Categories
ଆଜିର ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ: ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ। ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋସ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପରସ୍ପରର ଜୀବନଶୈଳୀ, ସଂସ୍କୃତି ପରମ୍ପରା, ଶିକ୍ଷା ପଦ୍ଧତି ଆଦି ବିଷୟରେ ମତବିନିମୟ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିବ। ଚଳିତ ବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୋଟ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର, ୨୦୧୫ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅବଧାରଣା ମାଧ୍ୟମରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଲାଗି ଦେଶବ୍ୟାପୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ସଂସ୍କୃତି, ପରମ୍ପରା, ସଂଗୀତ, ପର୍ଯ୍ୟଟନ, ଖାଦ୍ୟପେୟ, କ୍ରୀଡ଼ା ଏବଂ ସର୍ବୋତ୍ତମ ପଦ୍ଧତିକୁ ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ଦିଆଯାଉଛି।

Categories
ବିଶେଷ ଖବର

ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି। ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା। ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ। ହୃଦୟରେ ଆସିଥିଲା ଆଶ୍ବସ୍ତି। ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବାପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ଏତଦ୍‌ ବ୍ୟତୀତ ସେମାନଙ୍କ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା କରିବାପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ସହିତ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଆଶ୍ବସ୍ତ

ଭୁବନେଶ୍ବର: ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ। ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍‌ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ।

ୟୁକ୍ରେନର ଅନ୍ୟ ସ୍ଥାନରେ ଥିବା, ବିଶେଷକରି ଖାରକିବ୍‌ରେ ବହୁ ଓଡିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ ।

ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ help desk ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱର ରେ ପହଞ୍ଚି ବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନାକୁ ସଯୋଜନା କରିଥିଲେ।

Categories
ବିଶେଷ ଖବର

ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ହେଲା ଆଲୋଚନା

ଭୁବନେଶ୍ଵର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ସଂଘର୍ଷ। ୟୁକ୍ରେନ ଉପରେ ଋଷ ସେନା କ୍ଷେପଣାସ୍ତ୍ର ମାଡ କରୁଥିବା ବେଳେ ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେପଟେ ୟୁକ୍ରେନ ମଧ୍ୟ ଋଷ ସେନା ଉପରେ ମଧ୍ୟ ୟୁକ୍ରେନ ଆକ୍ରମଣ କରୁଛି। ଋଷ ସେନାର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ନଷ୍ଟ କରିଦେଇଥିବା ୟୁକ୍ରେନ ଦାବି କରିଛି। ଏହା ଭିତରେ ଭାରତର ପ୍ରାୟ ୧୮ ହଜାର ନାଗରିକ ୟୁକ୍ରେନରେ ଫସିରହିଛନ୍ତି।

ସେହିଭଳି ଓଡିଶାର ଅନେକ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ କିଭଳି ସୁରକ୍ଷିତ ଫେରାଇ ଅଣାଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ୟୁକ୍ରେନରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ରୁଷିଆ ୟୁକ୍ରେନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏହି ଅକ୍ରମଣରେ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୮ଟି ଯୁଦ୍ଧ ବିମାନ ଖସି ପଡ଼ିଥିବାର ଖବର ଆସି ପହଞ୍ଚିଛି। ରୁଷିଆରେ ଏହି ଆକ୍ରମଣ ଫଳରେ ୟୁକ୍ରେନରେ ଥିବା ୨୦ ହଜାର ଭାରତୀୟ ଅତି ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି।

ଭାରତ ସରକାର ତାଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ପଠାଇଥିଲେ ମଧ୍ୟ ବିମାନ ଯାଇନପାରି ଫେରିଆସିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ପାଠ ପଢୁଛନ୍ତି। ଏହି ଆକ୍ରମଣ ଯୋଗୁଁ ସେମାନଙ୍କର ନିରାପତ୍ତା ବିପନ୍ନ ହୋଇପଡ଼ିଛି। ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହି ଜୀବନ ବିତାଉଛନ୍ତି।

ସୌଭାଗ୍ୟର କଥା ମୋବାଇଲ ଟେଲିଫୋନ ଥିବାଯୋଗୁ ସେମାନେ, ସେମାନଙ୍କ ପରିବାର ସହିତ ସମ୍ପର୍କରେ ଅଛନ୍ତି। ପରିବାର ମଧ୍ୟ ମାନସିକ ଅବସାଦ ଭିତରେ ଦିନ କାଟୁଛି। ଓଡ଼ିଶା ସରକାର, କେନ୍ଦ୍ର ସରକାର ଓ ଭାରତ ଉଚ୍ଚ ଆୟୁକ୍ତଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଛାତ୍ରଛାତ୍ରୀଙ୍କର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ନୋଡ଼ାଲ ଅଫିସର ନିଯୁକ୍ତ କରିବା ଓ ଏକ ଟୋଲ ଫ୍ରି ନମ୍ବର ଜାରି କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଫଳରେ ସେମାନଙ୍କ ସହିତ ଓ ଭାରତ ସରକାରଙ୍କ ସହିତ ଉପଯୁକ୍ତ ସମନ୍ୱୟ ରଖାଯାଇପାରି ସେମାନଙ୍କର ନିରାପତ୍ତାକୁ ନିଶ୍ଚିତ କରାଯାଇ ପାରିବ।

Categories
ଭିଡ଼ିଓ

ମୁମ୍ବାଇରେ ଫଶିଛନ୍ତି ବାଲୁଗାଁର ଜଣେ ଛାତ୍ରଙ୍କ ସମେତ 75ଜଣ ଓଡ଼ିଆ ଛାତ୍ରଛାତ୍ରୀ |