Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନର ଉଦୟପୁରରେ ଜି-୨୦ ଶେର୍ପା ବୈଠକର ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଠାରେ ଜି୨୦ ଶେର୍ପା ବୈଠକ ଅନୁଷ୍ଠିତ ହେଉଛି। ଏହି ଚାରି ଦିନିଆ ବୈଠକ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଡିସେମ୍ବର ୫ ତାରିଖ ଥିଲା ବୈଠକର ଦ୍ୱିତୀୟ ଦିବସ। ଏଥିରେ ଭାରତର ଜି୨୦ ଅଧ୍ୟକ୍ଷତାର ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ଦୁଇଟି ଅଧିବେଶନରେ ‘ପ୍ରଯୁକ୍ତିଗତ ପରିବର୍ତ୍ତନ’ ଏବଂ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ’ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଏହାପରେ ‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା : ପରିଦୃଶ୍ୟ ଓ ଆହ୍ବାନ’ ବିଷୟରେ ବିଚାରବିମର୍ଶ କରାଯାଇଥିଲା। ଏତଦ୍‌ବ୍ୟତୀତ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ଅନୌପଚାରିକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତର ଜି୨୦ ଶେର୍ପା ଅମିତାଭ କାନ୍ତ ୧୩ଟି କାର୍ଯ୍ୟ ଗୋଷ୍ଠୀ ମଧ୍ୟରେ ଭାରତର ଜି୨୦ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଏହା ଉପରେ ପ୍ରଥମ ଶେର୍ପା ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅମିତାଭ କାନ୍ତ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରକୁ ଅଧିକ ମହତ୍ବ ଦେବାରେ ଭାରତର ଭୂମିକା ଏବଂ ବିକାଶଶୀଳ ରାଷ୍ଟ୍ର ଓ ଆଧୁନିକ ଅର୍ଥବ୍ୟବସ୍ଥା ମଧ୍ୟରେ ସଫଳ ସହଭାଗିତା ଉପରେ ଭାରତର ପ୍ରାଥମିକତା ନେଇ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ବର୍ତ୍ତମାନ ସମୟରେ ବିଶ୍ବ ସମ୍ମୁଖିନ ହେଉଥିବା ଆର୍ଥିକ ଆହ୍ବାନ ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସମାଧାନ ଦିଗରେ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।

ଏହାପରେ ପ୍ରଯୁକ୍ତିଗତ ପରିବର୍ତ୍ତନକୁ ନେଇ ଏକ ଅଧିବେଶନରେ ଆଲୋଚନା କରାଯାଇଥିଲା। ଏଥିସହିତ ଡିଜିଟାଲ ଅର୍ଥବ୍ୟବସ୍ଥା ଉପରେ କାର୍ଯ୍ୟ ଗୋଷ୍ଠୀ, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ବିଷୟରେ ବିଚାରବିମର୍ଶ ହୋଇଥିଲା। ବୈଠକରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ସେମାନଙ୍କ ଦେଶରେ ଦ୍ରୁତ ଡିଜିଟାଲକରଣ କ୍ଷେତ୍ରରେ ରହିଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ମାର୍ଗରେ ପ୍ରଯୁକ୍ତିର ଶକ୍ତି ଉପଯୋଗ କରିବା ଲାଗି ଆବଶ୍ୟକ ହସ୍ତକ୍ଷେପ ବିଷୟରେ ଜି୨୦ ରାଷ୍ଟ୍ରଗୋଷ୍ଠୀର ପ୍ରତିନିଧି, ନିମନ୍ତ୍ରିତ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ। ସାଇବର ସୁରକ୍ଷା ଉପରେ ଗୁରୁତ୍ବାରୋପ, ପ୍ରଯୁକ୍ତି ସେବା, ଭିତ୍ତିଭୂମି ଓ ଡିଜିଟାଲ କୌଶଳର ପ୍ରସାରରେ ସମାବେଶୀତା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ ‘ସବୁଜ ବିକାଶ ଓ ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଉପରେ ଆଲୋଚନା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବା କ୍ଷେତ୍ରରେ ମିଳିତ ପ୍ରୟାସ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  ଭାରତର ଜି୨୦ ଶେର୍ପା ଏହି ଅଧିବେଶନରେ ଅଂଶଗ୍ରହଣ କରି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଥିଲେ। ବିକଳ୍ପ ଶକ୍ତି ଉତ୍ସ ଦିଗରେ ପରିବର୍ତ୍ତନ, ଜଳବାୟୀ ଦୀର୍ଘସ୍ଥାୟିତ୍ବ କାର୍ଯ୍ୟଗୋଷ୍ଠୀ, ବିପର୍ଯ୍ୟୟ ବିପତ୍ତି ସହନଶୀଳତା ଓ ହ୍ରାସ କାର୍ଯ୍ୟଗୋଷ୍ଠୀ ଆଦି ବିଷୟରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା। ସଦସ୍ୟ ରାଷ୍ଟ୍ରମାନେ ଭାରତର ‘ଲାଇଫ’ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏ ଦିଗରେ ଭବିଷ୍ୟତ ପ୍ରୟାସ ପାଇଁ ସମର୍ଥନ ଘୋଷଣା କରିଥିଲେ।

