ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Aug 14, 2023, 8:14 pm IST

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହିଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ନୀଳଗିରି ସହର ପରିକ୍ରମା କରିଥିଲା। ଏଥିରେ ନୀଳଗିରି ଏନ୍‌ଏସି ଅନ୍ତର୍ଗତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନୀଳଗିରି ବାସୀ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା କରାଯାଇ ୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରାକ୍ କାର୍ଯ୍ୟକ୍ରମ ହିସାବରେ ଗତ ଶନିବାର (୧୨-୮-୨୦୨୩)ଦିନ  ନୀଳଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ଷ୍ଟାଫ ଆର୍ଟିଷ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବାବେଳେ ସହଯୋଗୀ ଖଗେଶ ବାଇପାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts