ଆଜି କାଶୀ-ତାମିଲ ସଙ୍ଗମମ୍‌ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ 

Published: Dec 17, 2023, 10:21 am IST

ନୂଆଦିଲ୍ଲୀ: ନିଜର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାରାଣସୀର ନମୋ ଘାଟଠାରେ  କାଶୀ ତାମିଲ ସଂଗମମ୍ -୨୦୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୩ ଡିମ୍ବେର ୧୭ତାରିଖରେ କନ୍ୟାକୁମାରୀ ବାରାଣସୀ ତାମିଲ ସଂଗମମ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ ପଟେଲ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ ।

ପବିତ୍ର ନଗରୀ କାଶୀ (ବାରଣାସୀ)ରେ ଏହି ଦ୍ୱିତୀୟ ପର୍ଯ୍ୟାୟ କାଶୀ ତାମିଲ ସଙ୍ଗମମ୍ -୨୦୨୩ ଡିସେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ ତାମିଲନାଡୁର ପ୍ରଥମ ପର୍ଯ୍ୟାୟରେ ୨୦୦ ପ୍ରତିନିଧି ଚେନ୍ନାଇରୁ ବାରାଣସୀ ଅଭିମୁଖେ ଡିସେମ୍ବର ୧୫ ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି । ମୋଟ ସାତଟି ଦଳରେ ପ୍ରତ୍ୟେକ ଥର ୨୦୦ ଲେଖାଏଁ ମୋଟ ପ୍ରାୟ ୧୪୦୦ ପ୍ରତିନିଧି ତାମିଲନାଡୁରର ବିିଭିନ୍ନ ଅଞ୍ଚଳରୁ ବାରାଣସୀରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ସମାଜର ବିଭିନ୍ନ ବର୍ଗର ଲୋକେ ଏହି ପ୍ରତିନିଧି ଦଳରେ ସ୍ଥାନ ପାଇଛନ୍ତି । ଏହି ପ୍ରତିନିଧି ମାନେ କାଶୀରେ ସେମାନଙ୍କର ଅବସ୍ଥାନ କାଳରେ ପ୍ରୟାଗ ରାଜ ଓ ଅଯୋଧ୍ୟା ପରିଦର୍ଶନ କରିବେ । ଏଥି ପାଇଁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି ।

ସାତଟି ଦଳ- ବିଦ୍ୟାର୍ଥୀ (ଗଙ୍ଗା), ଶିକ୍ଷକ ଶିକ୍ଷୟିତ୍ରୀ (ଯମୁନା), ପେସାଦାର (ଗୋଦାବରୀ), ଅଧ୍ୟାତ୍ମବାଦୀ (ସରସ୍ୱତୀ), କୃଷକ ଓ କାରିଗର (ନର୍ମଦା), ଲେଖକ (ସିନ୍ଧୁ) ଏବଂ ବ୍ୟବସାୟୀ ଓ ବ୍ୟାପାରୀ (କାବେରୀ) ତାମିଲନାଡୁରୁ ଏହି କାଶୀ ତାମିଲ ସଂଗମମ୍‌ରେ ଯୋଗ ଦେଉଛନ୍ତି । ସେମାନଙ୍କ ଦଳର ନାମ ଦେଶର ପବିତ୍ର ନଦୀମାନଙ୍କ ନାମରେ ନାମିତ ହୋଇଛି । ଏସବୁ ଦଳ ଚେନ୍ନାଇ, କୋଏମ୍ବାଟୁର ଓ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରି କାଶୀରେ ପହଞ୍ଚିବେ । ଏହି ସଂଗମମରେ ଯୋଗଦେବା ପାଇଁ ଯେଉଁ ନାମ ପଞ୍ଜୀକରଣ ଆରମ୍ଭ ହୋଇଥିଲା ତାହାର ମିଆଦ ୨୦୨୩ ଡିସେମ୍ବର ଆଠ ତାରିଖରେ ଶେଷ ହୋଇଛି । ଏହି ସମୟରେ ୪୨ ହଜାରରୁ ଅଧିକ ଲୋକ ନିଜର ନାମ ପଞ୍ଜୀକରଣ କରିଥିଲେ । ଏହି ୪୨ ହଜାରଙ୍କ ମଧ୍ୟରୁ ସାତଟି ଦଳରେ ସମୁଦାୟ ୧୪୦୦୦ ଲୋକଙ୍କୁ ମନୋନୟନ କମିଟି ଦ୍ୱାରା ବଛାଯାଇଥିଲା । ପ୍ରତ୍ୟେକ ଦଳରେ ବର୍ଗ ଅନୁସାରେ ୨୦୦ ଲେଖାଏଁ ପ୍ରତିନିଧି ସ୍ଥାନ ପାଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏହି କାର୍ଯକ୍ରମର କେନ୍ଦ୍ରୀୟ ଆୟୋଜକ (ନୋଡାଲ ଏଜେନ୍ସି)ଭାବେ କାର୍ଯ୍ୟ କରୁଛି । ଏଥିରେ ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏମ୍‌ଇ, ସୂଚନା ଓ ପ୍ରସାରଣ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ସରକାର ସାହାଯ୍ୟ ସହଯୋଗ ଯୋଗାଉଛନ୍ତି  । ମାଡ୍ରାସ ଆଇଆଇଟି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱରେ ଅଛନ୍ତି ।

