Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍‌ଯାପିତ

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି।

ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ। କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି। ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି।

ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍‌ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ।

ଏହି କନ୍‌କ୍ଲେଭ୍‌ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି।

ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ।

ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍‌ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି। ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ। ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।

ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି। ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ କରାଯାଉଛି। ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି। ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ।

ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍‌ଟରନ୍ୟାସ୍‌ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତ୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି।

ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଇନ୍‌ଟରନେଟ୍ ଅଫ୍ ଥିଙ୍ଗସ୍‌, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ। ତେଣୁ ଛାତ୍ରଛାତ୍ରୀମାନେ ଇନ୍‌ଟରନେଟ ଅଫ୍ ଥିଙ୍ଗସ୍‌, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ।

ଶୁକ୍ରବାର ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍‌ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ।

ସେହିପରି କନ୍‌କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁ୍‌ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଂଟ (ଏଚ୍‌ଆର୍‌) ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍‌ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଏଆଇର ନୈତିକ ବ୍ୟବହାରକୁ ନେଇ ବିଶ୍ୱ ପ୍ରଶ୍ନର ସମ୍ମୁଖୀନ ହୋଇଛି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅନେକ ଆକର୍ଷଣୀୟ ଦିଗର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ୟକ୍ତିତ୍ୱ ମଧ୍ୟରେ ଏକ ଜଟିଳ ପରସ୍ପର ସମ୍ପର୍କ ରହିଛି ଯେଉଁଠାରେ ଆମେ ଉଭୟ ଦାର୍ଶନିକ ପ୍ରତିଫଳନ ଏବଂ ବ୍ୟବହାରିକ ବିଚାର ଆବଶ୍ୟକ କରୁଥିବା ଅଜ୍ଞାତ ଅଞ୍ଚଳରେ ଯାତାୟାତ କରୁଛୁ ବୋଲି ସେ କହିଛନ୍ତି। ସାଉଦି ଆରବରେ ନାଗରିକତା ପାଇଥିବା ଏକ ମାନବ ରୋବଟ ସୋଫିଆର ଉଦାହରଣ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ‘ଏଆଇ ଏବଂ ବ୍ୟକ୍ତିତ୍ୱର ସଂଯୋଗ ଉପରେ ବିଚାର କରିବା ସମୟରେ ଆମେ ଏହି ପ୍ରଯୁକ୍ତିର ନୈତିକ ବ୍ୟବହାର ବିଷୟରେ ମୌଳିକ ପ୍ରଶ୍ନର ସମ୍ମୁଖୀନ ହେଉଛୁ। ବଞ୍ଚିବା, ନିଶ୍ୱାସ ନେବା ଏବଂ ଚାଲିବା ସମସ୍ତ ମଣିଷ ସେମାନଙ୍କ ପରିଚୟ ଆଧାରରେ ବ୍ୟକ୍ତିତ୍ୱ ଏବଂ ନାଗରିକତା ପାଇବାକୁ ହକ୍ଦାର କି ନାହିଁ ତାହା ଆମକୁ ଚିନ୍ତା କରିବାକୁ ପଡ଼ିବ।’

