Categories
ଆଜିର ଖବର ଜାତୀୟ ଖବର

ଆଜି କାଶୀ-ତାମିଲ ସଙ୍ଗମମ୍‌ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ନିଜର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାରାଣସୀର ନମୋ ଘାଟଠାରେ  କାଶୀ ତାମିଲ ସଂଗମମ୍ -୨୦୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୩ ଡିମ୍ବେର ୧୭ତାରିଖରେ କନ୍ୟାକୁମାରୀ ବାରାଣସୀ ତାମିଲ ସଂଗମମ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ ପଟେଲ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ ।

ପବିତ୍ର ନଗରୀ କାଶୀ (ବାରଣାସୀ)ରେ ଏହି ଦ୍ୱିତୀୟ ପର୍ଯ୍ୟାୟ କାଶୀ ତାମିଲ ସଙ୍ଗମମ୍ -୨୦୨୩ ଡିସେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ ତାମିଲନାଡୁର ପ୍ରଥମ ପର୍ଯ୍ୟାୟରେ ୨୦୦ ପ୍ରତିନିଧି ଚେନ୍ନାଇରୁ ବାରାଣସୀ ଅଭିମୁଖେ ଡିସେମ୍ବର ୧୫ ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି । ମୋଟ ସାତଟି ଦଳରେ ପ୍ରତ୍ୟେକ ଥର ୨୦୦ ଲେଖାଏଁ ମୋଟ ପ୍ରାୟ ୧୪୦୦ ପ୍ରତିନିଧି ତାମିଲନାଡୁରର ବିିଭିନ୍ନ ଅଞ୍ଚଳରୁ ବାରାଣସୀରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ସମାଜର ବିଭିନ୍ନ ବର୍ଗର ଲୋକେ ଏହି ପ୍ରତିନିଧି ଦଳରେ ସ୍ଥାନ ପାଇଛନ୍ତି । ଏହି ପ୍ରତିନିଧି ମାନେ କାଶୀରେ ସେମାନଙ୍କର ଅବସ୍ଥାନ କାଳରେ ପ୍ରୟାଗ ରାଜ ଓ ଅଯୋଧ୍ୟା ପରିଦର୍ଶନ କରିବେ । ଏଥି ପାଇଁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି ।

ସାତଟି ଦଳ- ବିଦ୍ୟାର୍ଥୀ (ଗଙ୍ଗା), ଶିକ୍ଷକ ଶିକ୍ଷୟିତ୍ରୀ (ଯମୁନା), ପେସାଦାର (ଗୋଦାବରୀ), ଅଧ୍ୟାତ୍ମବାଦୀ (ସରସ୍ୱତୀ), କୃଷକ ଓ କାରିଗର (ନର୍ମଦା), ଲେଖକ (ସିନ୍ଧୁ) ଏବଂ ବ୍ୟବସାୟୀ ଓ ବ୍ୟାପାରୀ (କାବେରୀ) ତାମିଲନାଡୁରୁ ଏହି କାଶୀ ତାମିଲ ସଂଗମମ୍‌ରେ ଯୋଗ ଦେଉଛନ୍ତି । ସେମାନଙ୍କ ଦଳର ନାମ ଦେଶର ପବିତ୍ର ନଦୀମାନଙ୍କ ନାମରେ ନାମିତ ହୋଇଛି । ଏସବୁ ଦଳ ଚେନ୍ନାଇ, କୋଏମ୍ବାଟୁର ଓ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରି କାଶୀରେ ପହଞ୍ଚିବେ । ଏହି ସଂଗମମରେ ଯୋଗଦେବା ପାଇଁ ଯେଉଁ ନାମ ପଞ୍ଜୀକରଣ ଆରମ୍ଭ ହୋଇଥିଲା ତାହାର ମିଆଦ ୨୦୨୩ ଡିସେମ୍ବର ଆଠ ତାରିଖରେ ଶେଷ ହୋଇଛି । ଏହି ସମୟରେ ୪୨ ହଜାରରୁ ଅଧିକ ଲୋକ ନିଜର ନାମ ପଞ୍ଜୀକରଣ କରିଥିଲେ । ଏହି ୪୨ ହଜାରଙ୍କ ମଧ୍ୟରୁ ସାତଟି ଦଳରେ ସମୁଦାୟ ୧୪୦୦୦ ଲୋକଙ୍କୁ ମନୋନୟନ କମିଟି ଦ୍ୱାରା ବଛାଯାଇଥିଲା । ପ୍ରତ୍ୟେକ ଦଳରେ ବର୍ଗ ଅନୁସାରେ ୨୦୦ ଲେଖାଏଁ ପ୍ରତିନିଧି ସ୍ଥାନ ପାଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏହି କାର୍ଯକ୍ରମର କେନ୍ଦ୍ରୀୟ ଆୟୋଜକ (ନୋଡାଲ ଏଜେନ୍ସି)ଭାବେ କାର୍ଯ୍ୟ କରୁଛି । ଏଥିରେ ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏମ୍‌ଇ, ସୂଚନା ଓ ପ୍ରସାରଣ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ସରକାର ସାହାଯ୍ୟ ସହଯୋଗ ଯୋଗାଉଛନ୍ତି  । ମାଡ୍ରାସ ଆଇଆଇଟି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱରେ ଅଛନ୍ତି ।

