Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାମଚନ୍ଦ୍ର ରାଜା ହେବା ପରେ ହଠାତ୍ ହଜିଗଲେ ଭ୍ରାତା ଭରତ, ଜାଣନ୍ତୁ ତାଙ୍କୁ କେଉଁଠୁ ପାଇଲେ ହନୁମାନ?

ଉପେନ୍ଦ୍ର ବଳିୟାରସିଂହ

ଚଉଦ ବର୍ଷ ବନବାସ ପରେ ଶ୍ରୀରାମଙ୍କ ଅଭିଷେକ ହେଲା। ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ଅପ୍ସରାମାନେ ନୃତ୍ୟ କଲେ। ଭଗବାନ ଚନ୍ଦ୍ରଶେଖର ଆସି ପ୍ରଭୁଙ୍କର ସ୍ତୁତି କଲେ। ସେତେବେଳେ ଗୋଟିଏ ଘଟଣା ଘଟିଲା। ହନୁମାନଜୀ ତାଙ୍କର ସତର୍କ ଦୃଷ୍ଟି ଅଯୋଧ୍ୟା ଭିତରେ ବୁଲାଇ ଆଣିଲେ। କେବଳ ଭରତଜୀଙ୍କୁ ଛାଡି ଅନ୍ୟମାନେ ଦେଖା ପଡ଼ିଲେ। କିନ୍ତୁ ସେ ଭରତଜୀଙ୍କୁ ଦେଖିପାରିଲେ ନାହିଁ।

ଭରତ ଗଲେ କୁଆଡେ? ହନୁମାନଜୀ ଖୋଜିବାକୁ ଲାଗିଲେ। ଯେଉଁ ବ୍ୟକ୍ତିର ଅନୁପସ୍ଥିତିରେ ରାମ ପଞ୍ଚାୟତ ହୋଇପାରିବ ନାହିଁ। ଭରତ ନଥିଲେ, ରାମ ରାଜ୍ୟ ହୋଇପାରିବ ନାହିଁ। ଯେଉଁ ପଞ୍ଚାୟତ ଭରତଙ୍କ ଉପରେ କୃତଜ୍ଞତା ଜ୍ଞାପନ କରେ, ସେ କାହାନ୍ତି?

ହନୁମାନ ଲୋକାରଣ୍ୟ ଭିତରେ ଖୋଜୁଥାନ୍ତି। ଖୋଜି ଖୋଜି ସେ ଭରତଙ୍କୁ ସିଂହାସନର ପଛ ପଟେ ଠାବ କଲେ। ପ୍ରଭୁଙ୍କ ମସ୍ତକ ଉପରେ ଭରତଙ୍କ ହାତରେ ଛତ୍ର ଶୋଭା ପାଉଛି। ହନୁମାନଜୀଙ୍କ ଚକ୍ଷୁ ବିସ୍ଫାରିତ ହୋଇଗଲା।

ହନୁମାନଜୀ ପଚାରିଲେ, “ପ୍ରଭୁ! ଆପଣ ଏଠାରେ କାହିଁକି ଅଛନ୍ତି? ପଛ ପଟେ ଆଢୁଆଳରେ କାହିଁକି ଅଛନ୍ତି?”

ଭରତଜୀ କହିଲେ, “କପିଶ୍ରେଷ୍ଠ ମୁଁ ମୋ ଜୀବନରେ ଏମିତି କିଛି କରିପାରିନାହିଁ, ଯାହାଙ୍କୁ ନେଇ ମୁଁ ପ୍ରଭୁଙ୍କ ସମ୍ମୁଖକୁ ଯାଇପାରିବି। ମୁଁ ପଛରେ ହିଁ ଠିକ ଅଛି।”

ହନୁମାନଜୀ କହିଲେ, “ଆଗକୁ ଆସନ୍ତୁ।”

