Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର: ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେ ଶଙ୍ଖଭବନରେ ତାଙ୍କର ପୁରୁଣା ଘରକୁ ଫେରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।

ତାଙ୍କ ସହିତ ସରପଞ୍ଚ ତାରିଣୀ ସିଂ, କୁଲମନି ନାୟକ, ଚନ୍ଦ୍ରମଣି ମୁର୍ମୁ, ଅନ୍ନପୂର୍ଣ୍ଣା ସିଂ, ବସନ୍ତ ସିଂ, ବାବାମଣି ମାର୍ଣ୍ଡି, ଭାଗବତ ଖିଲାର, ବିନିତା ମଢେଇ, ରଜନୀ ଗିରି, ଅହଲ୍ୟା ନାୟକ, ରାଜୀବ ଦାସ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ଗଙ୍ଗାଧର ମିଶ୍ର, ଅକ୍ଷୟ ବେହେରା, ଉପେନ୍ଦ୍ର ବେହେରା, ଚିତ୍ତରଞ୍ଜନ ମହାନ୍ତି, ଅଶୋକା ନାୟକ ବିଜେପି ଛାଡି ବିଜେଡି ଆସିଛନ୍ତି।

2014 ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ। ହେଲେ ଦଳ 2019 ରେ ଟିକେଟ ନ ଦେବାରୁ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିବେ କଂଗ୍ରେସର ଭେଟରାନ ଚିରଞ୍ଜୀବ ଏବଂ ବିଜେପିର ସୁକାନ୍ତ କୁମାର

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବେ କଂଗ୍ରେସ ଦଳର ଭେଟରାନ ଲିଡର ଚିରଞ୍ଜୀବ ବିଶ୍ବାଳ। ସେ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ହେଉଛନ୍ତି ଜଗତସିଂହପୁର ର ପୂର୍ବତନ ବିଧାୟକ। ଏଥିସହିତ ସେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ। ବର୍ତ୍ତମାନ ଜଗତସିଂହପୁରରୁ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବର ଆସୁଥିବାର ଜଣାପଡିଛି।

ସେହିପରି ଆଜି ବିଜେଡିରେ ଯୋଗ ଦେବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ। ସେ ଗତକାଲି ବିଜେପିରୁ ବିଧିବଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ବିଜେଡିର ବିଧାୟକ ଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଘର ବାହୁଡା ହେବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, କୁଆଡେ ଯିବେ ?

ଭୁବନେଶ୍ବର: ଶେଷରେ ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଆଜି ନୀଳଗିରିରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ କଣ ତାହା କହି ନାହାଁନ୍ତି। ହେଲେ ଏହାର କାରଣ ପରେ କହିବି ବୋଲି ଶ୍ରୀ ନାୟକ କହିଛନ୍ତି।

ଶ୍ରୀ ନାୟକ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଦେବାରୁ ଅସନ୍ତୁଷ୍ଟ ହୋଇ  ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପି ଟିକେଟରେ ବିଧାୟକ ଭାବେ ଲଢି ନିର୍ବାଚନ ଜିତିଥିଲେ। ତେବେ ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡିକୁ ଫେରିବା ନେଇ ଏବେ ଚର୍ଚ୍ଚା ହୋଇଛି । ସେପଟେ ବିଜେଡି ନୀଳଗିରି ପାର୍ଥୀ ଘୋଷଣା କରିନଥିବା ବେଳେ ସୁକାନ୍ତଙ୍କ ଇସ୍ତଫା ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହିଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ନୀଳଗିରି ସହର ପରିକ୍ରମା କରିଥିଲା। ଏଥିରେ ନୀଳଗିରି ଏନ୍‌ଏସି ଅନ୍ତର୍ଗତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନୀଳଗିରି ବାସୀ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା କରାଯାଇ ୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରାକ୍ କାର୍ଯ୍ୟକ୍ରମ ହିସାବରେ ଗତ ଶନିବାର (୧୨-୮-୨୦୨୩)ଦିନ  ନୀଳଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ଷ୍ଟାଫ ଆର୍ଟିଷ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବାବେଳେ ସହଯୋଗୀ ଖଗେଶ ବାଇପାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ନୀଳଗିରିରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ନୀଳଗିରି: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି।

ନୀଳଗିରିର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ସ୍ଥାନୀୟ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏଠାରେ ପାଇପାରିବେ।

୫୩୦୦ ବର୍ଗଫୁଟରେ ବ୍ୟାପ୍ତ ଏହି ନୂଆ ଷ୍ଟୋର ନୀଳଗିରିର ପ୍ରଥମ ଏବଂ ଏହି ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ୩୯୯୯ ଟଙ୍କାର ବଛାବଛା ସାମଗ୍ରୀ କିଣାକିଣି କରିଲେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ନୀଳଗିରିରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ରାଜ୍ୟ ଖବର

ହାବିଲଦାର ନୁହେଁ, ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ: ଉତ୍କଳ ସାମ୍ବାଦିକ ସଂଘ