ଯେଉଁ ପ୍ରତିନିଧିମାନେ ତାମିଲନାଡୁରୁ ଏହି ସଂଗମମ୍‌ରେ ଆଠଦିନ ପାଇଁ ଯୋଗଦେବେ ସେମାନଙ୍କ ନିମନ୍ତେ ଦୁଇଦିନ କରି ଯିବା ଆସିବାର ମୋଟ ଚାରିଦିନର ଯାତ୍ରା, ପ୍ରୟାଗରାଜ ଓ ଅଯୋଧ୍ୟା ଦର୍ଶନ ପାଇଁ ଦିନେ ଲେଖାଏଁ  ମୋଟ ଦୁଇଦିନ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ଦୁଇଦିନ  ସେମାନଙ୍କୁ ସଙ୍ଗମମ୍‌ରେ ଯୋଗଦେବାର ସୁଯୋଗ ମିଳିବ । ଏହି ସଙ୍ଗମମ୍ ଉପଲକ୍ଷେ କାଶୀରେ ବିଭିନ୍ନ ପ୍ରକାର ଦୋକାନ ଓ ପ୍ରଦର୍ଶନ ମଣ୍ଡପ ଲଗାଯାଇଛି । ଏଥିରେ ତାମିଲନାଡୁ ଓ କାଶୀର କଳା ଓ ସଂସ୍କୃତି  ସହିତ ସମ୍ପୃକ୍ତ ସାମଗ୍ରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ, ବିଭିନ୍ନ ପ୍ରକାର ଖାଦ୍ୟ ସ୍ଥାନ ପାଇଛି । କାଶୀର ନମୋ ଘାଟରେ ମଧ୍ୟ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହାଛଡା ସଙ୍ଗମମ୍‌ରେ ଆଲୋଚନାଚକ୍ର, ବକ୍ତୃତା, ସେମିନାର ଆଦି ଆୟୋଜିତ ହେବ ଓ ଏଥିରେ ସାହିତ୍ୟ, ପ୍ରାଚୀନ, ଲେଖା, ଦର୍ଶନ, ଆଧ୍ୟାତ୍ମିକତା, ସଙ୍ଗୀତ, ନାଟକ, ଯୋଗ, ଆୟୁର୍ବେଦ, ହସ୍ତତନ୍ତ, ହସ୍ତକଳା,ଆଧୁନିକ ଇନୋଭେସନ, ବ୍ୟାବସାୟିକ କଥୋପକଥନ, ଏଡ୍‌ଟେକ ଓ ଅନ୍ୟାନ୍ୟ ପରବର୍ତ୍ତୀ ପିଢିର ଟେକ୍‌ନୋଲେଜି ଉପରେ ସମବେତ ବ୍ୟକ୍ତି ଓ ବିଶେଷଜ୍ଞମାନେ ଆଲୋଚନା ଏବଂ ବିଚାର ବିମର୍ଶ କରିବେ । ବିଭିନ୍ନ ବିଷୟ ଓ ବୃତ୍ତି ଉପରେ ଆଲୋଚନା ତଥା ମତ ବିନିମୟ କରିବାକୁ ଉଭୟ ତାମିଲନାଡୁ ଏବଂ କାଶୀର ବିଶେଷଜ୍ଞମାନଙ୍କୁ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଯେ କାଶୀ ତାମିଲ ସଙ୍ଗମମ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୨ ଡିସେମ୍ବର ୧୬ରେ ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଆୟୋଜକ ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏହି ସଙ୍ଗମମ୍‌ରେ ତାମିଲନାଡୁରୁ ୧୨ଟି ଦଳରେ ୨୫୦୦ରୁ ଅଧିକ ବିଭିନ୍ନ ବର୍ଗର ଲୋକେ  ଆଠଦିନିଆ ଯାତ୍ରାରେ କାଶୀ ଆସିବା ସହ ପ୍ରୟାଗରାଜ ଓ ଅଯୋଧ୍ୟା ଆଦି ବୁଲି ଦେଖିବାର ସୁଯୋଗ ପାଇଥିଲେ । ଏହି ଗସ୍ତ ଦ୍ୱାରା ତାମିଲନାଡୁର ସମ୍ପୃକ୍ତ ପ୍ରତିନିଧିମାନେ ବାରାଣସୀର ଜନଜୀବନ ଓ ସଂସ୍କୃତି ସମ୍ପର୍କରେ ବିବିଧ ଅନୁଭୂତି ହାସଲ କରିବାର ସୁଯୋଗ ପାଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