ଭରତଜୀ କହିଲେ, “ନାଁ ହନୁମାନ, ପ୍ରଭୁଙ୍କ ଉପରେ ଛତ୍ର ଧାରଣ କରିବାର ସେବା ମୁଁ ପାଇଛି। ମୁଁ ମୋ ସ୍ଥାନରେ ଠିକ ଅଛି। ପ୍ରଭୁଙ୍କ ସାମ୍ନାକୁ ସନ୍ଥ ମହାତ୍ମା ଯାଇପାରନ୍ତି।”

ହନୁମାନ ଜୀ ଦୁଃଖରେ ଶ୍ରୀରାମଙ୍କ ପାଖକୁ ଯାଇ କହିଲେ, “ଭରତ ଜୀ ପଛରେ ଠିଆ ହୋଇଛନ୍ତି। ତାଙ୍କୁ ଆଗକୁ ଡାକନ୍ତୁ ନା?”

ଶ୍ରୀରାମ କହିଲେ,”ଭରତ ଠିକ ଜାଗାରେ ଅଛି।”

ହନୁମାନ ଜୀ କହିଲେ, “ଆପଣ ମଧ୍ୟ ନିଷ୍ଠୁର ହେଲେ?”

ହନୁମାନଙ୍କୁ ଶ୍ରୀରାମ କହିଲେ, “ଭରତ କ’ଣ କରୁଛି?”

ଆପଣଙ୍କ ମସ୍ତକରେ ଛତ୍ର ରଖିଛନ୍ତି ବୋଲି ହନୁମାନ କହିଲେ।

ପ୍ରଭୁ କହିଲେ, “ବାସ୍! ତୁମକୁ ଏହି କଥାକୁ ଜଣାଇବାକୁ ଚାହେଁ ଯେ, ଯଦି ମୋ ଉପରେ ଭରତଙ୍କର ଛତ୍ର ଛାୟା ନଥାନ୍ତା, ତାହେଲେ ଏହି ରାମ ରାଜ୍ୟ ହୋଇପାରିନଥାନ୍ତା। ରାମ ରାଜ୍ୟ ଭରତଙ୍କର ଛତ୍ର ଛାୟା ପାଇଁ ହିଁ ସମ୍ଭବ ହୋଇପାରିଛି। କାରଣ ସେ ଜଣେ ସନ୍ଥ। ସନ୍ଥଙ୍କ ଛତ୍ର ଛାୟା ତଳେ ଯଦି ଶାସନ ଚାଲେ, ତେବେ ରାଜ୍ୟ ସୁରକ୍ଷିତ ରହିପାରିବ। ପ୍ରଜାମାନେ ଶାନ୍ତିରେ ବାସ କରିପାରିବେ। ଭରତଙ୍କ ଉପରେ କିଛି କହିବା କୌଣସି ବକ୍ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଭରତଙ୍କ ସ୍ଵଭାବ ଅଗମ୍ୟ ଅଟେ।

ବେଦ ପାଇଁ ବ୍ରହ୍ମ ଯେମିତି ଅଗଣ୍ୟ, ସେହିପରି ସନ୍ଥଙ୍କ ସ୍ଵଭାବ ବେଦ ପାଇଁ ଅଗମ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ମୃତ୍ୟୁ ଅଭିଶାପ ମିଳିଥିଲେ ବି ଉଦ୍ଧାର ହେଲେ ଅର୍ଜୁନଙ୍କ ପୌତ୍ର?, ଜାଣନ୍ତୁ କିପରି

