Categories
ବିଶେଷ ଖବର

ସୁସ୍ଥ ହେବା ପରେ ଗିରିଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁରରେ ୧୪୪ ଧାରା ଜାରୀ

ଭୁବନେଶ୍ବର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାୟକ ବର୍ତ୍ତମାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଏହି ଚିକିତ୍ସା କରାଯାଉଛି। ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ମୁକ୍ତ ହେଲେ ତାଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳ ସେ ଗାଡି ଜବରଦସ୍ତ ନିଷିଧାଞ୍ଚଳ ଭିତରକୁ ପ୍ରବେଶ କରାଇଥିଲେ। ପୋଲିସ ତାଙ୍କୁ ବାରଣ କରିବା ସତ୍ତ୍ୱେ ସେ ମାନି ନ ଥିଲେ। ଯାହା ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମି ଏବଂ ବିଜେପି କର୍ମି ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୯ ଜଣ ପୋଲିସ କର୍ମି ଥିବା ବେଳେ ୧୨ ଜଣ ବିଜେପି କର୍ମି ଅଛନ୍ତି। ସେହିପରି ୨ ଜଣ ସାମ୍ବାଦିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ତେବେ ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଜେପି କର୍ମି ଚାରିପଟୁ ଘେରି ଆକ୍ରମଣ କରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣପୁରରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି। ଏହି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଆଇଜି କହିଛନ୍ତି।

Categories
PanchayatElection ଆଜିର ଖବର ସ୍ବାସ୍ଥ୍ୟ

ବାଣପୁର: ନିର୍ବାଚନ ପ୍ରଚାର ବେଳେ ହଠାତ୍ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଚିକିତ୍ସା ଜାରି

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ମେଡିକାଲ ଇନଚାର୍ଜ ଡାକ୍ତର ରମାକାନ୍ତ ନାୟକଙ୍କ ସୂଚନା ମୁତାବକ ବିଧାୟକ ଆଜି ଅପରାହ୍ନରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହିତ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ବିଧାୟକଙ୍କୁ ଅମ୍ଳଜାନ ଦିଆଯାଉଥିବା ବେଳେ ଏକାଧିକ ଟେଷ୍ଟ ମଧ୍ୟ ହୋଇଛି। ତେବେ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ବିଧାୟକଙ୍କୁ ଏମ୍ସ ହସ୍ପିଟାଲକୁ ରେଫେର କରାଯିବ ବୋଲି ଡାକ୍ତର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି।

ସୂଚନା ଥାଉକି ଆଜି ଅପରାହ୍ନ ରେ ଦେଓଗାଁ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିଧାୟକ ହଠାତ ଅସୁସ୍ଥତା ଅନୁଭବ କରିବାରୁ ଆଶୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ବିଧାୟକଙ୍କ ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତି ରହିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି କରିଛନ୍ତି।

Categories
PanchayatElection ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ଲଢେଇ, ଆଗରେ ବିଜେଡିର ଲିଲିବାଳା

ଚିଲିକା: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ସେହି ଅନୁସାରେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସେତିକି ଜମିବାରେ ଲାଗିଛି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନରେ ବର୍ତ୍ତମାନ ଚିଲିକାବାସୀଙ୍କ ନଜରରେ ରହିଛି।

ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଚାଲିଛି ଦ୍ବିମୁଖୀ ଲଢେଇ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢେଇ ହେଉଛି ବିଜେଡି ଏବଂ ବିଜେପି ମଧ୍ୟରେ। ବିଜେଡି ତରଫରୁ ଲିଲିବାଳା ଭୋଳ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ରୋଜିତା ପ୍ରଧାନ ଲଢେଇ କରୁଛନ୍ତି।ସେହିପରି କଂଗ୍ରେସରୁ ରଶ୍ମିତା ମହାପାତ୍ର ମଇଦାନରେ ଅଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତେବେ ତଥ୍ୟ ଅନୁସାରେ ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଲିଲିବାଳା ଭୋଳ ପ୍ରଚାରରେ ବେଶ୍ ଆଗରେ ଅଛନ୍ତି। ବିଜେପିର ରୋଜିତା ପଛରେ ପଡିଥିବା ବେଳେ, କଂଗ୍ରେସର ପ୍ରଚାର ଶିଥିଳ ଅବସ୍ଥାକୁ ଚାଲି ଆସିଛି। ମୁଖ୍ୟତଃ ରାଜ୍ୟରେ ବିଜେପି ମୁଣ୍ଡ ବିହୀନ ହୋଇପଡିଥିବାରୁ ବର୍ତ୍ତମାନ ସାରା ଓଡିଶାରେ ବିଜେପି ପ୍ରାର୍ଥୀମାନେ ବାଉଳା ହୋଇପଡିଛନ୍ତି। ଏପରିକି ରାଜନୈତିକ ତଥା ଆର୍ଥିକ ସମର୍ଥନ ଦେବାରେ ବିଜେପି ବିଫଳ ହୋଇପଡିଛି। ସେପରି କ୍ଷେତ୍ରରେ ଏହି ଜୋନର ପ୍ରାର୍ଥୀ ମଧ୍ୟ ରାଜ୍ୟ ନେତୃତ୍ୟରୁ ସେମିତି କିଛି ଫାଇଦା ହାସଲ କରିପାରୁ ନାହାଁନ୍ତି।

ସେହିପରି କଂଗ୍ରେସ ଅବସ୍ଥା ତଦୁର୍ପ। ଏଥର ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡିଥିଲା। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ଟାଣୁଆ ନେତା ନ ଥିବାରୁ ଦଳର ପ୍ରାର୍ଥିମାନେ ଏକରକମର ନେତୃତ୍ୟ ଛେଉଣ୍ଡ ଭାବେ ପ୍ରଚାର କରୁଛନ୍ତି।

ତେବେ ପ୍ରଚାର କ୍ଷେତ୍ରରେ ବିଜେଡି ବେଶ ଆଗରେ ରହିଛି। ମୁଖ୍ୟତଃ ଏହି ଦଳର ଦୃଢ ସଂଗଠନ ସହିତ ନବୀନଙ୍କ ଭାବମୂର୍ତ୍ତି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବିଜେଡି ପ୍ରାର୍ଥିନୀ ଲିଲିବାଳା ଭୋଳ ତାଙ୍କ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏହି ପ୍ରଚାର କ୍ଷେତ୍ରରେ ବେଶ୍ ସହଯୋଗ କରିବାରେ ଲାଗିଛନ୍ତି। ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ପ୍ରାଣେ ପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି। ଗତ ଥର ଏହି ଆସନ ବିଜେଡି ହାତରେ ଥିଲା। ଏଥର ମଧ୍ୟ ବିଜେଡି ସେହି ଆସନକୁ ହାତେଇବ ବୋଲି ଆଶା ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା: ଛକାପଞ୍ଝା ଭିତରେ ଘୋଷଣା ହେଲା ବିଜେଡ଼ିର ଜିଲ୍ଲାପରିଷଦ ପ୍ରାର୍ଥୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଏଠି ବିଗତ କିଛି ମାସ ହେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି। ଯାହାଫଳରେ କର୍ମୀମାନେ ଦ୍ଵନ୍ଦ୍ଵରେ ରହିଆସିଛନ୍ତି। ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ଦେବ, ତାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିଛି।

ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ମାତ୍ର ଆଉ ଗୋଟାଏ ଦିନ ବାକିଥିବାବେଳେ ଦଳୀୟ ଜିଲ୍ଲା ପରିଷଦ ଟିକେଟକୁ ନେଇ କର୍ମୀଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା। ସେପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ ତାଙ୍କର ଆନୁଗତ୍ୟଙ୍କୁ ଟିକେଟ ଦେବାପାଇଁ ଦଳର ସୁପ୍ରିମୋଙ୍କ ନିକଟରେ ଲବି ଚଳାଇଥିବାବେଳେ ଅପରପକ୍ଷେ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ନିଜ ଆନୁଗତ୍ୟଙ୍କୁ ଟିକେଟ ଦେବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରିରଖିଥିଲେ। ପରିଶେଷରେ ଉକ୍ତ ଟିକେଟ ଯୁଦ୍ଧରେ ବାଜିମାତ କରିଛନ୍ତି ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହେଲେ ଗତକାଲି ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି।

