ଓଡ଼ିଶା ଗସ୍ତରେ ଆସି ଖଣ୍ଡଗିରି, ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

Published: Sep 21, 2022, 8:56 pm IST

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ଓ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।

ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଲେ।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମର ବିଶ୍ବଶ୍ରେଣୀୟ ଭିତ୍ତିଭୂମିକୁ ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ଅନୁଷ୍ଠିତ ହେବାକୁ ଯାଉଛି।

ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫଟି ଭୁବନେଶ୍ବର ଠାରେ ସାଂସ୍କୃତିକ ହବି କ୍ଲାସରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି।

ଜିଆଇଏଫଟି ଭୁବନେଶ୍ବର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଆୟୋଜନ କରୁଛି ଏବଂ ଏହାର ଅଂଶସ୍ବରୂପ ଅନୁଷ୍ଠାନ ମହାରାଷ୍ଟ୍ରର ଏସି ପାଟିଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ, ନଭି ମୁମ୍ବାଇ ଓ ଅନ୍ୟ ବିଭିନ୍ନ ସ୍କୁଲର 50 ଜଣ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରିତ କରିଛି।

Related posts