୩୬ତମ ‘ଲ ଏସିଆ’ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏହା କହିଛନ୍ତି, ଯେଉଁଠାରେ ସେ ‘ପରିଚୟ, ବ୍ୟକ୍ତିଗତ ଏବଂ ରାଜ୍ୟ – ସ୍ୱାଧୀନତାର ନୂତନ ମାର୍ଗ’ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଏଆଇର ବିଭିନ୍ନ ଦିଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଆଇନଜୀବୀ, ବିଚାରପତି, ଆଇନଜୀବୀ ଏବଂ ଆଇନ ସଂଗଠନର ଏକ ଆଞ୍ଚଳିକ ସଂଘ ଲ ଏସିଆ ଏସିଆ ପ୍ରଶାନ୍ତ ମହାସାଗରୀୟ ଆଇନଗତ ପ୍ରଗତିର ସ୍ୱାର୍ଥ ଏବଂ ଚିନ୍ତାକୁ ପ୍ରୋତ୍ସାହିତ କରେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଏହାକୁ ରାଜ୍ୟ ସ୍ୱୀକାର କରିବାଦ୍ୱାରା ସେମାନେ କେଉଁ ସମ୍ବଳ ପାଇବାରେ ସକ୍ଷମ ଅଟନ୍ତି ଏବଂ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିବା ଏବଂ ସେମାନଙ୍କର ଅଧିକାର ଦାବି କରିବାର କ୍ଷମତା ନିର୍ଦ୍ଧାରଣ କରନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସ୍ୱାଧୀନତା ଜଣେ ବ୍ୟକ୍ତିଙ୍କୁ ନିଜ ପାଇଁ ଚୟନ କରିବାକୁ ଏବଂ ଜୀବନର ଗତିପଥ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥାଏ, ଯେତେବେଳେ କି ପରିଚୟ ବ୍ୟକ୍ତିର ଏଜେନ୍ସି ଏବଂ ଜୀବନ ପସନ୍ଦ ସହିତ ଜଡ଼ିତ ହୋଇଥାଏ। ଓକିଲ ଭାବରେ ଆମେ ନିରନ୍ତର ଏହି ଛକ ଏବଂ ଲୋକଙ୍କ ଜୀବନ ସୁଯୋଗକୁ ସୀମିତ କିମ୍ବା ସମ୍ପ୍ରସାରଣ କରିବାରେ ରାଜ୍ୟର ଭୂମିକାର ସମ୍ମୁଖୀନ ହେଉଛୁ। ରାଜ୍ୟ ଏବଂ ସ୍ୱାଧୀନତା ମଧ୍ୟରେ ସମ୍ପର୍କକୁ ବ୍ୟାପକ ଭାବରେ ବୁଝାଯାଇଥିବା ବେଳେ ପରିଚୟ ଏବଂ ସ୍ୱାଧୀନତା ମଧ୍ୟରେ ସମ୍ପର୍କ ସ୍ଥାପନ ଏବଂ ବର୍ଣ୍ଣନା କରିବାର କାର୍ଯ୍ୟ ଅସମ୍ପୂର୍ଣ୍ଣ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ପାରମ୍ପରିକ ଭାବରେ ବ୍ୟକ୍ତିର ଆତ୍ମନିର୍ଣ୍ଣୟ ସ୍ୱାଧୀନତା ସହିତ ସରକାରୀ ହସ୍ତକ୍ଷେପର ଅଭାବ ଭାବରେ ବ୍ୟାଖ୍ୟା କରାଯାଇଛି। ତେବେ ଆଧୁନିକ ପଣ୍ଡିତମାନେ ଦାବି କରିଛନ୍ତି ଯେ ସାମାଜିକ ଶୃଙ୍ଖଳା ଓ ପୂର୍ବାଗ୍ରହକୁ ବଜାୟ ରଖିବାରେ ରାଜ୍ୟର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ।

ବାସ୍ତବରେ ଯଦି ରାଜ୍ୟ ଏଥିରେ ହସ୍ତକ୍ଷେପ ନ କରେ, ତେବେ ସାମାଜିକ ଓ ଅର୍ଥନୈତିକ ପୁଞ୍ଜି ଥିବା ସମ୍ପ୍ରଦାୟଗୁଡ଼ିକ ଐତିହାସିକଭାବେ ଅବହେଳିତ ହୋଇଥିବା ସମ୍ପ୍ରଦାୟ ଉପରେ ଆଧିପତ୍ୟ ପ୍ରୟୋଗ କରିପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି ଯେ ପାରମ୍ପରିକ, ଉଦାରବାଦୀ ଆଦର୍ଶରେ ଯେଉଁମାନେ ଜାତି, ଜାତି, ଧର୍ମ, ଲିଙ୍ଗ କିମ୍ବା ଯୌନ ଆଭିମୁଖ୍ୟ କାରଣରୁ ଅବହେଳାର ସମ୍ମୁଖୀନ ହୁଅନ୍ତି, ସେମାନେ ସର୍ବଦା ଅତ୍ୟାଚାରର ସମ୍ମୁଖୀନ ହୁଅନ୍ତି ଯାହା ସାମାଜିକ ପ୍ରଭାବଶାଳୀଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥାଏ।