‘ଜାଗତିକ ଓ କ୍ଷେତ୍ରୀୟ ଅର୍ଥବ୍ୟବସ୍ଥା: ପରିଦୃଶ୍ୟ ଓ ସମସ୍ୟା’ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରଣନୀତି ଓ ନୀତି ବିଭାଗ ଉପନିର୍ଦ୍ଦେଶକ କ୍ରିଷ୍ଟିକା କୋଷ୍ଟିଆଲ ସାମ୍ପ୍ରତିକ ବିଶ୍ବର ଆର୍ଥିକ ସମସ୍ୟା ଉପରେ ଏକ ବିବରଣୀ ଉପସ୍ଥାପନ କରିଥିଲେ।  ଅନ୍ତର୍ଜାତୀୟ ଋଣ ସ୍ଥିତି ଓ ବାଣିଜ୍ୟ ବିଷୟରେ ସେ ସୂଚନା ଦେଇଥିଲେ। ବିଶ୍ବସ୍ତରୀୟ ଆର୍ଥିକ ସମସ୍ୟା ଦୂର କରିବା ଏବଂ ସହନଶୀଳ ଅର୍ଥବ୍ୟବସ୍ଥା ଉପରେ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା।

ଏହାପରେ ଜି୨୦ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ ଜି୨୦ ଶେର୍ପା ଏକ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅନୌପଚାରିକ ଆଲୋଚନାରେ ଜି୨୦ ରାଷ୍ଟ୍ର ଗୋଷ୍ଠୀ ମଧ୍ୟରେ ଅଧିକ ନିବିଡ଼ ସମ୍ପର୍କ ସ୍ଥାପନ ନେଇ ଆଲୋଚନା ହୋଇଥିଲା।

ଏହାପରେ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଉଦୟପୁରର ମାନେକ୍‌ ଚୌକକୁ ବୁଲି ଦେଖିଥିଲେ। ଏହି ଅବସରରେ ସେମାନଙ୍କୁ ପାରମ୍ପରିକ ଭାରତୀୟ ଜ୍ୟାକେଟ, ପଗଡ଼ି ଦିଆଯାଇଥିଲା।  ଶେଷରେ ଉଦୟପୁରର ଜଗମନ୍ଦିର ସ୍ଥିତ ଭବ୍ୟ ସମାରୋହ ସ୍ଥଳରେ ସେମାନଙ୍କୁ ରାତ୍ରୀଭୋଜନରେ ଆପ୍ୟାୟିତ କରାଯାଇଥିଲା।

