Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ଉତ୍କର୍ଷ ଓଡିଶା ୨୦୨୫, ଆସିଲା ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଂଜି

ଭୁବନେଶ୍ବର: ଶେଷ ହେଲା ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ । ଦୁଇ ଦିନିଆ ଏହି ସମ୍ମିନୀରେ ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗ ଆସିଛି। ଏହି ସମ୍ମିଳନୀରେ ସମୁଦାୟ ୧୪୫ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି । ଏହି ସଫଳତାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ଏହି ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି। ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ସେ କହିଥିଲେ ଯେ ଓଡିଶା ହେଉଛି ଉତ୍କୃଷ୍ଟ। ଓଡିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି।

ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ପ୍ରକାଶ କରିବା ସହିତ ଓଡିଶାର ସାଢେ ଚାରିକୋଟି ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି। ଏହି କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ୍ ଇଞ୍ଜି୍ନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି। ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ।

ଏହି ସମ୍ମିଳନୀରେ ସମୁଦାୟ ୧୪୫ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଗୁଡିକ ଓଡିଶାର ଶିଳ୍ପକ୍ଷେତ୍ରରେ କାୟକଳ୍ପ ପରିବର୍ତ୍ତନ କରିବା ସହିତ ବିଶ୍ୱ ସ୍ତରୀୟ ଶିଳ୍ପସଂସ୍ଥା ମାନଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ କରିବ । ଏହି MoU ଗୁଡିକ ଜରିଆରେ ସମୁଦାୟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ହୋଇଛି । କେମିକାଲସ୍, ପେଟ୍ରୋକେମିକାଲସ୍, ଟେକ୍ସଟାଇଲସ୍, ମାଇନଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇ.ଟି, ପର‌୍ୟ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି ।

ଏହା ଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ରାଜ୍ୟରେ ସମାବେଶୀ ଅଭିବୃଦ୍ଧି (Inclusive Growth) ହୋଇପାରିବ ।

MoU ସ୍ୱାକ୍ଷର ବ୍ୟତୀତ ଆହୁରି ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ ଟି ପୁଞ୍ଜିନିବେଶ ଅଭିପ୍ରାୟ (Investment Intents Received in Forms) ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ । ଏହା ଦ୍ୱାରା ୩.୯୨ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।

ଏହି କନକ୍ଲେଭରେ ସମୁଦାୟ ୨୦ ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଏବଂ ଏହାଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ପରି ପାର୍ଟନର ଦେଶର ପ୍ରତିନିଧି ମାନଙ୍କ ସହିତ ୧୬ ଟି ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗଦେଇଥିଲେ । ଏହା ଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି ।

ଦ୍ୱିତୀୟ ଦିନ କାର‌୍ୟ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲଡ୍ ଇନ୍ ଓଡିଶା, ମହିଳା ମାନଙ୍କ ଉଦ୍ୟୋଗ ସ୍ଥାପନ, ପର‌୍ୟ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା ।

ଆଧୁନିକ ଓ ଆଗାମୀ ଦିନରେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ୱାର୍କଫୋର୍ସକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରଣନୀତି ଉପରେ ସ୍କିଲଡ୍ ଇନ୍ ଓଡିଶା ସେସନରେ ଆଲୋଚନା କରାଯାଇଥିଲା । ମହିଳା ଉଦ୍ୟମଶୀଳତା (Women Entrepreneurship)ଓ ଷ୍ଟାର୍ଟଅପ୍ ଓଡିଶା ଆଦି ସମ୍ପର୍କିତ ପ୍ୟାନେଲ ଡିସ୍କସନରେ ଅଭିନବ ଓ ସମାବେଶୀ (Innovation and Inclusivity) ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ନବୀକରଣୀୟ ଶକ୍ତି, ସର୍କୁଲାର ଇକୋନମି ଓ ଗ୍ରୀନ ଟେକ୍ନୋଲୋଜି ଆଦି ଆଲୋଚନାରେ ଚିରନ୍ତନ ବିକାଶ (Sustainable Development) ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ ଓ ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରିରହିବ ।