ପ୍ରଧାନ ବିଚାରପତି ଇଂରାଜୀ ଦାର୍ଶନିକ ଜନ୍ ଷ୍ଟୁଆର୍ଟ ମିଲଙ୍କ ସ୍ୱାଧୀନତା ଉପରେ ୧୮୫୯ ମସିହାର ପୁସ୍ତକକୁ ମଧ୍ୟ ଉଦାହରଣ ଦେଇଥିଲେ, ଯେଉଁଥିରେ ଲେଖକ ସ୍ୱାଧୀନତା ଏବଂ କର୍ତ୍ତୃପକ୍ଷ ଏବଂ ରାଜ୍ୟର ଅତ୍ୟାଚାର ମଧ୍ୟରେ ଐତିହାସିକ ଲଢ଼େଇ ବିଷୟରେ ବର୍ଣ୍ଣନା କରିଥିଲେ, ଯାହା ତାଙ୍କ ମତରେ ଲୋକଙ୍କ ସ୍ୱାଧୀନତାଦ୍ୱାରା ନିୟନ୍ତ୍ରିତ ହେବା ଆବଶ୍ୟକ।
ଲେଖକ କର୍ତ୍ତୃପକ୍ଷ ନିୟନ୍ତ୍ରଣକୁ ଦୁଇଟି ବ୍ୟବସ୍ଥାରେ ବିଭକ୍ତ କରିଥିଲେ। ପ୍ରଥମତଃ, ନାଗରିକମାନଙ୍କର ଆବଶ୍ୟକତା ଅଧିକାର ଏବଂ ଦ୍ବିତୀୟତଃ ଶାସନ ପଥର ପ୍ରଭାବ ପ୍ରତି ସମ୍ପ୍ରଦାୟ ସହମତି ପ୍ରକାଶ କରିବା ପାଇଁ ସାମ୍ବିଧାନିକ ନିୟନ୍ତ୍ରଣ ରହିବା ଆବଶ୍ୟକ।

ପ୍ରଧାନ ବିଚାରପତି ସ୍ୱାଧୀନତାର ଧାରଣାକୁ ଆହୁରି ବର୍ଣ୍ଣନା କରି କହିଲେ, ‘ମୋ ନାକ ଆରମ୍ଭ ହେଉଥିବା ସ୍ଥାନରେ ତୁମର ମୁଠି ବୁଲାଇବାର ଅଧିକାର ଶେଷ ହୋଇଯାଏ।’
ସିଜେଆଇ ଶେଷରେ କହିଛନ୍ତି ଯେ, ‘ଆମକୁ ଆମର ଦୃଷ୍ଟିକୋଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଉଦାହରଣସ୍ୱରୂପ, ଲୋକସାର୍ବଭୌମତ୍ୱର ଧାରଣାରେ ବହୁଳତା ଏବଂ ବିବିଧତା ମୌଳିକ ହେବା ଆବଶ୍ୟକ।’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏବେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍। ପ୍ଲମ୍‌ର ବ୍ୟାପକ କ୍ଲାଉଡ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସହଯୋଗିତା ଭାରତରେ ପ୍ରାୟ ୨୦ କୋଟି ପରିସରକୁ ଅତ୍ୟାଧୁନିକ ସେବା ପ୍ରଦାନ କରିବ।

ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ଲାଗି ପ୍ଲମ୍‌ର ଏଆଇଭିତିକ ଓ କ୍ଲାଉଡ୍ ପ୍ଲାଟଫର୍ମ ଉପରେ ଆଧାରିତ ହୋମ୍‌ପାସ୍ ଓ ୱାର୍କପାସ ସେବାର ଶୁଭାରମ୍ଭ କରିବ। ହୋମ୍‌ପାସ୍ ଜରିଆରେ ଘର ଏକ ସ୍ମାର୍ଟ ହୋମ୍‌ରେ ପରିଣତ ହେବ। ଘର ସାରାର ଡିଭାଇସ୍ ସମୂହ ୱାଇ-ଫାଇରେ ଯୋଡ଼ିହୋଇପାରିବେ। ଆପ୍ଲିକେସନ୍‌ର ପ୍ରଦର୍ଶନରେ ସୁଧାର ଆସିବ, କନେକ୍ଟେଡ୍ ଡିଭାଇସ୍‌କୁ ସାଇବର ଆକ୍ରମଣରୁ ସୁରକ୍ଷା ମିଳିବ ଏବଂ ଶିଶୁମାନଙ୍କ ଲାଗି ବିଷୟବସ୍ତୁକୁ ଅଭିଭାବକମାନେ ଭଲ ଭାବେ ନିୟନ୍ତ୍ରଣ କରିପାରିବେ। ୱାଇ-ଫାଇ ମୋସନ ସେନ୍‌ସିଂ ଭଳି ସୁବିଧା ମଧ୍ୟ ମିଳିବ।

