Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଗୋପୀନାଥପୁର ନୀଳଗିରି ଓ ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଅଶ୍ୱିନୀ ବୈଷ୍ଣବ ରେଳବାଇ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଆଜି ଗୋପୀନାଥପୁର ନୀଳଗିରି ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋପୀନାଥପୁର ନୀଳଗିରି – ବାଲେଶ୍ୱର ନୂତନ ଏମୟୁ ଟ୍ରେନ ସେବାକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିବାସହ ଏବଂ ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ।

ବାଲେଶ୍ୱର ପର୍ଯ୍ୟନ୍ତ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ସଂଯୋଗ ପାଇଥିବାରୁ ରେଳମନ୍ତ୍ରୀ ଗୋପୀନାଥପୁର ନୀଳଗିରିର ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ରାଜ୍ୟରେ ରେଳ ନେଟୱାର୍କକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଏହି ଅଞ୍ଚଳ ପାଇଁ ନୂତନ ଷ୍ଟେସନ ବିଲଡିଂ, ନୂତନ ପାସେଞ୍ଜର ଲାଇନ ଏବଂ ନୂତନ ମେମୁ ସେବାର ପ୍ରତିଶୃତି ପୂରଣ କରିଛି। ଗୋପୀନାଥପୁର ନୀଳଗିରି ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ସୁକାନ୍ତ କୁମାର ନାୟକ ଉପସ୍ଥିତ ଥିଲେ।

ଏହି ରୁଟରେ ପ୍ରତିଦିନ ତିନି ଯୋଡି MEMU ଟ୍ରେନ୍ ଚାଲିବ। MEMU ଟ୍ରେନର ନିୟମିତ ଚାଲିବା ୧୪ ତାରିଖରୁ ଆରମ୍ଭ ହେବ ଏବଂ ସମସ୍ତ MEMU ଟ୍ରେନ୍ ସୁତେଇ ବଡ଼ଗାଁ ଷ୍ଟେସନ ଠାରେ ରହିବ।

ପରେ, ବେତନଟୀ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରେଳମନ୍ତ୍ରୀ ବେତନଟୀ ଷ୍ଟେସନରେ ସବୱେ ପାଇଁ ମୂଳଦୁଆ ପକାଇଲେ। ଏହା ଯାତ୍ରୀମାନଙ୍କର ସୁଗମ ପ୍ରବେଶ ଏବଂ ପ୍ରସ୍ଥାନ ଏବଂ ସ୍ଥାନୀୟ ଲୋକଙ୍କ ମୁକ୍ତ ଚଳାଚଳ ନିଶ୍ଚିତ କରିବ। ସେ ବେତନଟୀ ଷ୍ଟେସନରେ ନୂତନ PRS କାଉଣ୍ଟରର ଉଦଘାଟନ କରିଛନ୍ତି। ନୂତନ ଭାବେ ଖୋଲା ଯାଇଥିବା PRS କାଉଣ୍ଟର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧାଜନକ ଏବଂ ସମୟ ସଂଚୟ ଟିକେଟ୍ ବୁକିଂ ସୁବିଧା ଯୋଗାଇବ।

ବେତନଟୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜଲ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ସନାତନ ବିଜୁଲି ଉପସ୍ଥିତ ଥିଲେ।

ଦକ୍ଷିଣ ପୂର୍ବାଞ୍ଚଳ ରେଳ ବିଭାଗର ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ଗୋପୀନାଥପୁର ନୀଳଗିରି ଏବଂ ବେତନଟୀରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ତଥା ଅନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ ଆର ଚୌଧୁରୀ, ବିଭାଗୀୟ ରେଳ ପରିଚାଳକ, ଖଡ଼ଗ୍ପୁର ଏବଂ ଦକ୍ଷିଣ ପୂର୍ବ ରେଳର ଅନ୍ୟ ପ୍ରଧାନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

Categories
ବିଶେଷ ଖବର

ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ବାଲେଶ୍ୱର ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି  ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି  ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଲାଙ୍ଗୀର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି ଓ ଲୋଇସିଙ୍ଗା।  ଏଥିରେ ୧୪ଟି ବ୍ଲକ୍‌ର ୩୧୭ଟି   ଗ୍ରାମପଞ୍ଚାୟତରେ ୩୯୧୧ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ,  ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ  MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ।  ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip,  ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ,  ବିଧାୟକ ଅନନ୍ତ ଦାସ, ବିଧାୟକ ନିତ୍ୟାନନ୍ଦ ସାହୁ, ବିଧାୟକ ସ୍ୱରୂପ ଦାସ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ସରୋଜ ମେହେରଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି । ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରତିଶ୍ରୁତି ପୂରଣ କଲେ କେନ୍ଦ୍ରମନ୍ତ୍ରୀ: ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ମିଳିଲା କାର୍ଯ୍ୟାଦେଶ

