ହାବିଲଦାର ନୁହେଁ, ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ: ଉତ୍କଳ ସାମ୍ବାଦିକ ସଂଘ

Published: Apr 8, 2022, 9:42 pm IST

ଭୁବନେଶ୍ୱର: ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯ୍ୟାତନା ସହ ଅମାନବୀୟ ବ୍ୟବହାରକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡ଼ିଜି ଅନିଲ୍ କୁମାର ବଂଶଲଙ୍କୁ ଭେଟି ପ୍ରତିବାଦ ଜଣାଇଛି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ଡ଼ିଜିଙ୍କ ସହ ଆଲୋଚନା କାଳରେ କହିଥିଲେ କି, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ରେ ବେଡ଼ି ବନ୍ଧାଯିବା ଘଟଣାରେ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ। ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ। ନିଜ ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡ଼ିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଘଟଣାରେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ ପ୍ରତିଶ୍ରୁତି ଦେଇଥିଲେ।

ଅପରପକ୍ଷରେ ସଂଘ ତରଫରୁ ଚେତାବନୀ ଦିଆଯାଇଛି କି, ଯଦି ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଯଥାଶୀଘ୍ର ନିଲମ୍ବନ କରାନଯାଏ, ତେବେ ରାଜ୍ୟବ୍ୟାପୀ ସଂଘ ପକ୍ଷରୁ ଦୃଢ ଆନ୍ଦୋଳନ ଗଢିଉଠିବ। ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ସମଗ୍ର ରାଜ୍ୟରେ ସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Related posts