Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆନୁଷ୍ଠାନିକ ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସହ ଜିଲ୍ଲା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ସମ୍ପାଦକ ଅଜିତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ, ଉପଦେଷ୍ଟା ଉମା ଶଙ୍କର ପ୍ରସାଦଙ୍କ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ସାମ୍ବାଦିକମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ।

ଆଗାମି ଅକ୍ଟୋବର ମାସରେ ପାଳିତ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସର୍ବସହମତି କ୍ରମେ ଶାନ୍ତି ଶୃଙ୍ଖଳାର ସହ ବହୁ ଆଡମ୍ବରରେ ବାର୍ଷିକୋତ୍ସବ ପାଳନ ନିମନ୍ତେ ବହୁମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମ ପରିଚାଳନା ନିମିତ୍ତ ୧୬ ଜଣିଆ କମିଟି ଚୟନ କରାଯାଇଛି। ଉକ୍ତ ଉତ୍ସବକୁ ସରସ ସୁନ୍ଦର ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଗାମି ବୈଠକ ଆସନ୍ତା ମାସ ଏକ ତାରିଖରେ ମା’ ଉଗ୍ରତାରାଙ୍କ ପୀଠରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବିମାରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ସାମ୍ବାଦିକ ସଂଘ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା କିଛି ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାର ଏହାର ସୁବିଧା ପାଇ ପାରିବେ। ଯାହାକୁ ନେଇ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ଓ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି।

ଏଥିସହିତ ଦୀର୍ଘ ଦିନ ଧରି ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ନାର୍ଯ୍ୟ ଦାବି କରିଆସୁଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଏବଂ ଶାଳିଆ ପ୍ରେସ କ୍ଲବ ପକ୍ଷରୁ ଶ୍ରୀ କରଙ୍କୁ ସଫଳତାର ଶ୍ରେୟ ଦିଆଯାଇଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୟୁଜେଏ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ତଥା ଶାଳିଆ ପ୍ରେସ କ୍ଲବ ସଭାପତି ଅଜିତ କୁମାର ସାହୁଙ୍କ ସମେତ ଜିଲ୍ଲାର ଅନେକ ସାମ୍ବାଦିକ ସାଧୁବାଦ ଜଣାଇବା ସହ ୟୁଜେଏ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲା: ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦୁଇଦିନିଆ ସମ୍ମିଳନୀ ରାଉରକେଲା ଠାରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ବୈଠକରେ ସଂଘର ୨୬ଟି ଜିଲ୍ଲାରୁ ସଭାପତି, ସମ୍ପାଦକ, ଉପଦେଷ୍ଟା ତଥା ରାଜ୍ୟ ଓ ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ଯୋଗଦେଇ ବୈଠକର ଆଭିମୁଖ୍ୟକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ମିଳନୀର ପ୍ରଥମ ଦିନରେ ବଣେଇ ସ୍ଥିତ ଖଣ୍ଡାଧାରର ପାଦଦେଶରେ ଆୟୋଜିତ ଚିତ୍ତାକର୍ଷକ ବଣଭୋଜି ଓ ବନ୍ଧୁମିଳନ ପର୍ବ ସଭିଙ୍କ ପାଇଁ ବେଶ୍ ଉପଭୋଗ୍ୟ ଥିଲା। ସ୍ଵାଦିଷ୍ଟ ଭୋଜନ ଓ ମନୋରମ ପରିବେଶ ସମସ୍ତ ପ୍ରତିନିଧିଙ୍କ ମନରେ ଅଦମ୍ୟ ସ୍ଫୁର୍ତ୍ତି ଭରି ଦେଇଥିଲା। ରାଉରକେଲା ସ୍ଥିତ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ ଦ୍ଵିତୀୟ ଦିନର ସାଂଗଠନିକ ବୈଠକକୁ ସଂଘ ପକ୍ଷରୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଇଥିଲା। ଏଥିରେ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି, ଅବସରକାଳୀନ ଭତ୍ତା ପ୍ରଦାନ ଓ ସ୍ଵୀକୃତିପ୍ରାପ୍ତ ସଂଘର ପ୍ରତିନିଧିଙ୍କୁ ନେଇ ବିଭାଗୀୟ ଅଧିସ୍ବୀକୃତି କମିଟି ଗଠନ ପୂର୍ବକ ରାଜ୍ୟସ୍ତରରେ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସମୂହ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଦାବି ଗୁଡ଼ିକ ସମ୍ପର୍କରେ ଅଧିକ ଅନୂଶୀଳନ କରି ଏକ ମସୁଦା ପ୍ରସ୍ତୁତ କରିବା ପାଇଁ ଖୁବ୍ ଶିଘ୍ର ଏକ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପରବର୍ତ୍ତୀ ସମୟରେ ଦାବି ଗୁଡ଼ିକୁ ଉପଯୁକ୍ତ ଫୋରମ୍ ରେ ରଖାଯିବା ସହ ଆବଶ୍ୟକ ସ୍ଥଳେ ଦାବି ହାସଲ ନିମନ୍ତେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ ହାତକୁ ନିଆଯିବାକୁ ବୈଠକରେ ଘୋଷଣା କରାଯାଇଥିଲା। ବାଲେଶ୍ଵର ଜିଲ୍ଲା ସଭାପତି ଲୋକନାଥ ଦଳେଇ ଓ ସମ୍ପାଦକ ପ୍ରତାପ କୁମାର ପାତ୍ରଙ୍କ ଲିଖିତ ପ୍ରସ୍ତାବ ଅନୁଯାୟୀ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖରେ ବାଲେଶ୍ଵର ଠାରେ ସଂଘର ଦୁଇଦିନିଆ ସମ୍ମିଳନୀ ଆୟୋଜନ କରିବା ପାଇଁ ଘୋଷଣା କରାଯାଇଥିଲା। ଏତଦ୍ ବ୍ୟତୀତ ସଦସ୍ୟତା ଦେୟ ସହ ରାଜ୍ୟ ସଂଘକୁ ସଦସ୍ୟ ତାଲିକା ହସ୍ତାନ୍ତର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି ମାନ ବୈଠକର ଅନୁମୋଦନ ଲାଭ କରିଥିଲା।