ଏହି କନକ୍ଲେଭର ସଫଳତା ପାଇଁ ଶିଳ୍ପ ବିଭାଗ, ଇପିକଲ, ଇଡକୋ, ସି.ଆଇ.ଆଇ, ପିଡବ୍ଲୁସି ପରି ବିଭିନ୍ନ ସଂସ୍ଥା ଦ୍ୱାରା ଯୋଜନାବଦ୍ଧ ଭାବେ ପରିଶ୍ରମ କରିଛନ୍ତି । ସେମାନଙ୍କୁ ମୁଁ ଧନ୍ୟବାଦ୍ ଦେଉଛି । ଏହି ଦୁଇ ଦିନର କାର‌୍ୟ୍ୟକ୍ରମ ଗଣମାଧ୍ୟମ ଜରିଆରେ ଉତ୍କର୍ଷ ଓଡିଶାର ସମ୍ବାଦ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି । ଏଥିପାଇଁ ମୁଁ ଗଣମାଧ୍ୟମ ସଂସ୍ଥା ଓ ଏଥିରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର। ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ।  ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ସେ ପୁଣି କହିଥିଲେ, ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମେ ଭିତ୍ତିଭୂମି ବିକାଶ କରୁଛୁ। ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି। ଯଦ୍ଵାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ସାତ ମାସର ସରକାର। କିନ୍ତୁ ଏହି ସାତ ମାସ ମଧ୍ୟରେ ଆମେ ଓଡ଼ିଶାରେ ଜାତୀୟ ସ୍ତରର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛୁ। ଆଜିର ଏହି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରିଛି। ଓଡ଼ିଶା ପ୍ରାକୃତିକ ସମ୍ବଳ ଓ ଖଣିଜ ସମ୍ପଦରେ ଭରପୂର। ଏସବୁର ସଠିକ ଉପଯୋଗରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ବୋଲି ମୋଦିଜୀ କହିଛନ୍ତି। ଆପଣ ମାନଙ୍କ ସହଯୋଗରେ ମୋଦିଜୀଙ୍କ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ଵାଗତ ଅଭିଭାଷଣ ରଖି ଅଂଶଗ୍ରହଣକାରୀ ସମସ୍ତ କମ୍ପାନୀ ଗୁଡିକୁ ଓଡ଼ିଶାକୁ ସ୍ଵାଗତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ।  ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ଅଧିବେଶନକୁ ସଂଚାଳନ କରିଥିବାବେଳେ, ପିଡବ୍ଲୁସି (pwc)ର ଅଧ୍ୟକ୍ଷ ସଂଜୀବ କ୍ରିଷନ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।ଶେଷରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟରେ ଥିବା ନିବେଶ ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍କର୍ଷ ଓଡ଼ିଶା – ମେକ ଇନ୍‌ ଓଡ଼ିଶା ସମ୍ମିଳନୀରେ ଆଇଟି/ଆଇଟିଇଏସ/ଇଏସଡିଏମ ଉପରେ ଆୟୋଜିତ କ୍ଷେତ୍ରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ବଜେଟ ବଳକା ରାଜ୍ୟ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାରେ ଥିବା ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି।

ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ୭୩ ହଜାର କୋଟି ଟଙ୍କା ଏବଂ  ଦୂରସଞ୍ଚାର କ୍ଷେତ୍ରରେ ୫୦୩୩ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ନିବେଶ ପାଇଁ ଆଜି ଘୋଷଣା ହୋଇଛି। ଏହା ଓଡ଼ିଶା ପାଇଁ ଲାଭଦାୟକ ହେବ। ଓଡ଼ିଶାକୁ ଖୁବଶୀଘ୍ର ଏକ ଆଇଟି କେନ୍ଦ୍ରସ୍ଥଳୀରେ ପରିଣତ କରାଯିବ। ଓଡ଼ିଶା ସରକାର ଏଥିପାଇଁ ଭୁବନେଶ୍ୱର ମଧ୍ୟଭାଗରେ ୩ ଲକ୍ଷ ବର୍ଗଫୁଟ ଜମି ଆବଣ୍ଟନ କରିଛନ୍ତି ଏବଂ ଆଇଟି ଶିଳ୍ପର ବିକାଶ ପାଇଁ ଖୁବଶୀଘ୍ର ଆଉ ୧୨ ଲକ୍ଷ ବର୍ଗଫୁଟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଇଟି କମ୍ପାନୀଗୁଡ଼ିକ ପାଇଁ ମୋଟ୍‌ ୧୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଉଚ୍ଚ ମାନର ସୁବିଧା ଯୋଗାଇ ଦିଆଯିବ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ୧ ଜାନୁଆରୀ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସେମିକଣ୍ଡକ୍ଟର ମିଶନ ବେଶ୍‌ ପ୍ରଗତି ହାସଲ କରିଛି । ପ୍ରାରମ୍ଭରେ ବିଶ୍ୱ ଏହାର ସଫଳତାକୁ ନେଇ ସନ୍ଦେହ କରିଥିଲା। ବର୍ତ୍ତମାନ ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ମାତ୍ର ୬୦ରୁ ୯୦ ଦିନ ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଥିବା ସେ କହିଥିଲେ। ଡାଭୋସରେ ଅନୁଷ୍ଠିତ ବିଶ୍ୱ ଆର୍ଥିକ ମଞ୍ଚ ବୈଠକରେ ଭାରତରେ ସେମିକଣ୍ଡକ୍ଟର ପାଇଁ ରହିଥିବା ଏଭଳି ବ୍ୟବସାୟିକ ସୁଗମତା ବିଷୟରେ ଜାଣି ଉଦ୍ୟୋଗ ଜଗତ ଚକିତ ହୋଇଛି। ସେମାନେ ମଧ୍ୟ ଭାରତରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଭାରତ ବିଶ୍ୱର ସେମିକଣ୍ଡକ୍ଟର ଶିଳ୍ପ କେନ୍ଦ୍ର ହେବାକୁ ଯାଉଥିବା ନେଇ ବିଶ୍ୱସ୍ତରୀୟ ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି। ସେମିକଣ୍ଡକ୍ଟର ଶିଳ୍ପ ବିକାଶ ପାଇଁ ଭାରତର ଏହି ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସେ କହିଥିଲେ, ଓଡ଼ିଶାରେ ପ୍ରତିଭାବାନ ଇଞ୍ଜିନିୟର ଏବଂ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବିଶ୍ୱବ୍ୟାପୀ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ମଧ୍ୟ ଏଠାରେ କାର୍ଯ୍ୟ କରିପାରିବେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଇଣ୍ଡିଆ ଏଆଇ ମିଶନ ମଧ୍ୟ ଯଥେଷ୍ଟ ପ୍ରଗତି ହାସଲ କରିଛି। ଭାରତ ଖୁବଶୀଘ୍ର ନିଜସ୍ୱ ଏଲଏଲଏମ ବିକଶିତ କରିବାକୁ ଯାଉଛି । ଇଣ୍ଡିଆ ଏଆଇ କମ୍ପ୍ୟୁଟ୍‌ କେନ୍ଦ୍ର ଠାରେ ୧୮ହଜାର ଜିପିୟୁ ସୃଷ୍ଟି କରିବା ଲାଗି ଭାରତକୁ କମ୍ପ୍ୟୁଟ୍‌ ବିଡ୍‌ ମିଳିସାରିଛି। ଏହା ଧାର୍ଯ୍ୟ ଲକ୍ଷ୍ୟ ୧୦ହଜାର ଜିପିୟୁ ଠାରୁ ବେଶ ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ସେ କହିଥିଲେ, ପୂର୍ବରୁ ଭାରତ ମାତ୍ର ୭୦୦ ଜିପିୟୁ ବିଶିଷ୍ଟ ସୁପର କମ୍ପ୍ୟୁଟର ବିକଶିତ କରିଥିଲା। ବର୍ତ୍ତମାନର କ୍ଷମତା ଏହାଠାରୁ ଅନେକ ଗୁଣ ଅଧିକ । ଯେଉଁମାନେ ଇଣ୍ଡିଆ ଏଆଇ ମିଶନରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅପାର ସୁଯୋଗ ଓ ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ମଧ୍ୟ ଏଆଇ କମ୍ପୁଟ୍‌ ଫେସିଲିଟି ଓ ଡେଟା ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ।

ପ୍ରତିଭାଙ୍କୁ ପ୍ରୋତ୍ସାହନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଥିଲେ, 5-ଜି ପ୍ରଯୁକ୍ତି ଆରମ୍ଭ କରିବା ସମୟରେ ଏହି ବିଷୟ ପ୍ରତି ଧ୍ୟାନ ଦିଆଯାଇ ୧୦୦ଟି ବିଶ୍ୱ ବିଦ୍ୟାଳୟରେ 5-ଜି ଲ୍ୟାବ୍‌ ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ୨୪୦ଟି ବିଶ୍ୱବିଦ୍ୟାଳୟରେ  5-ଜି ଲ୍ୟାବ୍‌ ଖୋଲାଯାଇଛି ଏବଂ ଏଠାରେ ଛାତ୍ରଛାତ୍ରୀମାନେ  ଇଡିଏ ସୁବିଧା ପାଇପାରୁଛନ୍ତି ଏବଂ ନୂଆ ସମାଧାନ ଖୋଜିବା ଦିଗରେ କାମ କରୁଛନ୍ତି । ଚିପ୍ସ, କାର୍ଡ ଆଦି ପ୍ରଯୁକ୍ତିଭିତ୍ତିକ ଉପକରଣ ମିଳିବା ଫଳରେ ଛାତ୍ରଛାତ୍ରୀ ବାସ୍ତବ ଶିଳ୍ପ ଅଭିଜ୍ଞତା ହାସଲ କରିପାରୁଛନ୍ତି। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଏହି ସୁବିଧା ଥିଲା, ବର୍ତ୍ତମାନ ଏଥିପାଇଁ ଆଉ ୭ଟି କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚୟନ କରାଯାଇଛି। ଖୁବଶୀଘ୍ର ଏସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଆଇଟି ଓ ଆଇଟିଇଏସ କ୍ଷେତ୍ରର ଶିଳ୍ପପତି, ଗବେଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀରେ ସ୍ବାକ୍ଷରିତ ହେଲା 54 ଟି ଏମଓୟୁ, ସର୍ବାଧିକ ନିବେଶ ଆଦାନୀ ଗ୍ରୁପ

ଭୁବନେଶ୍ବର: ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀର ପ୍ରଧମ ଦିନରେ ଏକାଥରେ 54 ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସୂଚନା ଦେଇଛନ୍ତି ଶିଳ୍ପ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାକୁ ପ୍ରଥମ ଦିନରେ ପ୍ରାୟ 4 ଲକ୍ଷ କୋଟି ଟଙ୍କାର ନିବେଶ ଆସିସାରିଲାଣି।

ଏହା ମଧ୍ୟରେ ସର୍ବାଧିକ ପୁଂଜି ନିବେଶ ଆସିଛି ଆଦାନୀ ଗ୍ରୁପ ତରଫରୁ। ଏହି କଂପାନୀ ଓଡିଶାରେ 2 ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ କରିବ ବୋଲି ଘୋଷଣା କରିଛି। କଂପାନୀ ଓଡିଶା ସିମେଣ୍ଟ, ଶକ୍ତି, ଆଲମ୍ୟୁନା ଏବଂ ଶିଳ୍ପ ପାର୍କ ନିର୍ମାଣ ଯୋଜନା କରିଛି।

ସେହିପରି ଜିନ୍ଦଲ କଂପାନୀ ମଧ୍ୟ ତାହାର କ୍ଷମତା ବୃଦ୍ଧି କରିବା ପାଇଁ ବୁଝାମଣା ସ୍ବାକ୍ଷର କରିଛି। ସେହିପରି କେନ୍ଦୁଝରରେ କଂପାନୀ ଏକ 5 ମେଟ୍ରିକ ଟନ କ୍ଷମତା ପ୍ରାପ୍ତ ନୂଆ ଇସ୍ପାତ କାରଖାନା କରିବାକୁ ମଧ୍ୟ ବୁଝାମଣା ସ୍ବାକ୍ଷର କରିଛି। ଏଥିପାଇଁ କଂପାନୀ 35 ହଜାର କୋଟି ପୁଂଜି ବିନିଯୋଗ କରିବ ବୋଲି ନିଷ୍ପତି କରିଛି। ସେହିପରି ଜେଏସପିଏଲ ରାଜ୍ୟରେ 70 ହଜାର କୋଟି ବିନିଯୋଗ କରିବାକୁ ବୁଝାମଣା ସ୍ବାକ୍ଷର କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉତ୍କର୍ଷ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି, କନଭେସନ ଓ କନସର୍ଟ ପରି ନୂଆ ପର୍ଯ୍ୟଟନ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ଆଶା ସଂଚାର କରିଛନ୍ତି। ମୁଖ୍ୟତଃ ଓଡିଶାର ଶିଳ୍ପ ସହିତ ପର୍ଯ୍ୟଟନର ବିକାଶ ପାଇଁ ନିବେଶକ ଆଗେଇ ଆସିବାକୁ ସେ ଆହ୍ବାନ କରିଛନ୍ତି।

