Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: “ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀ ଆଜି ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ବିଭାଗ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।

ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ଡିଏଆରପିଜି ସଚିବ ସଞ୍ଜୟ ସିଂ କହିଥିଲେ, “ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରଚଳନ କ୍ଷେତ୍ରରେ ଏହି ସମ୍ମିଳନୀ ସକାରାତ୍ମକ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉତ୍ତମ ପ୍ରଶାସନ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟବସ୍ଥା ଏବଂ ଅଭିନବ ଉପାୟ ବିଷୟରେ ଜାଣିବା ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏହାକୁ ଦୀର୍ଘସ୍ଥାୟୀ କରିବା”

ଉତ୍ତମ ପ୍ରଶାସନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାର ଗୁରୁତ୍ବ ଉପରେ ଆଲୋକପାତ କରି ଶ୍ରୀ ସିଂ କହିଥିଲେ ଯେ କେନ୍ଦ୍ର, ରାଜ୍ୟ, ଜିଲ୍ଲା ଏବଂ ପଞ୍ଚାୟତସ୍ତରରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ପ୍ରତିଫଳନ ହେବା ଫଳରେ ଏହା ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ସାକାର ରୂପ ଦେବାରେ ସହାୟକ ହେବ। ସର୍ବାଧିକ ପ୍ରଶାସନ ଏବଂ ସର୍ବନିମ୍ନ ସରକାର ସଂକଳ୍ପକୁ ଏହା ବାସ୍ତବରେ କାର୍ଯ୍ୟକାରୀ କରିବ। ଏ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରୟାସକୁ କାର୍ଯ୍ୟକାରୀ କରିବା ଲାଗି ଉତ୍ତମ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଏବଂ ଏହାର ପ୍ରଚାରପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକାଶନୀ ଭଳି ମାଧ୍ୟମକୁ ଉପଯୋଗ କରାଯାଉଛି, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଉଛି ଯାହାଫଳରେ ସେମାନେ ପେସାଦାର ଭାବେ ସେମାନଙ୍କର ଶ୍ରେଷ୍ଠ ପ୍ରଶାସନିକ ଉପାୟଗୁଡ଼ିକୁ ନେଇ ଏକ ରେକର୍ଡ ଦସ୍ତାବିଜ ପ୍ରସ୍ତୁତ କରିପାରିବେ। ଏ କ୍ଷେତ୍ରରେ ବିଭାଗ ପକ୍ଷରୁ ଅଭିନବ ବିଚାର ବିନିମୟ ଲାଗି ସମ୍ମିଳନୀ ଆୟୋଜନ କରାଯାଉଛି ଏବଂ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଯୋଜନା ମଧ୍ୟ କରାଯାଉଛି। ପ୍ରତ୍ୟେକ ପ୍ରୟାସ ସଫଳ ହେବାର ଏକ କାରଣ ରହିଛି। ଅଭିନବ ଉପାୟକୁ ସଫଳ, ଫଳପ୍ରଦ କରିବା ଲାଗି, ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ପ୍ରତ୍ୟେକ ପରିସ୍ଥିତି ପାଇଁ ଭିନ୍ନ ରଣନୀତି ଓ ଜ୍ଞାନକୌଶଳ ପ୍ରୟୋଗ କରାଯାଉଥିବା ସେ କହିଥିଲେ।

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ଭି. ଶ୍ରୀନିବାସ ଉଦଘାଟନୀ ଅଭିଭାଷଣରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଅଭିବାଦନ ଜଣାଇବା ସହିତ ସମ୍ମିଳନୀର ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ଗୁରୁତ୍ବ ଉପରେ ଆଲୋକପାତ କରି ଶ୍ରୀନିବାସ କହିଥିଲେ, “ଅଭିନବ ଉପାୟ ଅବଲମ୍ବନ କରିବା କ୍ଷେତ୍ରରେ ସାରା ଦେଶରେ ଜିଲ୍ଲା ପ୍ରଶାସନଗୁଡ଼ିକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଅବସରରେ, ଅଭିନବମାନ ଉପସ୍ଥାପନା କରାଯିବ ଯେଉଁଥିରୁ ଆମେ ଶିଖିପାରିବା ଏବଂ ଏହାକୁ ଆବଶ୍ୟକ କ୍ଷେତ୍ରରେ ପ୍ରତିଫଳିତ କରିପାରିବା।”

ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗକୁ ଏପରି ଏକ ଆଞ୍ଚଳିକ ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ଲାଗି ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାରେ କେତେକ ଅଭିନବ ପ୍ରଶାସନିକ ସଂସ୍କାର ଉପରେ ସେ ଆଲୋକପାତ କରିଥିଲେ।

ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, “ଆଜିର ଦିନରେ ନାଗରିକମାନେ ବିଶେଷ କରି ଯୁବପିଢ଼ି ସରକାରଙ୍କ ପୂର୍ବାପେକ୍ଷା ଅଧିକ ଆଶା କରୁଛନ୍ତି। ଆମେ ସେମାନଙ୍କର ଆଶା ପୂରଣ କରିବା ଦରକାର ଏବଂ ଉନ୍ନତ ମାନର ସେବା ଯୋଗାଇ ଦେବା ଉଚିତ୍। ଏ କ୍ଷେତ୍ରରେ ପାରସ୍ପରିକ ଅଭିଜ୍ଞତା ବିନିମୟ କ୍ଷେତ୍ରରେ ଏପରି ସମ୍ମିଳନୀ ବିଶେଷ ସହାୟକ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ।

ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଏହି ଅଧିବେଶନରେ “ଅଭିନବ ଉପାୟ (ଜିଲ୍ଲାସ୍ତରୀୟ)” ବିଷୟ ଉପରେ ଆଲୋଚନା କରାଯାଇଥିଲା। ‘ସୋଲାପୁରରେ ଜଳ ସଂରକ୍ଷଣ ପ୍ରୟାସ’, ‘ମୃତ୍ତିକା-ଜୀବନର ଆତ୍ମା’ ଏବଂ ‘ସକ୍ଷମ ସୁରଜପୁର’ ଆଦି ଉପରେ ଏକ ଉପସ୍ଥାପନା କରାଯାଇଥିଲା।

“ଅଭିନବ ଉପାୟ (କେନ୍ଦ୍ର ସରକାର) ଉପରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ଡିଏଆରପିଜିର ସ୍ବତନ୍ତ୍ର ସଚିବ ଭି. ଶ୍ରୀନିବାସ ଅଧ୍ୟକ୍ଷତା କରିଥିଲେ। ଟେଲିମେଡ଼ିସିନ ସମାଧାନ ପାଇଁ ଏକ ସମନ୍ବିତ ବ୍ୟବସ୍ଥା ‘ଇ-ସଞ୍ଜିବନୀ’, ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଇ-ପ୍ରଶାସନକୁ ସମ୍ପ୍ରସାରଣ କରିବା, ନିର୍ବାଧ ବାଧାମୁକ୍ତ ଇପିଏଫଓ ସେବା (ଇ-ଇପିଏଫଓ) ଏବଂ ନବୋନ୍ମେଷକୁ ତ୍ବରାନ୍ବିତ କରୁଥିବା ସ୍ବଚ୍ଛ ଶକ୍ତି ପ୍ରୟାସ ଉପରେ ଅଧିବେଶନରେ ବିଶେଷ ଉପସ୍ଥାପନା କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଯୁଗ୍ମ ସଚିବ ଶ୍ରୀ ଏନବିଏସ ରାଜପୁତ ମଧ୍ୟାହ୍ନଭୋଜନ ବିରତି ପରବର୍ତ୍ତୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଏଥିରେ “ଅଭିନବ ଉପାୟ(ରାଜ୍ୟ ସରକାରଙ୍କ ସ୍ତର) ଉପରେ ଆଲୋଚନା ହୋଇଥିଲା। ଏଥିରେ ‘କ୍ୟାଶଲେସ ହରିୟାଣା-ହରିୟାଣା ନଗଦମୁକ୍ତ ସମାଧାନ ପୋର୍ଟାଲ’, “ବ୍ୟବସାୟିକ ପରିବର୍ତ୍ତନ ଆଣୁଥିବା ଆଇଟି ଟୁଲ-ଏମପିଏମକେଡବ୍ଲୁସିଏଲ” ଏବଂ ‘ରାଜସ୍ଥାନ କୃଷି ପ୍ରତିଦ୍ବନ୍ଦ୍ବିତା ପ୍ରକଳ୍ପ’ ଉପରେ ବିଶେଷ ଉପସ୍ଥାପନା କରାଯାଇଥିଲା।

