Categories
ଆଜିର ଖବର ଜାତୀୟ ଖବର

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା। ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଅଂଶୀଦାର ସଂପର୍କ ଓ ବ୍ୟାପକ ପ୍ରଚାର ଅଭିଯାନ କରାଯାଇଥିଲା।

ଉତ୍ପାଦନ ପ୍ରକ୍ରିୟାରେ ସ୍ୱଦେଶୀ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ (ଆଡିଟିଭ୍, ଫ୍ଲେଭର୍ସ ଏବଂ ଖାଇବା ତେଲ ବ୍ୟତୀତ) ବ୍ୟବହାରକୁ ବାଧ୍ୟତାମୂଳକ କରି, ଏହି ଯୋଜନା ସ୍ଥାନୀୟ ସୁତ୍ରରୁ କଞ୍ଚାମାଲ କ୍ରୟକୁ ଯଥେଷ୍ଟ ବୃଦ୍ଧି କରିଛି ଓ ତଦ୍ବାରା ଗ୍ରାମୀଣ ଓ ଅନୁନ୍ନତ ଅଂଚଳଗୁଡ଼ିକୁ ଉପକୃତ କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିଛି।

ଏହାବ୍ୟତୀତ, ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ସ୍ଥାନୀୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଅତିରିକ୍ତ ଅଣ-କୃଷି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଯାହାକି ଗ୍ରାମୀଣ ଅଂଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

ଏହି ସ୍କିମ ଘରୋଇ ଉତ୍ପାଦନ ବୃଦ୍ଧିକରି, ମୂଲ୍ୟ ସଂଯୁକ୍ତ କରି ଓ ଘରୋଇ କଞ୍ଚାମାଲର ଉତ୍ପାଦନ ବୃଦ୍ଧି ସମେତ ରୋଜଗାର ବୃଦ୍ଧି କରି ସାମଗ୍ରୀକ ଭାବେ ଦେଶର ଆର୍ଥିକ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଯୋଗଦାନ ଦେଇଛି। ଏହି ଯୋଜନା ବଡ଼ କଂପାନି, ମିଲେଟ୍-ଭିତ୍ତିକ ଉତ୍ପାଦ, ଅଭିନବ ଏବଂ ଜୈବିକ ଉତ୍ପାଦ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସହାୟତା କରିବା ସହିତ ବିଶ୍ୱସ୍ତରରେ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ପ୍ରୋତ୍ସାହିତ କରୁଛି। ଏହି ଯୋଜନାର ହିତାଧିକାରୀଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୧୩ଟି ସ୍ଥାନରେ ପ୍ରାୟ ୮୯୧୦ କୋଟି ଟଙ୍କା ନିବେଶ କରାଯାଇଛି। ୨୦୨୪ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୨.୮୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି।

ସରକାର ନିଜର ବିଭିନ୍ନ ସ୍କିମ ଯେପରିକି ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ), ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଏବଂ ପ୍ରଧାନମନ୍ତ୍ରୀ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା (ପିଏମଏଫଏମଇ) ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏସଏମଇ)ଗୁଡ଼ିକୁ ସକ୍ରିୟଭାବେ ସହାୟତା କରୁଛନ୍ତି। ଏସବୁ ସ୍କିମ ଏସଏମଇଗୁଡ଼ିକୁ ଆର୍ଥିକ, ବୈଷୟିକ ଓ ବିପଣନ ସହାୟତା ଯୋଗାଉଛି ଓ କ୍ଷମତା ସଂପ୍ରସାରଣ, ଉଦ୍ଭାବନ ଓ ସଂଗଠିକରଣକୁ ପ୍ରେତ୍ସାହିତ କରୁଛି। ଏସଏମଇଗୁଡ଼ିକ ମଧ୍ୟ ପିଏମକେଏସଓ୍ବାଇ ସ୍କିମର ବିଭିନ୍ନ ଅଂଶ ଅଧିନରେ ବି ଲାଭ ପାଇପାରିବେ।