ଏହି ବୈଠକରେ ରାୟଗଡ଼ାରୁ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ ଓ କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ଦାସ, କୋରାପୁଟରୁ ଉପସଭାପତି ସୁଦର୍ଶନ ସେନାପତି, କଳାହାଣ୍ଡିରୁ ସଭାପତି ରଜନୀକାନ୍ତ ମିଶ୍ର, ନୂଆପଡ଼ା ରୁ ସଭାପତି ଲୋକନାଥ ମହାପାତ୍ର, ବଲାଙ୍ଗୀର ରୁ ଉପସଭାପତି ଅଶୋକ କୁମାର ଭୋଇ, ସମ୍ବଲପୁରରୁ ସଭାପତି ସୁବାସ ପାଣିଗ୍ରାହୀ, କେଉଁଝରରୁ ସଭାପତି ସତ୍ୟନାରାୟଣ ମିଶ୍ର, ମୟୁରଭଞ୍ଜ ରୁ ସଭାପତି ଅରୁଣ କୁମାର ଓତା,ବାଲେଶ୍ଵରରୁ ସଭାପତି ଲୋକନାଥ ଦଳେଇ ଓ ସମ୍ପାଦକ ପ୍ରତାପ କୁମାର ପାତ୍ର, ଭଦ୍ରକରୁ ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଯାଜପୁରରୁ ସଭାପତି ହରିହର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ଵଜିତ ନାୟକ, ଜଗତସିଂହପୁରରୁ ସଭାପତି ମନୋଜ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମିଶ୍ର,କେନ୍ଦ୍ରାପଡ଼ାରୁ ସଭାପତି ହିମାଂଶୁ ଶେଖର ନାୟକ,ଢେଙ୍କାନାଳରୁ ସମ୍ପାଦକ ପ୍ରତାପ କୁମାର ବରାଳ,କଟକରୁ ସଭାପତି ସତ୍ୟବ୍ରତ ଦାସ, ଭୂବନେଶ୍ଵରରୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନବୀନ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ସାହୁ, ପୁରୀରୁ ସଭାପତି ତ୍ରୀବିକ୍ରମ୍ ରାମକୃଷ୍ଣ ମହାପାତ୍ର, ରାଜ୍ୟ ଉପସଭାପତି ରାଜକିଶୋର ସ୍ୱାଇଁ, ଖୋର୍ଦ୍ଧାରୁ ସଭାପତି ପ୍ରଭାତ କୁମାର ମିଶ୍ର, ନୟାଗଡ଼ରୁ ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ ଉପସଭାପତି ବିନାୟକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦର୍ଶ ପଟ୍ଟନାୟକ, କନ୍ଧମାଳରୁ ସଭାପତି ସନ୍ତୋଷ କୁମାର ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୀବ ବ୍ରତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲମୋହନ ନାୟକ,ବୈ।ଦ୍ଧରୁ ସଭାପତି ରତ୍ନାକର ବେହେରା, ସୋନପୁରରୁ ସଭାପତି ଗୋରେଖନାଥ ସାହୁ ଓ ଗଞ୍ଜାମ ରୁ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ବ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ପ୍ରାସଂଗିକ ବକ୍ତବ୍ୟ ରଖି ଥିଲେ।

