କଂଗ୍ରେସ ଚିନ୍ତନ ଶିବିର ଭିତରେ ନେତାଙ୍କୁ ମୋବାଇଲ ମନା, ଆରମ୍ଭ ହେଲା ପ୍ରସ୍ତୁତି ୨୦୨୪

Published: May 14, 2022, 11:01 am IST

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆରମ୍ଭ ହୋଇଛି କଂଗ୍ରେସର ଚିନ୍ତନ ଶିବିର। ଯାହାର ନାମ ରଖାଯାଇଛି ‘ନବ ସଂକଳ୍ପ ଚିନ୍ତନ ଶିବିର’। ଗତକାଲି ଆରମ୍ଭ ହୋଇଥିବା ଏହି ଶିବିର ରବିବାର ଦିନ ଶେଷ ହେବ। ଏହି ଶିବିରକୁ ଗତକାଲି କଂଗ୍ରେସ ଅନ୍ତିରଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଭିଭାଷଣରେ ଆରମ୍ଭ ହୋଇଥିଲା। ଏହି ଶିବିରରେ ଯୋଗଦେବା ପାଇଁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କା ଉଦୟପୁରରେ ଅଛନ୍ତି।

ତେବେ ଏହି ଶିବିରକୁ ଗତକାଲି ସୋନିଆ ଗାନ୍ଧୀ ଉଦଘାଟନ କରି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ।

ତେବେ ଏହି ଶିବିରକୁ ନେଇ ଯେଉଁ ବଡ ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ସମସ୍ତ ନେତାଙ୍କୁ ପାଖରେ ମୋବାଇଲ ରଖିବାକୁ ମନା କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଶିବିର ଭିତରେ ଏକ ମୋବାଇଲ ଲକର ରୁମ କରାଯାଇଛି। ସେଠାରେ ମୋବାଇଲ ରଖି ଭିତରେ ବସିବାକୁ  ଅନୁମତି ଦିଆଯାଉଛି।

ଗତକାଲି ସୋନିଆ ଗାନ୍ଧୀଙ୍କ ଅଭିଭାଷଣ ପୂର୍ବରୁ ନେତାମାନଙ୍କୁ ଲକର ରୁମରେ ମୋବାଇଲ ରଖିବା ପାଇଁ ମାଇକରେ ଘୋଷଣା କରାଯାଇଥିଲା। ଏଥିପାଇଁ ସେଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ନେତାମାନଙ୍କୁ ବିଭିନ୍ନ ଲକର ଚ୍ୟାମ୍ବର ପ୍ରଦାନ କରି ଆସନରେ ବସିବା ପାଇଁ ସହଯୋଗ କରୁଥିଲେ।

ତେବେ ଏପରି କରିବାର କାରଣ ହେଉଛି ଯେ, ଶିବିରରେ ଯେଉଁ ଗୁପ୍ତ ଆଲୋଚନା ହେବ ତାହା ବାହାରକୁ କମ ସମୟରେ ପ୍ରଘଟ ହୋଇଯାଇଛି। ଏପରିକି କେତେକ ନକରାତ୍ମକ ଫଟୋ ବାହାରକୁ ଯାଉଛି, ଯାହା ଫଳରେ ବିରୋଧୀ ତାହାକୁ ଅସ୍ତ୍ର କରି ବଦନାମ କରୁଛନ୍ତି। ସେଥିପାଇଁ ଏହି ଶିବିରରେ ଯୋଗ ଦେଉଥିବା ନେତାମାନଙ୍କୁ ଲକରରେ ମୋବାଇଲ  ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିବିର ନୁହେଁ ପୂର୍ବରୁ ଦୁଇଟି ସିଡବ୍ଲୁସି ବୈଠକରେ ମଧ୍ୟ ମୋବାଇଲ ନେବାକୁ ମନା କରାଯାଇଛି। ବିଭିନ୍ନ ସମୟରେ କଂଗ୍ରେସର ଭିତିର କଥା ବାହାରେ ପ୍ରଘଟ ହୋଇ ଯାଉଥିବାରୁ ଦଳର ନେତୃତ୍ୟ ଏପରି ନିଷ୍ପତି ଗ୍ରହଣ କରିଛନ୍ତି। କେତେକ କଂଗ୍ରେସ ନେତାଙ୍କ ଅନୁସାରେ ଏହି କଟକଣା ଅନ୍ୟାନ୍ୟ ବୈଠକରେ ମଧ୍ୟ ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି।

ବର୍ତ୍ତମାନ କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ଏକ ବଡ କସରତ ଆରମ୍ଭ କରିଛି। ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଯୋଜନା ବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିବିର ଆସନ୍ତାକାଲି ରାହୁଳ ଗାନ୍ଧୀଙ୍କ ଅଭିଭାଷଣରେ ଶେଷ ହେବ।

Related posts