ଚତୁର୍ଥ ଅଧିବେଶନରେ “ସାଧାରଣ ସେବା ପ୍ରଦାନରେ ସୁଧାର” ବିଷୟବସ୍ତୁ ଉପରେ ଉପସ୍ଥାପନା କରାଯାଇଥିଲା, ଏଥିରେ ମହାରାଷ୍ଟ୍ରର ମୁଖ୍ୟ ସେବା ଅଧିକାର ଆୟୁକ୍ତ ଶ୍ରୀ ସ୍ବାଧୀନ କ୍ଷତ୍ରୀୟ ଅଧ୍ୟକ୍ଷତା କରିଥିଲେ। “ଜିରୋ ପେଣ୍ଡେନ୍ସି-ମେକିଂ ଦ ସିଷ୍ଟମ ଡେଲିଭର”, “ରିଚ ଆଉଟ- କମ ସମୟ ମଧ୍ୟରେ ସାଧାରଣ ଅଭିଯୋଗର ସମାଧାନ କରିବା ଲାଗି ଏକ ଅଭିନବ ବ୍ୟବସ୍ଥା”, “ଜିଲ୍ଲାପାଳଙ୍କ ଅଭିଯୋଗ କେନ୍ଦ୍ର – ଏକ ଜିଲ୍ଲା ଏକ ନମ୍ବର, ଜିଲ୍ଲା ସମ୍ବଲପୁର” ଏବଂ “ସେବା ପ୍ରଦାନ ଓ ସାଧାରଣ ଅଭିଯୋଗ ସମାଧାନରେ ସୁଧାର : ସିରୋହୀ, ରାଜସ୍ଥାନର ସଫଳ କାହାଣୀ” ଉପରେ ବିଶେଷ ଆଲୋଚନା କରାଯାଇଥିଲା।
ଆସନ୍ତାକାଲି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି, ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦବୋଧନ ଦେବେ।

ନାଗରିକ କୈନ୍ଦ୍ରିକ ପ୍ରଶାସନ ଯୋଗାଇଦେବା, ଇ-ଗଭର୍ଣ୍ଣାନ୍ସ ଜରିଆରେ ଜନସେବାରେ ସୁଧାର, ପାରଦର୍ଶୀ, ଉତ୍ତରଦାୟୀ ଏବଂ ନାଗରିକ କୈନ୍ଦ୍ରିକ ପ୍ରଭାବୀ ପ୍ରଶାସନ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟବସ୍ଥା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅଭିଜ୍ଞତାର ବିନିମୟ ଲାଗି ଏକ ସାଧାରଣ ମଞ୍ଚ ଯୋଗାଇ ଦେବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଉଛି।
୧୫ ଟି ପୂର୍ବାଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରୁ ୨୦୦ରୁ ଅଧିକ ଅତିଥି ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ ୨୫୦ ଅତିଥି ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଓ ଦୌରାଜଜଙ୍କ ନୂତନ କୋର୍ଟ ବିଲଡିଂ ଉଦଘାଟିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଜିଲ୍ଲା ଜଜ ତଥା ତାଙ୍କ ଅଧିନସ୍ଥ କୋର୍ଟ ସମୁହ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧରନଙ୍କ କରକମଳରେ ଭବାନୀପାଟଣାରେ ଉଦ୍ଘାଟିତ ହେଇ ଯାଇଛି।

ଏହି ଅଦାଲତ ସାଧାରଣ ଜନତାଙ୍କ ପାଇଁ ଉଦିଷ୍ଟ ତଥା ନ୍ୟାୟପାଇଁ ଆସୁଥିବା ଲୋକଙ୍କୁ ଅଦାଲତଠାରୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ମିଳିବା ଉଚିତ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି  ସଂଜୀବ ପାଣିଗ୍ରାହୀ ତଥା ଜିଲ୍ଲା ଓ ଦୌରା ଜଜ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ, ଜିଲ୍ଲା ଓକିଲ ସଙ୍ଘର ସଭାପତି ନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ବିଚାରପତିଙ୍କ ଦ୍ୱରା ଜିଲ୍ଲା ଓକିଲ ସଙ୍ଘର କୋଠାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ।

ଏହି ଅବସରରେ ଜିଲ୍ଲାର ବରିଷ୍ଟ ଆଇନଜୀବୀ ଶ୍ରୀ ମାୟାଧର ମୁଣ୍ଡ, ସତ୍ୟ ନାରାୟଣ ସେଠ, ଜଗନ୍ନାଥ ମୁଣ୍ଡ ଏବଂ ନାରାୟଣ ପଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ୟ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କଳାହାଣ୍ଡି ଜିଲ୍ଲପାଳ ଡ଼ଃ ଗାଭଲି ପରାଗ ହର୍ଷଦ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ର ସମସ୍ତ ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବାଲୁଗାଁରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଉଦଘାଟିତ: ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସଡ଼ିପିଓ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହା ସହିତ ଜଣେ ଶ୍ରେଷ୍ଠ ସଫେଇ କର୍ମଚାରୀଙ୍କୁ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯିବ।