କ୍ଷୁଦ୍ର ବ୍ୟବସାୟୀମାନଙ୍କ ଲାଗି ପ୍ଲମ୍‌ର ୱାର୍କପାସ୍ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ୱାର୍କପାସ୍ ହେଉଛି ଏକ ବିଜନେସ୍ ଇଂଟେଲିଜେନ୍ସ ପ୍ଲାଟଫର୍ମ ଯାହା କ୍ଷୁଦ୍ର ବ୍ୟବସାୟ ପାଇଁ ସରଳ ସମାଧାନ ଏବଂ ତାହାର ସୁଗମତା ସହିତ ଏଂଟରପ୍ରାଇଜ୍ ମାନର ଔଦ୍ୟୋଗିକ କ୍ଷମତାର ସନ୍ତୁଳନ ବଜାୟ ରଖିବ। ଏଥିରେ ଆବଶ୍ୟକ କନେକ୍ଟିଭିଟି (ସଂଯୋଗ), ଉତ୍ପାଦକତା ଓ ସୁରକ୍ଷା ଟୁଲ୍ ମଧ୍ୟ ରହିଛି।

ଗ୍ରାହକମାନଙ୍କୁ ଉତ୍ତମ ଅନୁଭବ ପ୍ରଦାନ କରିବା ଲାଗି ପ୍ଲମ୍‌ର ହେଷ୍ଟେକ୍ ସପୋର୍ଟ ଓ ଅପରେସନ୍ସ ସୁଟ୍‌କୁ ଜିଓ ବ୍ୟବହାର କରିବ। ଏହା ମାଧ୍ୟମରେ ଜିଓର ଗ୍ରାହକ ସହାୟତା ଓ ପରିଚାଳନା ଟିମ୍‌ର ପ୍ରଦର୍ଶନ ଅଧିକ ସମୃଦ୍ଧ ହେବ। ଏଥି ସହିତ ନେଟ୍‌ୱର୍କକୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କିତ ବିଷୟକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ ସମ୍ପାଦନ କରିବାରେ ତାହା ସହାୟକ ହୋଇପାରିବ।

ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମ୍ମନ କହିଛନ୍ତି ଯେ, “କନେକ୍ଟେଡ୍ ହୋମ୍ ସେବା ଲାଗି ଆମେ ନିରନ୍ତର ଭାବେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ। ନିଜ ଗ୍ରାହକମାନଙ୍କୁ ଉନ୍ନତ ଓ ସୁରକ୍ଷିତ ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବା ଜିଓ ପାଇଁ ବେଶ ମହତ୍ୱପୂର୍ଣ୍ଣ। ପ୍ଲମ୍ ଭଳି ସହଯୋଗୀଙ୍କ ସହ ବ୍ୟାପକ ଓ ଅଗ୍ରଣୀ ପ୍ଲାଟଫର୍ମ ସହିତ ଜିଓ ନିଜର କନେକ୍ଟେଡ୍ ହୋମ୍ ସେବାକୁ ଆହୁରି ସୁଦୃଢ଼ କରିବ।’’

ପ୍ଲମ୍‌ର ମୁଖ୍ୟ ରାଜସ୍ୱ ଅଧିକାରୀ ଆଡ୍ରିଆନ୍ ଫିଟଜରାଲ୍ଡ କହିଛନ୍ତି ଯେ, “ସାରା ଭାରତରେ ଗ୍ରାହକମାନଙ୍କୁ ଅଦ୍ୱିତୀୟ ଓ ବ୍ୟକ୍ତିଗତ ସୁହାଇବା ଭଳି ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବାରେ ଆମେ ଜିଓକୁ ସହାୟତା ପ୍ରଦାନ କରିବୁ। ଜିଓକୁ ଏହି ବିକାଶ ଯାତ୍ରାରେ ସହଯୋଗ ପ୍ରଦାନ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ।’’

