Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 146 ତମ ଜନ୍ମ ବାର୍ଷିକ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ସଂଗ୍ରାମର କାହାଣୀକୁ ସ୍ମରଣ କରିଛନ୍ତି।

ସେ ଏକ ଟୁଇଟ ମାଧ୍ୟମରେ ଗୋପବନ୍ଧୁଙ୍କ ସଂପର୍କରେ କହିଛନ୍ତି ଯେ, ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସୁଆଣ୍ଡୋରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଶିକ୍ଷିତ ସମାଜ ଗଠନ ପାଇଁ ସେ ଦେଖାଇଥିବା ମାର୍ଗ ତଥା ଲୋକଙ୍କ ସେବା ଓ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସାଧନା ସର୍ବଦା ପ୍ରେରଣାର ଉତ୍ସ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ଆଜି ହେଉଛି ପୁଣାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146 ତମ ଜନ୍ମ ତିଥି। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସେଠାରେ ଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା।

ଏଥିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଅମତ ଶତପଥୀ ଏବଂ ଅନନ୍ତନାରାୟଣ ଜେନା ସହିତ ବିଧାନସଭା ସଚିବ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଓ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି। ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି । ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନା କେନ୍ଦ୍ର ମଧ୍ୟ କରାଯାଇଛି।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ। ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ। ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି। ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ। ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି।

ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର। ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା। ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଶ୍ରୀ ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । ଏହାସହିତ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ଉମାକାନ୍ତ ସାମସ୍ତରାୟ ସମାଜ ଖବରକାଗଜ ପକ୍ଷରୁ ଶ୍ରୀ ନିରଞ୍ଜନ ରଥ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

5T ଉପକ୍ରମ ରେ ଉତ୍କଳମଣି ଙ୍କ ଜନ୍ମସ୍ଥାନ ର ରୂପାନ୍ତର ରେ ପୁରୀ ର
ଜିଲ୍ଲା ପାଳ ଶ୍ରୀ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂହଙ୍କ ଉଦ୍ୟମ ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପାଇଲା ନୂଆ ରୂପ, ନବୀନ କରିବେ ଲୋକାର୍ପଣ

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଏକ ନୂଆ ରୂପରେ ରୂପାନ୍ତରିତ ହୋଇଛି। ଏଥିରେ ୨୫ କୋଟି ଟଙ୍କା ବ୍ୟୟ କରାଯାଇ ଏହାର ଉନ୍ନତି କରଣ କରାଯାଇଛି।

ଏହି ଯୋଜନାରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ସେହିପରି ସେ ଯେଉଁ ଘରେ ଜନ୍ମ ନେଇଥିଲେ ସେହି ଷଠିଘର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରାଯାଇଛି। ଆସନ୍ତାକାଲି ଗୁରୁବାରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145 ତମ ଜନ୍ମ ବାର୍ଷିକ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ସଂଗ୍ରାମର କାହାଣୀକୁ ସ୍ମରଣ କରିଛନ୍ତି।

ସେ ଏକ ଟୁଇଟ ମାଧ୍ୟମରେ ଗୋପବନ୍ଧୁଙ୍କ ସଂପର୍କରେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କର ଅମାପ ଦେଶପ୍ରେମ, ଶିକ୍ଷିତ ସମାଜ ଗଠନର ମୂଲ୍ୟବୋଧ ଏବଂ ଓଡ଼ିଆ ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ଅନନ୍ୟ ସୃଜନସୃଷ୍ଟି ସର୍ବଦା ପ୍ରେରଣାର ଉତ୍ସ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଡିସେମ୍ବର ସୁଦ୍ଧା ଶେଷ ହେବ ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର‌୍ୟ୍ୟାୟନରେ ବେଶ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।

ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧିନତା ଆଲୋଚନାରେ ସକ୍ରିୟ ଭୁମିକା ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର‌୍ୟ୍ୟ ସଠିକ୍ ଭାବେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଶଣୀୟ ପର‌୍ୟ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ପର‌୍ୟ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋଡିଂ, ଆଦି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନ୍ମପୀଠ ସହ, କରାଯାଉଥିବା ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର‌୍ୟ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସୁଆଣ୍ଡୋ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀରେ ନଦୀ-ସମ୍ମୁଖ ବିକାଶ ସହ ଭାସମାନ ଜେଟ୍ଟି ଏବଂ ନୌବିହାର ସୁବିଧା କରାଇବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା ଅଧିକ ସଂଙ୍ଖ୍ୟକ ପର‌୍ୟ୍ୟଟକମାନଙ୍କୁ ଆକର୍ଷିତ କରିବ ଏବଂ ସ୍ଥାନୀୟ କିଛି ଲୋକଙ୍କ ପାଇଁ ଆଉ ଏକ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି କରିବ।

ପ୍ରକଳ୍ପର ସଦ୍ୟତନ ସ୍ଥିତି ଉପସ୍ଥାପନ କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୁଦନ ପାଢ଼ୀ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଏବଂ ସଂଗ୍ରହାଳୟ ନିର୍ମାଣ ପ୍ରାୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। ଘର ପାଖରେ ଥିବା ପୁଷ୍କରଣୀର ବିକାଶ ମଧ୍ୟ କରାଯାଇଛି। ଶିବ ମନ୍ଦିର ନିର୍ମାଣ କାର‌୍ୟ୍ୟ ତ୍ୱରାନ୍ୱିତ ହୋଇଛି।

ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର, ଫୁଡ୍ କୋର୍ଟ ଏବଂ ସୂଚନା କେନ୍ଦ୍ରର କାର‌୍ୟ୍ୟ ମଧ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟର ସୁନ୍ଦର ପ୍ରତିମୂର୍ତ୍ତି ଏବଂ ଏହାର ପ୍ଲାଟ୍ଫର୍ମ କାର‌୍ୟ୍ୟ ଆଗେଇ ଚାଲିଛି। ବର୍ତ୍ତମାନ ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଏବଂ ଗ୍ରାମରେ ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କାର‌୍ୟ୍ୟ ଚାଲୁରହିଛି।

ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଥିଲେ ଯେ ସମୁଦାୟ ପ୍ରକଳ୍ପରେ ପ୍ରାୟ ୨୫.୨୫ କୋଟି ଟଙ୍କା ବିନିଯୋଗ କରାହେଉଛି। ଏଥି ପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଯୋଗାଉଛନ୍ତି। ଇତି ମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ସ୍ମାରକୀ ଟ୍ରଷ୍ଟ ମଧ୍ୟ ଗଠନ କରାଯାଇଛ।

ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ପ୍ରକଳ୍ପ ଅନ୍ତର୍ଗତ ସମସ୍ତ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପୀଠର ପରିଚ୍ଛନତା, ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଥିଲା। ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଦେବେ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଂଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ ହେଉଛନ୍ତି ସର୍ବକାଳୀନ ଆଦର୍ଶ, ମହାପୁରୁଷଙ୍କୁ ଅସମ୍ମାନ ବରଦାସ୍ତ କରାଯିବନି: ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜଗତସିଂହପୁରସ୍ଥିତ ରଘୁନାଥପୁରଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ସ୍ୱର୍ଗତ ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଘୋର ବିରୋଧ କରିଛନ୍ତି। ସେ ନିଜେ ଘଟଣାସ୍ଥଳକୁ ଯିବା ସହିତ ଅଭିଯାନର ବରିଷ୍ଠ ସଦସ୍ୟ ବି. ମୁରଲୀଧରଙ୍କ ନେତୃତ୍ୱରେ ପୂଜ୍ୟପୂଜାର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନକୁ ଯାଇଥିଲେ।

ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ପ୍ରାଣ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଦୀର୍ଘ ଏକମାସ ଧରି ଊତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆସୁଛନ୍ତି। ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଉତ୍କଳମଣିଙ୍କ ନିକଟରେ ସମକକ୍ଷ ପ୍ରତିଭା ଭାବରେ ଉକ୍ତ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ଏବଂ ଏହା ଉତ୍କଳମଣିଙ୍କ ପ୍ରତି ଘୋର ଅପମାନ।

ଏହି ପରିପ୍ରେକ୍ଷୀରେ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଏହାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଖୁବ୍‌ଶୀଘ୍ର ହେବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।