ନୂଆଦିଲ୍ଲୀ: ପୁନର୍ବାର ଅଶ୍ୱିନୀ ଭାଇ ତାଙ୍କ ପ୍ରତିଶ୍ରୁତି ପାଳନ କଲେ! ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୱାର୍କ ଅର୍ଡର ଜାରି କରାଯାଇଛି। ଅଶ୍ୱିନୀ ଭାଇ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଡାକ୍ତରଖାନାର ବିକାଶ ପାଇଁ ତାଙ୍କ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ (MP LAD) ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଏବଂ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରାଇଥିଲେ। ଇତିମଧ୍ୟରେ, ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପାଣ୍ଠି ରିଲିଜ ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି।

ବାଲେଶ୍ୱରର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବାକୁ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଅଧ୍ୟକ୍ଷଙ୍କୁ ସୂଚନା ଦେଇଛନ୍ତି।

୨୦୨୩ ଜୁଲାଇ ମାସରେ ଅଶ୍ବିନୀ ଭାଇ ମଧ୍ୟ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ତାଙ୍କର ସଂସଦୀୟ ସ୍ଥାନୀୟ କ୍ଷେତ୍ର ବିକାଶ (ଏମପିଲ୍ୟ।ଡ଼) ପାଣ୍ଠିରୁ ୧.୫୫ କୋଟି ଟଙ୍କା ସୁପାରିଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ ସମ୍ପର୍କିତ କର୍ମଶାଳା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ନଅ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ମିଶନ ଲାଇଫ ସମ୍ପର୍କୀତ କର୍ମଶାଳା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

କର୍ମଶାଳା ବ୍ୟତୀତ ଦୁଇଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଭାରତ ସରକାରଙ୍କ ୯ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମିଶନ ଲାଇଫ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି। ସମ୍ମାନୀତ ଅତିଥିଭାବେ ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ବକ୍ତାଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ କର, ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧୁଷୁରୀ ପଞ୍ଚାୟତର ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣକାରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମର ପୂର୍ବଦିନ ଅନୁଷ୍ଠିତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପୀ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବାବେଳେ ସହଯୋଗୀ ଖଗେଶ ବାଇପାଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ଖୋର୍ଦ୍ଧା, ବାଲେଶ୍ୱର ଓ ଜଗତସିଂହପୁରରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଗୁରୁବାର ଖୋର୍ଦ୍ଧା ଜିଲ୍ଲା ତରତୁଆ ଗ୍ରାମରେ ଆଇଟିବିପି ୪୧ ବାଟାଲିୟନ ଓ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବୀରଙ୍କୁ ସମ୍ମାନ ଓ ଅମୃତ କଳସରେ ମାଟି ସଂଗ୍ରହ ସହିତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହୁସଂଖ୍ୟାରେ ନେହରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ଓ ଆଇ ଟି ବି ପି ଯବାନ ଭାଗ ନେଇଥିଲେ।

ଅନୁରୂପ ଭାବେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅନ୍ତର୍ଗତ ବୀରଙ୍କ ଜନ୍ମମାଟିରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଛି।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ବିଭିନ୍ନ ଗ୍ରାମରେ ଜନସାଧାରଣ ଦେଶପ୍ରେମର ଭାବନା ନେଇ ଅମୃତ କଳସ ଯାତ୍ରାରେ ସାମିଲ ହୋଇଛନ୍ତି। ମେରୀ ମାଟି ମେରା ଦେଶ ଅଭିଯାନ ଅଧୀନରେ ସୋର ବ୍ଲକର ବିଭିନ୍ନ ଗ୍ରାମରୁ ଅମୃତ କଳସରେ ମୃତ୍ତିକା ଏବଂ ଶସ୍ୟ ସଂଗ୍ରହ କରାଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ନିକଟରେ ଉପମାର୍ଗ ନିର୍ମାଣ ପାଇଁ ୧୪.୭ କୋଟି ମଞ୍ଜୁର