ଫିକ୍ସଡ୍ ଲାଇନ୍ ଓ ଓୟାରଲେସ୍ ସେବା ଜରିଆରେ ଭାରତରେ ଗ୍ରାହକମାନଙ୍କ ଡିଜିଟାଲ୍ ଆବଶ୍ୟକତାକୁ ଜିଓ ପୂରଣ କରୁଛି। ଦେଶରେ ପ୍ରତିଟି ଘରେ ବିଶ୍ୱସନୀୟ ଓ ହାଇ-ସ୍ପିଡ୍ ଇଂଟରନେଟ୍ ଓ ମନୋରଂଜନ ସେବା ପ୍ରଦାନ କରିବା ଲାଗି ବିଶ୍ୱସ୍ତରୀୟ ଜିଓଫାଇବର ଓ ଜିଓ ଏୟାରଫାଇବର ନେଟ୍‌ୱର୍କକୁ ପ୍ରସ୍ତୁତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।

ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ।

ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ। ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି। ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି।

ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।

ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ। ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ। ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅପରାଧ ଏବଂ ସୁରକ୍ଷା ଉପରେ ଜି-୨୦ ସମ୍ମିଳନୀରେ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ହରିୟାଣାର ଗୁରୁଗ୍ରାମରେ ‘ଏନଆଇଏଫଟିଏସ, ଏଆଇ ଏବଂ ମେଟାଭର୍ସ ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି-୨୦ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ। ଗୃହମନ୍ତ୍ରୀ ଭାରତର ୭ଟି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ସାଇବର ସ୍ୱେଚ୍ଛାସେବୀ ସ୍କ୍ୱାଡକୁ ସବୁଜ ପତାକା ଦେଖାଇବେ। ଏହା ବିଶେଷ ଭାବରେ ମନୋନୀତ ସ୍ୱେଚ୍ଛାସେବୀମାନେ ସମାଜରେ ସାଇବର ସଚେତନତା ସୃଷ୍ଟି କରିବା, କ୍ଷତିକାରକ ବିଷୟବସ୍ତୁ ଚିହ୍ନଟ କରିବା ଏବଂ ରିପୋର୍ଟ କରିବା ଏବଂ ସମାଜକୁ ସାଇବର ସୁରକ୍ଷିତ କରିବା ପାଇଁ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବେ। ଏହି ସମ୍ମିଳନୀ ସମୟରେ ଅମିତ ଶାହା ଏକ ପ୍ରଦର୍ଶନୀର ଉଦଘାଟନ ମଧ୍ୟ କରିବେ ଏବଂ ସମ୍ମିଳନୀରେ ପ୍ରାଚୀନ ପଦକର ଉନ୍ମୋଚନ କରିବେ। ୧୩ ଏବଂ ୧୪ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଜି-୨୦ ଦେଶ, ୯ଟି ସ୍ୱତନ୍ତ୍ର ଆମନ୍ତ୍ରିତ ଦେଶ, ଅନ୍ତର୍ଜାତୀୟ ସଂଗଠନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଥିବା ଅଗ୍ରଣୀ ବ୍ୟକ୍ତିବିଶେଷ, ଭାରତ ତଥା ବିଶ୍ୱର ଡୋମେନ ବିଶେଷଜ୍ଞଙ୍କ ସମେତ ୯୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସାଇବର ସୁରକ୍ଷିତ ଭାରତର ନିର୍ମାଣ ଗୃହ ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ସମ୍ମିଳନୀର ଉଦେଶ୍ୟ ଏକ ସୁରକ୍ଷିତ ସାଇବର ସ୍ପେସ ତିଆରି କରିବା ଏବଂ ସାଇବର ସୁରକ୍ଷା ସମ୍ବନ୍ଧିତ ଚିନ୍ତାଧାରାକୁ ପ୍ରାଥମିକତା ଦେବା ପାଇଁ ବୈଶ୍ୱିକ ସହଭାଗିତା କରିବାକୁ ହେବ। ସମ୍ମିଳନୀ ସମୟରେ ଆଲୋଚନା ସାଇବର ସୁରକ୍ଷା ଏବଂ ନନ ଫୁଙ୍ଗିବଲ ଟୋକେନ (ଏନଏଫଟିଏସ), ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ମେଟାଭର୍ସ ଭଳି ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସାଇବର ଅପରାଧର ମୁକାବିଲା ପାଇଁ ଉପାୟ ଖୋଜିବ।