ଉପେନ୍ଦ୍ର ବଳିୟାରସିଂହ

ପରୀକ୍ଷିତ ହସ୍ତିନାପୁରର ରାଜା ଥିଲେ। ସେ ଅର୍ଜୁନଙ୍କ ପୌତ୍ର ଏବଂ ଅଭିମନ୍ୟୁଙ୍କ ପୁତ୍ର ଥିଲେ। କଳିଯୁଗର ପ୍ରଭାବରେ ସେ ଥରେ ଜଙ୍ଗଲକୁ ଯିବା ସମୟରେ ଜଣେ ଋଷିଙ୍କ ବେକରେ ମୃତ ସର୍ପଟିଏ ପକାଇଦେଇଥିଲେ। ସେହି ଋଷିଙ୍କ ପୁତ୍ର ଏହା ଦେଖି ଅତ୍ୟନ୍ତ କ୍ରୋଧିତ ହୋଇ ପରୀକ୍ଷିତଙ୍କୁ ଅଭିଶାପ ଦେଲେ, ‘ତୁମର ସାତ ଦିନ ଭିତରେ ତକ୍ଷକ ସର୍ପ ଦଂଶନରେ ମୃତ୍ୟୁ ହେଉ।

ଋଷି ଧ୍ୟାନରୁ ଉଠି ଏସବୁ ଶୁଣି ମନ ଦୁଃଖ କଲେ। ପୁତ୍ରକୁ ତିରସ୍କାର କରି ସେ ମହାରାଜଙ୍କୁ ସନ୍ଦେଶ ଦେଲେ, ତୁମର ସାତ ଦିନ ଭିତରେ ମୃତ୍ୟୁ ହେବ। ଏସବୁ ଶୁଣି ପରୀକ୍ଷିତ ରାଜ୍ୟ ତ୍ୟାଗ କରି ଗଙ୍ଗାନଦୀ କୂଳରେ ତପସ୍ୟା କରୁଥିବା ମୁନି ଋଷିମାନଙ୍କୁ ସାତ ଦିନ ଭିତରେ କିପରି ଉଦ୍ଧାର ହେବେ ଜିଜ୍ଞାସା କଲେ। କିନ୍ତୁ କେହି ହେଲେ କୌଣସି ସିଦ୍ଧାନ୍ତ ଦେଇପାରିଲେ ନାହିଁ। ଶେଷରେ ବ୍ୟାସଦେବଙ୍କ ପୁତ୍ର ଶୁକ ଦେବଜୀ ପହଞ୍ଚି ତାଙ୍କୁ ଶ୍ରୀ ଭାଗବତ ଉପଦେଶ ଦେଇ ପରୀକ୍ଷିତଙ୍କୁ ଉଦ୍ଧାର କଲେ। ସାତ ଦିନ ପରେ ତକ୍ଷକ ସର୍ପ ଦଂଶନ କଲାବେଳକୁ ପରକ୍ଷିତ ସ୍ଵର୍ଗପୁରକୁ ଚାଲିଯାଇଥିଲେ। ତକ୍ଷକ ସର୍ପ କେବଳ ତାଙ୍କ ଶବକୁ ଦଂଶନ କଲା।

ସାତ ଦିନ ଭିତରେ ପରୀକ୍ଷିତଙ୍କ ଉଦ୍ଧାର ହେଲା, ଆମର କାହିଁକି ହେବ ନାହିଁ? ଆମକୁ ପରୀକ୍ଷିତଙ୍କ ଭଳି ଶ୍ରୋତା ଏବଂ ଶୁକଦେବଙ୍କ ଭଳି ବକ୍ତା ମିଳିଲେ, ଆମର ନିଶ୍ଚିତ ଉଦ୍ଧାର ହେବ। ଆମେ ସମସ୍ତେ ଜଣେ ଜଣେ ପରୀକ୍ଷିତ। ଏଜୀବ ଯେତେବେଳେ ଗର୍ଭରେ ପ୍ରବେଶ କଲା, ସେତେବେଳେ ଯିଏ ଜୀବକୁ ରକ୍ଷା କରିଥିଲା, ସେହି ଚତୁର୍ଭୁଜ ସ୍ଵରୂପ ବାଲା ପୁରୁଷ କାହିଁ? କାହିଁ କାହିଁ (କୁଆଁ କୁଆଁ) ବୋଲି ଉଚ୍ଚାରଣ କରି ତାଙ୍କୁ ଖୋଜିବାରେ ଲାଗିଲା। ପରୀକ୍ଷିତ ଅର୍ଥାତ ଭଗବାନଙ୍କ ଦର୍ଶନ ପାଇଁ ଆତୁର ହେଉଥିବା ଜୀବ, ଆତୁରତାରା କାରଣ ହେଉଛି ସେ ବୁଝିପାରିଛି ସପ୍ତାହକ ସାତ ଦିନ ଭିତରେ ହିଁ ତାର ମୃତ୍ୟୁ ସୁନିଶ୍ଚିତ।