ଗତକାଲି ରାତିରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ୬ ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଛି। ୦୪ ନମ୍ବର ଜୋନରେ ମମତା ପାଇକରାୟ, ୦୫ନମ୍ବର ଜୋନରେ ରୀନା ବେହେରା, ୦୬ ନମ୍ବର ଜୋନରେ ସବିତା ସୁନ୍ଦରାୟ, ୧୩ ନମ୍ବର ଜୋନରେ ସସ୍ମିତା ପ୍ରଧାନ, ୧୪ ନମ୍ବର ଜୋନରେ ଲିଲି ବାଳା ଭୋଳ ଏବଂ ୧୫ ନମ୍ବର ଜୋନରେ ଗୋପୀନାଥ ମହାରଣାଙ୍କୁ ବିଜୁ ଜନତା ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀରୂପେ ଦଳୀୟ ଟିକେଟ ମିଳିଛି।

ତେବେ ଉକ୍ତ ସମସ୍ତ ପ୍ରାର୍ଥୀଙ୍କୁ ପୂର୍ବରୁ ବିଧାୟକ ଜଗଦ୍ଦେବଙ୍କ ସମର୍ଥନ ଥିବା ଜଣାପଡିଛି। ଏହି ଘୋଷଣାକୁ ସ୍ୱାଗତ କରିବା ସହ ନିର୍ବାଚନରେ ସଫଳତା କାମନା କରିଛନ୍ତି ବିଜୁ ଜନତା ଦଳର ସଂଗଠିକା ସ୍ୱାଗତିକା ଜଗଦ୍ଦେବ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ। ତେବେ ଉକ୍ତ ଟିକେଟ ଘୋଷଣା ପରେ ଦଳରେ ଅବହେଳିତ ଅବସ୍ଥାରେ ଥିବା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ଆଗାମୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କର ନଜର। ସେ ଦଳୀୟ ପ୍ରାର୍ଥୀଙ୍କୁ ପୁନଶ୍ଚ ୨୦୧୯ ବିଧାନସଭା ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ଜିତାଇବା ପାଇଁ ଅଣ୍ଟା ଭିଡ଼ିବେ ନା ନିଜର ଶକ୍ତି ପ୍ରଦର୍ଶନ କରି ନିଜ ଆନୁଗତ୍ୟ ପ୍ରାର୍ଥୀଙ୍କୁ ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ତାହା ଦେଖିବାକୁ ବାକି ରହିଲା।

Categories
ଆଞ୍ଚଳିକ

ଚିଲିକା: ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ସୀତାରାମ ଅଗ୍ରୱାଲ

ଚିଲିକା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବହୁ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଅଛି। ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି ଏବଂ ବାଲୁଗାଁ ଏନଏସିରେ ଉକ୍ତ କାର୍ଡ ବଣ୍ଟନ କରାଯାଇଅଛି। ଚିଲିକା ବ୍ଲକର ବ୍ଲକ କାର୍ଯ୍ୟାଳୟ, ବାଲୁଗାଁ ଏନଏସି ର ଏନଏସି କନଫରେନ୍ସ ହଲ ଏବଂ ବାଣପୁର ବ୍ଲକ ଓ ଏନଏସି ମିଳିତ ଭାବେ ସହିଦ କୃତିବାସ ଭବନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ତେବେ ଆଜି ପ୍ରଥମ ଦିନରେ ବାଣପୁର ବ୍ଲକର ୧୦୫, ଚିଲିକା ବ୍ଲକର ୮୯, ବାଣପୁର ଏନଏସିର ୩୦ ଏବଂ ବାଲୁଗାଁ ଏନଏସି ର ୫୫ ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ମିଳିଛି। ତେବେ ଉଭୟ ବ୍ଲକ ଓ ଏନଏସି ର ଅନ୍ୟ ହିତାଧିକାରୀଙ୍କୁ ପଞ୍ଚାୟତ ଏବଂ ୱାର୍ଡ ୱାରୀ ଉକ୍ତ ସ୍ମାଟ ହେଲଥ କାର୍ଡ ପ୍ରଦାନ କରାଯିବ।

