Categories
ଆଜିର ଖବର ରାଜ୍ୟ ଖବର

ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ

ଭୁବନେଶ୍ବର: ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ଆଜି ସକାଳେ ବିଧାନସଭାରେ ଉପବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଉପବାଚସ୍ପତି ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିପାଇଁ ସେ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ।

ଆଜି ବିଧାନସଭାରେ ଏକ ମୋସନ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଲୁଗା ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ଘୋଷଣା କରିଥିଲେ। ଏହାପରେ ସେ ତାଙ୍କ ଆସନରେ ବସିବାକୁ ବାଚସ୍ପତି ଘୋଷଣା କରିବା ପରେ ତାଙ୍କୁ ତିନିଦଳର ସଦସ୍ୟ ସାଲୁଗାଙ୍କୁ ତାଙ୍କ ଆସନକୁ ପାଛୋଟି ଆଣିଥିଲେ।

ଏହାପରେ ନବୀନ ପଟ୍ଟନାୟକ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ବିଜେପିର ମୋହନ ମାଝୀ ଏବଂ କଂଗ୍ରେସର ଦାଶରଥି ଗମାଙ୍ଗା ସାଲୁଗାଙ୍କୁ ସ୍ବାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ, ଆଜି ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ବହୁ ଆଶାଆଶଙ୍କା ପରେ ଆଜି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି। ଫଳରେ ସେ ହିଁ ଓଡିଶା ବିଧାନସଭାର ପରବର୍ତ୍ତି ଉପବାଚସ୍ପତି ହେବେ। କାରଣ ସଂଖ୍ୟା ଦୃଷ୍ଟିରୁ ଅନ୍ୟ କୌଣସି ଦଳ ଏହି ପଦବୀ ହାସଲ କରିପାରିବ ନାହିଁ।

ଆଜି ସାଲୁଗା ବିଧିବଧ ଭାବେ ବିଧାନସଭା ସଚିବଙ୍କ ନିକଟକୁ ଯାଇ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶାସକଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ 2000 ଏବଂ 2019 ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବର ୨୧ ତାରିଖରେ ଉପବାଚସ୍ପତି ନିର୍ବାଚନ, ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି

ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୧ ତାରିଖରେ ହେୁ ଉପବାଚସ୍ପତି ନିର୍ବାଚନ। ସେ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସମସ୍ତ ବିଧାୟକଙ୍କୁ ମଧ୍ୟ ଏହି ନୋଟିସ ଜାରୀ କରାଯାଇଛି। ସେହି ଅନୁସାରେ ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ଉପନିର୍ବାଚନ ହେବ ବୋଲି ଜଣାଇ ଦିଆଯାଇଛି।

ଉପବାଚସ୍ପତି ଥିବା ରଜନୀକାନ୍ତ ସିଂ ଏହି ପଦବୀରୁ ୮ ତାରିଖ ଦିନ ଇସ୍ତଫା ଦେଇଛନ୍ତି। ତାହାର କାରଣ ହେଲା ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସେ ସଂଗଠନ କାମରେ ଲାଗିବେ। ହେଲେ ଉପବାଚସ୍ପତି ପଦରେ ରହି ତାହା ହୋଇପାରୁ ନ ଥିବାରୁ ସେ ଇସ୍ତଫା ଦେଇଛନ୍ତି। ଫଳରେ ସେହିଦିନଠାରୁ ଏହି ଗୁରୁତ୍ବପୂର୍ଣ୍ଣ ସାମ୍ବାଧାନିକ ପଦବୀ ଖାଲି ପଡିଛି।

ଆସନ୍ତା ୨୨ ତାରିଖରୁ ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନ ଆରମ୍ଭ ହେବ। ସେଥିପାଇଁ ତା ପୂର୍ବଦିନ ଏହି ପଦବୀ ପାଇଁ ନିର୍ବାଚନ କରିବାକୁ ବିଧାନସଭା ସଚିବାଳୟ ନିଷ୍ପତି ଗ୍ରହଣ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର: ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଅପ୍ରତ୍ୟାଶିତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ରହିଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାମ କରିପାରୁନାହାନ୍ତି। ତେଣୁ ସେ ସଙ୍ଗଠନରେ ମନୋନିବେଶ କରିବାକୁ ଏହି ପଦବୀରୁ ନିଜକୁ ଦୂରେଇ ନେଇଛନ୍ତି।

ରାଜନୀତିକ ଘଟଣାବଳୀରେ ରୁଚି ରଖୁଥିବା ଲୋକଙ୍କ କହିବା ଅନୁସାରେ ଅନୁଗୁଳ ବିଧାୟକ ଶ୍ରୀ ସିଂହ ନିଜର ଇସ୍ତଫାର କାରଣ ସମ୍ପର୍କରେ ଯାହା କହିଛନ୍ତି ତାହା ସତ୍ୟ। ସେ ଉପବାଚସ୍ପତି ହେବା ପରଠାରୁ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ନିଜର ଅସାମର୍ଥ୍ୟତା ପ୍ରକାଶ କରି ଆସୁଛନ୍ତି। ଫଳରେ ମତଦାତାମାନେ ତାଙ୍କଠାରୁ ଓ ତାଙ୍କ ଦଳ ବିଜେଡିଠାରୁ ମଧ୍ୟ ଦୂରେଇବାରେ ଲାଗିଛନ୍ତି। ଏକଥା ନିକଟରେ ବିଜେପିର କେନ୍ଦ୍ରୀୟ ସର୍ଭେରୁ ସ୍ପଷ୍ଟ ହୋଇଛି