କାଳ ରୂପୀ ତକ୍ଷକ କାହାକୁ ହେଲେ ଛାଡେ ନାହିଁ। ସପ୍ତାହକ ମୋଟ ସାତ ଦିନ ଭିତରେ ହିଁ କୌଣସି ଏକ ବାରରେ ସେ କାଳ ରୂପୀ ତକ୍ଷକ ଅବଶ୍ୟ ଦଂଶନ କରିବ। ଏହି ସାତ ବାରରୁ କୌଣସି ଏକ ବାର ଆମ ପାଇଁ ନିଶ୍ଚିତ ହୋଇସାରିଛି। ତେଣୁ ପରୀକ୍ଷିତଙ୍କ ପରି ମୃତ୍ୟୁକୁ ଭୁଲ ନାହିଁ। ମୃତ୍ୟୁର କେବଳ ଜୀବକୁ ନୁହେଁ, ବ୍ରହ୍ମାଜୀଙ୍କୁ ମଧ୍ୟ ଲାଗିଥାଏ। ମୃତ୍ୟୁକୁ ଆମେ ଅମଙ୍ଗଳ ବୋଲି ମାନିଥାଉ। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ମୃତ୍ୟୁ ହେଉଛି ପ୍ରଭୁଙ୍କର ସେବିକା। ତେଣୁ ମଙ୍ଗଳ ଦାୟକ। ଶ୍ରୀ ଠାକୁରଜୀଙ୍କୁ ଯେତେବେଳେ ଲାଗେ ମୋର ବାଳକ ଯୋଗ୍ୟ ହୋଇଗଲାଣି, ସେତେବେଳେ ସେ ମୃତ୍ୟୁକୁ ଆଜ୍ଞା ଦିଅନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଦୁନିଆରେ ଏମିତି ବି ଭକ୍ତ ଅଛନ୍ତି, ଯାହାଙ୍କ ଅଧିନରେ ଚାଲନ୍ତି ଭଗବାନ, ଜାଣନ୍ତୁ କିଏ ଆଉ କେମିତି?

ଉପେନ୍ଦ୍ର ବଳିୟାରସିଂହ

ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ଆମ୍ଭେମାନେ ସବୁଥିରୁ ବଞ୍ଚିତ ରହୁଛେ। କାଲିଠାରୁ ସବୁ ସେବା ଆମେ କରିବା। ହନୁମାନ କାଲିଠାରୁ ଆଉ କୌଣସି ସେବା କରିବେ ନାହିଁ।

ଏକଥା ପ୍ରଭୁଙ୍କୁ ସୀତା ଦେବୀ କହିଦେଲେ। ଆପଣ କାଲିଠାରୁ ହନୁମାନଙ୍କୁ ଆସିବା ପାଇଁ ବନ୍ଦ କରିଦିଅନ୍ତୁ।

ପ୍ରଭୁ କହିଲେ, “ମୁଁ ତ ତାକୁ ଆସିବା ପାଇଁ ବନ୍ଦ କରିପାରିବି ନାହିଁ। ସେ ମୋ ପାଇଁ ଯେଉଁ କାର୍ଯ୍ୟ କରିଛି, ତାର ଋଣ ମୁଁ ସୁଝିପାରିବି ନାହିଁ। ଏସବୁ କଥା ହୋଇପାରିବ ନାହିଁ।