ଉକ୍ତ ସମସ୍ତ ସ୍ଥାନରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକ, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ରମାକାନ୍ତ ନାୟକ ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରୁ ନିଲମ୍ବନ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ଚିଲିକା ବିଧାୟକ ପ୍ରଶାନ୍ତ: ବିରୋଧୀଙ୍କୁ ଦେଲେ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଦୁଇମାସ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅନେକ କଳ୍ପନା ଜଳ୍ପନା ପରେ ବିଜେଡି ଦଳିୟ ପତାକା ସହ ବିଜେଡି ଜୟ ଧ୍ୱନିରେ ବାଇକ୍ ରାଲି ଏବଂ ଆୟୋଜିତ ସଭାରେ ଶହ ଶହ କର୍ମୀଙ୍କ ସହ ଏକାଠି ହୋଇଥିବାର ଦେଖିବାକୁ ମିଳିଛି।

ସୂଚନା ଥାଉକି ଗତ ସେପ୍ଟେମ୍ବର ୮ତାରିଖରେ ଚିଲିକା ବିଜେଡି ବିଧାୟକ ପ୍ରଶା୍ନ୍ତ ଜଗଦ୍ଦେବ ଏନ୍ଏସି ସମ୍ମୁଖରେ ବିଜେପୀ କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିବା ସହ ସାମ୍ବାଦିକଙ୍କ ମୋବାଇଲ୍ ଛଡେଇବା ଅଭିଯୋଗରେ ବାଲୁଗାଁ ଥାନାରେ ୧୫୬/୨୧ରେ ବିଧାୟକଙ୍କ ବିରୁଦ୍ଧରେ ଅନେକ ସଙ୍ଗୀନ ଦଫା ସହ ଜାତିଆଣ ଭେଦଭାବ ଭଳି ଦଫା ଲଗାଇ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ଏପରି କାର୍ଯ୍ୟ କଳାପ ଯୋଗୁଁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ। ଗିରଫ ଭୟରେ ସେହି ଦିନ ଠାରୁ ଫେରାର ଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏପରିକି ବିଧାୟକଙ୍କ ନିଜସ୍ଵ ବାସଭବନରେ ମଧ୍ୟ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା କିନ୍ତୁ ବିଧାୟକଙ୍କ ଟେର୍ ପାଇନଥିଲା ପୋଲିସ୍। ମାତ୍ର ହାଇକୋର୍ଟରେ ଅକ୍ଟୋବର ୫ ତାରିଖରେ ବିଧାୟକ ଜାମିନ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ବିଧାୟକଙ୍କ ଜାମିନ୍ ଖାରଜ କରିଦେଇଥିଲେ ଏବଂ ନିର୍ଦ୍ଧିଷ୍ଟ ତାରିଖରେ ତଳ କୋର୍ଟରେ ହାଜିର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅକ୍ଟୋବର ୮ତାରିଖରେ ବିଧାୟକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୧ ରେ ହଜାର ହୋଇଥିଲେ। ସେହିଦିନ ହିଁ ତାଙ୍କ ଶୁଣାଣି ଶେଷ କରି ବିଚାରପତି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ବିଧାୟକ ଜେଲ୍ ଯିବାର ଦୁଇ ଘଣ୍ଟା ପରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ ରେ ରହିବା ଅବସ୍ଥାରେ ବିଧାୟକଙ୍କୁ ଅକ୍ଟୋବର ୨୧ରେ ମିଳିଥିଲା ଜାମିନ୍। ଏହାରି ଭିତରେ ଦୀର୍ଘ ୧୫ ଦିନ ବିତିଗଲା ପରେ ଆଜି ଦଳୀୟ ପତକା ସହ ବିଜୁ ଜନତା ଦଳ ଜିନ୍ଦାବାଦ୍, ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ଏବଂ ପ୍ରଶାନ୍ତ ଜଗଦ୍ଦେବ ଜିନ୍ଦାବାଦ ସ୍ଲୋଗାନରେ ବାଲୁଗାଁରୁ ବାହାରି ବାଣପୁର ଭଗବତୀ ମନ୍ଦିର ରେ ପହଞ୍ଚିଥିଲା ବିଶାଳ ରାଲି।