ଭୁବନେଶ୍ଵର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୧ ଜୁନ୍ ୨୦୨୩ ରେ ତାଙ୍କର ବାଲେଶ୍ୱର ଗସ୍ତ ସମୟରେ ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସମୟରେ ସେମାନଙ୍କର ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ପାଇଁ ନିଧିପଣ୍ଡା ବ୍ରିଜ (ବ୍ରିଜ ନମ୍ବର ୨୫୯) ନିକଟରେ ଏକ ଉପମାର୍ଗ ନିର୍ମାଣ ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ। ରେଳ ମନ୍ତ୍ରୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ରେଳବାଇର ‘ଡିଜାଇନିଂ ଦଳ’ ତୁରନ୍ତ ଉପମାର୍ଗ ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ କରିଛି ଯାହା ଦକ୍ଷ ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି।  ବାଲେଶ୍ୱରର ନିଧିପଣ୍ଡା ବ୍ରିଜ୍ ନିକଟରେ ରେଳବାଇ ଦ୍ୱାରା ଏକ ଉପମାର୍ଗ ନିର୍ମାଣ ପାଇଁ ରେଳ ବୋର୍ଡ ଦ୍ୱାରା ୧୪.୭ କୋଟି ଟଙ୍କା ମଞ୍ଜୁର କରାଯାଇଅଛି।

ଖଡ଼ଗ୍ପୁର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ହଳଦୀପଦା – ବାଲେଶ୍ୱର ମଧ୍ୟରେ ନିଧିପଣ୍ଡା ବ୍ରିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ଏହି ସେତୁର ତଳେ ଦୁଇ ସ୍ପାନ ମଧ୍ୟରେ ସ୍ଥାନୀୟ ଲୋକମାନେ ଉଭୟ ଯାନବାହାନ ଏବଂ ପଥଚାରୀ ଯାତାୟାତ ପାଇଁ ବ୍ୟବହାର କରୁଛନ୍ତି। ବର୍ଷାଦିନ ସମୟରେ ଏହି ପଥ ଜଳବନ୍ଦୀ ହୋଇଯାଏ ଏବଂ ବ୍ରିଜ୍ ତଳେ ଥିବା ମାର୍ଗଟି ସେଠାରେ ଥିବା ଗ୍ରାମଗୁଡିକ ପାଇଁ ଅପ୍ରତ୍ୟାଶିତ ଭାବେ ସଂଯୋଗ ବିଛିନ୍ନ ହୋଇଯାଏ। ଏହି ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ପାଇଁ ବିକଳ୍ପ, ନିରାପଦ ବ୍ୟବସ୍ଥା ଯୋଗାଇବା ପାଇଁ ସର୍ଭେ କରାଯାଇଥିଲା। ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଖଡ଼ଗ୍ପୁର ଦିଗରୁ ବ୍ରିଜ ନିକଟରେ ୫ ମିଟର ଚୌଡା ଓ ୫ ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣ ପ୍ରସ୍ତାବ ଦିଆଯାଇଛି।

ଏହି ଉପମାର୍ଗ ଭାରୀ ଯାନ ସମେତ ସମସ୍ତ ପ୍ରକାର ଯାନବାହନ ଯିବା ପାଇଁ ବ୍ୟବହୃତ ହେବ। ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ। ଅତିରିକ୍ତ ଭାବରେ, ବର୍ଷାଦିନ ସମୟରେ ଏହି ଅଞ୍ଚଳ ଜଳପ୍ରବାହ ହେବାର ସମ୍ଭାବନାକୁ ଧ୍ୟାନରେ ରଖି ଦ୍ୱିତୀୟ ଉପମାର୍ଗ ନିର୍ମାଣ ପାଇଁ ୪ ମିଟର ଚୌଡା ଓ ୨.୭ ମିଟର ଉଚ୍ଚତା ବିଶିଷ୍ଟ ଏକ ଉପମାର୍ଗ ନିର୍ମାଣର ପ୍ରସ୍ତାବ ଦିଆଯାଇଛି। ସେତୁର ନିର୍ମାଣ ଶଯ୍ୟା ସ୍ତରଠାରୁ ପ୍ରାୟ ୧.୬ ମିଟର ହେବ ଏବଂ ପ୍ରବଳ ଜଳ ନିଷ୍କାସନ ସମୟରେ ମଧ୍ୟ ଏହା ଏକ ସବୁଦିନିଆ ରାସ୍ତା ଭାବରେ କାର୍ଯ୍ୟ କରିବ।

ମାନ୍ୟବର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଏବଂ ନିୟମିତ ନୀରିକ୍ଷଣ ସହିତ ତୁରନ୍ତ ୧୪.୭ କୋଟି ଟଙ୍କାର ପ୍ରକଳ୍ପ ଏବଂ ପାଣ୍ଠିକୁ ମଞ୍ଜୁର କରାଯାଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଦିଆଯାଇ କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତଥା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହିଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ନୀଳଗିରି ସହର ପରିକ୍ରମା କରିଥିଲା। ଏଥିରେ ନୀଳଗିରି ଏନ୍‌ଏସି ଅନ୍ତର୍ଗତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନୀଳଗିରି ବାସୀ ଅଂଶଗ୍ରହଣ କରିଥିଲେ। କୁଇଜ ପ୍ରତିଯୋଗିତା କରାଯାଇ ୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରାକ୍ କାର୍ଯ୍ୟକ୍ରମ ହିସାବରେ ଗତ ଶନିବାର (୧୨-୮-୨୦୨୩)ଦିନ  ନୀଳଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ଷ୍ଟାଫ ଆର୍ଟିଷ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବାବେଳେ ସହଯୋଗୀ ଖଗେଶ ବାଇପାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି।

ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଜରିଆରେ ପିତାମାତା ଓ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସ୍ନେହ ସୃଜନର ତିିନିଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ପାଠପଢ଼ିବା ଲାଗି ବିଦ୍ୟାଳୟକୁ ଆସୁଥିବା ଓ ଶ୍ରେଣୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ପାଂଚଟି ଲେଖାଯିବା ବୋର୍ଡ ପ୍ରଦାନ କରାଯାଇଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିଛି।

ଜୀବନଜୀବିକା କ୍ଷତି ସହିତ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଭାବିତ ପରିବାରଗୁଡ଼ିକୁ ଛଅ ମାସ ପାଇଁ ଶୁଖିଲା ରାସନ ଯୋଗାଇବା ଆରମ୍ଭ କରାଯାଇଛି। ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଜରିଆରେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ପରିବାରଗୁଡିକୁ ଶୁଖିଲା ରାସନ ରିଲିଫ୍ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଜୀବନ ସହୟତାର ଏକ ଅଂଶ ସ୍ୱରୂପ ଗୁରୁତର ଆହତ ଓ ସ୍ଥାୟୀ ଭାବେ ଭିନ୍ନକ୍ଷମଙ୍କୁ ହ୍ୱିର୍ଲଚେୟାର ଭଳି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କରିଥିବା ଘୋଷଣା ଅନୁସାରେ ଫାଉଣ୍ଡେସନର ଟିମ୍ ଏହାର ଆବଶ୍ୟକତାକୁ ଚିହ୍ନଟ କରି ଭଦ୍ରକ ବରପଦା ଗ୍ରାମର ଜଣେ ପ୍ରଭାବିତ ବ୍ୟକ୍ତିଙ୍କୁ ହ୍ୱିର୍ଲଚେୟାର ପ୍ରଦାନ କରିଛି। ବ୍ୟକ୍ତି ଜଣକ ଶଯ୍ୟାଶାୟୀ ଥିଲେ ଏବଂ ଘର ଭିତରେ ସାମାନ୍ୟତମ ଚଳପ୍ରଚଳ କାରିବା ପାଇଁ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳ ରହି ସଂଘର୍ଷ କରୁଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଏହି ସହାୟତା ବେଶ ଗୁରୁତ୍ୱପୂଣ୍ଣ ରହିଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି। ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି।
ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି। ସୂଚନାଯୋଗ୍ୟ ଯେ, DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଅଟେ।
Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ସଂଚାର ବ୍ୟୁରୋ ବାଲେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, (ସିବିସି) ବାଲେଶ୍ୱର ଶାଖା ଏବଂ ସ୍ଥାନୀୟ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଶିକ୍ଷକ ତଥା କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ଅଧ୍ୟାପକ ସଞ୍ଜୀବ କୁମାର ତାଲଦି, ଏନଏସଏସ ପ୍ରୋଗ୍ରାମ ଅଧିକାରୀ ସ୍ମୃତିରେଖା ଟୁଡୁ, ସସ୍ମିତା ପଣ୍ଡା, ଅଧ୍ୟାପକ ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯୋଗଦ୍ୱାରା କିଭଳି ଶାରୀରିକ ଏବଂ ମାନସିକ ସୁସ୍ଥତା ହାସଲ କରିହେବ ସେ ବିଷୟରେ ଅତିଥିମାନେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ପିଲାମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସହଯୋଗୀ ଖଗେଶ ବାଇପାଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ।