ବୈଠକର ଦୁଇ ଦିନ ପୂର୍ବରୁ ରାଜ୍ୟ କାର୍ଯ୍ୟକାରି ସଭାପତି ହାରାଧନ୍ ବାନାର୍ଜୀ,ରାଜ୍ୟ କୋଷାଧ୍ୟକ୍ଷ ରାଜେନ୍ ଚୈ।ଧୁରୀ, ରାଜ୍ୟ ସମ୍ପାଦକ ମଦନ ପାଣି ରାଉରକେଲାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାମଗ୍ରୀକ ସଫଳତା ଆଣି ଦେବାରେ ସହାୟକ ହୋଇଥିଲେ। ସେହିପରି ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଓ ଉପଦେଷ୍ଟା ବିମଳ କୁମାର ଭଞ୍ଜଦେଓ, ବଙ୍କିମ ଚନ୍ଦ୍ର ନାୟକ, ପ୍ରଭାକର ଶିରୋମଣି,ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ।

କୋଭିଦ୍ ଉପରାନ୍ତେ, ଲମ୍ବା ଅନ୍ତରାଳରେ ଆୟୋଜିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଏତାଦୃଶ ସଫଳତା ପାଇଁ ରାଜ୍ୟ ଉପସଭାପତି ତଥା ଜିଲ୍ଲା ଶାଖା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ପ୍ରମୁଖ ଭୂମିକା ଓ କାର୍ଯ୍ୟକାରୀ ସଭାପତି ହାରାଧନ୍ ବାନାର୍ଜୀ, କୋଷାଧ୍ୟକ୍ଷ ରାଜେନ୍ ଚୈ।ଧୁରୀ, ସମ୍ପାଦକ ମଦନ ପାଣି, ଉପଦେଷ୍ଟା ଶିବଶରଣ ମିଶ୍ରଙ୍କ ସକ୍ରିୟ ସହଯୋଗ ସମେତ ସୁନ୍ଦରଗଡ଼ ଶାଖାର ସମ୍ପାଦକ ବିଭୂତି କର, ଉପଦେଷ୍ଟା କୁମାର ଗୈ।ତମ ବାରିକ, ରାଜେନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ମିଶ୍ର, ଝସକେତନ ମହନ୍ତ, ସୁରଜ୍ ପ୍ରତାପ ମହାନ୍ତି, ଦୋଳଗୋବିନ୍ଦ ବାରିକ, ଉମେଶ ଚନ୍ଦ୍ର ସାହୁ, ମହମଦ୍ ହବିବ୍ ଖାନ୍, ଦାସରଥି ପଣ୍ଡା ଓ ସୁଜିତ ମହାପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଜିଲ୍ଲା ସଭାପତି ବନ୍ଧୁଙ୍କ ସଂଘୀୟ ମନୋଭାବକୁ ଦେବା ସହ ସଭିଙ୍କୁ ରାଜ୍ୟ ସଂଘ ପକ୍ଷରୁ ଅସରନ୍ତି ଅଭିନନ୍ଦନ ଓ ଅନେକ ଅନେକ ଧନ୍ୟବାଦ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ କହିଲେ ସାମ୍ବାଦିକମାନଙ୍କର ସମାଜପ୍ରତି ଗୁରୁଦାୟିତ୍ୱ ରହିଛି

