Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ, ଚିତାକର୍ଷକ ଥିଲା ଆତସବାଜି

ବାଣପୁର( ସୀତାରାମ ଅଗ୍ରୱାଲ): ଶନିବାର ଓ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ଶନିବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ।

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ। ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଳକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା। ଗତବର୍ଷ ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ବାଣପୁର ପଞ୍ଚୁଦୋଳରେ ପ୍ରଶାସନ ପକ୍ଷରୁ ବାଣ ନିଷେଧ କରାଯାଇଥିବାରୁ ଲୋକଙ୍କ ମାନରେ ନିରାଶା ଭାବ ପରିଲକ୍ଷିତ ହୋଇଥିଲା। ହେଲେ ଚଳିତ ବର୍ଷ ଚିତାକର୍ଷକ ଆତସବାଜି ପ୍ରଦର୍ଶନ ହୋଇଥିଲା।

ରବିବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ବାଲିପଦର ଲୋକନାଥ ଦେବ ପ୍ରଥମ ଓ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ଦ୍ୱିତୀୟ,ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ଚୟନ କରି କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଡୋରା, ଉପସଭାପତି ଅମର କାଣ୍ଡି ଓ ସମ୍ପାଦକ ମାଧବ ଚନ୍ଦ୍ର ବାରିକି ପୁରସ୍କାର ବିତରଣ କରିଥିଲେ।

ରବିବାର ଦିନତମାମ ହଜାର ହଜାର ଲୋକଙ୍କ ମେଳଣ ପଡିଆକୁ ଯିବା ଆସିବା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପଞ୍ଚୁଦୋଳ ପଡିଆରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ଲାଭ କରି ବିଭିନ୍ନ ପ୍ରକାର ଘର ସରଞ୍ଜାମ, ଖଟ ପଲଙ୍କ ସହ ପିଲାଙ୍କ ପାଇଁ ଖେଳନା କିଣାବିକା କରି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ଯାତ୍ରାରେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଥିବା ନଜରକୁ ଆସିଥିଲା। ମଥୁରା କେକ ଖାଇବା ପାଇଁ ଦୋକାନ ଆଗରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବଦେବୀ ଯଂଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତଥର ପରିକ୍ରମା କରିଥିଲେ l ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ସ୍ଵଗ୍ରାମକୁ ଗମନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା l ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବାଲୁଗାଁ ଏସ୍ଡ଼ିପିଓ ସୁଧାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହରା, ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଆଦି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପଞ୍ଚୁଦୋଳ କମିଟିମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇଛି।

Categories
ଆଞ୍ଚଳିକ

ସଜେଇ ହେଲାଣି ଐତିହାସିକ ପଡିଆ ପଲଟଣ: ରାତି ପାହିଲେ ବାଣପୁରରେ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ରାତି ପାହିଲେ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ।କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ। ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି।

ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି। ମନ୍ଦିରମାନଙ୍କରେ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି।ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେଓ।

ଜଗତଜନନୀ ମା’ଭଗବତୀଙ୍କୁ ଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ। ଅଗଣିତ ଭକ୍ତଙ୍କ ଠେଲା ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ।ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେବ ଅଶେଷ ଆନନ୍ଦ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପଞ୍ଚୁଦୋଳରେ ଲାଗିଲା ବିଜେଡି ନେତାଙ୍କ ହୋର୍ଡିଙ୍ଗ, ବିଧାୟକଙ୍କ ଫଟୋ ଗାୟବ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିଠାରୁ ଆରମ୍ଭ ହେଉଛି ବାଣପୁରର ଐତିହାସିକ ପଞ୍ଚୁଦୋଳ ଯାତ୍ରା। ଉକ୍ତ ଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ମଧ୍ୟ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି। କିଏ ନିଜ ଦଳ ବ୍ୟାନର ଲଗାଉ ଛି ତ ଆଉ କିଏ ନିଜର ବଡ ବଡ଼ ଫଟୋ ଲଗାଇ ଶୁଭେଚ୍ଛା ବାର୍ତ୍ତା ଦେଉଛି।

