ବିଧାନସଭାରେ ଚିଲିକା ବିଧାୟକ ଗିରଫ ପ୍ରସଂଗ, ରାଜ୍ୟରେ ବିଧାୟକ ଅସୁରକ୍ଷିତ ବୋଲି ଉଠିଲା ପ୍ରଶ୍ନ

Published: Mar 27, 2022, 10:58 am IST

ଭୁବନେଶ୍ବର: ବିଧାନସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପ୍ରସଂଗ ଆସିଛି। ଏ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହର ଶୂନ୍ୟକାଳରେ ଏହି ପ୍ରସଂଗକୁ ଉତ୍ଧାପନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜଣେ ବିଧାୟକଙ୍କୁ ଗିରଫ କଲା ସେ ନିୟମ ଅନୁଯାୟୀ ବିଧାନସଭାକୁ ଜଣାଇବା କଥା। ହେଲେ ସେ ସେପରି କରି ନାହାଁନ୍ତି।

ରାଜ୍ୟର ଜଣେ ବିଧାୟକଙ୍କୁ ଗିରଫ କରିବା ଏବଂ ଗୃହକୁ ଅବଗତ ନ କରାଇବା ବିଧାନସଭାର ସ୍ବାଧୀକାର ଭଂଗ ହୋଇଛି। ଏହା କହି ସେ ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଂଗ ନୋଟିସ ଆଣିଥିଲେ। ସେ ପୁଣି କହିଥିଲେ ଯେ, ବିଧାୟକଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଣ ପାଇଁ ଗୃହକୁ ଅନ୍ଧାରରେ ରଖିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ବିଧାୟକମାନେ ଅସୁରକ୍ଷିତ। ଅଫିସର କିମ୍ବା ପୋଲିସ ବିଧାୟକଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଉ ନାହାଁନ୍ତି ବୋଲି ନରସିଂହ କହିଥିଲେ।

ତେବେ ଏ ନେଇ ବାଚସ୍ପତି କହିଥିଲେ ଯେ, ତାଙ୍କର ଗିରଫ ସଂପର୍କରେ ବିଧାନସଭାକୁ ଅବଗତ କରାଯାଇଛି। ସେ ଗାଡି ଚଢାଇବା ପରି ଦୁର୍ଘଟଣା କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହେଲେ ବିଧାୟକ ନରସିଂହ ମିଶ୍ର ପୁଣି ପ୍ରଶ୍ନ କରିଥିଲେ ଯେ, ତାଙ୍କ ଗିରଫ ଖବର ବିଧାନସଭାକୁ କେବେ ଦିଆଗଲା।

ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ବିଧାୟକଙ୍କ ଗିରଫ ଖବର ଖୋର୍ଦ୍ଧା ଏସପି 23 ତାରିଖ ଅପରାହ୍ନ 2ଟା 45ରେ ମେଲ ଯୋଗେ ବିଧାନସଭାକୁ ପଠାଇଛନ୍ତି। ତାଙ୍କୁ 22 ତାରିଖ ଅପରାହ୍ନ 3 ଟା 45ରେ ଗିରଫ କରାଯାଇଥିଲା। ତେବେ ସେହି ଦିନ ବାଚସ୍ପତିଙ୍କୁ ଏ ମେଲ ସଂପର୍କରେ କୁହାଯାଇ ନ ଥିଲା। ତାପର ଦିନ ଛୁଟି ଥିଲା। ଫଳରେ ସେ 25 ତାରିଖରେ ଏ ସଂପର୍କରେ ଅବଗତ ହେଲେ ବୋଲି ବାଚସ୍ପତି କହିଥିଲେ।

ସ୍ବୀଧୀକାର ଭଂଗ ନୋଟିସ ସଂପର୍କରେ ବାଚସ୍ପତି ତର୍ଜମା କରି ନିଷ୍ପତି ନେବେ ବୋଲି ଗୃହକୁ ଅବଗତ କରାଇଥିଲେ।

Related posts