 

ଅନୁଷ୍ଠିତ ସଭାରେ ବିଗତ ଦିନରେ ଚିଲିକାର ବିକାଶ ତଥା ଚିଲିକାରେ ବିକାଶ କାର୍ଯ୍ୟରେ ଯିଏ ବିରୋଧ କରିବ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଥିଲେ। ଏଥି ସହିତ ଗତ ଦୁଇ ବର୍ଷ ଭିତରେ ଯାହା ବିକାଶ ହୋଇଛି ତାହା ଠାରୁ ଅଧିକ ବିକାଶ ଆସନ୍ତା ତିନି ବର୍ଷରେ କରାଯିବ ବୋଲି ଦୃଢ଼ ମତପୋଷଣ କରିଥିଲେ ବିଧାୟକ ଜଗଦ୍ଦେବ। ଏହି ଅବସରରେ ବିନା ନାମ ନେଇ ବିରୋଧୀଙ୍କୁ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଟାର୍ଗେଟ କରିଛନ୍ତି। ଆମ ବିରୋଧୀ ଦଳ ନେତା ଜୀବନରେ କେବେ ହେଲେ ୱାର୍ଡ ମେମ୍ବର ଟିଏ ହୋଇପାରିଲେନି ବୋଲି ପ୍ରଶାନ୍ତ କଟାକ୍ଷ କରିଛନ୍ତି। ସେହିଭଳି ନିଜ ଦଳର କିଛି ନେତା ଢୋଲ ଭିତରେ ମୂଷା ଭଳି ବିରୋଧୀଙ୍କ ସହ ହାତ ମିଶାଇଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି। ସେହିଭଳି ଲୋକଙ୍କୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ କହି ସଭାରେ ପ୍ରଶାନ୍ତ ଚେତାବନୀ ଦେଇଛନ୍ତି।

ଦଳୀୟ ନିଲମ୍ବନ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପଚାରିବାରେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କି ମୋ ଉପରେ ନିଲମ୍ବନ ଜାରି ରହୁ କିମ୍ବା ନିଲମ୍ବନ ପ୍ରତ୍ୟାହାର ହେଇଯାଉ ମୋ ଉପରେ କିଛି ଫରକ୍ ପଡିବ ନାହିଁ। ଜନତାଙ୍କ ସେବା ମୋର କର୍ତ୍ତବ୍ୟ। ଆଗରୁ ଦଳରେ ଥିଲି ସଦା ସର୍ବଦା ଦଳରେ ଅଛି।

ଅପରପକ୍ଷେ ବିଧାୟକଙ୍କ ଆଜିର ଏଭଳି କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେଡ଼ିକୁ ପ୍ରଶ୍ନ କରାଯାଇଛି। ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ନା ଏହା ଏକ ଛଳନା ଥିଲା ବୋଲି ବିଜେପି ପଚାରିଛି। ଯଦି ଦଳରୁ ଚିଲିକା ବିଧାୟକ ନିଲମ୍ବିତ ହୋଇଛନ୍ତି, ତେବେ ବିଜେଡ଼ି ପକ୍ଷରୁ ଏହି ଶୋଭାଯାତ୍ରା କେମିତି କରାଯାଇଛି ବୋଲି ବିଜେପି ପ୍ରଶ୍ନ କରିଛି।

ସେହିଭଳି କରୋନା କଟକଣା ଭିତରେ ଶତାଧିକ ଲୋକଙ୍କୁ ନେଇ ରାଲି ପାଇଁ କିଏ ଅନୁମତି ଦେଲା ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ଦୀପାବଳି ପର୍ବରେ ରାଜ୍ୟସରକାର ଆତସବାଜୀ ଫୁଟାଇବା ପାଇଁ ବାରଣ କରିଥିଲେ ମଧ୍ୟ ଶୋଭାଯାତ୍ରାରେ ବାଣ ଫୁଟାଇବାକୁ ନେଇ ବିଜେପି ଆପତ୍ତି କରିଛି। ତେବେ ଏହି ଶୋଭାଯାତ୍ରା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଖୁଲମ ଖୁଲା ଚ୍ୟାଲେଞ୍ଜ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ଆଜି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସର୍ତ୍ତ ରଖି ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ହୋଇଛି। ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ପ୍ରଶାନ୍ତଙ୍କ ନିକଟରେ ଉଚ୍ଚ ନ୍ୟାୟାଳୟ ସର୍ତ୍ତ ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।

