ବାଣପୁରର ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ କାହିଁକି ଚୁପ ରହିଲା ବିଜେପି?: ଉତ୍ତର ରଖିଲେ ଚିଲିକା ବିଧାୟକ

Published: Jan 14, 2023, 8:41 pm IST

ଭୁବନେଶ୍ବର: ଆଜି ମକର ସଂକ୍ରାନ୍ତି ଅବସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅଟ୍ରି ହଟକେଶ୍ୱରଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ ବିଜୁ ଜନତା ଦଳରୁ ନିଲମ୍ବନ ପ୍ରଶ୍ନର ଉତ୍ତର ରଖିଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଉପରେ ଖୁବ୍ ବର୍ଷିଥିଲେ। ରଘୁନାଥ ବିଜେପିର ବ୍ୟାନରରେ ରହି ମୋ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ। ମୋ ଦେହରୁ ଦୁଇ ଲିଟର ରକ୍ତ ଯିବା, କେବେ ବ୍ୟର୍ଥ ଯିବନି ଏବଂ ସେଥିପାଇଁ ଷଡଯନ୍ତ୍ରକାରୀ ତଥା ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ।

ସେହିପରି ବାଣପୁରରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ବିଜେପି କାହିଁକି ନୀରବ ରହିଲା ପ୍ରଶ୍ନରେ ପ୍ରଶାନ୍ତ ଉତ୍ତର ରଖିଥିଲେ। ସେ କହିଥିଲେ ଯେ, “ବିଜେପି ସେଠାରେ ଘଟିଥିବା ଘଟଣାକୁ ଭଲ ଭାବରେ ଜାଣିଛି। ଯେହେତୁ ଗାଡି ଚଢାଇବା ଘଟଣାଟି ବିଜେପିର କାର୍ଯ୍ୟକ୍ରମସ୍ଥଳୀ ନିକଟରେ ହୋଇଥିଲା, ସେଠାରେ ସ୍ଥାନୀୟ ଲୋକ ସଠିକ କଥା ଜାଣିଛନ୍ତି। ତେଣୁ ମୋ ବିରୋଧରେ କହିଥିଲେ, ସେଠାରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥାନ୍ତେ, ସେଥିପାଇଁ ସେମାନେ ନୀରବ ରହିଥିଲେ। ବିଜେପି ସ୍ଵୀକାର କରିଛି ଯେ, ସେଠାରେ ଘଟିଥିବା ଘଟଣାରେ ଚିଲିକା ବିଧାୟକଙ୍କ କୌଣସି ଦୋଷ ନାହିଁ। ସେହି କାରଣରୁ ମୋ ବିରୋଧରେ କୌଣସି ଟିପ୍ପଣୀ ଦିଆଯାଇନାହିଁ ବୋଲି ବିଧାୟକ ପ୍ରାଶାନ୍ତ କହିବା ସହ ଏଥିପାଇଁ ସେ ବିଜେପିକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଏହି ସମୟରେ ଚିଲିକାର ଉନ୍ନୟନମୂଳକ କାର୍ଯ୍ୟ ଉପରେ ମଧ୍ୟ ଶ୍ରୀ ଜଗଦ୍ଦେବ ମତ ରଖିଥିଲେ। ବର୍ତ୍ତମାନ ଚିଲିକାରେ ପିଇବା ପାଣି ପାଇଁ ୩୬୦ କୋଟି ଟଙ୍କାର ପ୍ରକଳ୍ପ ଚାଲିଥିବା ବେଳେ ଦୁଇଟି ମେଡିକାଲ ପାଇଁ ୧୦ କୋଟି ଲେଖାଏଁ, ରାସ୍ତା ପାଇଁ ୨୦୦ କୋଟି ଟଙ୍କା, ଇରିଗେସନ ପାଇଁ ୫୦ କୋଟି ଟଙ୍କା, ଚିଲିକାର ବନ୍ଧ ପାଇଁ ୫୦ କୋଟି ଟଙ୍କା, ୩ ଟି ଷ୍ଟାଡିୟମ ପାଇଁ ୧୩ କୋଟି ଟଙ୍କା ପ୍ରଭୃତିର କାର୍ଯ୍ୟ ଚାଲିଥିବା ଚିଲିକା ବିଧାୟକ କହିଛନ୍ତି।

Related posts