ଭୁବନେଶ୍ୱର: ସାମ୍ବାଦିକତାର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି। ଗଣମାଧ୍ୟମ ଗଣ ସଚେତନତାର ବାହକ। ସାମ୍ବାଦିକମାନେ ସାମାଜିକ ପ୍ରତିବନ୍ଧିତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମେଳନକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହା କହିଥିଲେ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଆଦି ସାମ୍ବାଦିକମାନଙ୍କ ଆବଶ୍ୟକତା ବିଷୟରେ ସରକାର ସଚେତନ ଅଛନ୍ତି। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ଓ ଦାବି ବିଷୟରେ ସରକାର ସହୃଦୟତାର ବିଚାର କରୁଛନ୍ତି ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ।

ଏହି ଅବସରରେ ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଉପଲକ୍ଷେ ଜୟଦେବ ଭବନ ପରିସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଶ୍ରୀ ମହାପାତ୍ର ବୁଲି ଦେଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ୭ ଜଣ ଯୁବ ସାମ୍ବାଦିକଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ମାନପତ୍ର ଓ ଉପତୌକନ ଦେଇ ଉତ୍ସାହିତ କରିବା ସହ ଉତ୍କଳ ସାମ୍ବାଦିକ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ ଉନ୍ମୋଚନ କରିଥିଲେ।

ସମ୍ବର୍ନ୍ଧିତ ହୋଇଥିବା ସାମ୍ବାଦିକମାନେ ହେଲେ ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜେନ୍ ଚୌଧୂରୀ, ଜିତେନ୍ଦ୍ର ସାହୁ, ଭରତ ବେହେରା, ମନୋଜ ପ୍ରଧାନ, ରାମଚନ୍ଦ୍ର ପାଲ୍ ଓ ପ୍ରତାପ ପ୍ରଧାନ। ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମେଳନର ଉଦ୍ଘାଟନୀ ପର୍ଯ୍ୟାୟରେ ସମାଜର ପୂର୍ବତନ ଖବର- ସଂପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସମ୍ବାଦିକତାର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ।

ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ଶ୍ରୀ ସନତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସମ୍ମେଳନର ସଂଯୋଜନା କରିଥିଲେ । ସଭାପତି ଶ୍ରୀ କର କାର୍ଯ୍ୟରତ ସାମ୍ବାଦିକମାନଙ୍କ କ୍ଷେତ୍ରସ୍ତରୀୟ ବାସ୍ତବ ସମସ୍ୟାଗୁଡିକ ପ୍ରତି ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ଶ୍ରୀ ରାଜେନ ପ୍ରଧାନ ଓ ଶ୍ରୀ ଭାଗବତ ପ୍ରସାଦ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ହାବିଲଦାର ନୁହେଁ, ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ: ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର: ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯ୍ୟାତନା ସହ ଅମାନବୀୟ ବ୍ୟବହାରକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡ଼ିଜି ଅନିଲ୍ କୁମାର ବଂଶଲଙ୍କୁ ଭେଟି ପ୍ରତିବାଦ ଜଣାଇଛି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ଡ଼ିଜିଙ୍କ ସହ ଆଲୋଚନା କାଳରେ କହିଥିଲେ କି, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ରେ ବେଡ଼ି ବନ୍ଧାଯିବା ଘଟଣାରେ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ। ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ। ନିଜ ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡ଼ିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଘଟଣାରେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ ପ୍ରତିଶ୍ରୁତି ଦେଇଥିଲେ।

