ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

Published: Mar 31, 2022, 4:29 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଜେଏମଏଫସି କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି। ତେବେ ବିଧାୟକଙ୍କ ଓକିଲ ପକ୍ଷରୁ ପୁଣି ବାଣପୁର ସହକାରୀ ଦୌରା ଜଜଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବାଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି।  ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ସଚ୍ଚିତ୍ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ।

Related posts