ଜି୨୦ ପ୍ରତିନିଧିମାନେ ଏହି ବୈଠକ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା, ଐତିହାସିକ ସ୍ଥାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ସ୍ଥଳୀ ଦେଖିବାକୁ ପାଉଛନ୍ତି। ସେମାନେ ରାଜସ୍ଥାନୀ କଳା ଓ ସଂସ୍କୃତି ବିଷୟରେ ପରିଚିତ ହେଉଛନ୍ତି। ଐତିହାସିକ ସହର ଉଦୟପୁରରେ ଧଳା ମାର୍ବଲ ପଥର ନିର୍ମିତ ସ୍ଥାପତ୍ୟ ଅନ୍ତର୍ଜାତୀୟ ପ୍ରତିନିଧି, ଅତିଥିମାନଙ୍କୁ ପ୍ରଭାବିତ କରୁଛି।

ସୂଚନାଯୋଗ୍ୟ ଯେ ଗତକାଲି ଜି୨୦ ଶେର୍ପା ବୈଠକର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ, ଆଲୋଚନା ଏବଂ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ଏକ ଅନୌପଚାରିକ ଗଣମାଧ୍ୟମ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ : ୨୦୩୦ ଏଜେଣ୍ଡାର ମଧ୍ୟଭାଗରେ ଜୀବନଧାରାରେ ପରିବର୍ତ୍ତନ’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜି୨୦ ପ୍ରଥମ ଶେର୍ପା ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ୯ଟି ଅତିଥି ରାଷ୍ଟ୍ର ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀକୁ ଉଦଘାଟନ କଲେ ଆର.କେ ସିଂ

ନୂଆଦିଲ୍ଲୀ: ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ ୧୪ ରୁ ୧୫ଅକ୍ଟୋବର, ୨୦୨୨ ରେ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହେଉଛି। ଉଦ୍‌ଘାଟନୀ ଅଧିବେଶନରେ ଆର.କେ. ସିଂ, କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କୃଷ୍ଣ ପାଲ ଗୁଜର, ଶକ୍ତି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ସହ ଡେପୁଟି ସିଏମ୍/ଶକ୍ତି/ଏନଆରଇ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।

ବିଦ୍ୟୁତ୍ କ୍ଷେତ୍ରରେ ଅତିରିକ୍ତ ଉତ୍ପାଦନ କ୍ଷମତା, ଜାତୀୟ ଗ୍ରୀଡର ବିକାଶ, ସମସ୍ତ ପରିବାରକୁ ସାର୍ବଜନିନ ସୁବିଧା ତଥା ଗ୍ରାମାଞ୍ଚଳକୁ ଯୋଗାଣରେ ଉନ୍ନତି ଆଣିବାରେ ଆର.କେ ସିଂ ଗତ ବର୍ଷଗୁଡିକରେ ପ୍ରାପ୍ତ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସେମାନଙ୍କର ସହଯୋଗ ଏବଂ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏହା ସୂଚନା ପ୍ରଦାନ କରାଯାଇଥିଲା ଯେ ଗତ ୪-୫ ମାସ ଧରି ବିଦ୍ୟୁତ୍ ଚାହିଦା ପ୍ରାୟ ୧୧% ବୃଦ୍ଧି ପାଉଛି। କିନ୍ତୁ ବିଶ୍ବର ଶକ୍ତି ସଙ୍କଟ ଦେଖାଦେଇଥିବା ସମୟରେ ମଧ୍ୟ ସରକାର ଏହି ଚାହିଦା ପୂରଣ କରିବାରେ ସଫଳ ହୋଇଛନ୍ତି। ଆନ୍ତର୍ଜାତୀୟ ସ୍ତରରେ କୋଇଲା ମୂଲ୍ୟ ବୃଦ୍ଧି ପାଇଛି କିନ୍ତୁ ଆମେ ବିଦ୍ୟୁତ୍ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛୁ।