ସକାଳୁ ହନୁମାନ ତରତର ହୋଇ ରାଜବାଟୀକୁ ଆସିଲେ। ସୀତା ଦେବୀ କହିଲେ, “ପବନ ପୁତ୍ର! ତୁମ ପାଇଁ ଆଉ କୌଣସି ସେବା କରିବା ପାଇଁ ବାକି ନାହିଁ। କାରଣ ସବୁ ସେବା ଆମ ଭିତରେ ବାଣ୍ଟି ଦିଆଯାଇଛି।

ହନୁମାନ ତ ଜ୍ଞାନର ସାଗର ଥିଲେ। ସେ କହିଲେ, “ମାତା ଗୋଟିଏ ସେବା ବାକି ଅଛି।” ସୀତା ଦେବୀ କହିଲେ, “ସେହି ସେବାଟା କଣ? ହନୁମାନ କହିଲେ, “ପ୍ରଭୁ ଯେତେବେଳେ ହାଇ ମାରିବେ, ମୁଁ ସେତେବେଳେ ଚୁଟୁକି ମାରିବି।” ସୀତା ଦେବୀ କହିଲେ, “ହଉ ଠିକ ଅଛି।”

ରାତ୍ରି ହେଲା। ହନୁମାନ ପ୍ରଭୁଙ୍କ ପାଖରେ ଠିଆ ହୋଇଥାନ୍ତି। ସୀତା ଦେବୀ କହିଲେ, “ତୁମେ ତୁମର ବିଶ୍ରାମ କକ୍ଷକୁ ଯାଅ।” ହନୁମାନ କହିଲେ, “ରାତିରେ ଯଦି ପ୍ରଭୁଙ୍କର ହାଇ ଆସିବ, ମୋର ଅନୁପସ୍ଥିତିରେ ଚୁଟୁକି କିଏ ମାରିବ? ଆପଣ ତ ମୋତେ ଅନୁମତି ଦେଇଛନ୍ତି ନା? ମୁଁ ପ୍ରଭୁଙ୍କର ପାଦ ସେବା କରୁଥିଲି। ମୋତେ ପ୍ରଭୁଙ୍କର ଚରଣ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। କିନ୍ତୁ ଆପଣ ମୋତେ ଚୁଟୁକି ବଜାଇବାର ସୁଯୋଗ ଦେଇ ପ୍ରଭୁଙ୍କର ମୁଖ ଦର୍ଶନର ସୁଯୋଗ ଦେଲେ। ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି।

ସୀତା ଦେବୀ ଅସୁବିଧାରେ ପଡିଗଲେ। ସେ ଆଦେଶ ଦେବା ପରି କହିଲେ, “ତୁମେ ଯାଅ, ସକାଳୁ ଆସିବ। ହନୁମାନ ବାହାରକୁ ଚାଲିଗଲେ। ବାହାରେ ଯାଇ ଭାବିଲେ, ରାତ୍ରିରେ ପ୍ରଭୁଙ୍କର ହାଇ ଆସିଲେ, କିଏ ଚୁଟୁକି ମାରିବ? ତେଣୁ ସେ ରାତ୍ରି ସାରା ଉଜାଗର ରହି ଚୁଟୁକି ମାରିବାକୁ ଲାଗିଲେ।

ଏଇ ଚୁଟୁକି ପ୍ରଭୁଙ୍କ ଉପରେ ପ୍ରଭାବ ପକାଇଲା। ଯେତେ ଥର ହନୂମାନ ଚୁଟୁକି ମାରନ୍ତି, ସେତେଥର ପ୍ରଭୁ ହାଇ ମାରନ୍ତି। ପ୍ରଭୁଙ୍କର ବାରମ୍ବାର ହାଇ ମାରିବାର ଦେଖି ସୀତା ଦେବୀ ଡରିଗଲେ। ସେ ଦୌଡି ଯାଇ କୌଶଲ୍ୟା ମାତାଙ୍କୁ ଡାକି ଆଣିଲେ।