ଅନ୍ତର୍ଜାତୀୟ ସ୍ତରରେ ସାଇବର ସୁରକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି। ଏହାର ଅର୍ଥନୈତିକ ଏବଂ ଭୌଗଳିକ ଜଟିଳତା ହେତୁ ପର୍ଯ୍ୟାପ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଜି-୨୦ ମଞ୍ଚ ଉପରେ ସାଇବର ସୁରକ୍ଷା ଉପରେ ଅଧିକ ଧ୍ୟାନ, ସମ୍ପୂର୍ଣ୍ଣ ସୂଚନା ଭିତ୍ତିଭୂମି ଏବଂ ଡିଜିଟାଲ ପବ୍ଲିକ ପ୍ଲାଟଫର୍ମର ସୁରକ୍ଷା ତଥା ଅକ୍ଷୟତାକୁ ସୁନିଶ୍ଚିତ କରିବାରେ ସକାରାତ୍ମକ ଯୋଗଦାନ ନେଇପାରେ। ଜି-୨୦ ମଞ୍ଚ ଉପରେ ସାଇବର ସୁରକ୍ଷା ଏବଂ ସାଇବର ଅପରାଧକୁ ରୋକିବା ଉପରେ ବିଚାରବିମର୍ଶ ଦ୍ୱାରା ସୂଚନା ବାଣ୍ଟିବାରେ ସାହାଯ୍ୟ କରିବ।

‘ଏନଏଫଟିଏସ ଏବଂ ଏଆଇ ମେଟାଭର୍ସ ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି-୨୦ ସମ୍ମିଳନୀ’ ବିଶ୍ୱର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ସହ ନୂତନ ଚିନ୍ତାଧାରା ଏବଂ ସୂଚନା ଆଦାନ-ପ୍ରଦାନ ଏବଂ ନେଟୱାର୍କିଂ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହି ସମ୍ମିଳନୀରେ ଆଇନ କ୍ଷେତ୍ର, ଏକାଡେମୀ, ତାଲିମ ପ୍ରତିଷ୍ଠାନ, ଆର୍ଥିକ ପ୍ରତିଷ୍ଠାନ, ଫିଣ୍ଡେକ, ସୋସିଆଲ ମିଡିଆ ସଂସ୍ଥା, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସାଇବର ଫରେନସିକ ନିୟାମକ, ଷ୍ଟାର୍ଟଅପ, ସବୁଠାରୁ ଶୀର୍ଷରେ (ଓଟିଟି) ସେବା ପ୍ରଦାନକାରୀ, ଇ-ବାଣିଜ୍ୟ କମ୍ପାନିଗୁଡ଼ିକର ପ୍ରତିନିଧିମାନେ ଯୋଗଦେବେ। ବିଶ୍ୱସ୍ତରୀୟ ସାଇବର ବିଶେଷଜ୍ଞ ଏବଂ ଅତିଥି ବକ୍ତାଙ୍କ ସମେତ ଅନ୍ୟମାନେ ଅଂଶଗ୍ରହଣ କରିବେ। ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ, ସଂଗଠନ ଏବଂ ଏଜେନ୍ସିର ପ୍ରତିନିଧି ତଥା ମୁଖ୍ୟ ସଚିବ, ପ୍ରଶାସକ ଏବଂ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅଂଶଗ୍ରହଣ କରିବେ।

ଏହି ସମ୍ମିଳନୀ ୧୩ ଜୁଲାଇ ୨୦୨୩ରେ ପ୍ଲେନାରୀ ଅଧିବେଶନ ସହିତ ଆରମ୍ଭ ହେବ ଏବଂ ପରେ ଉଦଘାଟନୀ ଅଧିବେଶନ ଆରମ୍ଭ ହେବ। ଦୁଇଦିନିଆ ସମ୍ମିଳନୀରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ୬ଟି ବୈଷୟିକ ଅଧିବେଶନ ହେବ।

