ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ: ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

Published: Jun 26, 2022, 2:37 pm IST
ek bharat shrestha bharat

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ। ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋସ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପରସ୍ପରର ଜୀବନଶୈଳୀ, ସଂସ୍କୃତି ପରମ୍ପରା, ଶିକ୍ଷା ପଦ୍ଧତି ଆଦି ବିଷୟରେ ମତବିନିମୟ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିବ। ଚଳିତ ବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୋଟ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର, ୨୦୧୫ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅବଧାରଣା ମାଧ୍ୟମରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଲାଗି ଦେଶବ୍ୟାପୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ସଂସ୍କୃତି, ପରମ୍ପରା, ସଂଗୀତ, ପର୍ଯ୍ୟଟନ, ଖାଦ୍ୟପେୟ, କ୍ରୀଡ଼ା ଏବଂ ସର୍ବୋତ୍ତମ ପଦ୍ଧତିକୁ ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ଦିଆଯାଉଛି।

Related posts