କୌଶଲ୍ୟା ମାତା ଏସବୁ ଦେଖି ବଶିଷ୍ଠଙ୍କୁ ଡକାଇ ପଠାଇଲେ। ବଶିଷ୍ଠ ସବୁ ଶୁଣି ସାରିବା ପରେ ସୀତା ଦେବୀଙ୍କୁ ପଚାରିଲେ, “କୌଣସି ଅପଘଟଣ ହୋଇଛି କି? କୌଣସି ଭକ୍ତଙ୍କ ପ୍ରତି ବୋଧ ହୁଏ ଅପମାନ ହୋଇଛି,

ସୀତା ଦେବୀ କହିଲେ, “ହନୁମାନଙ୍କ ଠାରୁ ପ୍ରଭୁଙ୍କର ସବୁ ସେବା ଛଡାଇ ନିଆଯାଇଛି। ହନୁମାନଙ୍କୁ ଖୋଜି ଖୋଜି ବଶିଷ୍ଠ ତାଙ୍କ ପାଖରେ ପହଞ୍ଚିଲେ। ସେତେବେଳେ ସେ ଚୁଟୁକି ମାରି ରାମ ନାମ କୀର୍ତ୍ତନ କରୁଥିଲେ। ହନୁମାନଙ୍କୁ ଜାଗ୍ରତ କରି ବଶିଷ୍ଠ କହିଲେ, “ତୁମେ କୀର୍ତ୍ତନ କର। କିନ୍ତୁ ଚୁଟୁକି ମାର ନାହିଁ।

ହନୁମାନ ଚୁଟୁକି ମାରିବା ବନ୍ଦ କରିଦେଲେ। ପ୍ରଭୁ ସୁସ୍ଥ ହେଲେ।

ଚରାଚର ବିଶ୍ଵବ୍ରହ୍ମାଣ୍ଡ ଭଗବାନଙ୍କର ଅଧୀନ। ଭଗବାନଙ୍କର ନିର୍ଦ୍ଦେଶରେ ହିଁ ସବୁକିଛି ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଭଗବାନ ମଧ୍ୟ ହେଉଛନ୍ତି ଭକ୍ତର ଅଧୀନ। ଭକ୍ତମାନଙ୍କୁ ନିଜ ଠାରୁ ଅଧିକ ସମ୍ମାନ ଦେବା ହେଉଛି ତାଙ୍କର ବିଶେଷତ୍ଵ। ହନୁମାନଙ୍କ ଭକ୍ତିକୁ ଉଚ୍ଚାସନ ଦେବା ପାଇଁ ପ୍ରଭୁ ଏପ୍ରକାର ଲୀଳା ଆରମ୍ଭ କରିଥିଲେ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଦେବତା-ରାକ୍ଷସଙ୍କ ପାଇଁ ବ୍ରହ୍ମାଙ୍କ ପରୀକ୍ଷା: ‘କହୁଣି ନ ଭାଙ୍ଗି କେମିତି ଖାଇବ ଖାଦ୍ୟ’ରେ ଜିତିଲା କିଏ?

ଉପେନ୍ଦ୍ର ବଳିୟାରସିଂହ

ଯେ ଧନର ଓ ଶକ୍ତିର ଉପଯୋଗ ଦାନରେ କରେ, ସେ ହେଉଛି ଦେବତା। ଦଦାତୀତି ଦେବଃ! ଯେ ନିଜର ଧନ ଓ ଶକ୍ତିର ଉପଯୋଗ କେବଳ ନିଜ ପ୍ରାଣ ପୋଷଣ କରିବାରେ ଲଗାଏ, ସେ ହେଉଛି ଅସୁର ଅସୁନ୍ ପ୍ରାଣାନ୍ ରକ୍ଷତୀତ୍ୟସୁରଃ। ଧନର ସୁରକ୍ଷାରେ ଯେଉଁମାନେ ଲାଗିଥାନ୍ତି, ସେ ହେଉଛି ରାକ୍ଷସ ରକ୍ଷତୀତି ରକ୍ଷଃ। ଅସୁର ଓ ରାକ୍ଷସମାନେ ଜ୍ୟେଷ୍ଠ ଓ ଦେବତାମାନେ କନିଷ୍ଠ। କିନ୍ତୁ ସର୍ବଗୁଣ ବିଶେଷତ୍ଵ ଥିବାରୁ ଦେବତାମାନେ ବନ୍ଦନୀୟ ଓ ଶ୍ରେଷ୍ଠ ବୋଲି ସ୍ଵୀକାର କରାଯାଏ। ଏ ସନ୍ଦର୍ଭରେ ଏକ ମହତ୍ତ୍ଵପୂର୍ଣ୍ଣ କଥା ପ୍ରାପ୍ତ ହୁଏ।