‘ଯୁବା ସଂଗମ’ ଫେଜ୍-୩ରେ ଓଡ଼ିଶା ଆସିଥିବା କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି  ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଆରମ୍ଭ ହୋଇଥିବା ଯୁବା ସଂଗମର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଆସିଥିବା କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଅନୁଭୂତି ଶୁଣିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ। ଶିକ୍ଷାନୁଷ୍ଠାନ ଗୁଡିକରେ ଆଜିର ଯୁବପିଢିଙ୍କୁ  ଭାରତର ବିଭିନ୍ନ ରାଜ୍ୟକୁ ନେଇ ପର୍ଯ୍ୟଟକ ଭାବରେ ଭ୍ରମଣ କରାଇବା ସହ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି, ପରମ୍ପରା, ଖାଦ୍ୟଶୈଳୀକୁ ଅନୁଭବ କରାଇବା ପାଇଁ ନେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୁବା ସଂଗମର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିବା ବେଳେ ଆଇଆଇଏମ ସମ୍ବଲପୁର ନେତୃତ୍ୱରେ କେରଳର ବିଭିନ୍ନ ଶିକ୍ଷାନୁଷ୍ଠାନର ୪୨ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିଛନ୍ତି। ସେମାନେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱର ସହର ସମେତ ଅନ୍ୟାନ୍ୟ ବୁଲି ସ୍ଥାନୀୟ କଳା, ସଂସ୍କୃତି ଓ ସାମାଜିକ ସମ୍ପର୍କକୁ ଅନୁଭବ କରିଛନ୍ତି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଜ୍ଞାନ ପରମ୍ପରାକୁ ନେଇ ଛାତ୍ରଛାତ୍ରୀମାନେ ଗର୍ବ ଅନୁଭବ କରିଛନ୍ତି।

ଛାତ୍ରଛାତ୍ରୀମାନେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ  ସମାଜ ଜୀବନର ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ଭେଟି ନିଜର ଖୁସି ପ୍ରକାଶ କରିଛନ୍ତି। ଏହିପରି ଭାବରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ କେରଳର ଏନଆଇଟି କାଲିକଟ୍ ନେତୃତ୍ୱରେ ସେହି ରାଜ୍ୟକୁ ଯାଇ ସମାନ ଅନୁଭବ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଦେଶରେ ବିବିଧତା ମଧ୍ୟରେ ଆମେ କିପରି ଏକ ଅଛୁ, ତାହାକୁ ଯୁବାଶକ୍ତିଙ୍କ ମାଧ୍ୟମରେ ପ୍ରଦର୍ଶନ କରିବାର ଏହା ଅନନ୍ୟ ପ୍ରୟାସ। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଯୁବା ସଂଗମ ଏକ ଭାରତ ଶ୍ରେଷ୍ଠ ଭାବନାକୁ ସୁଦୃଢ଼ କରୁଛି  ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଆଲୋଚନା କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ଓ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲିଧରଣ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବିଜେପି ପକ୍ଷରୁ ବାଣପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ଜନତା ପାର୍ଟି ତରଫରୁ ‘ମୋ ମାଟି ମୋ ଦେଶ ‘ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଛନ୍ତି।

ପ୍ରକାଶ ଥାଉକି ଏକ ଭାରତ ଶ୍ରେଷ୍ଠ ଭାରତ କରିବାର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧୦୩ ତମ ମନ କି ବାତରେ ଏହି ଅଭିଯାନର ଘୋଷଣା କରିଥିଲେ। ଏହି ଅଭିଯାନର ମୂଳ ତତ୍ତ୍ୱ ହେଉଛି ଦେଶର ପ୍ରତ୍ୟେକ କୋଣରେ ଅମୃତ କଳସ ଯାତ୍ରା କରିବା, ଯାହାକି ଦେଶର ପ୍ରତ୍ୟେକ କୋଣରୁ ୭୫୦୦ କଳସରେ ମାଟି ସଂଗୃହିତ ହୋଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ।

ଅମୃତ କଳସର ସଂଗୃହିତ ମାଟିକୁ ନେଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ। ଉକ୍ତ ସ୍ମାରକୀ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତୀକ ହୋଇ ରହିବ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ଓ ହରିଚନ୍ଦନଙ୍କ ସମେତ ଏନଏସିର ବିଜେପି କାଉନସିଲରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗଦେଇ ଅମୃତ କଳସରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ସାରା ବାଣପୁର ଏନଏସି ରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୁବା ସଂଗମ କାର୍ଯ୍ୟକ୍ରମ: ସିକ୍କିମ ଗସ୍ତରେ ଗଲେ ଓଡ଼ିଶାର ୩୧ ଛାତ୍ରଛାତ୍ରୀ