ତେବେ ଏହି ଘଟଣାରେ ଗତ ୫ ତାରିଖରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖରେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଚିଲିକା ବିଧାୟକ ଜାମିନ ଆବେଦନ କରିଥିଲେ। ହେଲେ ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। କିନ୍ତୁ ଜେଲ ପରିସରରେ ବିଧାୟକଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଆଇନ ଭାବେ ଚିକିତ୍ସା କରାଗଲେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି।

ତେବେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ନିଶ୍ଵାସ ନେବାରେ ଅସୁବିଧା ସହ ହୃଦରୋଗ, ମଦୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ରହିଛି। ତାଙ୍କର ଦିନେ ଦୁଇଦିନ ପରେ ଆଂଜିଓଗ୍ରାଫି ହେବ। ଯଦି ହୃଦୟରେ ସମସ୍ୟା ଥିବ, ତେବେ ଅସ୍ତ୍ରୋପଚାର କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ମେଡ଼ିସିନ ବିଭାଗ ଓ ହୃଦରୋଗ ବିଭାଗର ଡାକ୍ତର ତାଙ୍କର ଚିକିତ୍ସାରେ ନିଯୋଜିତ ଅଛନ୍ତି। ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ।

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ବେଆଇନ କାର୍ଯ୍ୟ କରୁନାହାନ୍ତି। ଯଦି ଏଭଳି କେହି କରୁଥିବେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ହାଇକୋର୍ଟଙ୍କ ଦ୍ଵାରସ୍ଥ  ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଚିଲିକା ବିଧାୟକ ପୁଣିଥରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ଗତ ୫ ତାରିଖରେ ମଧ୍ୟ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଗତ ୮ ତାରିଖରେ ଖୋର୍ଦ୍ଧା ଏଡିଜେ କୋର୍ଟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। କିନ୍ତୁ ଜେଲ ପରିସରରେ ବିଧାୟକଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପୁଣିଥରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ।

ଉଲ୍ଲେଖ ଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ଜାମିନ ଆବେଦନର ଶୁଣାଣି ପାଖାପାଖି ୧୧.୩୦ ମିନିଟରେ ସମାପ୍ତ ହୋଇଥିଲା। ହେଲେ ରାୟ ସଂରକ୍ଷିତ ରଖାଯାଇଥିଲା। ବିଧାୟକ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହେପାଜତକୁ ପଠାଇଦେଇଥିବା ଖବର ହସ୍ତଗତ ହୋଇଛି।

ବାଲୁଗାଁ ମଣ୍ଡଳର ଜଣେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ଆଜି ସେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଆକ୍ରମଣ ଘଟଣା: ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରେ ପ୍ରଶାନ୍ତ ହାଜର ହେବା ସହ ଜାମିନ ଆବେଦନ କରିଥିବା ସୂଚନା ରହିଛି। ଗତ ୫ ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବାଦନକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଗିରଫ ଦାବି: ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ କଲା ବିଜେପି ଜନଜାତି ମୋର୍ଚ୍ଚା

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା।

ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ବିଧାୟକଙ୍କୁ ଗିରଫ କରାଯାଇନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଜନଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳି ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଜନଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଜନଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଘଟଣା: ଆସନ୍ତାକାଲି ବାଲୁଗାଁ ଥାନା ଘେରାଉ କରିବ ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏ ନେଇ ଉକ୍ତ ଦିନ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁକରିଥିବା ବେଳେ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ। ଆଜିକୁ ଦୀର୍ଘ ଚାରି ଦିନ ବିତିଗଲାଣି କିନ୍ତୁ ସାମ୍ବାଦିକଙ୍କ ଏତଲାକୁ ବାଲୁଗାଁ ପୋଲିସ ରୁଜୁ କରୁନାହିଁ।