ଥରେ ଅସୁର ଓ ସମସ୍ତ ଦୈତ୍ୟମାନେ ପ୍ରଜାପତି ବ୍ରହ୍ମାଙ୍କ ନିକଟକୁ ଯାଇ କହିଲେ, ପିତାମହ! ଆମେ ସମସ୍ତେ ଦୈତ୍ୟମାନେ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଅଟୁ। ଦେବତାମାନେ କନିଷ୍ଠ ହେଲେ ମଧ୍ୟ ଆପଣ ସର୍ବଦା ଦେବତାମାନଙ୍କୁ ଅଧିକ ସ୍ନେହ କରନ୍ତି। ଏପରି ପକ୍ଷପାତ କାହିଁକି?”

ଏକଥା ଶୁଣି ବ୍ରହ୍ମାଜୀ ଟିକିଏ ମୁରୁକି ହସିଦେଲେ। କହିଲେ, “ଦତିପୁତ୍ରଗଣ! ତୁମେ ଓ ଦେବତାମାନେ ମୋର ପୌତ୍ରଙ୍କର ପୁତ୍ର ଅଟ। ତେଣୁ ମୁଁ ଉଭୟଙ୍କୁ ସ୍ନେହ କରେ। ତଥାପି ତାଙ୍କର ବୁଦ୍ଧି ଓ ଉଦାର ଭାବନା ମୋତେ ଆକୃଷ୍ଠ କରେ। କାରଣ ମୁଁ ହେଉଛି ସମଷ୍ଟି ବୁଦ୍ଧିର ଅଧିଷ୍ଠାତା ଓ ସୃଷ୍ଠିକର୍ତ୍ତା।

ଅସୁରଙ୍କର ଦେବତାମାନଙ୍କ ପ୍ରତି ଆହୁରି ଅଧିକ ଈର୍ଷା ଜାତ ହେଲା। କହିଲେ, “ବ୍ରହ୍ମନ୍! ପରୀକ୍ଷା ନକରି ଆପଣ କେଉଁ ଆଧାରରେ ଏପରି ମାନି ନେଲେ। ଯେଉଁ ଗୁଣ ଦେବତାମାନଙ୍କର ଅଛି ଆମର ମଧ୍ୟ ଅଛି।

