ବାଲୁଗାଁରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଉଦଘାଟିତ: ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସଡ଼ିପିଓ

Published: Jan 15, 2021, 8:56 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହା ସହିତ ଜଣେ ଶ୍ରେଷ୍ଠ ସଫେଇ କର୍ମଚାରୀଙ୍କୁ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯିବ।

ଏହି ପରିପ୍ରେକ୍ଷୀରେ ପ୍ରଥମଥର ଭାବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ଏବଂ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ପରିଷଦର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନିଜ ହାତରେ ଭୋଜନ ପରିବେଷଣ କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ବାଲୁଗାଁ ଏନ.ଏ.ସି ର ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବିଗତ ଛଅ ମାସର ଚୟନ ହୋଇଥିବା ଶ୍ରେଷ୍ଠ ଛଅ ଜଣ ସଫେଇ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ସମୟରେ ଏନ.ଏ.ସି ର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅନ୍ତରେ ସମସ୍ତ ସଫେଇ କର୍ମଚାରୀମାନେ ବେଶ ଭାବବିହୋଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଏବଂ ସମସ୍ତେ ଅତିଥିମାନଙ୍କୁ ବିଶେଷ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ତେବେ ପ୍ରତି ମାସରେ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବା ପାଇଁ ଏନ.ଏ.ସି ତରଫରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବାଲୁଗାଁ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ସୂଚନା ଦେଇଛନ୍ତି।

Related posts