ଅପରପକ୍ଷରେ ସଂଘ ତରଫରୁ ଚେତାବନୀ ଦିଆଯାଇଛି କି, ଯଦି ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଯଥାଶୀଘ୍ର ନିଲମ୍ବନ କରାନଯାଏ, ତେବେ ରାଜ୍ୟବ୍ୟାପୀ ସଂଘ ପକ୍ଷରୁ ଦୃଢ ଆନ୍ଦୋଳନ ଗଢିଉଠିବ। ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ସମଗ୍ର ରାଜ୍ୟରେ ସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ: ଉତ୍କଳ ସାମ୍ବାଦିକ ସଂଘକୁ ପ୍ରତିଶ୍ରୁତି ଦେଲେ ନିର୍ବାଚନ ଆୟୁକ୍ତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଓ ର୍ନିବିରୋଧ ଖବର ସଂଗ୍ରହ ନିମିତ୍ତି ନିର୍ଦ୍ଦେଶନାମା ଜାରି ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ।
ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ।

ନିର୍ବାଚନ ଅବସରରେ ଖବର ସଂଗ୍ରହକୁ ନେଇ କଣାସ, ପିପିଲି, କଟକ ସଦର, ଚାନ୍ଦବାଲି ସମେତ ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ସହ ଖବର ସଂଗ୍ରହରେ ସ୍ଥାନୀୟ ବୁଥ୍ ଅଧିକାରୀ ଓ ପୋଲିସ୍ ପକ୍ଷରୁ ବିରୋଧର ଚିତ୍ର ସାମ୍ନାକୁ ଆସିଛି।

ଏପରିକି ଚାନ୍ଦବାଲିସ୍ଥିତ ବୁଥ୍ ଦାୟିତ୍ୱରେ ଥିବା ଅଧିକାରୀ ଖବର ସଂଗ୍ରହ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପତ୍ର ଲୋଡ଼ିବା ସାମ୍ବାଦିକଙ୍କ ଅଧିକାର ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ। ନିର୍ବାଚନ ଆୟୁକ୍ତ ସମସ୍ତ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ସହିତ ନିର୍ବାଚନ ସମୟରେ ଖବର ପ୍ରସାରଣରେ ଗଣମାଧ୍ୟମର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ କୌଣସି ବାଧାକୁ ବରଦାସ୍ତ ରଖାଯିବ ବୋଲି କହିଥିଲେ। ଯଦି ସେଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀଯୁକ୍ତ ପାଢୀ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ସମୟରେ ଆୟୁକ୍ତଙ୍କ ସଚିବ ରବିନାରାୟଣ ସାହୁ ଓ ଉପ ସଚିବ ଆଜାଦ୍‌ହିନ୍ଦ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଏହି ଆଲୋଚନା ବେଳେ ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ପପୁ ମହାନ୍ତି, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ସାହୁ, ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନେ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ସାମ୍ବାଦିକ ସଂଘର ୭୮ତମ ପ୍ରତିଷ୍ଠା ଉତ୍ସବ, ମିଳିତ ହେଲେ ସବୁ ସଂଘର ନେତୃବୃନ୍ଦ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ୍ ସାମ୍ବାଦିକ ସଂଗଠନ ‘ଉତ୍କଳ ସାମ୍ବାଦିକ ସଂଘ’ର ୭୮ତମ ପ୍ରତିଷ୍ଠା ଉତ୍ସବ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ପୌରହିତ୍ୟ କରିଥିଲେ। ଏଥିରେ ରାଜ୍ୟର ଭିନ୍ନ ଭିନ୍ନ ୯ଟି ସଂଘର ନେତୃବୃନ୍ଦ ଏକତ୍ରିତ ହୋଇ ଆଲୋଚନାରେ ଭାଗ ନେଇ ସର୍ବସମ୍ମତି ସହମତ ପ୍ରକାଶ କଲେ କି, ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପ୍ରସଙ୍ଗରେ ମିଳିତ ଭାବେ ସଂଗ୍ରାମ ଜାରି ରଖିବେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ସନତ ମିଶ୍ର, ଭାଗବତ ତ୍ରିପାଠୀ, ବିମଳ ଭଞ୍ଜଦେଓ, ବିପିନ ସିଂ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେଉରା, ବାଉରୀବନ୍ଧୁ ମହାରଣା, ସଞ୍ଜୟ ଦାସ, ପବିତ୍ର ମହାରଥା, ଦେବ ମହାପାତ୍ର, ସମ୍ବିତ ରାୟ, ସୁପ୍ରିୟା ଦାସ, ଅଶୋକ ସାହୁ, ଅଶୋକ ମିଶ୍ର, ପରେଶ ଜେନା, ଉମେଶ ସାମନ୍ତରାୟ, ଜୟଦେବ ବେହେରା, ଅସିତ ଦାସଙ୍କ ସମେତ ମୟୁରଭଞ୍ଜ ଓ ମାଲକାନଗିରି ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ପ୍ରମୁଖ ସଂଘର କାର୍ଯ୍ୟଧାରାରେ ଖୁସି ବ୍ୟକ୍ତ କରି ସଦସ୍ୟତା ଗ୍ରହଣ କରିଥିଲେ। ଏହି ଉତ୍ସବରେ ୩୦ଟି ଜିଲ୍ଲାରୁ ସଭାପତି ଓ ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦେଇ ସାମ୍ବାଦିକତା ଓ ବୃତ୍ତିଗତ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଆଭିମୁଖ୍ୟ ନେଇ ନିଜ ନିଜର ମତ ରଖିଥିଲେ।

ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ର ଉନ୍ମୋଚନ କରାଯାଇଥିଲା। ଏଥିରେ ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅର୍ଦ୍ଦେନ୍ଦୁ ଦାସ, ନିରଞ୍ଜନ ବିଶ୍ୱାଳ, ସୁଜ୍ଞାନୀ ଚୌଧୁରୀ, ପପୁ ମହାନ୍ତି, ଶଶିଭୂଷଣ ପ୍ରହରାଜ ପ୍ରମୁଖ ସାମିଲ ହୋଇ ନିଜର ମତ ରଖିଥିଲେ। ଏହାପରେ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ରାଜ୍ୟ ସଭାପତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ସାମ୍ବାଦିକ ବ୍ରଜ ସିଂ ଓ ତୀର୍ଥବାସୀ ରଥଙ୍କ ବିୟୋଗରେ ଶୋକସଭା ସହ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପାତ୍ର, ପ୍ରଭାତ ମିଶ୍ର, ଭାଗବତ ତ୍ରିପାଠୀ, ଶ୍ରୀକାନ୍ତ ଖଟେଇ, ରତ୍ନାକର ବେହେରା, ରାଧାକାନ୍ତ ମିଶ୍ର, ରମାନନ୍ଦ ସ୍ୱାଇଁ, ତ୍ରିବିକ୍ରମ ମହାପାତ୍ର, ସନ୍ତୋଷ ଦାସ, ହରିହର ସ୍ୱାଇଁ, ପ୍ରଦୀପ ତ୍ରିପାଠୀ, ଜଗଦୀଶ ପୁରୋହିତ, ସାଧାରଣ ସମ୍ପାଦକ ଶଶାଙ୍କ ମିଶ୍ର, ଲୋକନାଥ ଦଳେଇ, ରାଜେଶ ମହାନ୍ତି, ସରୋଜ ବେହେରା, ପଦ୍ମଲୋଚନ ପାତ୍ର, ହାରାଧନ ବାନାର୍ଜୀ, ମଦନ ପାଣି, ସୁଦର୍ଶନ ସେନାପତି, ଜାତୀୟ ପରିଷଦର ସଦସ୍ୟ ସୁବାସ ମହାପାତ୍ର, ସୁବାସ ପ୍ରଧାନ, ଆଦର୍ଶ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସାମିଲ ଥିଲେ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ସାହୁୁ, ନୃସିଂହ ପ୍ରସାଦ ମହାପାତ୍ର, ମନୋଜ ପ୍ରଧାନ, ଭରତ ବେହେରା, ଜିତେନ୍ଦ୍ର ମହାନ୍ତି, ଟୁଲୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେଲେ ଅଜିତ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଜାତୀୟ ପ୍ରେସ ଦିବସରେ ‘ଉତ୍କଳ ସାମ୍ବାଦିକ ସଂଘ’, ଖୋର୍ଦ୍ଧା ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ଯୁବ ସାମ୍ବାଦିକ ଅଜିତ କୁମାର ସାହୁ। ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ସହମତି କ୍ରମେ ଶ୍ରୀ ସାହୁଙ୍କୁ ଉକ୍ତ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଦୀର୍ଘ ତିନି ବର୍ଷ ହେଲା ଉତ୍କଳ ସାମ୍ବାଦିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିବାବେଳେ ଏହା ସହ ସହବନ୍ଧିତ ଥିବା ବାଲୁଗାଁସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ସଭାପତି ଭାବେ ଦାଇତ୍ୱ ନିର୍ବାହ କରିଆସୁଛନ୍ତି।

