ଚିଲିକାର ମା କାଳିଜାଈ ପୀଠ: ମିଳୁନି ପିଇବା ପାଣି, ପର୍ଯ୍ୟଟକ ହତାସ

Published: Jun 4, 2023, 10:26 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ।

ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ।

ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ ଉପରେ ସଦାସର୍ବଦା ନିର୍ଭର କରିଥାନ୍ତି ସ୍ଥାନୀୟ ବ୍ୟକ୍ତି।

ଉକ୍ତ ମନ୍ଦିରକୁ ଅନେକ ସମୟରେ କେତେ ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ ମାନେ ଦର୍ଶନ କରିବାକୁ ଯାଉଥିଲେ ସୁଦ୍ଧା ପିଇବା ପାଣି ସମସ୍ୟା କାହାର ଦୃଷ୍ଟି ଗୋଚରରେ ଆସୁନଥିବା ସମସ୍ତଙ୍କୁ ଚକିତ କରିଛି।

ବହୁ କଷ୍ଟରେ ପାରିକୁଦ ରାଜା ସନ୍ତୋଷ ଦେଓଙ୍କ ସହାୟତା ଏବଂ ମନ୍ଦିର ପୂଜକ ଓ ଉଠା ଦୋକାନୀ ମାନଙ୍କ ପ୍ରୟାସରେ ଏଠାରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବରୁ ତାହା ଦୟନୀୟ ଅବସ୍ଥାରେ ପଡିରହିଛି।

ନୀଳ ଜଳରାଶିରେ ବୋଟିଂ ସାଙ୍ଗକୁ ପ୍ରକୃତିମୟୀ ଚିଲିକାର ମନଲୋଭା ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କ ସମେତ ସ୍ଥାୟୀ ବାସିନ୍ଦା ମନଭରି ଉପଭୋଗ କରିବାସହ ମା’ଙ୍କ ଦର୍ଶନ ନିମନ୍ତେ ଅହରହ ସମାଗମ ହେଉଥିଲେ ସୁଦ୍ଧା ଏଭଳି ସ୍ଥିତିରେ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

ନିଳାମ୍ବୁ ଚିଲିକା ପାଇଁ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚିଲିକା ଅଧିଷ୍ଠାତ୍ରୀ ମା’ କାଳିଜାଇଙ୍କ ପୀଠର ଉନ୍ନତି ଦିଗରେ ବିଭିନ୍ନ ମସ୍ୟଜୀବୀ ସଂଘ,ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Related posts