ପିଏମଏଫଏମଇ ଅଂସଗଠିତ ସଂସ୍ଥାଗୁଡ଼ିକର ସଂଗଠିକରଣ, ବ୍ୟାଙ୍କ  ଋଣ ସୁବିଧା, ଆଧୁନିକ ଭିତ୍ତିଭୂମି ଓ ବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ଉପରେ ଗୁରୁତ୍ବ ଦିଏ। ପିଏଲଆଇ ସ୍କିମ ଅଧିନରେ, ହିତାଧିକାରୀମାନଙ୍କ ଏକ ବଡ଼ ଅଂଶ ହେଉଛନ୍ତି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏମଏସଏମଇ), ଯେଉଁମାନଙ୍କ ମଧ୍ୟରୁ ୭୦ଟି ଏଏସଏମଉ ସିଧାସଳଖ ପଂଜୀକୃତ ହୋଇଥିବାବେଳେ ଅନ୍ୟ ୪୦ଟି ବୃହତ କମ୍ପାନିମାନଙ୍କ ଲାଗି ଠିକା ଉତ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସାମୂହିକ ଭାବରେ, ଏହି ପଦକ୍ଷେପଗୁଡିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି, ପ୍ରତିଯୋଗିତାରେ ଉନ୍ନତି ଆଣି, ବଜାର ପ୍ରବେଶକୁ ସମ୍ପ୍ରସାରଣ କରି, ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବ୍ୟାପକ ମୂଲ୍ୟ ଶୃଙ୍ଖଳାକୁ ସମର୍ଥନ କରି ଏସଏମଇଗୁଡ଼ିକୁ ସୁଦୃଢ଼ କରୁଛି।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଅଧୀନରେ, ଭାରତ ସରକାର ବିଦେଶରେ ଭାରତୀୟ ଖାଦ୍ୟ ବ୍ରାଣ୍ଡଗୁଡିକର ପ୍ରସାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ଏବଂ ବିଶ୍ୱ ବଜାରରେ ଭାରତୀୟ ବ୍ରାଣ୍ଡର ଉପଭୋକ୍ତା ଖାଦ୍ୟ ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ କାର୍ଯ୍ୟକୁ ସହାୟତା କରନ୍ତି। ହିତାଧିକାରୀଙ୍କୁ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ବାବଦରେ ସେମାନଙ୍କ ଖର୍ଚ୍ଚର ୫୦ ପ୍ରତିଶତ ଫେରସ୍ତ କରାଯାଏ, ଯାହାକି ସେମାନଙ୍କ ବାର୍ଷିକ ଖାଦ୍ୟ ଉତ୍ପାଦ ବିକ୍ରିର ୩ ପ୍ରତିଶତ କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ, ରେ ସୀମାବଦ୍ଧ। ଏଥି ନିମନ୍ତେ ଯୋଗ୍ୟତା ଅର୍ଜନ କରିବା ପାଇଁ ଆବେଦନକାରୀଙ୍କୁ ୫ ବର୍ଷରେ ସର୍ବନିମ୍ନ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ପିଏଲ୍ଆଇ ଯୋଜନାରେ ୭୩ ଜଣ ହିତାଧିକାରୀ ଅଛନ୍ତି।

ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟ୍ଟୁ ଏହି ସୂଚନା ଦେଇଛନ୍ତି।

ପିଏଲଆଇ ଯୋଜନା ଅଧୀନରେ ପ୍ରଦତ୍ତ ସହାୟତାର ଢାଞ୍ଚା :

କ. ହିତାଧିକାରୀ ଏହି ଯୋଜନାର ବର୍ଗ-୧, ବର୍ଗ-୨ ଏବଂ ମିଲେଟ୍ ଭିତ୍ତିକ ଉତ୍ପାଦ ବର୍ଗ ଅଧୀନରେ ପ୍ରୋତ୍ସାହନ ଦାବି କରିବା ପାଇଁ ସର୍ବନିମ୍ନ ବାର୍ଷିକ ବିକ୍ରି ଅଭିବୃଦ୍ଧି ୧୦% ହାସଲ କରିବା ଆବଶ୍ୟକ। ବର୍ଗ-୧ ଅଧୀନରେ କମ୍ପାନିଗୁଡ଼ିକୁ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଅଙ୍ଗୀକୃତ  ପୁଞ୍ଜିନିବେଶ କରିବାକୁ ପଡ଼ିବ। ଯଦି କୌଣସି କମ୍ପାନୀ ୨୦୨୩-୨୪ ଶେଷ ସୁଦ୍ଧା ପୁଞ୍ଜିନିବେଶ ନ କରେ, ତେବେ ସେ ଏହି ଯୋଜନା ଅଧୀନରେ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବ ନାହିଁ।

ଖ. ବର୍ଗ-୩, ଅର୍ଥାତ୍ ବ୍ରାଣ୍ଡିଂ ଏବଂ ମାର୍କେଟିଂ ଅଧୀନରେ, କୌଣସି କମ୍ପାନୀ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ପାଇଁ ହୋଇଥିବା ଖର୍ଚ୍ଚର ୫୦% ହାରରେ ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଅଟେ, ଯାହା କି ଖାଦ୍ୟ ଉତ୍ପାଦ ବିକ୍ରିର ସର୍ବାଧିକ ୩% କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ ହୋଇଥିବ। ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ଖର୍ଚ୍ଚ ୫ କୋଟି ଟଙ୍କା ହେବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା– ୨.୦କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି।