ଜଣେ ଦକ୍ଷ, ସଚ୍ଚୋଟ, ପରିଶ୍ରମୀ, ଜନପ୍ରିୟ ଏବଂ ନିର୍ଭିକ ସାମ୍ବାଦିକ ଭାବେ ସମଗ୍ର ଜିଲ୍ଲାରେ ଅଜିତ ବେଶ ପରିଚିତ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୨୦୦୬ରେ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବାବେଳେ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ‘ପ୍ରମେୟ’ ର କାର୍ଯ୍ୟରତ ଅଛନ୍ତି। ତେବେ ବିଗତ ତିନି ବର୍ଷ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାରେ ନିଜର ଦକ୍ଷତା ବଳରେ ଅଜିତ ବହୁ ନୂତନ ସଭ୍ୟଙ୍କୁ ଯୋଡିବାରେ ସଫଳ ହୋଇଥିବାବେଳେ ସଂଘର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ବରିଷ୍ଠ ପଦାଧିକାରୀଙ୍କ ନିର୍ଦ୍ଦେଶକୁ ସଦାସର୍ବଦା ଅନୁପାଳନ କରିଆସୁଛନ୍ତି। ସଂଘର ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସହଯୋଗ କରିଆସୁଛନ୍ତି।

ଗତକାଲି ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଖୋର୍ଦ୍ଧା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଜିତଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ତେବେ ଯୁବପିଢ଼ିଙ୍କ ନେତୃତ୍ୱରେ ୟୁଜେଏ ଖୋର୍ଦ୍ଧା ଜିଲ୍ଲାରେ ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା ସଭାପତି ପ୍ରଭାତ ମିଶ୍ର ଆଶାବ୍ୟକ୍ତ କରିବାସହ ଅଜିତଙ୍କୁ ସଂଘର ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।

ସେହିପରି ଭାବେ ସାମ୍ବାଦିକମାନଙ୍କ ପେନସନ ଲାଗୁ ଦାବି ପ୍ରାଥମିକତା ରହିବା ସହ ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇମାନଙ୍କ ଅଧିକାର ପାଇଁ ୟୁଜେଏ ଲଢେଇ ଜାରି ରଖିବ ବୋଲି ନୂତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଘଟଣା: ଆସନ୍ତାକାଲି ବାଲୁଗାଁ ଥାନା ଘେରାଉ କରିବ ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଚିଲିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ବିରୋଧ କରି ଆସନ୍ତାକାଲି ଉତ୍କଳ ସାମ୍ବାଦିକ ସଂଘ ପ୍ରତିବାଦ କରିବ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏତଲା ରୁଜୁ କରିବା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନା ଘେରାଉ କରିବ। ଏ ନେଇ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଘଟଣାକ୍ରମେ ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିବାର ଭିଜୁଆଲ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ ଉତ୍ତୋଳନ କରୁଥିଲେ। ସେହି ସମୟରେ ଚିଲିକା ବିଧାୟକ ସମ୍ପୃକ୍ତ ସାମ୍ବାଦିକଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ତାଙ୍କୁ ଜାତିଆଣ ଉଦ୍ଦେଶ୍ୟରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏ ନେଇ ଉକ୍ତ ଦିନ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ତେବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିଜେପି କର୍ମୀଙ୍କ ମାମଲାକୁ ତୁରନ୍ତ ରୁଜୁକରିଥିବା ବେଳେ ସାମ୍ବାଦିକ ଦେଇଥିବା ଏତଲାକୁ ରୁଜୁ କରିନାହିଁ। ଆଜିକୁ ଦୀର୍ଘ ଚାରି ଦିନ ବିତିଗଲାଣି କିନ୍ତୁ ସାମ୍ବାଦିକଙ୍କ ଏତଲାକୁ ବାଲୁଗାଁ ପୋଲିସ ରୁଜୁ କରୁନାହିଁ।