ଆଜି ଜନତା ମଇଦାନରେ ଆୟୋଜିତ ଏହି ସମ୍ମିଳନୀରେ ସେ ଓଡିଶାରେ କନଭେନସ ଓ ଲାଇଭ କନସର୍ଟ ପର୍ଯ୍ୟଟନ ପାଇଁ ଆଗେଇ ଆସିବାକୁ ନିବେଶକଙ୍କୁ କହିଛନ୍ତି। ସେ ଉଦବୋଧନ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଭାରତ ମଣ୍ଡପମ ପରି ଓଡିଶାରେ ମଧ୍ୟ ଏକ ବଡ ମଣ୍ଡପର ଆବଶ୍ୟକତା ରହିଛି। କାରଣ ଓଡିଶାରେ ଯେପରି ପ୍ରାକୃତିକ ତଥା ଐତିହାସିକ ସ୍ଥଳ ରହିଛି ତାହା ଏହି କନଭେସନ କରାଗଲେ ଉନ୍ନତି ହୋଇପାରିବ। ଦେଶ ବିଦେଶରୁ ଲୋକେ ଆସି ଏଠାରେ ସମ୍ମିଳନୀର ଆୟୋଜନ କରିବେ।

ସେହିପରି ଓଡିଶାରେ ଯେପରି ସାଂସ୍କୃତିକ ଶୋଭାରାଶି ରହିଛି ତାହା ମଧ୍ୟ ବେଶ ଆକର୍ଷଣୀୟ ବୋଲି ମୋଦି କହିଥିଲେ। ସେଥିପାଇଁ ଓଡିଶା ଲାଇଭ କନସର୍ଟ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ସ୍ଥଳ। ଏ କ୍ଷେତ୍ରରେ ଦେଶ ବିଦେଶର ଇଭେଣ୍ଟ ସଂସ୍ଥାମାନେ ଆଗେଇ ଆସିବା ଉଚିତ ବୋଲି ମୋଦି କହିଥିଲେ। ବର୍ତ୍ତମାନ ସାରା ବିଶ୍ବରେ ଏହି ଲାଇଭ କନସର୍ଟ ଏକ ନୂଆ ରୂପନେବାରେ ଲାଗିଛି। ଏଥିପାଇଁ କୋଟିକୋଟି ଟଙ୍କା ବିନିଯୋଗ ମଧ୍ୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଓଡିଶାର ପ୍ରାକୃତିକ ଶୋଭା ଓ ନୌବାଣିଜ୍ୟ ପରଂପରାକୁ ମନେ ପକାଇଲେ

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରଥମେ ସେହି ଜୟଜଗନ୍ନାଥ ବୋଲି କହି ଆରମ୍ଭ କରିଥିଲେ। ଏହାପରେ ସେ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରଂପରା ଉପରେ ବର୍ଣ୍ଣନା କରିଥିଲେ। ଏଥିରେ ସେ ଓଡିଶାରେ କେବଳ ଟ୍ରାଡିସନ ନାହିଁ ଟ୍ରେଡ ମଧ୍ୟ ରହିଛି ବୋଲି କହିଥିଲେ।ସେତେବେଳେ ଓଡିଶା ଭାରତର ଗେଟୱେ ଥିଲା। ସେହି ପ୍ରାଚୀନ ଟ୍ରେଡ ପରଂପରାକୁ ବର୍ତ୍ତମାନର ରାଜ୍ୟ ସରକାର ସାକାର କରିବେ। ଆଉ ଓଡିଶାର ବିକାଶ ବେଶ ଉପରକୁ ଛୁଇଁବ ବୋଲି ସେ କହିଥିଲେ।

ଏହି ସମୟ ହେ..ସହି ସମୟ ହେ….