ରାଉରକେଲା: ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୩୧ ଜଣ ଛାତ୍ରଛାତ୍ରୀ ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ସିକ୍କିମ ଅଭିମୁଖେ ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଜରିଆରେ ରାଉରକେଲା ଜଙ୍କସନରୁ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନେ ସିକ୍କିମ ଗସ୍ତ ଅବସରରେ ସେଠାକାର ପରମ୍ପରା, ପର୍ଯ୍ୟଟନ, ବିକାଶ, ପ୍ରଯୁକ୍ତି ଓ ଜନସମ୍ପର୍କ ବିଷୟରେ ଜାଣିବାର ସୁଯୋଗ ପାଇବେ। ସିକ୍କିମ ଗସ୍ତ ଅବସରରେ ଓଡ଼ିଶାର ଯୁବପ୍ରତିନିଧିମାନେ ସେଠାକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଜୈବିକ କୃଷି ୟୁନିଟ୍‌ ଏନଜିଓ ସଂସ୍ଥା ପରିଦର୍ଶନ କରିବେ। ଟେମି ଚା’ ବଗିଚା, ଚାରଧାମ, ବୁଦ୍ଧପାର୍କ, ଜ୍ଞାଥାଙ୍ଗ ଗ୍ରାମ, ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ତିବେଟୋଲୋଜି, ରାଜଭବନ, ନାମଚି ଲୋକାଲ ମାର୍କେଟ ଆଦି ସ୍ଥାନ ଛାତ୍ରଛାତ୍ରୀମାନେ ବୁଲି ଦେଖିବେ। ଏନଆଇଟି ସିକ୍କିମର ଛାତ୍ରଛାତ୍ରୀଙ୍କ ସହିତ ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ସମେତ ବିଭିନ୍ନ କାର୍ଯ୍ୟକଳାପରେ ଯୋଗ ଦେବେ। ଓଡ଼ିଶାର ଛାତ୍ର ପ୍ରତିନିଧି ଦଳ ସିକ୍କିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସିକ୍କିମ ଗସ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୈଶ୍ୟଭୋଜି ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, ଛାତ୍ର କଲ୍ୟାଣ ଡିନ୍‌ ଏସ. ଜେନା, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ, ଏକଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର ୱିନୀ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏନଆଇଟି ନିର୍ଦ୍ଦେଶକ କହିଥିଲେ ଯେ, ଯୁବସଂଗମ କାର୍ଯ୍ୟକ୍ରମ ଯୁବ ଛାତ୍ରଛାତ୍ରୀମାନଙ୍କୁ ବିଚାର ଓ ଜ୍ଞାନ ବିନିମୟ କରିବା ଲାଗି ଏକ  ଅସାଧାରଣ ସୁଯୋଗ ଆଣି ଦେଇଛି । ଗସ୍ତ ଅବସରରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଫେସର ରୋହନ ଧିମାନ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ନୋଡାଲ ଅଧିକାରୀ ପ୍ରଫେସର ୱିନୀ ରାଉତରାୟରେ ଗସ୍ତରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସଠିକ ପରାମର୍ଶ ଦେବା ସହିତ ଏସଓପି ସମ୍ପର୍କରେ ଅବଗତ କରାଇଥିଲେ। ସୁଖଦ ଏବଂ ଅନୁଭୂତିପୂର୍ଣ୍ଣ ଗସ୍ତ ପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସିକ୍କିମ ଗସ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମିଲ ଥିବା ବିଟେକ୍‌ ଛାତ୍ର ସ୍ନେହାଶିଷ ସାହୁ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସିକ୍କିମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସମସ୍ତେ ଅଗ୍ରହୀ ଅଛନ୍ତି। ଏହି ସାତଦିନିଆ ଗସ୍ତର ଅନୁଭୂତି ଆମ ପାଇଁ ଅମୂଲ୍ୟ ସ୍ମୃତି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯକ୍ରମ ଅଧୀନରେ ଯୁବା ସଂଗମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ଭାରତ ସରକାରଙ୍କ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ରେଳ, ସୂଚନା ଓ ପ୍ରଯୁକ୍ତି, ଯୁବ ବ୍ୟାପାର ଓ କ୍ରୀଡ଼ା, ସ୍ବରାଷ୍ଟ୍ର, ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ବିଭାଗ ଏବଂ ଆଇଆରସିଟିସି ଆଦି ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ସହଭାଗୀ ରହିଛନ୍ତି। ଯୁବା ସଂଗମ କାର୍ଯ୍ୟକ୍ରମର ପାଇଲଟ୍‌ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୁବକଯୁବତୀ ଅଂଶଗ୍ରହଣ କରିବେ। ଉତ୍ତର ପୂର୍ବାଞ୍ଚଳ  ରାଜ୍ୟର ଯୁବବର୍ଗଙ୍କ ସହିତ ଭାରତର ଅବଶିଷ୍ଟ ଭାଗର ଯୁବପିଢ଼ିଙ୍କ ସମ୍ପର୍କ ଯୋଡ଼ିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଓଡ଼ିଶାର ଯୁବା ସଂଗମ ଦଳର ସିକ୍କିମ ଗସ୍ତ ଆସନ୍ତା ୮ ତାରିଖରେ ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଯୁବା ସଙ୍ଗମ ସିକ୍କିମ-ଓଡ଼ିଶା କାର୍ଯ୍ୟକ୍ରମ: ସମ୍ବଲପୁର ଜିଲ୍ଲା ପରିଦର୍ଶନ କଲେ ସିକ୍କିମରୁ ଆସିଥିବା ଯୁବକ

