Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଆସି ଖଣ୍ଡଗିରି, ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ଓ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।

ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଲେ।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମର ବିଶ୍ବଶ୍ରେଣୀୟ ଭିତ୍ତିଭୂମିକୁ ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ଅନୁଷ୍ଠିତ ହେବାକୁ ଯାଉଛି।

ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫଟି ଭୁବନେଶ୍ବର ଠାରେ ସାଂସ୍କୃତିକ ହବି କ୍ଲାସରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି।

ଜିଆଇଏଫଟି ଭୁବନେଶ୍ବର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଆୟୋଜନ କରୁଛି ଏବଂ ଏହାର ଅଂଶସ୍ବରୂପ ଅନୁଷ୍ଠାନ ମହାରାଷ୍ଟ୍ରର ଏସି ପାଟିଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ, ନଭି ମୁମ୍ବାଇ ଓ ଅନ୍ୟ ବିଭିନ୍ନ ସ୍କୁଲର 50 ଜଣ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଏବେ ଖୋଲିବନି ଖଣ୍ଡଗିରି, ଉଦୟଗିରି

ଭୁବନେଶ୍ବର : ଖଣ୍ଡଗିରି, ଉଦୟଗିରି ସମେତ 9ଟି ଐତିହ୍ୟ କୀର୍ତ୍ତିରାଜି ଏବେ ଖୋଲିବନି ବୋଲି ସୂଚନା ରହିଛି । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଖୋଲିବନି ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ସମସ୍ତ କୀର୍ତ୍ତିରାଜିକୁ ନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଦେଇଛନ୍ତି । ଆସନ୍ତା 6ରୁ ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ କହିଥିଲେ ଏଏସ୍‌ଆଇ ଓଡ଼ିଶା ସର୍କଲ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ସର୍ବମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଅନ୍‌ଲକ୍‌ 2.0ରେ ଧାର୍ମିକ ଅନୁଷ୍ଠାନକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରାବଣ ମାସରେ ଆୟୋଜିତ ହେଉଥିବା କାଉଡି ଯାତ୍ରାକୁ ମଧ୍ୟ ଚଳିତ ଥର ସ୍ଥଗିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।