ମୋଦି ଅଭିଭାଷଣ ବେଳେ ନିବେଶକଙ୍କୁ କହିଥିଲେ ଯେ, ଓଡିଶାରେ ନିବେଶ କରିବାକୁ ହେଲେ ଏହି ସମୟ ହେ ସହି ସମୟ। ଅର୍ଥାତ ଓଡିଶାରେ ନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହେଉଛି ଠିକ ସମୟ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କଥାକୁ ଉଲ୍ଲେଖ କରିଥିବାରୁ ପ୍ରଧାନମନ୍ତ୍ରୀ ତାହାକୁ ପୁଣି ଥରେ ନିବେଶକଙ୍କୁ ମନେ ପକାଇଥିଲେ।

ନବୀନ ସରକାରଙ୍କୁ ହାଲକା ରେ କେଞ୍ଚିଲେ

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ବେଳେ କହିଥିଲେ ଯେ, ବର୍ତ୍ତମାନ ଏହି ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଯୋଗଦେଇଛନ୍ତି। ପୂର୍ବରୁ ଯେତେ ଏହି ସମ୍ମିଳନୀ ହୋଇଥିଲା ସେଥିରେ ଏତେ ନିବେଶକ ଆସି ନ ଥିଲେ। ବର୍ତ୍ତମାନ ପ୍ରାୟ ଛଅ ଗୁଣା ଅଧିକ ନିବେଶକ ଓଡିଶା ଆସିଛନ୍ତି କହି ନବୀନ ସରକାରଙ୍କରୁ ପରୋକ୍ଷରେ କେଞ୍ଚି ଥିଲେ।

ଶେଷରେ ମୋଦି କହିଥିଲେ ଯେ, ବିକଶିତ ଭାରତର ପ୍ରମୁଖ କେନ୍ଦ୍ର ହେବ ଓଡିଶା। ଓଡିଶା ହିଁ ବିକଶିତ ଭାରତର ପ୍ରମୁଖ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଉଦଘାଟିତ ହେଲା ଉତ୍କର୍ଷ ଓଡିଶା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଉଦଘାଟନ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭୁବନେଶ୍ବରରେ ଆୟୋଜିତ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଓଡିଶୀ ସମ୍ମିଳନୀ ଉଦଘାଟିତ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ଉଦଘାଟନ ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ।

ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀର ଆୟୋଜିତ ହୋଇଥିବା ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ ସେ ମୁଖ୍ୟ ମଣ୍ଡପରେ ଯୋଗଦେଇ ଦେଶ ଏବଂ ଦେଶ ବାହାରୁ ଆସିଥିବା ଶିଳ୍ପପତିଙ୍କୁ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀର, କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଛନ୍ତି।

ଏହି ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବଙ୍କ ସହିତ ଓଡିଶାର ସବୁ ମନ୍ତ୍ରୀ ଏବଂ ବିଧାୟକ ସହ ବହୁ ସାଂସଦ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି, ଯୋଗଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ପୁରା କାର୍ଯ୍ୟକ୍ରମ

ଭୁବନେଶ୍ବର: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି।

ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପସ୍ଥାପନାରୁ ଜଣାଯାଇଛି ଯେ, ଜାନୁଆରୀ ୨୭ ତାରିଖରେ Confederation of Indian Industries ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍ ର ବୈଠକ ଅନୁଷ୍ଠିତ ହେବ। ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ (Plenary Session), ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ୍ କନଫରେନସ୍ ଅନୁଷ୍ଠିତ ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଯୋଗଦେବେ।

୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ମାନଙ୍କୁ ଉଦବୋଧନ ଦେବେ। ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତି ମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସି.ଇ.ଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀ ମାନଙ୍କ ସ୍ୱତନ୍ତ୍ର ସେସନ୍ ଏବଂ ମହିଳା ବିଜନେସ୍ ଲିଡର୍ସ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ। ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିଆଲ୍ ଏକଜିବିସନ୍ ଅନୁଷ୍ଠିତ ହେବ।

ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।