ସୂଚନା ଦିଆଯାଇଥିଲା ଯେ ଭାରତ ହେଉଛି ଏକମାତ୍ର ପ୍ରମୁଖ ଅର୍ଥନୀତି ଯାହାର କାର୍ଯ୍ୟ ବିଶ୍ବର ର ତାପମାତ୍ରାକୁ ୨ ଡିଗ୍ରୀ ମଧ୍ୟରେ ସୀମିତ ରଖିବାରେ  ସଫଳ ହୋଇଛି। ଭାରତର ମୁଣ୍ଡପିଛା ନିର୍ଗମନ ବିଶ୍ବର ହାରାହାରି ମାତ୍ର ୧/୩, ଅନ୍ୟ ପକ୍ଷରେ ବିକଶିତ ଦେଶଗୁଡ଼ିକ ଏହି ପରିମାଣ ବିଶ୍ବର ହାରାହାରି ଠାରୁ ୩-୫ ଗୁଣା ଅଧିକ ରହିଛି।

ଶ୍ରୀ ସିଂ ସୂଚନା ପ୍ରଦାନ କରିଛନ୍ତି ଯେ ଆମେ ବିଦ୍ୟୁତ୍ ପାଇଁ ସାର୍ବଜନୀନ ସୁବିଧା ହାସଲ କରିଛୁ, ତଥାପି ୨୪x୭ ଗୁଣାତ୍ମକ ଶକ୍ତିର ନିରନ୍ତର ଉପଲବ୍ଧତା, ଜାତୀୟ ଗ୍ରୀଡର ସାଇବର ସୁରକ୍ଷା, ଅକ୍ଷୟ ଶକ୍ତି ସମନ୍ବିତକରଣ ଇତ୍ୟାଦି ବିଦ୍ୟମାନ ଆହ୍ବାନଗୁଡିକ ନୀତିଗତ କାର୍ଯ୍ୟ ମାଧ୍ୟମରେ ଏବଂ ସମସ୍ତ ହିତାଧିକାରୀଙ୍କ ସହଯୋଗ ଏବଂ ସହବନ୍ଧନ ମାଧ୍ୟମରେ ସମାଧାନ ହେବା ଆବଶ୍ୟକ।

ଏହା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା ଯେ ୨୦୩୦ ସୁଦ୍ଧା ଆମର ଚାହିଦା ଦୁଇ ଗୁଣା ହେବାକୁ ଯାଉଛି, ଯେଉଁଥି ପାଇଁ ବୃହତ କ୍ଷମତା କୁ ସାମିଲ୍ କରିବାକୁ ପଡିବ, ଯାହା ପରବର୍ତ୍ତୀ ସମୟରେ ବିପୁଳ ପୁଞ୍ଜି ବିନିଯୋଗ ଆବଶ୍ୟକ କରିବ। ବିଦ୍ୟୁତ୍ ପ୍ରଣାଳୀକୁ ଆଧୁନିକୀକରଣ କରିବା ଏବଂ ଗ୍ରୀନ୍ ହାଇଡ୍ରୋଜେନ୍, ଷ୍ଟୋରେଜ୍, ଅଫଶୋର ୱିଣ୍ଡ ଇତ୍ୟାଦି ନୂତନ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜି ବିନିଯୋଗ ମଧ୍ୟ ଆବଶ୍ୟକ ହେବ ଯାହା ଭାରତକୁ ଏହାର ଶକ୍ତି ପରିବର୍ତ୍ତନ ମାର୍ଗ ହାସଲ କରିବାରେ ସାହାଯ୍ୟ କରିବ। ଏଥିପାଇଁ, ସମଗ୍ର ଦେଶରେ ଡିସକମ୍ ଉନ୍ନତ ତଥା ସ୍ଥାୟୀ ଆର୍ଥିକ ଅଭ୍ୟାସ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ଯଦ୍ବାରା ଏହାର ଉପଯୋଗୀତା ସୁନିଶ୍ଚିତ ହୋଇପାରିବ।

