ହାତରେ ପ୍ଲାକାର୍ଡ ଧରି ନିଜର ଦାବି ପୂରଣ ପାଇଁ ବିଭିନ୍ନ ନାରା ଦେଉଥିବାର ଦେଖିବାକୁ ମିଳିଛି କର୍ମଚାରୀମାନଙ୍କୁ।

ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉକ୍ତ ଧାରଣା ପ୍ରତିଦିନ ସରକାରୀ କାର୍ଯ୍ୟ ଦିବସରେ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କବି ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର କୁମାରାଙ୍ଗ ଗ୍ରାମର ହେବ ଉନ୍ନତିକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଛି।

ଗତକାଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ଗ୍ରାମ ଗସ୍ତରେ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା। ତାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି ,କୁମାର ପାଠାଗାରକୁ ନବୀକରଣ , ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ ଏକ ଚିତ୍ରଣ ସ୍ତମ୍ଭ ସ୍ଥାପନ ଏବଂ ନିଆଁଖୁଣ୍ଟାଙ୍କ ଜନ୍ମ ଏବଂ ଶ୍ରାଦ୍ଧ ବାର୍ଷିକୀକୁ ଆଡମ୍ବର ସହକାରେ ପାଳନ ଆଦି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମର ମାନ୍ୟତା ମିଳିଥିବାରୁ ସମସ୍ତ ବାଣପୁରବାସୀ ଏ ନେଇ ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲେଡିହ ଗ୍ରାମର ପ୍ରମୋଦ ବାରିକଙ୍କ ଝିଅ ପୁଷ୍ପାଞ୍ଜଳି ବାରିକ(୨୨) କିଛି ବର୍ଷ ପୂର୍ବେ ନରେନ୍ଦ୍ରପୁର ଗ୍ରାମର କନ୍ଧ ବାରିକ ଙ୍କ ପୁତ୍ର ସମୀର ବାରିକଙ୍କୁ ବିବାହ କରିଥିଲେ।

ତେବେ କାଲି ରାତିରେ ପୁଷ୍ପାଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ରେ ଭର୍ତ୍ତି କରି ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟରାତ୍ରିରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ମେଡିକାଲ ପକ୍ଷରୁ ବାଣପୁର ପୋଲିସ କୁ ସୂଚନା ଦିଆଯାଇଥିଲା।

ତେବେ ପୁଷ୍ପାଞ୍ଜଳିଙ୍କ ପରିବାରବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ପୁଷ୍ପାଞ୍ଜଳି ଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଏବଂ ପୁଷ୍ପାଞ୍ଜଳି ଙ୍କ ମୃତ୍ୟୁର ପଛରେ କୌଣସି ଏକ ରହସ୍ୟ ରହିଛି। ବାଣପୁର ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ସୂଚନା ଥାଉକି ପୁଷ୍ପାଞ୍ଜଳିଙ୍କ ଏକ ଛୋଟ ଶିଶୁ ପୁତ୍ର ଅଛି।

Categories
ଆଞ୍ଚଳିକ

ବାଣପୁରରେ ଦୁଃଖଦ ଘଟଣା, କୂଅରେ ପଡି ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁଯାୟୀ ବାଣପୁର ଏନଏସି ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ଅସାବଧାନତା ବଶତଃ ବାରି କୂଅରେ ପଡିଯାଇଥିଲେ।

ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ହାଡିବନ୍ଧୁଙ୍କୁ ଘରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।