୧. ଇଣ୍ଟରନେଟ୍ ଶାସନ- ଜାତୀୟ ଦାୟିତ୍ୱ ଏବଂ ଗ୍ଲୋବାଲ କମନ୍ସ।

୨. ଡିଜିଟାଇଜେସନର ଅଦୃଶ୍ୟ ମାପ ମଧ୍ୟରେ ଡିପିଆଇକୁ ସୁରକ୍ଷିତ କରିବା- ଡିଜାଇନ, ସ୍ଥାପତ୍ୟ, ନୀତି ଏବଂ ପ୍ରସ୍ତୁତି।

୩. ଡିଟିଟାଲ ମାଲିକାନର ବିସ୍ତାରିତ ବାସ୍ତବତା, ମେଟାଭର୍ସ ଏବଂ ଭବିଷ୍ୟତ- ଆଇନଗତ ଏବଂ ନିୟାମକ ଢାଞ୍ଚା।

୪. ଏଆଇ- ଆହ୍ୱାନ, ସୁଯୋଗ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର।

୫. ବିନ୍ଦୁଗୁଡ଼ିକୁ ସଂଯୋଗ କରିବା- କ୍ରିପ୍ଟୋ କରେନ୍ସି ଏବଂ ଡାର୍କନେଟର ଆହ୍ୱାନ।

୬. ଆଇସିଟିର ଅପରାଧିକ ବ୍ୟବହାର- ଅନ୍ତର୍ଜାତୀୟ ସହଯୋଗ ପାଇଁ ଏବଂ ଢାଞ୍ଚାର ବିକାଶ।

ଏହି ସମ୍ମିଳନୀରେ ୬ଟି ବୈଷୟିକ ଅଧିବେଶନ ଏବଂ ଆଇସିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ/ ଶିଳ୍ପ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ଉତ୍ପାଦ ଏବଂ ସେବାଗୁଡ଼ିକର ଏକ ପ୍ରଦର୍ଶନୀ ମଧ୍ୟ ହେବ। କେନ୍ଦ୍ର ଇଲେକଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୪ ଜୁଲାଇରେ ଏହି ସମ୍ମିଳନୀର ସମାପନ ଅଧିବେଶନକୁ ସମ୍ବୋଧିତ କରିବେ।

ଏହି ସମ୍ମିଳନୀର ଆୟୋଜନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (ଏନଏସସିଏସ), ଦୂରସଂଚାର ବିଭାଗ (ଡିଓଟି) ଏବଂ କେନ୍ଦ୍ରୀୟ ଅନୁସନ୍ଧନ ବ୍ୟୁରୋ (ସିବିଆଇ) ବ୍ୟତୀତ ଇଣ୍ଟରପୋଲ ଏବଂ ଡ୍ରଗ୍ସ ଓ ଅପରାଧ ଉପରେ ମିଳିତ ଜାତିସଂଘ କାର୍ଯ୍ୟାଳୟ (ୟୁଏନଓଡିସି) ସହିତ ମିଳିତ ଭାବେ କରାଯାଉଛି।

ସମ୍ମିଳନୀରେ ଅନ୍ୟ ସହଭାଗିତାରେ ରାଷ୍ଟ୍ରୀୟ ସୁରକ୍ଷା ବିଶ୍ୱବିଦ୍ୟାଳୟ (ଆରଆରଭି), ରାଷ୍ଟ୍ରୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏଏଫଏସୟୁ), ଡାଟା ସିକ୍ୟୁରିଟୀ କାଉନସିଲ ଅଫ୍ ଇଣ୍ଡିଆ (ଡିଏସସିଆଇ), ନାସନାଲ ଲ’ସ୍କୁଲ୍ ଅଫ୍ ଇଣ୍ଡିଆ ୟୁନିଭର୍ସିଟି (ଏନଏଲଏସଆଇୟୁ), ବାଙ୍ଗାଲୋର ଏବଂ ଅମୃତା ବିଶ୍ୱବିଦ୍ୟାପୀଠ ସାମିଲ ଅଛି।