କେନ୍ଦ୍ର ଶକ୍ତି ଏବଂ ଏନଆରଏ ମନ୍ତ୍ରୀ ବିଦ୍ୟୁତ୍ କ୍ଷେତ୍ର ସମ୍ମୁଖରେ ସ୍ଥିର ହୋଇଥିବା ଏହି  ଲକ୍ଷ୍ୟ ହାସଲ କରିବାରେ ରାଜ୍ୟମାନଙ୍କ ସହଯୋଗ ଲୋଡିଛନ୍ତି।

ପାୱାର ୟୁଟିଲିଟିର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଜି ରିପୋର୍ଟ ପ୍ରକାଶ ପାଇଛି।

Categories
ଆଜିର ଖବର

ଅମ୍ରାବତୀରେ ଉଦୟପୁର ପରି ଘଟଣା! ଔଷଧ ବେପାରୀଙ୍କ ଗଳା କାଟି ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ଅମ୍ରାବତୀରେ ଜୁନ୍ ୨୨ ତାରିଖ ଦିନ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହା ପରେ ଅମ୍ରାବତୀ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ଏକ ମେଡିକାଲ ଷ୍ଟୋର୍‌ ଚଳାନ୍ତି ଏବଂ ସେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ। କୁହାଯାଉଛି ଯେ, ହତ୍ୟା ପଛର କାରଣ ହୋଇପାରେ ଯେ ବ୍ୟକ୍ତି ଜଣକ ଫେସବୁକରେ ନୁପୁରଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିଲେ।

ଏଥି ସହିତ ଏନ୍ଆଇଏର ଏକ ଟିମ୍ ଆଜି ଅମ୍ରାବତୀରେ ପହଞ୍ଚି ଏହି ଘଟଣାର ଅନୁସନ୍ଧାନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଚାରି ଅଭିଯୁକ୍ତ ଜଣକ କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି ଘଟଣା କରିଛନ୍ତି। ବର୍ତ୍ତମାନ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଖୋଜୁଛି।

ଏଥି ସହିତ ହତ୍ୟା ପରେ ଆଖପାଖର ଲୋକମାନେ ଉତ୍ତେଜିତି ହୋଇପଡିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ବିଚଳିତ ନହୁଏ, ସେଥିପାଇଁ ପୋଲିସ ଏହି ମାମଲାକୁ ବାହାରକୁ ଆସିବାକୁ ଦେଉନାହିଁ। ପ୍ରଥମ ଦିନରେ ପୋଲିସ ଏହା ଡକାୟତି ମାମଲା ବୋଲି କହି ଦମନ କରିଥିଲା, କିନ୍ତୁ ଆଜି ଏନଆଇଏ ତଦନ୍ତ ପାଇଁ ପହଞ୍ଚିଛି।

Categories
ଜାତୀୟ ଖବର ବିଶେଷ ଖବର

କଂଗ୍ରେସ ଚିନ୍ତନ ଶିବିର ଭିତରେ ନେତାଙ୍କୁ ମୋବାଇଲ ମନା, ଆରମ୍ଭ ହେଲା ପ୍ରସ୍ତୁତି ୨୦୨୪

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆରମ୍ଭ ହୋଇଛି କଂଗ୍ରେସର ଚିନ୍ତନ ଶିବିର। ଯାହାର ନାମ ରଖାଯାଇଛି ‘ନବ ସଂକଳ୍ପ ଚିନ୍ତନ ଶିବିର’। ଗତକାଲି ଆରମ୍ଭ ହୋଇଥିବା ଏହି ଶିବିର ରବିବାର ଦିନ ଶେଷ ହେବ। ଏହି ଶିବିରକୁ ଗତକାଲି କଂଗ୍ରେସ ଅନ୍ତିରଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଭିଭାଷଣରେ ଆରମ୍ଭ ହୋଇଥିଲା। ଏହି ଶିବିରରେ ଯୋଗଦେବା ପାଇଁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କା ଉଦୟପୁରରେ ଅଛନ୍ତି।