ତେବେ ଏହି ସବୁ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତହସିଲ ଛକରେ। ଏଠାରେ ପଞ୍ଚୁଦୋଳ ଶୁଭେଚ୍ଛା ଉପଲକ୍ଷେ ବିଜେଡି ନେତାଙ୍କ ପକ୍ଷରୁ ଦୁଇଟି ବଡ଼ ହୋର୍ଡିଙ୍ଗ ଲାଗିଥିବା ବେଳେ ଉଭୟରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଫଟୋ ନାହିଁ। ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଉଭୟେ ଗୋଟିଏ ସ୍ଥାନରେ ନିଜ ନିଜ ହୋର୍ଡିଙ୍ଗ ଲଗାଇଛନ୍ତି।

ଏନଏସି ଅଧ୍ୟକ୍ଷଙ୍କ ହୋର୍ଡିଙ୍ଗରେ ସାଂସଦ ପିନାକୀ ମିଶ୍ର ଏବଂ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ ଙ୍କ ଫଟୋ ଥିବା ବେଳେ ରଘୁନାଥ ସାହୁଙ୍କ ହୋର୍ଡିଙ୍ଗ ରେ ଏହି ଦୁଇ ଜଣଙ୍କ ଫଟୋ ନାହିଁ। ତେବେ ଉଭୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ, ଦେବୀ ମିଶ୍ର ଏବଂ ପ୍ରମିଳା ମଲ୍ଲିକଙ୍କୁ ସ୍ଥାନିତ କରିଛନ୍ତି। ହେଲେ ରଘୁ ତାଙ୍କ ହୋର୍ଡିଂରେ ବିଧାୟକ ଓ ସାଂସଦଙ୍କୁ ବାଦ ଦେଇଥିବା ବେଳେ ମିଟୁ ନାୟକ ସେହିପରି ବିଧାୟକଙ୍କୁ ଛାଡି ସାଂସଦ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ମାନସ ମଙ୍ଗରାଜଙ୍କ ଫଟୋ ଦେଇଛନ୍ତି।

ତେବେ ଏହାକୁ ଦେଖି ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ କୌତୁହଳ ପ୍ରକାଶ ପାଇଛି।ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବା ବେଳେ ଚିଲିକାରେ ନେତୃତ୍ୱ ବିହୀନ ବିଜେଡି କିପରି ଅଣ୍ଟା ସଳଖିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଉକ୍ତ ପୋଷ୍ଟର ୱାରରେ ପଛରେ ରହିଯାଇଛି ବିଜେପି। ବିଜେପି ନେତାଙ୍କ ପକ୍ଷରୁ ସେହିପରି ଭାବେ କୌଣସି ସ୍ଥାନରେ ଶୁଭେଚ୍ଛା ପୋଷ୍ଟର ଦେଖିବାକୁ ମିଳି ନାହିଁ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସଜେଇ ହେଲାଣି ମେଳଣ ପଡ଼ିଆ, ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ବାଣପୁର ପଞ୍ଚୁଦୋଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ରାତି ପାହିଲେ ବାଣପୁର ପଞ୍ଚୁଦୋଳ। ମହାମାରୀ କରୋନା ଦୁଇ ବର୍ଷ ଧରି ଛଡେଇ ନେଇଥିଲା ସବୁ ଆନନ୍ଦ ଉଲ୍ଲାସ। ଘରେ ରହି ହୃଦୟ ନେତ୍ରରେ ଶ୍ରଦ୍ଧାଳୁମାନେ ଅନୁଭବ କରୁଥିଲେ ଐତିହାସିକ ପଞ୍ଚୁଦୋଳଯାତ୍ରା। ଖାଁ ଖାଁ ଲାଗୁଥିଲା ପଡ଼ିଆ। ଭକ୍ତଙ୍କୁ ନଦେଖି ଦେବା ଦେବୀଙ୍କ ମନରେ ମଧ୍ୟ ଥିଲା ଅନେକ ଦୁଃଖ।

ଆଜି କିନ୍ତୁ ତାଙ୍କରି ଇଚ୍ଛାରେ ସବୁ ପରିବର୍ତ୍ତନ ହୋଇଛି। ମହାମାରୀ କରୋନା ଯାଇଛି। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ।

କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ।ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି।

ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି। ମନ୍ଦିରମାନଙ୍କରେ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି।

ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେଓ। ଜଗତଜନନୀ ମା’ଭଗବତୀ ଙ୍କୁଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ। ଅଗଣିତ ଭକ୍ତଙ୍କ ଠେଲା ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ।। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ।

ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେବ ଅଶେଷ ଆନନ୍ଦ।