ବ୍ରହ୍ମା କହିଲେ, “ଠିକ ଅଛି, ସମୟ ଆସିଲେ ପରୀକ୍ଷା କରିବା।

କିଛି ଦିନ ପରେ ବ୍ରହ୍ମା ଉଭୟଙ୍କୁ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ। ଉଭୟ ନିଜ ନିଜ ସମାଜକୁ ଧରି ବ୍ରହ୍ମାଙ୍କ ଘରେ ଉପସ୍ଥିତ ହେଲେ। ଶତ୍ରୁମାନଙ୍କୁ ନିଜ ସମକ୍ଷରେ ଦେଖି ଅସୁରମାନେ ଆହୁରି ବିଗିଡି ଗଲେ। ସେମାନେ ବ୍ରହ୍ମାଙ୍କୁ ସଫା ସଫା କହିଦେଲେ ଯେ, ଆମେ ଗୋଟିଏ ପଂକ୍ତିରେ ଭୋଜନ କରିପାରିବୁ ନାହିଁ। ବ୍ରହ୍ମାଜୀ ତାଙ୍କ ରୁଚି ଅନୁସାରେ ଜ୍ୟେଷ୍ଠ କ୍ରମକୁ ମାନି ନେଇ ପ୍ରଥମେ ଅସୁରମାନଙ୍କୁ ବସାଇଲେ। ଦେବତାମାନେ ସେଠାରୁ ଟିକିଏ ଦୂରରେ ପୃଥକ କକ୍ଷରେ ପ୍ରତୀକ୍ଷା କଲେ। ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ଦୈତ୍ୟମାନେ ବସିଗଲେ। ସାମ୍ନାରୁ ବ୍ରହ୍ମଲୋକର ଦିବ୍ୟ, ସୁସ୍ଵାଦୁ ବ୍ୟଞ୍ଜନ ପରଷା ଗଲା। ବିଚରା ଅସୁରମାନେ ଚଳୁ କରି ଭୋଜନ କରିବାକୁ ଉଦ୍ୟତ ହେବାରୁ ବ୍ରହ୍ମା କହିଲେ, “ପ୍ରପୌତ୍ରଗଣ! ଖାଇବା ପାଇଁ ଗୋଟିଏ ସର୍ତ୍ତ ଅଛି। ଭୋଜନ ଅବଶ୍ୟ କର, କିନ୍ତୁ କାହାର କହୁଣି ଭାଙ୍ଗିବା ନାହିଁ। ଦୈତ୍ୟମାନେ ଚମକି ପଡିଲେ! କହୁଣି ନଭାଙ୍ଗି କେମିତି ମୁଖ ପାଖରେ ଖାଦ୍ୟ ପହଞ୍ଚିବ? ସେମାନେ ସିଧା ହାତରେ ଉପରକୁ ଟେକି ଖାଇବାରୁ କାହାର ମୁଣ୍ଡରେ  ତ କାହାର ମୁଖରେ ଖାଦ୍ୟ ପଡିଲା। ସେମାନେ ଯତ୍ କିଞ୍ଚିତ ଖାଦ୍ୟ ଖାଇ ଭୋକିଲା ରହିଗଲେ।

ତାପରେ ଦେବତାମାନେ ସର୍ତ୍ତ ଶୁଣି କିଛି ସମୟ ବିଚାର କଲେ। ଆଖି ଠରା ଠରି ହୋଇ ଦୁଇ ଧାଡିରେ ସମାନ୍ତରାଳ ଭାବରେ ବସିଗଲେ। ହାତକୁ ନଭାଙ୍ଗି ସିଧା ଭାବରେ ପରସ୍ପରକୁ କ୍ଷୀରୀ ଖୁଆଇବାକୁ ଲାଗିଲେ। ସମସ୍ୟାକୁ ସମାଧାନ କରି ସେମାନେ ଭୋଜନ କରି ତୃପ୍ତ ହେଲେ। ସହଯୋଗ ଓ ସହକାର ସମସ୍ତଙ୍କୁ ତୃପ୍ତ ଓ ସମୁଲ୍ଲସିତ କରିଦେଲା। ବ୍ରହ୍ମାଙ୍କର ପରୀକ୍ଷା ସଂପୂର୍ଣ୍ଣ ହୋଇ ସାରିଥିଲା। ଦୈତ୍ୟମାନେ ଚୁପ ରହିଲେ। ଏହି ଦୈବୀଗୁଣ ମାନବ ଠାରେ ମଧ୍ୟ ଆସିବା ଦରକାର।

ଉପେନ୍ଦ୍ର ବଳିୟାରସିଂହ, (ଭଗବତ ଚିନ୍ତକ)

ଯୋଗାଯୋଗ ନଂ- ୯୩୩ ୭୨୫ ୮୩୯୮, ଠିକଣା- ବୋରିଗାଁ, ବାଣପୁର, ଖୋର୍ଦ୍ଧା