ଯୋଗ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରଦ୍ଧା କ୍ରିଏଟିଭ୍‌ ଆର୍ଟସ୍‌ ପକ୍ଷରୁ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଠାରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା-ବାର୍ତ୍ତାଳାପ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ସମ୍ବାଦ ପରିବେଷଣ କରିବା ସମୟରେ ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍ ବୋଲି ସେ କହିଥିଲେ। ପିଆଇବି ଓ ଅଲ୍ ଇଣ୍ଡିଆ ରେଡିଓର ଯୁଗ୍ମ ନିର୍ଦ୍ଦେଶକ, ଆରଏନଆଇର ଉପ ପ୍ରେସ୍ ରେଜିଷ୍ଟ୍ରାର ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ତାଙ୍କର ବକ୍ତବ୍ୟରେ ବାର୍ତ୍ତାଳାପ କର୍ମଶାଳା ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ ହେଉଛି ଗଣମାଧ୍ୟମ ସହିତ ସମ୍ପର୍କ ଓ ସନନ୍ଵୟ ସ୍ଥାପନର ଏକ ମାଧ୍ୟମ। ଯୋଗାଯୋଗର ଅର୍ଥ କେବଳ ସୂଚନାର ପ୍ରସାର ନୁହେଁ, ସୂଚନା ମୂଲ୍ୟଯୁକ୍ତ ହେଲେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇଥାଏ। ବିକାଶମୂଳକ ସାମ୍ବାଦିକତାରେ ଏହା ବିଶେଷ ଜରୁରୀ। ସୂଚନା ଓ ଭାବନାର ସଠିକ ମିଶ୍ରଣ ସମ୍ବାଦ ପରିବେଷଣକୁ ଆକର୍ଷଣୀୟ ଏବଂ ଉପଯୋଗୀ କରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।

ସେହିପରି ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସରକାର ଓ ଗଣମାଧ୍ୟମ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିବା ଉଚିତ୍। ସରକାର ସକ୍ରିୟ ଭାବେ ଗଣମାଧ୍ୟମକୁ ସମସ୍ତ ସୂଚନା ଦେବା ଆବଶ୍ୟକ। ସେହିପରି ଗଣମାଧ୍ୟମ ଖବର ପ୍ରକାଶ କରିବା ସମୟରେ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ମଧ୍ୟ ସରକାର ନଜର ରଖିବା ଉଚିତ୍। ଶ୍ରୀ ଦାସ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବା ସହିତ ଏ ଦିଗରେ କଠୋର ଆଇନ ଆଣିବା ଲାଗି ସରକାରଙ୍କୁ ନିବେଦନ କରିଥିଲେ। ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଓ କାର୍ଯ୍ୟଧାରା ବିଷୟରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବାଲେଶ୍ୱର ଜିଲ୍ଲାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ଅନ୍ୟାନ୍ୟ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସରୋଜ କୁମାର ମିଶ୍ର ଯୋଗ ଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ।

ସେହିପରି ଲିଡ୍ ବ୍ୟାଙ୍କ ମ୍ୟାନେଜର ବିଶ୍ୱଜିତ ଶତପଥୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ମୁଦ୍ରା ଯୋଜନା, ଅଟଳ ପେନସନ, ସୁକନ୍ୟା ସମୃଦ୍ଧି, ଜୀବନ ଜ୍ୟୋତି ବୀମା, ସୁରକ୍ଷା ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବୈଷୟିକ ଅଧିବେଶନରେ ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସମୀର ଚନ୍ଦ୍ର ଦେ ଜଳ ଜୀବନ ମିଶନ: ହର୍ ଘର ଜଲ ଯୋଜନା ବିଷୟରେ ସୂଚନା ଦେଇଥିଲେ। ପିଆଇବି ଭୁବନେଶ୍ୱରର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ। ବାଲେଶ୍ୱର ଜିଲ୍ଲାର ଶହେରୁ ଅଧିକ ସାମ୍ବାଦିକ ଏହି କର୍ମଶାଳାରେ ଯୋଗଦେଇ ମତବିନିମୟ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ୱର ଠାରେ ସ୍ଥାପିତ ହେବ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ଡାକ୍ତରଖାନା

ଦିଲ୍ଲୀ/ଭୁବନେଶ୍ଵର: ବାଲେଶ୍ୱର ଠାରେ ଇଏସ୍‌ଆଇସି ପକ୍ଷରୁ ଏକ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲା ଯିବ ବୋଲି ଆଜି କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୂପେନ୍ଦର ଯାଦବ ଘୋଷଣା କରିଛନ୍ତି। ସେ ଏ ସମ୍ପର୍କରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ର ଚଣ୍ଡିଗଡ ଠାରେ  ଅନୁଷ୍ଠିତ ୧୯୦ ତମ ବୈଠକରେ ଯୋଗ ଦେଇ ସୂଚନା ଦେଇଛନ୍ତି। ଶ୍ରମଜୀବୀ ମାନଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଏହା ଏକ ଦୃଢ଼ ପଦକ୍ଷେପ ବୋଲି ଶ୍ରୀ ଯାଦବ କହିଛନ୍ତି। ଏହା ଫଳରେ ବାଲେଶ୍ୱର ନିକଟସ୍ଥ ବହୁ ଶ୍ରମଜୀବୀ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇ ପାରିବେ ।

କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଚଣ୍ଡିଗଡ ଠାରେ  ଇଏସ୍‌ଆଇସିର ୧୯୦ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରମ ଓ ରୋଜଗାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ  ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ମଧ୍ୟ ଯୋଗ ଦେଇଥିଲେ। ଇଏସ୍‌ଆଇ ନିଗମର ୧୯୦ ତମ ବୈଠକରେ ଶ୍ରୀ ଯାଦବ ଶ୍ରମଜୀବୀ ମାନଙ୍କ ପାଇଁ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଆଗକୁ ଆଗେଇ ନେବା ପାଇଁ ଅନେକ ଗୁଡିଏ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ।

ବୃଦ୍ଧି ପାଉଥିବା ଶ୍ରମଜୀବୀ ମାନଙ୍କର ସଂଖ୍ୟାକୁ ଦୃଷ୍ଟିରେ ରଖି ବେଲଗାଭୀ (କର୍ଣ୍ଣାଟକ), ଶମଶାବାଦ (ତେଲେଙ୍ଗାନା), ବାରାମତୀ (ମହାରାଷ୍ଟ୍ର), କିଶନଗଡ, ଅଜମେର (ରାଜସ୍ଥାନ) ଏବଂ ବାଲେଶ୍ୱର (ଓଡିଶା) ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ କୁର୍ନୁଲ (ଆନ୍ଧ୍ରପ୍ରଦେଶ) ରେ ୩୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ଡାକ୍ତରଖାନା ଏବଂ ଗ୍ରେଟର ନୋଏଡା (ଉତ୍ତରପ୍ରଦେଶ) ଠାରେ ୩୫୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ଇଏସ୍‌ଆଇ ନିଗମ ଏହି ବୈଠକ ସମୟରେ ଅନୁମୋଦନ କରିଛି।

ଏଥି ସହ ସିକ୍କିମର ରାଙ୍ଗପୋ ଠାରେ ନୂତନ ଅନୁମୋଦିତ ୩୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇସି ଡାକ୍ତରଖାନାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା  ଏବଂ ରାଜ୍ୟ ସରକାରଙ୍କ ଠାରୁ ଇଏସ୍‌ଆଇଏସ୍ ହସ୍ପିଟାଲ, ଗୁନାଡାଲା, ବିଜୟୱାଡା (ଆନ୍ଧ୍ରପ୍ରଦେଶ) ଏବଂ ମାଇଥନ, ରାଂଚି (ଝାଡଖଣ୍ଡ) କୁ ନିଜ ହାତକୁ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଛି। ଯେଉଁ  ଡାକ୍ତରଖାନା ଗୁଡ଼ିକୁ ନୂଆ କରି ହାତକୁ ନିଆଯିବ ଶ୍ରମଜୀବୀ ଏବଂ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କୁ ସେଠାରେ ଉନ୍ନତ ଚିକିତ୍ସା ସେବା ତଥା ସୁବିଧା ଯୋଗାଇବା ପାଇଁ ସେଗୁଡିକ  ପ୍ରତ୍ୟକ୍ଷ ଭାବରେ ଇଏସ୍‌ଆଇସି ଦ୍ୱାରା ପରିଚାଳିତ ହେବ।

ବିସ୍ତୃତ ଜନବହୁଳ ଉତ୍ତର – ପୂର୍ବ ଅଂଚଳ, ଘରୋଇ ଡାକ୍ତରଖାନା / ଡିସପେନସାରୀ / ନର୍ସିଂହୋମ ଇତ୍ୟାଦିର ତୀବ୍ର ଅଭାବ ଏବଂ ଉତ୍ତର ପୂର୍ବ – ଅଂଚଳର  ଇଏସ୍‌ଆଇ ଯୋଜନାର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଇଏସ୍‌ଆଇସି ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ଏବଂ ସିକ୍କିମକୁ ଇଏସ୍‌ଆଇ ଯୋଜନାକୁ ଚାଲୁ ରଖିବା ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଧାର୍ଯ୍ୟ ସୀମା (ସିଲିଂ) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖର୍ଚ୍ଚ ଉତ୍ତର ପୂର୍ବାଂଚଳ ରାଜ୍ୟ (ଆସାମ ବ୍ୟତୀତ) ୨୦୨୩ – ୨୪ ଆର୍ଥିକ ବର୍ଷରୁ ଇଏସ୍‌ଆଇ କର୍ପୋରେସନ୍ ବହନ କରିବ।