ତେବେ ଏହି ଶିବିରକୁ ଗତକାଲି ସୋନିଆ ଗାନ୍ଧୀ ଉଦଘାଟନ କରି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ।

ତେବେ ଏହି ଶିବିରକୁ ନେଇ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ସମସ୍ତ ନେତାଙ୍କୁ ପାଖରେ ମୋବାଇଲ ରଖିବାକୁ ମନା କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଶିବିର ଭିତରେ ଏକ ମୋବାଇଲ ଲକର ରୁମ କରାଯାଇଛି। ସେଠାରେ ମୋବାଇଲ ରଖି ଭିତରେ ବସିବାକୁ  ଅନୁମତି ଦିଆଯାଉଛି।

ଗତକାଲି ସୋନିଆ ଗାନ୍ଧୀଙ୍କ ଅଭିଭାଷଣ ପୂର୍ବରୁ ନେତାମାନଙ୍କୁ ଲକର ରୁମରେ ମୋବାଇଲ ରଖିବା ପାଇଁ ମାଇକରେ ଘୋଷଣା କରାଯାଇଥିଲା। ଏଥିପାଇଁ ସେଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ନେତାମାନଙ୍କୁ ବିଭିନ୍ନ ଲକର ଚ୍ୟାମ୍ବର ପ୍ରଦାନ କରି ଆସନରେ ବସିବା ପାଇଁ ସହଯୋଗ କରୁଥିଲେ।

ତେବେ ଏପରି କରିବାର କାରଣ ହେଉଛି ଯେ, ଶିବିରରେ ଯେଉଁ ଗୁପ୍ତ ଆଲୋଚନା ହେବ ତାହା ବାହାରକୁ କମ ସମୟରେ ପ୍ରଘଟ ହୋଇଯାଇଛି। ଏପରିକି କେତେକ ନକରାତ୍ମକ ଫଟୋ ବାହାରକୁ ଯାଉଛି, ଯାହା ଫଳରେ ବିରୋଧୀ ତାହାକୁ ଅସ୍ତ୍ର କରି ବଦନାମ କରୁଛନ୍ତି। ସେଥିପାଇଁ ଏହି ଶିବିରରେ ଯୋଗ ଦେଉଥିବା ନେତାମାନଙ୍କୁ ଲକରରେ ମୋବାଇଲ  ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିବିର ନୁହେଁ ପୂର୍ବରୁ ଦୁଇଟି ସିଡବ୍ଲୁସି ବୈଠକରେ ମଧ୍ୟ ମୋବାଇଲ ନେବାକୁ ମନା କରାଯାଇଛି। ବିଭିନ୍ନ ସମୟରେ କଂଗ୍ରେସର ଭିତିର କଥା ବାହାରେ ପ୍ରଘଟ ହୋଇ ଯାଉଥିବାରୁ ଦଳର ନେତୃତ୍ୟ ଏପରି ନିଷ୍ପତି ଗ୍ରହଣ କରିଛନ୍ତି। କେତେକ କଂଗ୍ରେସ ନେତାଙ୍କ ଅନୁସାରେ ଏହି କଟକଣା ଅନ୍ୟାନ୍ୟ ବୈଠକରେ ମଧ୍ୟ ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି।

ବର୍ତ୍ତମାନ କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ଏକ ବଡ କସରତ ଆରମ୍ଭ କରିଛି। ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଯୋଜନା ବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିବିର ଆସନ୍ତାକାଲି ରାହୁଳ ଗାନ୍ଧୀଙ୍କ ଅଭିଭାଷଣରେ ଶେଷ ହେବ।