ଭୁବନେଶ୍ଵର: ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧିନରେ ସିକ୍କିମରୁ ଆସିଥିବା ଯୁବକମାନେ ଏନଆଇଟି ରାଉରକେଲାରେ ରହୁଛନ୍ତି। ସେମାନେ ଆଜି ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମର ଅଂଶ ଭାବେ ସମ୍ବଲପୁର ଜିଲ୍ଲା ପରିଦର୍ଶନ କରିଛନ୍ତି। ସିକ୍କିମର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫ ଜଣ ଯୁବକ ଏବଂ ୭ ଏନଆଇଟି ସିକ୍କିମ୍‌ର ୪ କର୍ମଚାରୀ ଏବଂ ଜଣେ ପ୍ରଫେସର ଆଜି ସମ୍ବଲପୁରର ହୀରାକୁଦ ଡ୍ୟାମ୍ ଏବଂ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି। ଡ୍ୟାମର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର (ମେକାନିକାଲ୍‌) ପ୍ରିୟରଞ୍ଜନ ପଣ୍ଡା ସମସ୍ତ ଯୁବକଙ୍କୁ ଡ୍ୟାମର ର୍ନିମାଣ ଢାଞ୍ଚା ଏବଂ କାର୍ଯ୍ୟକାରିତା ବିଷୟରେ ବୁଝାଇଥିଲେ।

ଡ୍ୟାମର ଐତିହ୍ୟ ଏବଂ ଇତିହାସ ବିଷୟରେ ବର୍ଣ୍ଣନା କରି ସେ ଛାତ୍ରମାନଙ୍କୁ ଫାଉଣ୍ଡେସନ୍ ଏବଂ ଅପରେସନ୍ ଗ୍ୟାଲେରୀକୁ ନେଇଥିଲେ। ଏହା ପରେ ପିଲାମାନେ ସମଲେଶ୍ୱରୀ ମନ୍ଦିରରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ଏହା ପରେ ଏନଆଇଟି ରାଉରକେଲାର ଟିମ୍ ପିଲାମାନଙ୍କୁ ବିଜାମୁଣ୍ଡା ଗାଁର କାରିଗରମାନଙ୍କ ସହିତ ପରିଚିତ କରାଇଥିଲେ। ସେଠାକୁ ଯାଇ ସେମାନେ ବିଚିତ୍ରାପୁରୀ ଶାଢୀ ତିଆରି କରୁଥିବା କାରିଗରମାନଙ୍କୁ ଭେଟିଥିଲେ। ଗାଁର ପ୍ରତ୍ୟେକ ପରିବାର ଯେଉଁମାନେ କି ଶାଢୀ ବୁଣନ୍ତି ସେମାନେ ପିଲାମାନଙ୍କୁ ଶାଢୀ ବୁଣା ଶିଖାଇବାକୁ ଚେଷ୍ଟା କରିଥିଲେ।