ପୁନଶ୍ଚ, ଅତିରିକ୍ତ ଆର୍ଥିକ ସହାୟତା ଯାହା ଅଧୀନରେ ପ୍ରତି ଡିସପେନସାରୀ ପାଇଁ ୪୦ ଲକ୍ଷ ଟଙ୍କା (ତ୍ରୈମାସିକ ୧୦ ଲକ୍ଷ ଟଙ୍କା ଲେଖାଏଁ) ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଛି, ତାହା ମଧ୍ୟ ଆରମ୍ଭ କରାଯିବ । ଷ୍ଟାଣ୍ଡାର୍ଡ ମେଡିକାଲ୍ କେୟାର ଅଧୀନରେ ନିୟମିତ ପାଣ୍ଠି ଆବଂଟନ ବ୍ୟତୀତ ଏହା ଏକ ଅତିରିକ୍ତ ଲାଭ ହେବ। ନୂତନ ଡିସପେନସାରୀ ଗୁଡିକ ପାଇଁ ଏହା ମଧ୍ୟ ଉପଲବ୍ଧ ରହିବ, ଯଦି ସେଗୁଡିକ ବର୍ତ୍ତମାନର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯାଏ।

କୋଭିଡ -୧୯ ମହାମାରୀ ସମୟରେ ବେରୋଜଗାର ହୋଇଥିବା ବୀମାଭୁକ୍ତ ଶ୍ରମିକ ମାନଙ୍କୁ ରିଲିଫ ଯୋଗାଇବା ପାଇଁ, ଇଏସ୍‌ଆଇ ନିଗମ ବୈଠକରେ ଅଟଳ ବିମିତ ବ୍ୟକ୍ତିକଲ୍ୟାଣ ଯୋଜନା ଅଧୀନରେ ଉପଲବ୍ଧ ସୁବିଧା ଗୁଡିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବରେ ସହମତ ହୋଇଥିଲା। ଅଟଳ ବିମିତ ବ୍ୟକ୍ତିକଲ୍ୟାଣ ଯୋଜନା (ଏବିଭିକେୱାଇ) ହେଉଛି ବେରୋଜଗାର ଥିବା ଶ୍ରମିକ ମାନଙ୍କ ଜୀବନରେ ଥରକ ପାଇଁ ୯୦ ଦିନ ପର୍ଯ୍ୟନ୍ତ ନଗଦ କ୍ଷତିପୂରଣ ଆକାରରେ ପ୍ରଦାନ କରାଯାଉଥିବା ଏକ କଲ୍ୟାଣକାରୀ ପଦକ୍ଷେପ।

ସୋସିଆଲ୍ ସିକ୍ୟୁରିଟି କୋଡ (ସାମାଜିକ ସୁରକ୍ଷା ନିୟମ) – ୨୦୨୦ ଲାଗୁ ହେବା ପରେ ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହେବାର ପୂର୍ବାନୁମାନ କରି ଭୂପେନ୍ଦର ଯାଦବ ଆଇପି ଏବଂ ସେମାନଙ୍କର ହିତାଧିକାରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବା ପାଇଁ ଇଏସ୍‌ଆଇସିକୁ ବହୁମୁଖୀ କୌଶଳ ଅବଲମ୍ବନ କରି ଡାକ୍ତରୀ ସେବା ଭିତ୍ତିଭୂମିକୁ ମଜଭୁତ  ତଥା ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଇଏସ୍‌ଆଇସି ହସପିଟାଲ ଏବଂ ମେଡିକାଲ କଲେଜ, ଅଲୱାର (ରାଜସ୍ଥାନ) ଏବଂ ବିହ୍‌ତା (ବିହାର) ଠାରେ ତା ୩୧.୦୩.୨୦୨୪ ରିଖ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ସୁବିଧା ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ମଧ୍ୟ ଇଏସ୍‌ଆଇସି ଅନୁମୋଦନ କରିଛି। ଇଏସ୍‌ଆଇସି ଅଧୀନରେ ଔଷଧ / ଡ୍ରେସିଂ ଏବଂ ଉପଯୋଗୀ ସାମଗ୍ରୀ ଗୁଡିକର ସୁବିଧା ମଧ୍ୟ ସେମାନଙ୍କୁ ମାଗଣାରେ ଉପଲବ୍ଧ କରାଯିବ। ବିନା ମୂଲ୍ୟରେ ଅସୁବିଧା – ମୁକ୍ତ ଗୁଣାତ୍ମକ ଚିକିତ୍ସା ସେବା ପାଇବା ନିମନ୍ତେ ଏହା ନିକଟସ୍ଥ ଅଂଚଳର ଲକ୍ଷ ଲକ୍ଷ ସାଧାରଣ ଲୋକ ମାନଙ୍କୁ ଉପକୃତ କରିବ।