ଅପରପକ୍ଷେ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ନିଜ ମୋବାଇଲ ମଧ୍ୟ ଫେରିପାଇନାହାନ୍ତି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଠୁ ଜଣେ ଜନ ପ୍ରତିନିଧି ମୋବାଇଲ ଛଡାଇନେବା ଏବଂ ଜାତିଆଣ ଭାବ ରଖି ଗାଳିଗୁଲଜକୁ ତୀବ୍ର ବିରୋଧ କରିଛି ଉତ୍କଳ ସାମ୍ବାଦିକ ସଂଘ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ସହମତି କ୍ରମେ ଯଥାଶୀଘ୍ର ସାମ୍ବାଦିକଙ୍କ ଏତଲା ରୁଜୁ ଦାବି ଏବଂ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତାକାଲି ସେପ୍ଟେମ୍ବର ୧୨ ତାରିଖ ଦିବା ୧୦ ଘଟିକାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ ମାନେ ଶାନ୍ତିପୂର୍ଣ ଧାରଣା ଦେବେ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କଲା ଉତ୍କଳ ସାମ୍ବାଦିକ ସଂଘ

ଖୋର୍ଦ୍ଧା: ବର୍ତ୍ତମାନ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢ଼ୁଥିବାର ଦେଖାଯାଉଛି। ଗତ ୨୫ ତାରିଖରେ ବେଆଇନ ମଦ କାରବାର ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବା ନିଉଜ ୭ ର ସାମ୍ବାଦିକ ବୈଦ୍ୟନାଥ ମହାପାତ୍ର ଓ ଧରିତ୍ରୀ ସାମ୍ବାଦିକ ଲୋକନାଥ ମହାପାତ୍ରଙ୍କୁ ନୟାଗଡ଼ ଅବକାରୀ ବିଭାଗ ଏସଆଇ ଧନଞ୍ଜୟ ପାତ୍ରଙ୍କ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଆନୂକୁଲ୍ୟରେ ସଭାପତି ପ୍ରଭାତ ମିଶ୍ରଙ୍କ ନେତୄତ୍ୱରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

ସାମ୍ବାଦିକଙ୍କୁ ଆକ୍ରମଣର ୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ, ଯାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ସାମ୍ବାଦିକଙ୍କ ଉପରେ ହୋଇଥିବା ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆଖି ଦୄଶିଆ ପଦକ୍ଷେପ ନିଆଯାଇ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁକରି ସାମ୍ବାଦିକଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଥ୍ୟା ଅଭିଯୋଗ ମାମଲାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ ହୋଇଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ଅନ୍ୟ ପ୍ରତିନିଧି ସର୍ବଶ୍ରୀ ଉମାଶଙ୍କର ପ୍ରସାଦ, ପ୍ରଦିପ ପାଣିଗ୍ରାହୀ, ଅବ୍ୟକ୍ତ ହରିହର ଖାଡେଙ୍ଗି, ରାକେଶ ସାହୁ, ପ୍ରଦୀପ ବେହେରା ପ୍ରମୂଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଉକ୍ତ ଘଟଣାକୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସରକାରଙ୍କ ନିକଟରେ ଦାବି କରିଛି।