ଏହି ପରିପ୍ରେକ୍ଷୀରେ ପ୍ରଥମଥର ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ଏବଂ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ପରିଷଦର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନିଜ ହାତରେ ଭୋଜନ ପରିବେଷଣ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ବାଲୁଗାଁ ଏନ.ଏ.ସି ର ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଗତ ଛଅ ମାସର ଚୟନ ହୋଇଥିବା ଶ୍ରେଷ୍ଠ ଛଅ ଜଣ ସଫେଇ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ଏନ.ଏ.ସି ର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅନ୍ତରେ ସମସ୍ତ ସଫେଇ କର୍ମଚାରୀମାନେ ବେଶ ଭାବବିହୋଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଏବଂ ସମସ୍ତେ ଅତିଥିମାନଙ୍କୁ ବିଶେଷ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ ପ୍ରତି ମାସରେ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବା ପାଇଁ ଏନ.ଏ.ସି ତରଫରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବାଲୁଗାଁ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦଘାଟିତ ହେଲା ଆପାତକାଳିନ ରେସପନ୍ସ ସେଣ୍ଟର

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆପାତକାଳିନ ରେସପନ୍ସ ସେଣ୍ଟର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ କହିଲେ ପାରାଦ୍ବୀପ ଶିଳ୍ପାଞ୍ଚଳରେ ରାସାୟନିକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କ ପାଇଁ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ସହାୟକ ହୋଇପାରିବ। ସମଗ୍ର ଓଡ଼ିଶାରେ ପ୍ରଥମଥର ପାଇଁ ଏହି ସେଣ୍ଟର ପାରାଦ୍ବୀପ ଠାରେ ନିର୍ମାଣ କରାଯାଇଛି।

ଓଡ଼ିଶାରେ ୩୫ଟି ବିପଦପୂର୍ଣ୍ଣ ମୁଖ୍ୟ ଦୁର୍ଘଟଣା ଫ୍ୟାକ୍ଟ୍ରି ମଧ୍ୟରୁ ପାରାଦ୍ବୀପରେ ୮ଟି ଅବସ୍ଥିତ।ଉକ୍ତ ୮ଟି ଶିଳ୍ପାଞ୍ଚଳ ଅଧିନରେ ୨୦ଟି ବରଫକଳ ,୩ଟି ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ଅବସ୍ଥିତ। ଯେଉଁମାନେ ତାଙ୍କର ପ୍ରକ୍ରିୟାକରଣରେ ଆମୋନିଆ ଗ୍ୟାସ ବ୍ୟବହାର କରିଥାନ୍ତି। ଛୋଟ ଛୋଟ ଫ୍ୟାକ୍ଟ୍ରି ଗୁଡିକରେ ରାସାୟନିକ ଦୁର୍ଘଟଣା ଘଟିଲେ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ମାଧ୍ୟମରେ ସମସ୍ତ ପ୍ରକାର ସହାୟତା କରାଯାଇପାରିବ। ଏହି ସେଣ୍ଟର ନିର୍ମାଣ ପାଇଁ ୨୦୧୯ ମସିହାରେ କ୍ରାଇସିସ୍ ଗୃପ୍ ମିଟିଙ୍ଗରେ ପରିକଳ୍ପନା କରାଯାଇଥିଲା। ଯାହା ଆଜି ସାକାର ହୋଇପାରିଛି। ପାରାଦ୍ଵୀପର ଇଫକୋ ସଂସ୍ଥା ଏହି ସେଣ୍ଟରର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଦୁର୍ଘଟଣା ସମୟରେ ଯୋଗାଯୋଗ ରକ୍ଷା କରିବା କ୍ଷେତ୍ରରେ ସମସ୍ତ ସରଞ୍ଜାମ ପିପିଏଲ୍ ଯୋଗାଇ ଦେଇଥିଲା।

ଏଥିସହିତ ରାସାୟନିକ ଦୁର୍ଘଟଣା ସମୟରେ ମୁକାବିଲା କରିବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ଆଇଓସିଏଲ୍ (iocl)ଯୋଗାଇଦେଇଛି।ଶେଷରେ ପାରାଦ୍ବୀପର ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ।ଫ୍ୟାକ୍ଟ୍ରି ଏଣ୍ଡ୍ ବୟଲର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏହି ଉତ୍ସବରେ ପିପିଏଲ୍, ଇଫକୋ, ଆଇଓସିଏଲ୍, ଆଦାନୀ,ଆର୍ସେଲର ମିତଲ ନିପନ ଷ୍ଟିଲ ଲିମିଟେଡର ମୁଖ୍ୟ ଓ ପ୍ରତିନିଧି ମାନେ ଯୋଗ ଦେଇଥିଲେ।