ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ଲଢେଇ, ଆଗରେ ବିଜେଡିର ଲିଲିବାଳା

Published: Feb 14, 2022, 11:55 am IST

ଚିଲିକା: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ସେହି ଅନୁସାରେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସେତିକି ଜମିବାରେ ଲାଗିଛି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନରେ ବର୍ତ୍ତମାନ ଚିଲିକାବାସୀଙ୍କ ନଜରରେ ରହିଛି।

ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଚାଲିଛି ଦ୍ବିମୁଖୀ ଲଢେଇ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢେଇ ହେଉଛି ବିଜେଡି ଏବଂ ବିଜେପି ମଧ୍ୟରେ। ବିଜେଡି ତରଫରୁ ଲିଲିବାଳା ଭୋଳ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ରୋଜିତା ପ୍ରଧାନ ଲଢେଇ କରୁଛନ୍ତି।ସେହିପରି କଂଗ୍ରେସରୁ ରଶ୍ମିତା ମହାପାତ୍ର ମଇଦାନରେ ଅଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତେବେ ତଥ୍ୟ ଅନୁସାରେ ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଲିଲିବାଳା ଭୋଳ ପ୍ରଚାରରେ ବେଶ୍ ଆଗରେ ଅଛନ୍ତି। ବିଜେପିର ରୋଜିତା ପଛରେ ପଡିଥିବା ବେଳେ, କଂଗ୍ରେସର ପ୍ରଚାର ଶିଥିଳ ଅବସ୍ଥାକୁ ଚାଲି ଆସିଛି। ମୁଖ୍ୟତଃ ରାଜ୍ୟରେ ବିଜେପି ମୁଣ୍ଡ ବିହୀନ ହୋଇପଡିଥିବାରୁ ବର୍ତ୍ତମାନ ସାରା ଓଡିଶାରେ ବିଜେପି ପ୍ରାର୍ଥୀମାନେ ବାଉଳା ହୋଇପଡିଛନ୍ତି। ଏପରିକି ରାଜନୈତିକ ତଥା ଆର୍ଥିକ ସମର୍ଥନ ଦେବାରେ ବିଜେପି ବିଫଳ ହୋଇପଡିଛି। ସେପରି କ୍ଷେତ୍ରରେ ଏହି ଜୋନର ପ୍ରାର୍ଥୀ ମଧ୍ୟ ରାଜ୍ୟ ନେତୃତ୍ୟରୁ ସେମିତି କିଛି ଫାଇଦା ହାସଲ କରିପାରୁ ନାହାଁନ୍ତି।

ସେହିପରି କଂଗ୍ରେସ ଅବସ୍ଥା ତଦୁର୍ପ। ଏଥର ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡିଥିଲା। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ଟାଣୁଆ ନେତା ନ ଥିବାରୁ ଦଳର ପ୍ରାର୍ଥିମାନେ ଏକରକମର ନେତୃତ୍ୟ ଛେଉଣ୍ଡ ଭାବେ ପ୍ରଚାର କରୁଛନ୍ତି।

ତେବେ ପ୍ରଚାର କ୍ଷେତ୍ରରେ ବିଜେଡି ବେଶ ଆଗରେ ରହିଛି। ମୁଖ୍ୟତଃ ଏହି ଦଳର ଦୃଢ ସଂଗଠନ ସହିତ ନବୀନଙ୍କ ଭାବମୂର୍ତ୍ତି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବିଜେଡି ପ୍ରାର୍ଥିନୀ ଲିଲିବାଳା ଭୋଳ ତାଙ୍କ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏହି ପ୍ରଚାର କ୍ଷେତ୍ରରେ ବେଶ୍ ସହଯୋଗ କରିବାରେ ଲାଗିଛନ୍ତି। ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ପ୍ରାଣେ ପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି। ଗତ ଥର ଏହି ଆସନ ବିଜେଡି ହାତରେ ଥିଲା। ଏଥର ମଧ୍ୟ ବିଜେଡି ସେହି ଆସନକୁ ହାତେଇବ ବୋଲି ଆଶା ରଖିଛି।

Related posts