ସିକ୍କିମର ଜଣେ ଯୁବକ ଜାସ୍ତୋ ଶେରପା ତାଙ୍କ ଅନୁଭୂତି ବିଷୟରେ କହିଛନ୍ତି, ଆଜି ଆମେ ଯୁବା ସଙ୍ଗମ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ହୀରାକୁଦ ଡ୍ୟାମ ପରିଦର୍ଶନ କରିଥିଲୁ । ମୋ ଦେଶର ଐତିହ୍ୟ ତଥା ପୃଥିବୀର ଦୀର୍ଘତମ ମାଟି ବନ୍ଧ ପରିଦର୍ଶନ କରି ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କଲି। ଆମ ସମସ୍ତଙ୍କୁ ଡ୍ୟାମର ବିଭିନ୍ନ ଦିଗ ବିଷୟରେ ବୁଝା ଯାଇଥିଲା। ଆମକୁ ଫାଉଣ୍ଡେସନ ଗ୍ୟାଲେରୀ, ଅପରେସନ୍ ଗ୍ୟାଲେରୀ ଏବଂ ଡ୍ୟାମର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ଏଠାକୁ ଆସି ମୋତେ ବହୁତ ଭଲ ଲାଗୁଛି । ମୁଁ ଏହି ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟିଛି। ମୁଁ ସେମାନଙ୍କୁ ସିକ୍କିମ ଆସିବାକୁ ନିମନ୍ତ୍ରଣ କରିଛି। ମୁଁ ଏଠାରେ ଅନେକ ସ୍ମୃତି ସଂଗ୍ରହ କରିଛି, ଯାହାକୁ ମୁଁ ସିକ୍କିମକୁ ନେଇ ଯିବି ଏବଂ ଓଡିଶାର ସଂସ୍କୃତି ଏବଂ ପରମ୍ପରା ବିଷୟରେ ସମସ୍ତଙ୍କୁ କହିବି।

ପ୍ରଫେସର ଦିବ୍ୟ କାନ୍ତ ସେଠ ଏବଂ ପ୍ରଫେସର ରମେଶ ମହାପାତ୍ର ଏନଆଇଟି ରାଉରକେଲା ପକ୍ଷରୁ ଆଜି ଗସ୍ତର ସଂଯୋଜକ ଥିଲେ। ମାର୍ଚ୍ଚ ୧ ରେ, ଏନଆଇଟି ରାଉରକେଲାର ପାଞ୍ଚଞ୍ଚଜଣ ସଂଯୋଜକଙ୍କ ସହ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରୁ ମନୋନୀତ ୪୦ ପିଲାଙ୍କୁ ଯୁବା ସଙ୍ଗମ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ସିକ୍କିମକୁ ନିଆଯିବ। ସେମାନଙ୍କର ଆଗାମୀ ୬ ଦିନର ଭ୍ରମଣରେ, ଓଡ଼ିଶାର ଛାତ୍ରମାନେ ସିକ୍କିମର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆରଏସପି ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କଲେ ସିକ୍କିମ ଯୁବା ସଙ୍ଗମ ଦଳ

ରାଉରକେଲା: ଏନଆଇଟି ରାଉରକେଲା ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୁବା ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି। ସିକ୍କିମରୁ ଆସିଥିବା ୩୦ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଯୁବକଯୁବତୀମାନେ ଏଠାରେ ଇସ୍ପାତ ତିଆରି ପ୍ରକ୍ରିୟା ଦେଖିବା ସହିତ ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ପଚାରି ବୁଝିଥିଲେ। ଆରଏସପିର ଅତିଥି ସମ୍ପର୍କ ଅଧିକାରୀ ନବୀନ କୁମାର ସିଂ ଓ ତାଙ୍କର ସହଯୋଗୀମାନେ ଅତିଥି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ୟୁନିଟ୍‌ ବୁଲି ଦେଖାଇ ଥିଲେ। ଆଜିର ଦିନର ଶେଷ ଭାଗରେ ଛାତ୍ରଛାତ୍ରୀମାନେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ଉତ୍ତର ସିକ୍କିମର ଜଣେ ଛାତ୍ର ଆତସୁର ଗ୍ୟାତସୋ ଲେପଚା ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି ଯେ, ଯୁବା ସଂଗମ କାର୍ଯ୍ୟକ୍ରମରେ ଆମେ ଏହି ବିଶାଳ ହକି ଷ୍ଟାଡିୟମ ଦେଖିବାର ସୁଯୋଗ ପାଇଛି।  ସ୍ଥାନୀୟ ପ୍ରଶାସନ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଆତିଥେୟକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇବା ତଥା ରାଜ୍ୟ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଭାରତ ସରକାର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବାସଂଗମ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସିକ୍କିମ ଏନଆଇଟିର ୨୫ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଏନଆଇଟି ସିକ୍କିମର ପ୍ରଫେସର କିର୍ତ୍ତୀ ତିୱାରୀ କହିଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟଶୈଳୀକୁ ଅତି ନିକଟରୁ ଦେଖିବା ଏକ ସ୍ବତନ୍ତ୍ର ଅନୁଭୂତି ଥିଲା। ଛାତ୍ରଛାତ୍ରୀମାନେ ଏଥିରୁ ଭଲ ଅନୁଭୂତି ପାଇଛନ୍ତି। ସେହିପରି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଏନଆଇଟି ରାଉରକେଲା ଏବଂ ଅନ୍ୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଆତିଥେୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ।