ଅପରପକ୍ଷେ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରିପାଇନାହାନ୍ତି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଠୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଦାବି ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ସେପ୍ଟେମ୍ବର ୧୨ ତାରିଖ ଦିବା ୧୦ ଘଟିକାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ ମାନେ ଶାନ୍ତିପୂର୍ଣ ଧାରଣା ଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡା, ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଧନ୍ୟବାଦ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଗୁଣ୍ଡାଭାବେ ସରକାରୀ ଅଫିସର ଏବଂ ସାଧାରଣ ଜନତା ଓ ରାଜନେତାଙ୍କୁ ଆକ୍ରମଣ କରିଥାନ୍ତି। ବହୁତ ଥର ଏପରି ଅମାନବୀୟ କାର୍ଯ୍ୟ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେଥିପାଇଁ ଧନ୍ୟବାଦ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀ ଦଳର କର୍ମୀଙ୍କୁ ଆକ୍ରମଣ ଏବଂ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବାହର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିସ୍କୃତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ବାଲୁଗାଁ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିଲା। ବିଜେପି ନଗର ମଣ୍ଡଳ ସଭାପତିଙ୍କ ଅଭିଯୋଗ କ୍ରମେ ଚିଲିକା ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬/୨୧ କେସ ନମ୍ବରରେ ଏକ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଥିବାର ଖୋର୍ଦ୍ଧା ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାର୍ଯ୍ୟ ପାଇଁ ନୂତନ ବିଧାୟକ ପ୍ରତିନିଧି ଚୟନ

ସମୀକ୍ଷା ବ୍ୟୁରୋ

ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ମନୋନୀତ ହୋଇଥିବା ଅଜୟ କୁମାର ଦାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସଫଳତାର ସହ ଏହି ଦାୟିତ୍ବ ନିର୍ବାହ କରିଥିବାବେଳେ ଏହି ନୂତନ କାର୍ଯ୍ୟକୁ ବେଶ୍‌ ସୂଚାରୁରୂପେ ସମ୍ପନ୍ନ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ରେ ବିଧାୟକଙ୍କ ନୂତନ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଗୋପୀନାଥ

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ମିଳିଲା ନୂତନ ଦାୟିତ୍ବ। ବାଣପୁର ବ୍ଲକ୍‌ର ବିଧାୟକଙ୍କ ପ୍ରତିନିଧି ଭାବେ ସେ କାର୍ଯ୍ୟ କରିବେ। ଏହି କ୍ରମରେ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁପରିଚାଳନା ନିମେନ୍ତ ତାଙ୍କୁ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ବାରା ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଗୋପୀନାଥଙ୍କ କର୍ତ୍ତବ୍ୟନିଷ୍ଠା ତଥା କର୍ମତତ୍ପରତା ପାଇଁ  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ଉପରେ ଏପରି ଏକ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଚିଲିକା ବିଧାୟକ ଚିଠି ନଂ ୩୮୦/୨୦୧୯ ଜରିଆରେ ବାଣପୁର ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଇଛନ୍ତି ।

ଛାତ୍ର ଜୀବନରୁ ଗୋପୀନାଥ ରାଜନୀତି, ସାମଜସେବା ତଥା ପ୍ରତିଟି କ୍ଷେତ୍ରରେ ଜଣେ ଉତ୍ସାହୀ ରୂପେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି। ୨୦୦୬ରୁ ଗୋଦାବୀରଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ହୋଇଥିବାବେଳେ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ।  କମ୍‌ ବୟସରୁ ନିଜର ଉତ୍ସାହ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗୋପୀନାଥ ସଫଳତାର ପାହାଚ ଅତିକ୍ରମ କରିଚାଲିଛନ୍ତି। ଆଗାମୀ ଦିନରେ ବାଣପୁରର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ଗୋପୀନାଥ  କହିଛନ୍ତି।

ରିପୋର୍ଟର୍‌ : ସୀତାରାମ ଅଗ୍ରଓ୍ବାଲ