ଯେଉଁ ପ୍ରତିନିଧିମାନେ ତାମିଲନାଡୁରୁ ଏହି ସଂଗମମ୍‌ରେ ଆଠଦିନ ପାଇଁ ଯୋଗଦେବେ ସେମାନଙ୍କ ନିମନ୍ତେ ଦୁଇଦିନ କରି ଯିବା ଆସିବାର ମୋଟ ଚାରିଦିନର ଯାତ୍ରା, ପ୍ରୟାଗରାଜ ଓ ଅଯୋଧ୍ୟା ଦର୍ଶନ ପାଇଁ ଦିନେ ଲେଖାଏଁ  ମୋଟ ଦୁଇଦିନ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ଦୁଇଦିନ  ସେମାନଙ୍କୁ ସଙ୍ଗମମ୍‌ରେ ଯୋଗଦେବାର ସୁଯୋଗ ମିଳିବ । ଏହି ସଙ୍ଗମମ୍ ଉପଲକ୍ଷେ କାଶୀରେ ବିଭିନ୍ନ ପ୍ରକାର ଦୋକାନ ଓ ପ୍ରଦର୍ଶନ ମଣ୍ଡପ ଲଗାଯାଇଛି । ଏଥିରେ ତାମିଲନାଡୁ ଓ କାଶୀର କଳା ଓ ସଂସ୍କୃତି  ସହିତ ସମ୍ପୃକ୍ତ ସାମଗ୍ରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ, ବିଭିନ୍ନ ପ୍ରକାର ଖାଦ୍ୟ ସ୍ଥାନ ପାଇଛି । କାଶୀର ନମୋ ଘାଟରେ ମଧ୍ୟ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହାଛଡା ସଙ୍ଗମମ୍‌ରେ ଆଲୋଚନାଚକ୍ର, ବକ୍ତୃତା, ସେମିନାର ଆଦି ଆୟୋଜିତ ହେବ ଓ ଏଥିରେ ସାହିତ୍ୟ, ପ୍ରାଚୀନ, ଲେଖା, ଦର୍ଶନ, ଆଧ୍ୟାତ୍ମିକତା, ସଙ୍ଗୀତ, ନାଟକ, ଯୋଗ, ଆୟୁର୍ବେଦ, ହସ୍ତତନ୍ତ, ହସ୍ତକଳା,ଆଧୁନିକ ଇନୋଭେସନ, ବ୍ୟାବସାୟିକ କଥୋପକଥନ, ଏଡ୍‌ଟେକ ଓ ଅନ୍ୟାନ୍ୟ ପରବର୍ତ୍ତୀ ପିଢିର ଟେକ୍‌ନୋଲେଜି ଉପରେ ସମବେତ ବ୍ୟକ୍ତି ଓ ବିଶେଷଜ୍ଞମାନେ ଆଲୋଚନା ଏବଂ ବିଚାର ବିମର୍ଶ କରିବେ । ବିଭିନ୍ନ ବିଷୟ ଓ ବୃତ୍ତି ଉପରେ ଆଲୋଚନା ତଥା ମତ ବିନିମୟ କରିବାକୁ ଉଭୟ ତାମିଲନାଡୁ ଏବଂ କାଶୀର ବିଶେଷଜ୍ଞମାନଙ୍କୁ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଯେ କାଶୀ ତାମିଲ ସଙ୍ଗମମ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୨ ଡିସେମ୍ବର ୧୬ରେ ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଆୟୋଜକ ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏହି ସଙ୍ଗମମ୍‌ରେ ତାମିଲନାଡୁରୁ ୧୨ଟି ଦଳରେ ୨୫୦୦ରୁ ଅଧିକ ବିଭିନ୍ନ ବର୍ଗର ଲୋକେ  ଆଠଦିନିଆ ଯାତ୍ରାରେ କାଶୀ ଆସିବା ସହ ପ୍ରୟାଗରାଜ ଓ ଅଯୋଧ୍ୟା ଆଦି ବୁଲି ଦେଖିବାର ସୁଯୋଗ ପାଇଥିଲେ । ଏହି ଗସ୍ତ ଦ୍ୱାରା ତାମିଲନାଡୁର ସମ୍ପୃକ୍ତ ପ୍ରତିନିଧିମାନେ ବାରାଣସୀର ଜନଜୀବନ ଓ ସଂସ୍କୃତି ସମ୍ପର୍କରେ ବିବିଧ ଅନୁଭୂତି ହାସଲ କରିବାର ସୁଯୋଗ ପାଇଥିଲେ ।

Related posts