ଆସନ୍ତାକାଲି ସିକ୍କିମର ଛାତ୍ର ପ୍ରତିନିଧିମାନେ ସମ୍ବଲପୁର ଜିଲ୍ଲା ଗସ୍ତ କରି ହୀରାକୁଦ ନଦୀ ବନ୍ଦ ଏବଂ ସମଲେଶ୍ବର ମନ୍ଦିର ଆଦି ସ୍ଥାନ ବୁଲି ଦେଖିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଆସି ଖଣ୍ଡଗିରି, ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ଓ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।

ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଲେ।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମର ବିଶ୍ବଶ୍ରେଣୀୟ ଭିତ୍ତିଭୂମିକୁ ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ଅନୁଷ୍ଠିତ ହେବାକୁ ଯାଉଛି।

ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫଟି ଭୁବନେଶ୍ବର ଠାରେ ସାଂସ୍କୃତିକ ହବି କ୍ଲାସରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି।

ଜିଆଇଏଫଟି ଭୁବନେଶ୍ବର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଆୟୋଜନ କରୁଛି ଏବଂ ଏହାର ଅଂଶସ୍ବରୂପ ଅନୁଷ୍ଠାନ ମହାରାଷ୍ଟ୍ରର ଏସି ପାଟିଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ, ନଭି ମୁମ୍ବାଇ ଓ ଅନ୍ୟ ବିଭିନ୍ନ ସ୍କୁଲର 50 ଜଣ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ୫୦ ଜଣ ଛାତ୍ରଛାତ୍ରୀ ଏବଂ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ସମ୍ପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଆପୋସ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଖଣ୍ଡ ଭାରତର ସ୍ବପ୍ନକୁ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ଦେଶବ୍ୟାପୀ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ: ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଗଙ୍ଗପଡ଼ା: ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ନାଭି ମୁମ୍ବାଇ ମହାରାଷ୍ଟ୍ରର ଏ.ସି. ପାଟିଲ କଲେଜ ଅଫ୍ ଇଂଜିନିୟରିଂ ରୁ ୨୫ ଜଣ ଛାତ୍ରଛାତ୍ରୀ ଏବଂ ପୁନେର ୨୫ଟି ସ୍କୁଲରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଅଧ୍ୟାପକ ଓ ଦୁଇଜଣ ଅଧ୍ୟାପିକା ଆସିଛନ୍ତି।

ଏହି ପାଂଚ ଦିନିଆ ରହଣୀ ଭିତରେ ସେମାନେ କଲେଜର ବିଭିନ୍ନ ବିଭାଗ ବୁଲିବା ସହ ଓଡ଼ିଆ ଓ ମରାଠୀ ଭାଷା ବିନିମୟ କାର୍ଯ୍ୟକ୍ରମରେ ଭାଗନେବେ। ଏଥି ସହ ଭୁବନେଶ୍ବରରେ ବିଭିନ୍ନ ମନ୍ଦିର, ମ୍ୟୁଜିୟମ, ହାଟ, ଇତ୍ୟାଦି ବୁଲିବା ସହ ଚିଲିକା, ପୁରୀ, କୋଣାର୍କକୁ ମଧ୍ୟ ବୁଲିଯିବା ପାଇଁ କଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସର୍ବୋପରି ଏହା ଭାଷା, ସଂସ୍କୃତି ଓ କଳାର ଭାବ ବିନିମୟର ଉତ୍କୃଷ୍ଟ ଉଦାହରଣ।

ଆଜିର ସ୍ଵାଗତ ସମାରୋହର ଗିଫ୍ଟର ଅଧ୍ୟକ୍ଷ, ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ, ଡିନ୍ ଏକାଡ଼େମିକ୍ ଡଃ. ଆର୍. ଏନ୍. ପଣ୍ଡା, ଡିନ୍ ଆଡ୍‌ମିସନ ଏମ୍.କେ. ରାଉତ, ରେଜିଷ୍ଟ୍ରାର୍ ଡଃ. ମନୋରଞ୍ଜନ ମିଶ୍ର, ଓଏସ୍‌ ଇଂ. ସମୀର ରଞ୍ଜନ ପଣ୍ଡା ଓ ଭାଇସ୍‌ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା ସମୂହ ଉପସ୍ଥିତ ଥିଲେ। ସଂଯୋଜକ ଭାବେ ପ୍ର. ଅଭିଜିତ୍ ମଙ୍ଗରାଜ, ପ୍ର. ସିପ୍ରା କର୍‌ମାକର, ପ୍ର. ପ୍ରଣତୀ ମିଶ୍ର ଓ ସରିତା ତ୍ରୀପାଠୀ ଉପସ୍ଥିତ ରହି  ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ: ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ରର ୫୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି।

୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ ମୁମ୍ବାଇରୁ ବାହାରି ୧୮ ତାରିଖରେ ଭୁବନେଶ୍ବର ପହଞ୍ଚିବେ। ଏହାପରେ ସେମାନେ ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଜିଆଇଏଫଟି) ପରିଦର୍ଶନ କରିବେ। ଏଥିସହିତ ପୁରୀ, କୋଣାର୍କ ଏବଂ ଭୁବନେଶ୍ବରର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବେ।

ମହାରାଷ୍ଟ୍ର ଏବଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଉଭୟ ପରସ୍ପରର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ପାନୀୟ, ଶିକ୍ଷା ପଦ୍ଧତି ଆଦି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଧୀନରେ ପୂର୍ବରୁ ମଧ୍ୟ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ କାଯ୍ୟକ୍ରମରେ ମହାରାଷ୍ଟ୍ର ଗଲେ ଜିଆଇଇଟି ଵିଶ୍ଵବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ମହାରାଷ୍ଟ୍ର ଗଲେ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ଅଜାଦି କା ଅମୃତ ମହୋତ୍ସବ- ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମରେ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବେ।

ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଵିଶ୍ଵବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀଙ୍କ ସହ ୨ ଜଣ ଅଧ୍ୟାପକ ଯାତ୍ରା କରୁଛନ୍ତି। ଆଜି ଗୁଣୁପୁର ବିଶାଖାପାଟଣା ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ ମୁମ୍ବାଇ ଯାତ୍ରା କରିବେ।ମୁମ୍ବାଇସ୍ଥିତ ଠାକୁର କଲେଜ ଅଫ ଇଂଞ୍ଜିନିୟଇଂ ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନରେ ଆତିଥ୍ୟ ପ୍ରଦାନ କରାଯିବ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆପୋଷ ସମ୍ପର୍କ ସୁଦୃଢ଼ ହେବ।

ପରସ୍ପରର ଜୀବନଶୈଳୀ, ସଂସ୍କୃତି, ପରମ୍ପରା, ଶିକ୍ଷା ପଦ୍ଧତି ବିଷୟରେ ମତ ବିନିମୟ କରିବା ପାଇଁ ସୁଯୋଗ ମିଳିବ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ଖାଦ୍ୟପେୟ, ସଂସ୍କୃତି, ପରମ୍ପରା, ସଙ୍ଗୀତ, କ୍ରୀଡା ଆଦି ସମ୍ପର୍କରେ ମତ ବିନିମୟ କରାଯିବ।

ଏହି ଅବସରରେ ଵିଶ୍ଵବିଦ୍ୟାଳୟ ପକ୍ଷରୁ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ, ବିଭାଗୀୟ ଡ଼ିନ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ମୁମ୍ବାଇ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ: ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ। ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋସ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପରସ୍ପରର ଜୀବନଶୈଳୀ, ସଂସ୍କୃତି ପରମ୍ପରା, ଶିକ୍ଷା ପଦ୍ଧତି ଆଦି ବିଷୟରେ ମତବିନିମୟ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିବ। ଚଳିତ ବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୋଟ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର, ୨୦୧୫ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅବଧାରଣା ମାଧ୍ୟମରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଲାଗି ଦେଶବ୍ୟାପୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ସଂସ୍କୃତି, ପରମ୍ପରା, ସଂଗୀତ, ପର୍ଯ୍ୟଟନ, ଖାଦ୍ୟପେୟ, କ୍ରୀଡ଼ା ଏବଂ ସର୍ବୋତ୍ତମ ପଦ୍ଧତିକୁ ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଧୋବଶିଳାରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ବାଲେଶ୍ୱର ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଧୋବଶିଳା ଉଡ଼ା ପଡ଼ିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ ଏବଂ ଜିଲ୍ଲା ପରିମଳ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟତଃ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ-ରାଜ୍ୟ ମଧ୍ୟରେ ସୁସମ୍ପର୍କ, ଆପୋସ ଭାଇଚାରା ବଜାୟ ରଖିବା, ସାଂସ୍କୃତିକ ବିନିମୟ ଆଦି ଉପରେ ଅତିଥି ଓ ବକ୍ତାମାନେ ମତ ରଖିଥିଲେ। ଏହାବ୍ୟତୀତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା।

ପ୍ରାରମ୍ଭରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକତା ଗଣଦୌଡ଼ କାର୍ଯ୍ୟକ୍ରମ ଗୋପିନାଥପୁର ଛକରୁ ଆରମ୍ଭ କରାଯାଇଥିଲା। ଏହି ଏକତା ଦୌଡ଼କୁ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ବିଧାୟକ ଶ୍ରୀ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏଡିଜି ଶ୍ରୀ ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୀବନ କୁମାର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଖଗେଶ ବାଇପାଇ, ମୁକନ୍ଦ ଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତାକାଲି ମଧ୍ୟ ଚିତ୍ରକଳା ପ୍ରଦର୍ଶନୀ, ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।