ପରିଦୃଶ୍ୟ:

ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି। ଚଳିତ ବର୍ଷ ମୋବାଇଲ ଫୋନ୍‌ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି।

ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଭାରତକୁ ଆସୁଛି ଏବଂ ଭାରତ ଏବେ ବିଶ୍ୱର ଏକ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ନିର୍ମାତା ଭାବେ ଉଭା ହେଉଛି।

ପୂର୍ବରୁ ମୋବାଇଲ ଫୋନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଥିଲା, ଏହାର ସଫଳତାକୁ ଦେଖି ଏବେ କେନ୍ଦ୍ର କ୍ୟାବିନେଟ ଆଇଟି ହାର୍ଡୱେର ପାଇଁ ପିଏଲଆଇ ଯୋଜନା ୨.୦କୁ ଅନୁମୋଦନ କରିଛନ୍ତି।

ପ୍ରମୁଖ ବୈଶିଷ୍ଟ୍ୟ:

ଆଇଟି ହାର୍ଡୱେର ପାଇଁ ଘୋଷଣା କରାଯାଇଥିବା ପିଏଲଆଇ ଯୋଜନା ୨.୦ରେ ଲାପଟପ, ଟାବଲେଟ୍‌, ଅଲ୍‌ ଇନ୍‌ ୱାନ ପିସି, ସର୍ଭର ଏବଂ ଅଲଟ୍ରା ସ୍ମଲ ଫର୍ମ ଫ୍ୟାକ୍ଟର ଡିଭାଇସଗୁଡ଼ିକୁ ସାମିଲ କରାଯାଇଛି

ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି

ଯୋଜନାର ଅବଧି ୬ ବର୍ଷ ରଖାଯାଇଛି

ଏହାଦ୍ୱାରା ୩.୩୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି

ଯୋଜନା କାର୍ଯ୍ୟକାରୀ ହେଲେ ମୋଟ୍‌ ୨,୪୩୦ କୋଟି ଟଙ୍କାର ବର୍ଦ୍ଧିତ ପୁଞ୍ଜିନିବେଶ ହେବ

ସେହିପରି ୭୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି

ମହତ୍ୱ:

ସବୁ ପ୍ରମୁଖ ବୈଶ୍ୱିକ ସଂସ୍ଥା ପାଇଁ ଭାରତ ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସହଯୋଗୀ ଭାବେ ଉଭା ହେଉଛି। ବଡ଼ ଆଇଟି ହାର୍ଡୱେର କମ୍ପାନୀମାନେ ଭାରତରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଆହୁରି ଏଥିପାଇଁ ଏକ ଦୃଢ଼ ଆଇଟି ସେବା ଉଦ୍ୟୋଗର ସମର୍ଥନ ରହିଛି ଏବଂ ଦେଶ ଭିତରେ ଏହାର ଭଲ ଚାହିଦା ରହିଛି।

ଅଧିକାଂଶ ବଡ଼ କମ୍ପାନୀ ଭାରତରେ ଥିବା କାରଖାନାରୁ ଘରୋଇ ବଜାରକୁ ସାମଗ୍ରୀ ଯୋଗାଣ କରିବା ସହିତ ଭାରତକୁ ଏକ ରପ୍ତାନି କେନ୍ଦ୍ରରେ ପରିଣତ କରିବା ଲାଗି ଆଗ୍ରହ ପ୍ରକାଶ କରିବେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି) ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ମୋବାଇଲ ଉତ୍ପାଦନ ପାଇଁ ସାମସଙ୍ଗ୍ ପରି 22 ଟି ବିଦେଶୀ କଂପାନୀ କରିଛନ୍ତି ଆବେଦନ

ନୂଆଦିଲ୍ଲୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ। ଏହା କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା। ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା 4 ରୁ 6 ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ 31ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି ।

ମୋଟ 22ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି । ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ ଆଇଏନଆର 15 ହଜାର)ରୁ ଅଧିକ ସେମାନେ ହେଲେ ସାମସଙ୍ଗ, ଫକ୍ସକନ ହନ ହାଇ, ରାଇଜିଂ ଷ୍ଟାର, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ । ଏଥିରୁ 3ଟି କମ୍ପାନୀ ଯଥା ଫକ୍ସକନ ହନ ହାଇ, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ ଆପଲ ଆଇ ଫୋନ ପାଇଁ ଚୁକ୍ତିବଦ୍ଧ । ଆପଲର ଶତକଡା 37 ଓ ସାମସଙ୍ଗର ଶତକଡା 22 ଏହିପରି ବିଶ୍ଵର ମୋବାଇଲ ଫୋନ ବିକ୍ରି ରାଜସ୍ୱରୁ ଶତଡକା 60 ଭାଗ ଏହି ଦୁଇ କମ୍ପାନୀ ପାଉଥିବା ବେଳେ ପିଏଲଆଇ ପରି ପ୍ରୋତ୍ସାହନମୂଳକ ଯୋଜନା ଯୋଗୁଁ ଦେଶରେ ସେମାନଙ୍କ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇବ।

ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟରୁ ଲାଭା, ଡିକ୍ସନ ଟେକ୍ନୋଲୋଜି, ସୋଯୋ ମାନ୍ୟୁଫେକ୍ଚାରିଙ୍ଗ ସର୍ଭିସ, ଭଗବତୀ (ମିଇକ୍ରୋମାକ୍ସ), ପଡଗେଟ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିମେସ ଇଲେକ୍ଟ୍ରୋନିକ୍ସ ଏହି ଯୋଜନା ଅଧୀନରେ ଆବେଦନ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନିର୍ମାଣ କାର୍ଯ୍ୟର ବହୁଳ ସଂପ୍ରସାରଣ କରି ଦେଶରେ ମୋବାଇଲ ଫୋନ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ । ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 10 ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଏଟି ଏଣ୍ଡ ଏସ, ଆସେଣ୍ଟ ସର୍କିଟ, ଭିଜିକନ, ୱାଲସିନ, ସହସ୍ର, ଭିଟେସ୍କୋ ଏବଂ ନିଓଲିଙ୍କ ପ୍ରମୁଖ ଅଛନ୍ତି।

ଆଗାମୀ 5 ବର୍ଷ ମଧ୍ୟରେ ଏହି ଯୋଜନା ଯୋଗୁଁ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଟଙ୍କାକୁ ଟପି ଯିବାର ଆଶା କରାଯାଉଛି । ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ 15 ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ 9 ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବା ବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା 2 ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ 45 ହଜାର କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି ।

ଏହି ଯୋଜନା ଯୋଗୁଁ ରପ୍ତାନିରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ଆଶା କରାଯାଉଛି । ଆଗାମୀ 5 ବର୍ଷ ମଧ୍ୟରେ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଥିବା ବେଳେ ସେଥିରୁ ରପ୍ତାନି ବାବଦରୁ 7 ଲକ୍ଷ କୋଟି ଟଙ୍କା ଆସିବା ଆକଳନ କରାଯାଉଛି । ଏହାଛଡା ଏହି ଯୋଜନାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ 11 ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ । ପିଏଲଆଇ ଯୋଜନା ଯୋଗୁଁ ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ 3 ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଏହାର 3ଗୁଣରୁ ଅଧିକ ପରୋକ୍ଷ ନିଯୁକ୍ତ ସୃଷ୍ଟି ହେବ ।

ଘରୋଇ ମୂଲ୍ୟ ବର୍ତ୍ତମାନ 15 ରୁ 20 ପ୍ରତିଶତ ଥିବା ବେଳେ ଏହା ମୋବାଇଲ କ୍ଷେତ୍ରରେ 30 ରୁ 40 ଭାଗ ଓ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 45 ରୁ 50 ଭାଗ ବୃଦ୍ଧି ପାଇବ । ଆଗାମୀ 2025 ସୁଦ୍ଧା ଦେଶରେ ଇଲେକ୍ଟ୍ରୋନିକ୍ସର ଚାହିଦା ବୃଦ୍ଧି ପାଇବାକୁ ଥିବା ବେଳେ ପିଏଲଆଇ ଯୋଜନା ଯୋଗୁଁ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣକାରୀମାନେ ଦେଶରେ ଏକ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବାରେ ସକ୍ଷମ ହେବେ ଯାହାକି ଆତ୍ମନିର୍ଭର ଭାରତ ଯୋଜନାକୁ ସାକାର କରିବ । ଇଲେକ୍ଟ୍ରୋନିକ ଉତ୍ପାଦନକାରୀ ଘରୋଇ କମ୍ପାନୀମାନେ ସ୍ଥାନୀୟ ଆବଶ୍ୟକତା ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ଏହାକୁ ବିଶ୍ଵ ସ୍ତରରେ ପରିଚିତ କରାଇବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ହେଉଥିବା ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ ଓ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଗତ 5 ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି ଘଟିଛି । 2019 ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ଭାରତକୁ ବିଶ୍ଵ ଦରବାରରେ ପରିଚିତ କରାଇବା ସହ ଦେଶର ଚାହିଦା ପୂରଣ କରି ବିଦେଶକୁ ରପ୍ତାନି କରିବାର ମଧ୍ୟ କ୍ଷମତା ହାସଲ କରିପାରିଛି ।