Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସରେ ଆଜି ସକାଳେ ରାଜ ଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତି ଓ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ରାଉତରାୟ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉତ୍କଳ ସମ୍ମିଳନୀ ଓ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗୃହ ଭିତରେ ଗୋପବନ୍ଧୁ, ମଧୁବାବୁ, ଗୋଦାବରୀଶ ପ୍ରମୁଖ କରିଥିବା ତର୍କ ଏବେ ଉପଲବ୍ଧ

ଭୁବନେଶ୍ୱର: ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି।

ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇପାରିଛି। ଏପରି ଗୁରୁତ୍ୱପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାଠାରୁ ବିଧାୟକମାନଙ୍କ ବିବରଣୀ ରହିଛି। ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା। ବରିଷ୍ଠ ସାମ୍ବାଦିକ ତଥା ସାହିତି୍ୟକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଦିନଠାରୁ ଏହି ନଥି ସଂଗ୍ରହଣ ଉଦ୍ୟମ ଜାରି ରହିଥିଲା।

୨୦୦୧ ମସିହାରେ ସାମ୍ବାଦିକ ଶ୍ରୀ ଦାଶ ତତ୍‌କାଳୀନ ବିଧାନସଭା ବାଚସ୍ପତି ଶରତ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍‌କାଳୀନ ସଚିବ ଜଗଦୀଶ୍‌ ପ୍ରସାଦ ଦାଶ ଜନୈକ କର୍ମଚାରୀ ରବି ନାରାୟଣ ମିଶ୍ରଙ୍କୁ ଏଥି ପାଇଁ ପାଟନା ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଲୋକସଭାର ତତ୍‌କାଳୀନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ସହିତ ସାମ୍ବାଦିକ ଶ୍ରୀ ଦାଶ ଯୋଗାଯୋଗ କରିଥିଲେ ମଧ୍ୟ ବିହାରରୁ କୌଣସି କାଗଜପତ୍ର ଆସିପାରିନଥିଲା।

୨୦୨୧ରେ ପୁନଶ୍ଚ ଓଡ଼ିଶା ବିଧାନସଭାର ତତ୍‌କାଳୀନ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଏ ସଂପର୍କରେ ବିହାର ବିଧାନସଭା ସହ ଯୋଗାଯୋଗ କରିଥିଲେ ଏବଂ ସଚିବ ଶ୍ରୀ ଶତପଥୀ ନଥିପତ୍ର ସଂପର୍କରେ ବିହାର ବିଧାନସଭା ସଚିବଙ୍କୁ ଚିଠି ଲେଖିଥିଲେ।

ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ସ୍ୱତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ (ଗବେଷଣା) ଶ୍ରୀ ଅମୂଲ୍ୟ କୁମାର ସ୍ୱାଇଁଙ୍କୁ ଏଥି ନିମନ୍ତେ ବିହାରର ରାଜଧାନୀ ପାଟନା ପଠାଯାଇଥିଲା। ଶ୍ରୀ ପ୍ରଧାନ ଓ ଶ୍ରୀ ସ୍ୱାଇଁ ପାଟନାରେ ରହି ବିହାର ବିଧାନ ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡ଼ିଶା ଫେରିଲେ। ଏହା ଫଳରେ ଓଡ଼ିଶା ବିଧାନସଭାକୁ ୧୦୦ ବର୍ଷ ତଳର ପୁରୁଣା ନଥି ପହଞ୍ଚିପାରିଛି।

ପ୍ରକାଶଯୋଗ୍ୟ ଯେ ତତ୍‌କାଳୀନ ମାଡ୍ରାସ ପ୍ରେସିଡେନ୍‌ସୀରେ ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ଓଡ଼ିଶା ସଂପର୍କିତ ତଥ୍ୟ ସଂଗ୍ରହଣ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡ଼ିଶା ବିଧାନସଭା ପକ୍ଷରୁ ଯୋଗାଯୋଗ କରାଯାଇଛି। ତେଣୁ ବିଭିନ୍ନ ତଥ୍ୟ ଓଡ଼ିଶା ବିଧାନସଭାକୁ ତାମିଲନାଡୁରୁ ଆସିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶଙ୍କ ନିରବଚ୍ଛିନ୍ନ ପ୍ରୟାସ ସାଙ୍ଗକୁ ବିଧାନସଭା ସଚିବ ଶ୍ରୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କ ନିଷ୍ଠାପର ଉଦ୍ୟମ ବଳରେ ଏହି ଐତିହାସିକ ନଥିପତ୍ର ହାସଲ କରାଯାଇପାରିଥିବାରୁ ବାଚସ୍ପତି ଶ୍ରୀ ଆରୁଖ ଆନନ୍ଦ ପ୍ରକାଶ କରିଛନ୍ତି ଓ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

( ଏଥିରେ ଥିବା ଫଟୋଟି ଏକ ପ୍ରତିକାତ୍ମକ ଫଟୋ, ଏହି ଲେଖାରେ ଥିବା ତଥ୍ୟ ଅନୁସାରେ ଏହି ଫଟୋଟିର କୌଣସି ସାମଞ୍ଜସ୍ୟ ନାହିଁ)

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଭୂପିନ୍ଦର ସିଂ, ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପସଚିବ ଶ୍ରୀ ଶିଶିରକାନ୍ତ ସ୍ୱାଇଁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉତ୍କଳଗୌରବ ମଧୁସୂଦନ ଦାସ ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ। ମାତୃଭୂମି ଓ ମାତୃଭାଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ଅସୀମ ତ୍ୟାଗ, ତପସ୍ୟା, ସାଧନା, ସଂଗ୍ରାମ ଓ ପ୍ରତିବଦ୍ଧତା ପାଇଁ ଆମ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପରିଚୟ ପାଇବା ସହିତ ସସମ୍ମାନେ ମୁଣ୍ଡଟେକି ଠିଆହୋଇଛି ବୋଲି ବାଚସ୍ପତି ଡଃ. ପାତ୍ର ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ।

ଶାଶ୍ୱତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ମଧୁବାବୁଙ୍କ ଅମ୍ଳାନ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।