ଏସବୁ ବ୍ୟତୀତ, ୨୦୨୨- ୨୩ ବର୍ଷ ପାଇଁ ସଂଶୋଧିତ ଆକଳନ, ୨୦୨୩ – ୨୪ ବର୍ଷ ପାଇଁ ବଜେଟ୍ ଆକଳନ ଏବଂ ଇଏସ୍‌ଆଇ ନିଗମର ୨୦୨୩ – ୨୪ ବର୍ଷ ପାଇଁ ପ୍ରଦର୍ଶନ ବଜେଟ୍ ଉପରେ ବିଚାର ବିମର୍ଶ କରା ଯାଇଥିଲା ଏବଂ ଅନ୍ୟ କାର୍ଯ୍ୟସୂଚୀ ସାମଗ୍ରୀ ସହିତ ଏହାକୁ ଅନୁମୋଦିତ କରା ଯାଇଥିଲା।

କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜୋନାଲ ମେଡିକାଲ କମିଶନରମାନେ, ମେଡିକାଲ କମିଶନରମାନେ, ବୀମା କମିଶନରମାନେ ଏବଂ ଇଏସ୍‌ଆଇସିର ଆଂଚଳିକ ନିର୍ଦ୍ଦେଶକଙ୍କ ସହ ପୃଥକ ବୈଠକରେ ରେଫରାଲ ବ୍ୟବସ୍ଥାରେ ସଂସ୍କାର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଉତ୍ସ ଗୁଡିକର ସର୍ବୋତ୍ତମ ଉପଯୋଗ, ଅପହଂଚ କ୍ଷେତ୍ରରେ ପହଞ୍ଚିବା (ଅସଂଗଠିତ କ୍ଷେତ୍ର କର୍ମଚାରୀ)  ଏବଂ ବୃତ୍ତିଗତ ରୋଗଗୁଡିକ ଭଳି ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଥିଲା ଏବଂ କାର୍ଯ୍ୟ କରାଯିବାକୁ ଥିବା ପଏଣ୍ଟ ଗୁଡିକୁ ଚିହ୍ନଟ କରାଯାଇଥିଲା।

ଏହି ବୈଠକରେ ଡୋଲା ସେନ୍‌, ସାଂସଦ, ଖଗେନ ମୁର୍ମୁ, ସାଂସଦ, ସଚିବ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଆରତୀ ଆହୁଜା ଏବଂ ମହାନିର୍ଦ୍ଦେଶକ, ଇଏସଆଇସି ଡଃ. ରାଜେନ୍ଦ୍ର କୁମାର ଯୋଗ ଦେଇଥିଲେ। ଏହି ବୈଠକରେ ରାଜ୍ୟ ସରକାର ମାନଙ୍କର ମୁଖ୍ୟ ସଚିବ/ସଚିବ, ନିଯୁକ୍ତିଦାତା ମାନଙ୍କ ପ୍ରତିନିଧି ବୃନ୍ଦ, କର୍ମଚାରୀ ଏବଂ ଡାକ୍ତରୀ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ବାଲେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏସବିଆଇ ବାଲେଶ୍ୱର ଶାଖାରେ ଏଭଳି ଏକ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ଏବଂ ଏସବିଆଇ  ଡିଜିଏମ ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ଜୀବନ ପ୍ରମାଣ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପେନସନଭୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଶିବିରରେ ନୂଆ ପଦ୍ଧତି ଜରିଆରେ ୧୦୦ରୁ ଅଧିକ ପେନସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲେଶ୍ୱର ଜୋନ ୨ ଏଜିଏମ ଡିବି ପୀତବାସ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ୱର, ଏବଂ ବାଲେଶ୍ୱର ଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ କଟକରେ ଏଭଳି ଶିବିର ଆୟୋଜନ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝୀ କ୍ଷୋଭ ପକାଶ କରିଛନ୍ତି ।

ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି । କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝି ଦର୍ଶାଇଛନ୍ତି ।

୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ମାଝୀ ଦୃଢ଼ ଦାବୀ କରିଛନ୍ତି ।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି । ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ଦୃଢ଼ ଦାବୀ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉପକୂଳ ପାଖେଇଲା ‘ୟଶ’: ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ।

ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି।

ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁରରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି।

ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିଲାଚୋର ସନ୍ଦେହରେ ଗଛରେ ବାନ୍ଧି ନିସ୍ତୁକ ପିଟିଲେ

ବାଲେଶ୍ୱର: ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟି ଛନ୍ତି ସ୍ଥାନୀୟ ଲୋକେ। ପିଲା ଚୋର ସନ୍ଦେହରେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।