Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ବଢିପାରେ ଅଡୁଆ!: ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା

ସୀତାରାମ ଅଗ୍ରୱାଲ

ବାଣପୁର: ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘମାସ ହେବ ବାଣପୁର ସବ ଜେଲରେ ଅଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିଦେଇଥିବା ବେଳେ ବିଧାୟକଙ୍କ ଓକିଲଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ଉଚ୍ଚତମ ନ୍ୟାୟାଳୟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ହେବ। କିନ୍ତୁ ତା’ପୂର୍ବରୁ ଅର୍ଥାତ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି।

ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି। ତେବେ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦଙ୍କ ସୂଚନା ମୁତାବକ ଉକ୍ତ ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଛି। ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି। ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟରଯାନ ଦଫା ମଧ୍ୟ ଲାଗିଛି।

ଉକ୍ତ ତିନି ଦଫା ଯୋଡି ହେବା ପରେ ବିଧାୟକଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ହେଲେ ଆସନ୍ତା ୨୫ ତାରିଖ ଦିନ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

Categories
ଆଞ୍ଚଳିକ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣପୁର ସବ୍‌ ଜେଲକୁ ଆସିଲେ ଝାରପଡା ଜେଲର ୯୮ ଜଣ କଏଦୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟ ସରକାର କରୋନା ପାଇଁ ସବୁ ବିଭାଗରେ ସତର୍କତା ଅବଲମ୍ବନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା କଏଦୀମାନଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ କାରାଗାରରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କୁ ନିକଟସ୍ଥ କାରାଗାର କିମ୍ବା ଉପ କାରାଗାରକୁ ସ୍ଥାନାନ୍ତରଣ କରାଯାଉଅଛି। ଏହି କ୍ରମରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରଗାରକୁ ଭୁବନେଶ୍ବର ସ୍ଥିତ ଝାରପଡା କାରାଗାରରେ ଥିବା ୯୮ ଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି।

୨୦୦୮ ମସିହାରେ ନିର୍ମିତ ବାଣପୁର ଉପ କାରାଗାରରେ ପାଖାପାଖି  ୨୦୦ ଜଣ କଏଦୀ ରହିବା ପାଇଁ କ୍ଷମତା ଥିବାବେଳେ ସେଠାରେ ୪୨ ଜଣ କଏଦୀ ରହୁଥିଲେ। ଏବେ ଏହି ନୂତନ ୯୮ ଜଣ କଏଦୀଙ୍କୁ ମିଶାଇ ବାଣପୁର ଉପକାରାଗାରରେ ମୋଟ୍‌ ୧୪୦ ଜଣ କଏଦୀ ରହିଛନ୍ତି। ବାଣପୁରରେ ରହିଥିବା ମୂଳ ୪୨ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ସଂଖ୍ୟା ୮ ଜଣ ଥିବାବେଳେ ବିଚାରଧୀନ କଏଦୀ ହେଉଛନ୍ତି ୩୪ ଜଣ। ସେହିପରି ନୂତନ ଭାବେ ଝାରପଡାରୁ ସ୍ଥାନାନ୍ତର ହୋଇଥିବା ୯୮ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୩ ଜଣ କଏଦୀ ରହିଥିବାବେଳେ ବିଚାରଧୀନ କଏଦୀ ରହିଛନ୍ତି ୭୫ ଜଣ।

କରୋନାକୁ ଆଖି ଆଗରେ ରଖି ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଅଛି। କଏଦୀଙ୍କ ପରିଷ୍କାର ପରିଚ୍ଛନ୍ନତା ସହ କାରାଗାରରେ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଉଛି। ଜେଲରଙ୍କ ତରଫରୁ ସବୁ କଏଦୀ ମାନଙ୍କୁ ମାସ୍କ, ଲାଇଫ ବୟ ସାବୁନ ଓ ଡେଟଲ ସାନିଟାଇଜର ଯୋଗାଇ ଦିଆଯିବା ସହ ଅତିରିକ୍ତ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି। କଏଦୀମାନଙ୍କ ଦ୍ବାରା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ କରାଯାଉଥିବାବେଳେ ପ୍ରତିଦିନ ଭିଡିଓ କନଫରେନ୍ସ ଦ୍ୱାରା ବିଭିନ୍ନ ବିଭାଗୀୟ ଅଦାଲତର ବିଚାରପତିଙ୍କ ସମ୍ମୁଖରେ ରିମାଣ୍ଡ ତାରିଖ ଅନୁଯାୟୀ କଏଦୀ ମାନଙ୍କୁ ହାଜିର କରାଯାଉଅଛି ବୋଲି ଜେଲ ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ବାରିକ ସୂଚନା ଦେଇଛନ୍ତି।