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଥିବା ସର୍ଭେ, ରଜନୀଙ୍କ ପାଇଁ ହେଲା କାଳ

ବିଜେପିର ସର୍ଭେ ରିପୋର୍ଟ ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନିଜ ଜିଲ୍ଲା ଅନୁଗୁଳର ତାଳଚେର ଓ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଲୋକପ୍ରିୟତା ହରାଇଥିବା ବେଳେ ଅନୁଗୁଳ ବିଧାନସଭା କ୍ଷେତ୍ରରେ ଜନସମର୍ଥନ ବ୍ୟାପକ ପାଉଛନ୍ତି।

ବିଜେପିର ଏହି ରିପୋର୍ଟ ସମ୍ପର୍କରେ ବିଜେଡି ନେତାମାନେ ଅବଗତ ହେବାପରେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ବିଧାୟକ ଶ୍ରୀ ସିଂହ ଉପ-ବାଚସ୍ପତି ହେବା ପରଠାରୁ ମତଦାତାଙ୍କ ସୁଖଦୁଃଖରେ ସାମିଲ ହୋଇନାହାନ୍ତି। ଫଳରେ ବିଜେଡି ସମର୍ଥକ ତଥା ଭୋଟରମାନେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛନ୍ତି।

ଏଭଳି ଖବର ଆସିବା ପରେ ଉପ-ବାଚସ୍ପତି ଶ୍ରୀ ସିଂହଙ୍କୁ ଇସ୍ତଫା ଦେଇ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ସମ୍ଭାଳି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ବିଜେଡି ନେତୃତ୍ୱ ଦୁଇ ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତକାଲି ଶ୍ରୀ ସିଂହ ଇସ୍ତଫା ଦେବା କଥା ସ୍ପଷ୍ଟ କରିଥିଲେ।

ଅପର ପକ୍ଷରେ ତାଙ୍କ ସମର୍ଥକମାନଙ୍କ କହିବା ଅନୁସାରେ ୨୦୧୪ରୁ ୨୦୧୯ ବିଧାନସଭାରେ ମନ୍ତ୍ରୀପଦ ପାଇଥିଲେ। ୨୦୧୯ ନିର୍ବାଚନ ପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ତାଙ୍କୁ ମନ୍ତ୍ରୀପଦ ଦିଆନଯାଇ ଉପ-ବାଚସ୍ପତି ପଦବୀରେ ଥଇଥାନ କରାଇଥିଲା।

ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ପଦ ପାଇବା ପରେ ଶ୍ରୀ ସିଂହ ବାଚସ୍ପତି ହେବେ ବୋଲି ଆଶାବାନ୍ଧି ବସିଥିଲେ। କିନ୍ତୁ ସେହି ଆଶା ଆଶାରେ ରହିବା ପରେ ଉପବାଚସ୍ପତି ଅସନ୍ତୁଷ୍ଟ ଥିବା ବିଜେଡି ନେତୃତ୍ୱ ଉପଲବ୍ଧି କରିଥିଲେ। ପରିଣାମ ସ୍ୱରୂପ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ବର: ଶେଷରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତି ସିଂ। ଆଜି ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଏହି ପଦବୀରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ଏ ନେଇ ସମୀକ୍ଷା ରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଯାହା ବର୍ତ୍ତମାନ ସତ ହୋଇଛି।

ରଜନୀକାନ୍ତ ସିଂ ୨୦୧୯ ମସିହା ଜୁନ ମାସରୁ ଆଜି ପର୍ଯ୍ୟନ୍ତ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟକଳାପରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାର ଶୀତ ଅଧିବେସନକୁ ଆଉ ମାତ୍ର କେତେ ଦିନ ଥିବା ବେଳେ ତାଙ୍କ ଇସ୍ତଫା ରାଜନୈତିକ ମହଲରେ ଆଲୋଚନା ଚାଲିଛି।

ତେବେ ସେ ଏହି ପଦବୀରୁ ଇସ୍ତଫା ଦେବାର କାରଣରେ କୁହାଯାଉଛି ଯେ, ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ। ସେ ଏହି ସାମ୍ବିଧାନିକ ପଦବୀର ରହି କୌଣସି ଦଳୀୟ କାର୍ଯ୍ୟ କରିପାରୁ ନ ଥିଲେ। ସେଥିପାଇଁ ସେ ଏହି ପଦବୀରୁ ଇସ୍ତଫା ଦେଇ ନିଜ ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ

ଭୁବନେଶ୍ବର: ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ବିଧାୟକ ରଜନୀକାନ୍ତ ସିଂ।  ହେଲେ ତାଙ୍କର ନିକଟତମ ମହଲରୁ ଯାହା ସୂଚନା ସେଥିରେ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କେବେ ଇସ୍ତଫା ଦେବେ ସେ ନେଇ କିଛି ନିଷ୍ପତି କରି ନ ଥିବାର ଜଣାପଡିଛି। ରଜନୀକାନ୍ତ ସିଂ ଅନୁଗୁଳରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି।

କାରଣରେ ଏହା କୁହାଯାଇଛି ଯେ, ସେ ନିଜ ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିବେ। କାରଣ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ କରିବେ। ସେ ଉପବାଚସ୍ପତି ପରି ସାମ୍ବିଧାନିକ ପଦବୀରେ ରହି ଦଳୀୟ କାମ କରିବାରେ କଟକଣା ରହୁଛି। ସେଥିପାଇଁ ସେ ଇସ୍ତଫା ଦେଇ ସଂଗଠନ କାମ କରିବେ। ତେବେ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।