ଭୁବନେଶ୍ୱର: ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯ୍ୟାତନା ସହ ଅମାନବୀୟ ବ୍ୟବହାରକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡ଼ିଜି ଅନିଲ୍ କୁମାର ବଂଶଲଙ୍କୁ ଭେଟି ପ୍ରତିବାଦ ଜଣାଇଛି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ଡ଼ିଜିଙ୍କ ସହ ଆଲୋଚନା କାଳରେ କହିଥିଲେ କି, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ରେ ବେଡ଼ି ବନ୍ଧାଯିବା ଘଟଣାରେ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ। ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ। ନିଜ ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡ଼ିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଘଟଣାରେ ହାବିଲଦାରଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ ପ୍ରତିଶ୍ରୁତି ଦେଇଥିଲେ।

ଅପରପକ୍ଷରେ ସଂଘ ତରଫରୁ ଚେତାବନୀ ଦିଆଯାଇଛି କି, ଯଦି ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଯଥାଶୀଘ୍ର ନିଲମ୍ବନ କରାନଯାଏ, ତେବେ ରାଜ୍ୟବ୍ୟାପୀ ସଂଘ ପକ୍ଷରୁ ଦୃଢ ଆନ୍ଦୋଳନ ଗଢିଉଠିବ। ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ସମଗ୍ର ରାଜ୍ୟରେ ସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି: ଇଣ୍ଡିଆନ ସିଟିଜେନ୍‌ସ ପାର୍ଟିର ନିନ୍ଦା

କଟକ: ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନେଇ ଇଣ୍ଡିଆନ୍ ସିଟିଜେନ୍‌ସ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଜୁ ଜନତା ଦଳ ସରକାରଙ୍କୁ ଭର୍ତ୍ସନା କରାଯାଇଛି।

ସାମ୍ବାଦିକ, ଓକିଲ ଏବଂ ଓଡ଼ିଶାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି। ନବୀନ ପଟ୍ଟନାୟକ ସରକାର ଆସିବା ଦିନଠାରୁ ସମସ୍ତ ମାନବାଧିକାର ଉଲଙ୍ଘନର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ଦାବି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଲାଇଫ ସପୋର୍ଟରେ ଚପର ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଗ୍ରୁପ କ୍ୟାପଟେନ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମଆଇ ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୩ ଜଣ ଲୋକ ଥିଲେ। ଜେନେରାଲ ରାୱତ ତାଙ୍କର ନିର୍ଦ୍ଧାରିତ ଗସ୍ତରେ ଥିଲେ ଏବଂ ତାଙ୍କ ହେଲିକପ୍ଟରଟି ୱେଲିଙ୍ଗଟନ୍‌ରେ ୧୨.୧୫ ରେ ଅବତରଣ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସ୍ଥାନୀୟ ଲୋକ ଜଙ୍ଗଲରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଥିଲା। ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଯଥାଶୀଘ୍ର ପହଞ୍ଚିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା, ଗୁରୁତରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ଏଥିରେ ସମ୍ପୃକ୍ତ ଥିଲେ। ଗ୍ରୁପ କ୍ୟାପଟେନଙ୍କ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ତାଙ୍କୁ ଲାଇଫ ସପୋର୍ଟରେ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଧୋବଶିଳାରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ବାଲେଶ୍ୱର ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଧୋବଶିଳା ଉଡ଼ା ପଡ଼ିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ ଏବଂ ଜିଲ୍ଲା ପରିମଳ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟତଃ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ-ରାଜ୍ୟ ମଧ୍ୟରେ ସୁସମ୍ପର୍କ, ଆପୋସ ଭାଇଚାରା ବଜାୟ ରଖିବା, ସାଂସ୍କୃତିକ ବିନିମୟ ଆଦି ଉପରେ ଅତିଥି ଓ ବକ୍ତାମାନେ ମତ ରଖିଥିଲେ। ଏହାବ୍ୟତୀତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା।

ପ୍ରାରମ୍ଭରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକତା ଗଣଦୌଡ଼ କାର୍ଯ୍ୟକ୍ରମ ଗୋପିନାଥପୁର ଛକରୁ ଆରମ୍ଭ କରାଯାଇଥିଲା। ଏହି ଏକତା ଦୌଡ଼କୁ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ବିଧାୟକ ଶ୍ରୀ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏଡିଜି ଶ୍ରୀ ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୀବନ କୁମାର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଖଗେଶ ବାଇପାଇ, ମୁକନ୍ଦ ଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତାକାଲି ମଧ୍ୟ ଚିତ୍ରକଳା ପ୍ରଦର୍ଶନୀ, ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଜେଲରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ

ବାଲେଶ୍ବର : ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ତାଙ୍କର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ ବୋଲି ସୂଚନା ରହିଛି । ସେ ଏକ ଚୋରି ମାମଲାରେ ଧରାପଡି ନୀଳଗିରି ଜେଲ୍‌ରେ ରହିଥିଲେ । ଗତ କୋଡିଏ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।